
ଝାରପଡା ଜେଲରେ ବିଚାରାଧୀନ କଏଦୀ ଖୋର୍ଦ୍ଧା କୋର୍ଟରୁ ଫେରାର । ତା’କୁ ଧରିବା ଲାଗି ପୁଲିସ ନାକେଦମ ହୋଇଥିବାବେଳେ ରିପୋର୍ଟ ଲେଖାହେବା ଯାଏଁ ଧରି ପାରିନଥିବା ଜଣାଯାଇଛି ।
ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅଂଚଳର ସୁକାନ୍ତ ନାୟକ ଦୁଇ ବର୍ଷ ଧରି ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅଂଚଳର ଏକ କେସରେ ଝାରପଡା ଜେଲରେ ସଜା କାଟୁଥିଲେ । ତେବେ ଶନିବାର ଦିନ ଆସାମୀକୁ ଆଇଓ ସାକ୍ଷୀ ନିମନ୍ତେ ଝାରପଡା ଜେଲରୁ ଖୋର୍ଦ୍ଧା କୋର୍ଟ ପୁଲିସ ଦ୍ୱାରା ଅଣାଯାଇଥିଲା ।କୋର୍ଟ ପରିସର ମଧ୍ୟରେ ଆସାମୀର ହାତରୁ ହାତକଡ଼ି ଖୋଲି ଦେବା ପରେ ଆସାମୀ ପୁଲିସକୁ ଚକ୍ମା ଦେଇ ଖସି ଯାଇଥିବା ଖବରକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ତେବେ, ଦୀର୍ଘ ସମୟ ଧରି, କଏଦୀ ଜଣକ ପୁଲିସ ହାତରୁ କୋର୍ଟ ଛାତ ଉପରେ ଖସିବା ପାଇଁ ଯୋଜନା କରୁଥିବା ବେଳେ ଶେଷରେ ସଫଳ ହୋଇଛି । କୋର୍ଟ ଛାତ ଉପରକୁ ପ୍ରଥମେ କଏଦୀ ଯାଇଥିଲା ଏବଂ ପରେ ସିଡିରେ ତଳକୁ ଆସି କୌଣସି ମତେ କୋର୍ଟ ପଛ ଭାଗର ପାଚେରୀ ଡେଇଁ ଖସିଯିବାରେ ସଫଳ ହୋଇଥିବା କୋର୍ଟ ସିସିଟିଭିରୁ ଜଣାଯାଉଛି । ତେବେ କଏଦୀ ଧରିବା ଲାଗି ସ୍ଥାନୀୟ ପୁଲିସ ଓ କମିଶନରେଟ ପୁଲିସ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଯାଂଚ କରୁଛନ୍ତି ।