ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଦର୍ପଙ୍ଗିଆ ରେସିଡେନ୍ସିଆଲ ସ୍କୁଲରେ ଅଘଟଣ। ସାପ କାମୁଡାରେ ଜଣେ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍କୁଲରେ ଶୋକର ଛାୟା। ସୂଚନା ମୁତାବକ ରବିବାର ରାତିରେ ହଷ୍ଟେଲରେ ଥିବା ଅନ୍ତୋବାସୀ ଖାଇପିଇ ଶୋଇଥିଲେ। ସମସ୍ତେ ଶୋଇଥିବା ଅବସ୍ଥାରେ ଏକ ଚିତି ସାପ ପ୍ରଥମ ଶ୍ରେଣୀର ଛାତ୍ରୀର ବିଛଣାରେ ଚିତି ସାପଟିଏ ତାଙ୍କୁ କାମୁଡି ଦେଇଥିଲା।
ସାପ କାମୁଡିବା ପରେ ଛାତ୍ରୀ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ । ପିଲାଟି ଅନ୍ୟମାନଙ୍କୁ କହିଥିଲା କି କିଛି ଗୋଟିଏ ତାକୁ କାମୁଡି ଦେଲା। ଅନ୍ୟ ଅନ୍ତୋବାସୀ ଖୋଜିବାରୁ ସାପ ସେହି କୋଠରୀରୁ ଯାଉଥିବା ଦେଖି ତାକୁ ମାରିଦେଇଥିଲେ । ହଷ୍ଟେଲର କର୍ମଚାରୀ ତୁରନ୍ତ ସେହି ଛାତ୍ରୀକୁ ଭଞ୍ଜନଗର ମେଡ଼ିକାଲକୁ ନେଇଯାଇଥିଲେ ଓ ବାପା ଗୋବର ସିଂ ପ୍ରଧାନକୁ ସୂଚନା ଦେଇଥିଲେ । ଡାକ୍ତର ତୁରନ୍ତ ଛାତ୍ରୀର ଚିକିତ୍ସା ଆରମ୍ଭ କରିଦେଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ହାରମାନିଥିଲା। ସକାଳ ପ୍ରାୟ ୬ଟା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଛାତ୍ରୀଙ୍କ ମୃତ୍ୟୁ ସମ୍ବାଦ ଡାକ୍ତର ଦେବା ପରେ ମେଡ଼ିକାଲରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା।