ଅପେକ୍ଷାରେ ରଥ, ପଥ, ଭକ୍ତ ଓ ଜଗନ୍ନାଥ

ରାତି ନ ପାହୁଣୁ ବଡଦାଣ୍ଡରେ ଜନସମୁଦ୍ରଙ୍କ ଉତାଙ୍ଗ ଲହଡି। ଶ୍ରୀମନ୍ଦିର ଆଗରେ ପତୀକ୍ଷାରେ ତିନି ରଥ। ପ୍ରତୀକ୍ଷାରେ ଭକ୍ତ, ପ୍ରତୀକ୍ଷାରେ ବଡଦାଣ୍ଡ। ସମସ୍ତଙ୍କ ମଧ୍ୟରେ ଉତ୍ସାହ। ଆଜି ସମସ୍ତଙ୍କ ପ୍ରାଣର ବାନ୍ଧବ ରତ୍ନସିଂହାସନ ଛାଡି ଓହ୍ଲାଇ ଆସିବେ ବଡଦାଣ୍ଡକୁ। ହେବେ ରଥାରୁଢ। ଉତ୍କଣ୍ଠାରେ ସମସ୍ତଙ୍କ ଆଖି ଲାଖିଛି ସିଂହଦ୍ବାର ଉପରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ଆଜି ବିଜେ କରିବେ ଜନ୍ମବେଦୀକୁ । ତାଙ୍କ ଏହି ଯାତ୍ରାର ପ୍ରତିଟି ମୁହୂର୍ତ୍ତ ହେବ ଭକ୍ତଙ୍କର। ଜାତି, ଧର୍ମ, ବର୍ଣ୍ଣର ବାଛ ବିଚାର ଭୁଲି ସମସ୍ତେ ଆଜି ଉତ୍କଳ ସମ୍ରାଟଙ୍କ ପ୍ରଜା। ପ୍ରତିଟି ମୁହୂର୍ତ୍ତ ଆଜି ଲାଗୁଛି ଯୁଗ ପରି। ତଥାପି ଉତ୍କଣ୍ଠାର ହେଉନି ଅନ୍ତ। ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେ ରଥାରୁଢ ହେଲେ ଭକ୍ତ ତାର ଭକ୍ତି ନୈବେଦ୍ୟ ଅର୍ପଣ କରି ଭକ୍ତିର ଭାବରେ ତିନିଠାକୁରଙ୍କୁ ଟାଣି ନେବ ମାଉସୀ ମା ମନ୍ଦିରକୁ।

ଯେଉଁଠି ୯ ଦିନ ବ୍ୟାପୀ ମହାପ୍ରଭୁ ମାଉସୀ ଗୁଣ୍ଡିଚାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ପ୍ରତି ବର୍ଷ ପରି ଚଳିତ ରଥଯାତ୍ରା ହେଉଥିଲେ ମଧ୍ୟ ଏଥିରେ ରହିଛି ସାମାନ୍ୟ ବ୍ୟତିକ୍ରମ। ୫୩ ବର୍ଷ ପରେ ଆସିଛି ଏହି ବ୍ୟତିକ୍ରମ। ଗୋଟିଏ ଦିନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ପରେ ହେବ ତିନି ଠାକୁରଙ୍କ ପହଣ୍ଡି ବିଜେ। ସମୟ ଅଭାବରୁ ଚଳିତ ବର୍ଷ ଭକ୍ତ ନବଯୌବନ ଓ ନେତ୍ରୋତ୍ସବ ଦର୍ଶନରୁ ବଞ୍ଚିତ ହୋଇଛନ୍ତି, ଯାହାକୁ ନେଇ ଭକ୍ତ ମନରେ ଦୁଃଖ। ତଥାପି ଅପେକ୍ଷା ମହାବାହୁଙ୍କୁ ପହଣ୍ଡି ବିଜେକୁ। ପ୍ରାୟ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ, ଯାହା ସୋମବାର ସୁଦ୍ଧା ଶେଷ ହେବ।

Leave a Reply

Your email address will not be published. Required fields are marked *