ଆର ପାରିରେ ମହେଶ୍ୱର ମହାନ୍ତି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ୱର ମହାନ୍ତି।
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ବହୁ ବିସିଷ୍ଟ ବ୍ୟକ୍ତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।ସ୍ବର୍ଗତ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଏହାସହ ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହେଶ୍ବରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ପୁରୀର ପୂର୍ବତନ ବିଧାୟକ ତଥା ହେଭିୱେଟ ନେତା ମହେଶ୍ୱର ମହାନ୍ତି ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମହେଶ୍ୱର ୧୯୭୫ ମସିହାରେ ପ୍ରଥମେ ପୁରୀ ମୁନିସିପାଲିଟି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ । ୧୯୯୫ରେ ସେ ରାଜ୍ୟ ରାଜନୀତିକୁ ଆସିଥିଲେ । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ପ୍ରଥମେ ନିର୍ବାଚିତ ହୋଇଥିଲେ ।

ପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ୱ ସମ୍ଭାଳିଥିଲେ । ଏହାବ୍ୟତୀତ ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ । ତେବେ ପୁରୀ ସହରର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା ।

ତେବେ ତାଙ୍କର ବିୟୋଗରେ ସାରା ପୁରୀ ସହରରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *