ଜମ୍ମୁ-କାଶ୍ମୀରର ରାଜୌରୀ ଏବଂ ଅନନ୍ତନାଗ ଜିଲ୍ଲାରେ ଆତ୍ମଗୋପନ କରିଥିବା କିଛି ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। କିନ୍ତୁ ଗତକାଲି କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ସେନାର ଜଣେ କର୍ଣ୍ଣେଲ୍ଙ୍କ ସହ ଆଉ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଛନ୍ତି । ବୁଧବାର ସକାଳେ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ସେନା ଏବଂ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।
ସେହିପରି ଯବାନଙ୍କ ଜୀବନ ବଞ୍ଚାଇ ଦେଶ ପାଇ ସହିଦ ହୋଇଛି କୁକୁର ‘କେଣ୍ଟ’। ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ସମୟରେ ‘କେଣ୍ଟ’ ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଥିଲା। ଏତିକି ବେଳେ ଆତଙ୍କବାଦୀଙ୍କ ଏକ ଗୁଳି ‘କେଣ୍ଟ’ ଶରୀରରେ ଆସି ବାଜିଥିଲା। ଆଉ ସେ ଘଟଣାସ୍ଥଳରେ ହଁ ଟଳି ପଡ଼ିଥିଲା। ତେବେ ସେ ଯଦି ଏହି ଗୁଳିର ସାମ୍ନା କରି ନଥାଆନ୍ତା ତାହାଲେ ତା’ ସହିତ ଥିଵା ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା । ତେବେ ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି। ଉଭୟ ଘଟଣାରେ ଗୁରୁତର ଆହତ ହୋଇଥିବା ଏହି ସେନା କର୍ମଚାରୀଙ୍କୁ ଶ୍ରୀନଗର ନିଆଯାଇଥିଲା। ହେଲେ ସେଠାରେ ଉପରୋକ୍ତ ସେନା ଅଧିକାରୀମାନଙ୍କ ମୃତ୍ୟୁ ହୋଇଛ। ଅନ୍ୟ କିଛି ଆହତ ଯବାନଙ୍କ ଚିକିତ୍ସା ଚାଲିଛି ବୋଲି ସେନା ପକ୍ଷରୁ କୁହାଯାଇଛି।
ସେନାର କର୍ଣ୍ଣେଲ୍ ନିଜ ଟିମ୍ର ନେତୃତ୍ୱ କରି ସେହି ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀ ତାଙ୍କ ଟିମ୍ ଉପରକୁ ଗୁଳି ଚଳାଇଥିଲେ । ଏଥିରେ କର୍ଣ୍ଣେଲ୍ଙ୍କ ସହ ଜଣେ ମେଜର ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଛନ୍ତି । ୧୯ ରାଷ୍ଟ୍ରୀୟ ରାଇଫଲ୍ର କର୍ଣ୍ଣେଲ୍ ଏହି ଟିମ୍ର ନେତୃତ୍ୱ କରୁଥିଲେ । ଏହାର ସୂଚନା ମିଳିବା ପରେ କାଶ୍ମୀରର ଡିଜିପି ଦିଲବାଗ ସିଂ, ଏଡିଜିପି ବିଜୟ କୁମାର ଏବଂ ଜିଓସି ଲେଫନାଣ୍ଟ ଜେନେରାଲ ରାଜୀବ ଘାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।