
‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହା ପୂର୍ବରୁ ଏକ କମିଟି ଗଠନ କରିଛନ୍ତି ମୋଦୀ ସରକାର । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ଏହି କମିଟି ‘‘ୱାନ୍ ନେସନ, ୱାନ ଇଲେକ୍ସନ’’ ସଂପର୍କିତ ସମସ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେବେ।
ଏହି କମିଟିର ମୁଖ୍ୟ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ହେବେ ବୋଲି ଆଜି ଘୋଷଣା ହୋଇଛି। ତେବେ କେଉଁମାନେ କମିଟି ସଦସ୍ୟ ରହିବେ, ସେ ନାମ ଗୁଡ଼ିକ ଘୋଷଣା ହୋଇନାହିଁ।
ଏଇ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ଗୁରୁବାର କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହାର ଦିନକ ପରେ ମାନେ ଶୁକ୍ରବାର
‘ୱାନ୍ ନେସନ, ୱାନ ଇଲେକ୍ସନ’ ପ୍ରସଙ୍ଗକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ କରାଯିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି।
‘ୱାନ୍ ନେସନ, ୱାନ ଇଲେକ୍ସନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ। ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଅନେକ ସମୟରେ ଏହି ବିଷୟରେ କୁହାଯାଇଛି। ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା।
ଆମ ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାବେଳେ ହେବା କିଛି ନୂଆ କଥା ନୁହେଁ। ୧୯୬୭ ମସିହା ପର୍ଯ୍ୟନ୍ତ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହୋଇଥିଲା। ମୋଟ ୪ ଥର ଏହିଭଳି ନିର୍ବାଚନ ହୋଇଥିଲା। ୧୯୬୮-୬୯ରୁ ଏହି ଧାରାରେ ପରିବର୍ତ୍ତନ ହେଲା। କାରଣ ସେହି ବର୍ଷ କିଛି ବିଧାନସଭାକୁ ଅବଧି ଶେଷ ହେବା ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିପରି ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା। ଆହୁରି ଏକ ବର୍ଷ କାର୍ଯ୍ୟକାଳ ଥିବା ବେଳେ ଲୋକସଭାକୁ ଭାଙ୍ଗି ନିର୍ବାଚନ କରାଯାଇଥିଲା।