ମିଳିନି ସ୍ୱୀକୃତି,ବିଏମସି ଓ କମିସନରେଟ ପୁଲିସ ଟଣାଓଟରା,ସମାଧାନର ବାଟ ବଦଳରେ ବଟି

ସ୍ବୀକୃତି ନ ମିଳିଲେ ବି ସିଜନାଲ ବ୍ୟବସାୟୀ ବେଆଇନ ଭାବରେ ବାଧ୍ୟ ହୋଇ ବସୁଥିବାରୁ କେତେକ ଅଧିକାରୀ ଏହାର ଫାଇଦା ନେଉଛନ୍ତି।

ଚଳିତବର୍ଷ ଗୋଟିଏ ହେଲେ ରାଖି ଦୋକାନକୁ ସ୍ବୀକୃତି ମିଳିନାହିଁ। ସହର ସାରା ରାସ୍ତା କଡ଼ରେ ହୋଇଥିବା ଶହ ଶହ ରାଖି ଦୋକାନ ବେଆଇନ। ଏଣୁ ଯେ କୌଣସି ମୂହୁର୍ତ୍ତ‌ରେ ଏହି ସବୁ ଦୋକାନ ଉଚ୍ଛେଦ କରାଯାଇପାରେ। ପୁରୁଣା ଭୁବନେଶ୍ବର ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଦୁଇଟି ଦୋକାନ ଉଚ୍ଛେଦ ହୋଇଥିବା ବେଳେ ବାକି ଦୋକାନ ସବୁର ତାଲିକା ହେଉଛି। ରାଖି ପୂର୍ଣ୍ଣିମାକୁ ଆଉ ୧୦ ଦିନରୁ କମ୍‌ ବାକି ଅଛି। ଏଇ ଭିତରେ ଯାହା ବେପାର ହେବ ତାହାକୁ ବେପାରୀ ଅନାଇ ବସିଛନ୍ତି। ଏଭଳି ସ୍ଥିତିରେ ଦୋକାନ ଉଚ୍ଛେଦ ଯୋଜନାକୁ ନେଇ ସେମାନେ ପ୍ରମାଦ ଗଣିବା ସହ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ପ୍ରତି ବର୍ଷ ରାଖି ପୂର୍ଣ୍ଣିମାର ୨୦ ଦିନ ପୂର୍ବରୁ ସିଜନାଲ ବ୍ୟବସାୟୀ ରାଖି ଦୋକାନ ଖୋଲିଥାନ୍ତି। ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ କମିସନରେଟ୍‌ ଡିସିପିଙ୍କୁ ସ୍ବୀକୃତି ପାଇଁ ଆବେଦନ କରନ୍ତି।

ପରେ ଡିସିପି ବିଏମ୍‌ସି, ଜିଏ, ବିଦ୍ୟୁତ, ଅଗ୍ନିଶମ ସେବା ସଂସ୍ଥା ପ୍ରଭୃତି ଲାଇନ୍‌ ବିଭାଗୀୟ ଅଧିକାରୀଙ୍କ ଠାରୁ ଏନ୍‌ଓସି ତଲବ କରନ୍ତି। ଏନ୍‌ଓସି ମିଳିବା ପରେ ଡିସିପି ସ୍ବୀକୃତି ଦିଅନ୍ତି। ରାଖି ସହ ‌ହୋଲି, ଦୀପାବଳି ପ୍ରଭୃତି ଯେତେ ପ୍ରକାରର ସିଜନାଲ ବ୍ୟବସାୟ ଅଛି, ସେସବୁ ପାଇଁ ଏହି ପ୍ରକ୍ରିୟାରେ ବ୍ୟବସାୟୀ ସ୍ବୀକୃତି ପାଇଥାଏ। କିନ୍ତୁ ଏଥର ନା କମିସନରେଟ୍‌ ପୁଲିସ ସ୍ବୀକୃତି ଦେଉଛି ନା ବିଏମ୍‌ସି। ଗତବର୍ଷ ଦୀପାବଳି ସମୟରେ ଜାଗାକୁ ନେଇ ବିବାଦ ହୋଇଥିଲା। ଯେଉଁ ଜାଗାସବୁ ବିଏମ୍‌ସି ଚିହ୍ନଟ କରିଥିଲା ସେଠାରେ ବ୍ୟବସାୟୀ ବସି ନଥିଲେ। ବିବାଦ ପରେ ବ୍ୟବସାୟୀମାନେ ବେଆଇନ ଭାବରେ ରାସ୍ତାକଡ଼ ଓ ଡ୍ରେନ ଉପରେ ବସି ଯାଇଥିଲେ। ସବୁ ଦୋଷ ପୁଲିସ ମୁଣ୍ଡାଇଥିଲା। ଏଣୁ ଏଥର କମିସନରେଟ୍‌ ପୁଲିସ ଆଉ ସ୍ବୀକୃତି ଦେଉନାହିଁ। ବିଏମ୍‌ସି ସ୍ବୀକୃତି ଦେବା ପରେ ଯାଇ ପୁଲିସ ସ୍ବୀକୃତି ଦେବବୋଲି କହୁଛି। ଏପଟେ ବିଏମ୍‌ସି ମଧ୍ୟ ସ୍ବୀକୃତି ଦେଉ ନାହିଁ। ଏଣୁ ପରମ୍ପରା ଏହି ଦୁଇ ବିଭାଗ ପାଖରେ ବନ୍ଧା ପଡ଼ିଛି। ଅନ୍ୟପଟେ ଦେଖିଲେ, ସ୍ବୀକୃତି ନ ମିଳିଲେ ବି ସିଜନାଲ ବ୍ୟବସାୟୀ ବେଆଇନ ଭାବରେ ବାଧ୍ୟ ହୋଇ ବସୁଥିବାରୁ କେତେକ ଅଧିକାରୀ ଏହାର ଫାଇଦା ନେଉଛନ୍ତି। ଉଚ୍ଛେଦ କରିବାକୁ ଧମକ ଦେଇ ସେମାନେ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *