କୁରାନ ପ୍ରତି ଅସମ୍ମାନ ଅଭିଯୋଗରେ ପାକିସ୍ତାନ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ କରାଯାଇଛି। ପାକିସ୍ତାନର ଫୈସଲାବାଦରେ ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ସଂପ୍ରଦାୟର ପ୍ରାୟ ୫ଟି ଚର୍ଚ୍ଚରେ ଭଙ୍ଗା ରୁଜା ସହ ପୋଡ଼ଜଳା ହୋଇଛି। ଏହି ମାମଲାରେ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଖବରକାଗଜ ଡନ ଅନୁସାରେ ଜରାନୱାଲା ଜିଲ୍ଲାରେ ଅନେକ ଚର୍ଚ୍ଚରେ ଭଙ୍ଗାରୁଜା କରାଯାଇଛି। ଏହାସହ ଚର୍ଚ୍ଚ ନିକଟରେ ରହୁଥିବା ଅନେକ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ଘର ଉପରେ ଆକ୍ରମଣ ହୋଇଛି।
ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି କୁରାନକୁ ନେଇ ବିବାଦୀୟ ଟିପ୍ପଣୀ କରିବାରୁ ମୁସଲିମମାନେ ଆକ୍ରମଣାତ୍ମକ ହୋଇ ଉଠିଥିଲେ। ସେମାନେ କେବଳ ବିବାଦୀୟ ବୟାନ ଦେଇଥିବା ବ୍ୟକ୍ତିଙ୍କ ଘର ଭାଙ୍ଗି ନଥିଲେ, ବରଂ ଉକ୍ତ ଅଞ୍ଚଳରେ ଥିବା ଚର୍ଚ୍ଚ ଓ ଏହି ସଂପ୍ରଦାୟର ଅନେକ ଲୋକଙ୍କ ଘର ଉପରେ ଆକ୍ରମଣ କରିଥିଲେ। ପାକିସ୍ତାନର ପଞ୍ଜାବ ପ୍ରଦେଶ ପୁଲିସ୍ ମୁଖ୍ୟ ଉସମାନ ଅନୱର କହିଛନ୍ତି, ସେମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ତେବେ ବିକ୍ଷୋଭକାରୀମାନେ ଲୁଟ କରିବା ବେଳେ ପୁଲିସ୍ କେବଳ ନୀରବଦ୍ରଷ୍ଟା ସାଜିଥିବା ଖ୍ରୀଷ୍ଟିୟାନ ସଂପ୍ରଦାୟ ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନା ମନ୍ତ୍ରୀ କହିଛନ୍ତି ଚର୍ଚ୍ଚଗୁଡିକର ସୁରକ୍ଷାକୁ କଡାକଡି କରାଯାଇଛି ଏବଂ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ୬ ହଜାରରୁ ଅଧିକ ପୋଲିସ ଏବଂ ରେଞ୍ଜର କର୍ମଚାରୀ ଉପସ୍ଥିତ ଅଛନ୍ତି। ଏହି ସମୟରେ, ଖ୍ରୀଷ୍ଟିଆନ ନେତାମାନେ ଅଭିଯୋଗ କରିଛନ୍ତି ପୋଲିସ ମୂକ ଦର୍ଶକ ହୋଇ ରହିଛି। ଏହାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ତେବେ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି।