ଉତ୍ତରାଖଣ୍ଡରେ ଭୟଙ୍କର ବିଦ୍ୟୁତ ବିସ୍ଫୋରଣ। ଚମେଲି ଅଞ୍ଚଳରେ ସିଭର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ଟ୍ରାନ୍ସଫର୍ମର ବ୍ଳାଷ୍ଟ ହେବାରୁ ୧୭ ଜଣଙ୍କ ମୃତ୍ୟୁ । ମୃତକଙ୍କ ଭିତରେ ୪ ପୋଲିସ କର୍ମୀ ରହିଥିବା ସୂଚନା ଦେଇଛନ୍ତି ଚମୋଲି ଏସପି ପରମେନ୍ଦ୍ର ଡୋଭାଲ। ଚମୋଲିର ଅଳକାନନ୍ଦା ନଦୀ ନିକଟରେ ଏହି ଘଟଣା ଘଟିଛି। କୁହାଯାଉଛି ପ୍ରଥମେ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହୋଇଥିଲା। ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ୧୫ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ପରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
ରାଜ୍ୟ ଏଡିଜିପି ଭି ମୁରୁଗେଶନ କହିଛନ୍ତି କି, ସେଠାରେ ନମାମୀ ଗଙ୍ଗେ ପ୍ରୋଜେକ୍ଟରେ କାମ ଚାଲିଛି। ସେଠାରେ ବିଦ୍ୟୁତ ଆଘତରେ ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ସବ ଇନସ୍ପେକ୍ଟର ଓ ୩ ହୋମଗାର୍ଡଙ୍କୁ ମିଶାଇ ୪ ପୁଲିସ କର୍ମୀ ଅଛନ୍ତି। ଦୁର୍ଘଟଣା ପରେ ଏହାର ଯାଞ୍ଚ ପାଇଁ ଆଦେଶ ଦିଆ ଯାଇଛି। ଏସପି ବରମେନ୍ଦ୍ର ଡୋଭାଲ ଆହୁରି କହିଛନ୍ତି କି, ଆହତଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେପଟେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶକ୍ତି ନିଗମକୁ ଦାୟୀ କରିଛନ୍ତି। ନିଗମର ଦାୟିତ୍ୱହୀନତା ପାଇଁ ଏପରି ହୋଇଥିବା ଅଭିଯୋଗ କରିବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ସେପଟେ ଏହି ଘଟଣା ପରେ
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୋକବ୍ୟକ୍ତ କରିଛନ୍ତି। ସେଠାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ଯାଇ ଘଟଣାର ନ୍ୟାୟିକ ଯାଞ୍ଚର ଆଦେଶ ଦେଇଛନ୍ତି। ମନ୍ତ୍ରୀ ସିଂହ ଆହୁରି କହିଛନ୍ତି କି, ହେଲିକପ୍ଟରରେ ଆହତମାନଙ୍କୁ ଶ୍ରୀନଗର ହସ୍ପିଟାଲ ପଠାଯିବ। ଘଟଣାକୁ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।