
ଧସିଲା ପୋଲ , ଯାତାୟତ ବାଧାପ୍ରାପ୍ତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ। ଜାତୀୟ ରାଜପଥର ଏହି ରାସ୍ତାରେ ଗାଡି ଚଳାଚଳ କରୁଥିବା ସମୟରେ ଆଜି ସକାଳୁ ଏକ ବଡ଼ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକେ ଆସି ଦେଖନ୍ତିତ ପୋଲ ଧସି ଯାଇଛି। ତେବେ ସୌଭାଗ୍ୟବଶତ ଏହି ସମୟରେ ପୋଲ ଦେଇ କେହି ଯାତାୟାତ ବା କୌଣସି ଗାଡି ଯାଇ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ତେବେ ପୋଲ ଧସିବା ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବ୍ରିଜ୍ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛି। ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା। ଆଜି ସକାଳେ ପୋଲଟି ଭୁଶୁପଡ଼ିଥିଲା। ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି। ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା। ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା।