ତେଲଙ୍ଗାନା: ‘ଫାଲକନୁମା’ରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ, ତଦନ୍ତ ଜାରି

ତେଲଙ୍ଗାନାରେ ଫାଲକନୁମା ଏକ୍ପପ୍ରେସରେ ଭୀଷଣ ଅଗ୍ନିକାଣ୍ଡ । ବୋମାଇପାଲ୍ଲୀ ପାଗିଡ଼ିପାଲ୍ଲୀ ମଧ୍ୟରେ ଫାଲକନୁମା ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଲା । ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।

ସୂଚନା ଅନୁସାରେ ହାୱଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ୍ ଯୋଗୁଁ ଟ୍ରେନର S-4, S-5 ଏବଂ S-6 ୩ଟି ବଗିରେ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଯାଇଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ମିଳିଛି । କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଛି।

ଘଟଣାସ୍ଥଳରେ ରେଳବାଇ ଜେନେରାଲ ମ୍ୟାନେଜର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଅନ୍ୟ ଟ୍ରେନରେ ପଠାଯାଇଛି । ବୋମାଇପାଲ୍ଲୀ-ପାଗିଡ଼ିପାଲ୍ଲୀ ମଧ୍ୟରେ ଏହି ଘଟଣା ଘଟିଛି । ନିଆଁ ଲାଗିବା ଖବର ମିଳିବା ମାତ୍ରେ ଟ୍ରେନ୍‌ ଘଟଣାସ୍ଥଳରେ ଅଟକି ଯାଇଥିଲା । ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ ବୋଲି ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଜଣେ ଅଧିକାରୀ କହିଛନ୍ତି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ପରଠାରୁ ଟ୍ରେନ୍ ଦୁର୍ଘଟଣା ବଢ଼ିବାରେ ଲାଗିଛି । କେଉଁଠି ନିଆଁ ଲାଗୁଛି ତ ଆଉ କେଉଁଠି ଟ୍ରାକରୁ ଖସିଛୁ ଗାଡ଼ି । କେଉଁଠି ଡବାକୁ ଛାଡ଼ି ଇଞ୍ଜିନ ଯାଉଛି ତ ଆଉ କେତେବେଳେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତୁଛି ଟ୍ରେନ୍ । ପ୍ରାୟତଃ ପ୍ରତିଦିନ ଦେଶର କେଉଁଠି ନା କେଉଁଠି ଏଭଳି ଘଟଣା ଘଟିବାର ଖବର ଆସୁଛି । ତେବେ ପ୍ରକୃତରେ ଟ୍ରେନ୍ ଦୁର୍ଘଟଣା ଘଟୁଛି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି ତାହା ତଦନ୍ତ ହେବା ଜରୁରୀ ।

Leave a Reply

Your email address will not be published. Required fields are marked *