ପାଞ୍ଚ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉଚଙ୍କୁ ଜେଲକୁ ପଠାଇ ଦେଇଛନ୍ତି ସୁନ୍ଦରଗଡ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଆୟଠାରୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଥିଲା। ଜେରା ପରେ ଆଉ ୩ଟି ପ୍ଲଟ ରାଉଚଙ୍କ ନାମରେ ଥିବା ବେଳେ ସେଥିରୁ ଦୁଇଟି ବେନାମୀ ପ୍ଲଟ ରହିଛି। ସେହିପରି ୧.୨ କୋଟି ଟଙ୍କା ଜମା ଥିବା ୬ଟି ବେନାମୀ ଆକାଉଣ୍ଟକୁ ପତ୍ତା ଲଗାଇଛି ଭିଜିଲାନ୍ସ।
ଯାଞ୍ଚ ବେଳେ ମିଳିଥିବା ୩ ପ୍ଲଟ ମଧ୍ୟରୁ ୨ଟି ପ୍ଲଟ ବେନାମୀ ଥିବା ବେଳେ ଗୋଟିଏ ଭଦ୍ରକରେ ୦.୪୭ ଡିସିମିଲର ଓ ଗୋଟିଏ ମାଳିପଡା,ଭୁବନେଶ୍ବରରେ ୦.୧୬ ଡିସିମିଲର ରହିଛି। ସେହିପରି ବିଭିନ୍ନ ଲୋକଙ୍କ ନାମରେ ସେ ୬ଟି ବେନାମୀ ଆକାଉଣ୍ଟ ଖୋଲି ୧.୨ କୋଟି ଟଙ୍କା ଡିପୋଜିଟ କରିଥିବା ଜେରା ସମୟରେ କହିଛନ୍ତି ରାଉତ। ସେହିପରି ଭଦ୍ରକସ୍ଥିତ ୟୁକୋ ବ୍ୟାଙ୍କରେ ଏକ ଲକର ଠାବ କରିଛି ତଦନ୍ତକାରୀ ସଂସ୍ଥା।
ଗତ ଜୁନ ୨୩ ତାରିଖରେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପଳ ପ୍ରଶାନ୍ତ ରାଉତଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା। ଏହା ପରେ ୨୪ ତାରିଖରେ ତାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ୫କୋଟି ୨୧ଲକ୍ଷ ୦୯ହଜାର ୬୫୯ ଟଙ୍କା ଜବତ ହୋଇଥିଲା, ଯାହା ତାଙ୍କ ଆୟର ୫୦୬ ପ୍ରତିଶତ ଥିବା ଜଣା ପଡିଥିଲା। ଚଢାଉ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଥିଲା। ,ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।
ପ୍ରାଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ଜବତ କରାଯାଇଛି।
ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ତେବେ ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ ।
ଏହି ମାମଲାରେ ତାଙ୍କୁ ରାଉରକେଲା ଭିଜିଲାନ୍ସରେ ୧୫/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ରାଉଚଙ୍କୁ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା। କୋର୍ଟ ସଂସ୍ଥାକୁ ୫ ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି ଓ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ସେ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।