
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ରା । ଜିଏମଙ୍କ ସୂଚନା ମୁତାବକ,ସିବିଆଇ ଦ୍ୱାରା ଗିରଫ ୩ ଜଣ ଷ୍ଟାଫ୍ ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି। ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା। ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି।
ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେଇଛି। ସିବିଆଇ ପ୍ରଥମେ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା, ଯାହା ଗତକାଲି ଶେଷ ହୋଇଥିଲା। ଏହା ପରେ ସିବିଆଇ ସେମାନଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ୫ ଦିନିଆ ରିମାଣ୍ଡରେ ସେମାନଙ୍କୁ ନେବାକୁ ଦାବି କରିଥିଲା। ହେଲେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ।
ଜୁନ ୨. ଶୁକ୍ରବାର ରାତି ଥିଲା ଭାରତୀୟ ରେଳ ଇତିହାସର ଆଉ ଏକ ଅନ୍ଧକାର ରାତି। ବାହାନଗାଠାରେ ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ୨ଟି ବଗି ଓଲଟିଥିଲା। ତାପ ଅଳ୍ପ ସମୟରେ ହାୱଜାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ସେହି ବଗିରେ ବାଡେଇ ହୋଇ ପାଖ ଧାରଣାରେ ଠିଆ ହୋଇଥିବା ମାଲ ଗାଜି ଉପରେ ଚଢିଯାଇଥିଲା। ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଶହରୁ ଅଧିକ ଗୁରୁତର ଆହତ ହୋଇଥିଲେ।
ଏହି ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ ବିରୋଧୀ। ଏହାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ କାଳ ବିଳମ୍ବ ନ କରି କେନ୍ଦ୍ର ସରକାର ଘଟଣାର ତଦନ୍ତଭାର ସିବିଆଇକୁ ଦେଇଥିଲେ। ସିବିଆଇ ଘଟଣାର ତଦନ୍ତ କରି ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା।