Year: 2026

  • ଛାତ୍ର ନିର୍ବାଚନ, ବାଜି ମାରିନେଲା NSUI

    ଛାତ୍ର ନିର୍ବାଚନ, ବାଜି ମାରିନେଲା NSUI

    ପାଟନା ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ NSUIର ଦବ୍ ଦବା । NSUI ସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀ ହାସଲ କରିଛି । ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀରେ ABVP ବିଜୟୀ ହୋଇଛି ।

    ଶନିବାର ବିଳମ୍ବିତ ରାତିରେ ଘୋଷିତ ଫଳାଫଳରେ, NSUIର ଶାନ୍ତନୁ ଶେଖର ସଭାପତି ପଦ ନିଜ କବ୍ଜାକୁ ନେଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବୀ ମଧ୍ୟ ସେହି ସଂଗଠନକୁ ଯାଇଛି। ଏହି ପଦକୁ ଖୁସି କୁମାରୀ ଅକ୍ତିଆର କରିନେଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଶିଫତ ଫୈଜ ଉପ-ସଭାପତି ପଦରେ ବିଜୟୀ ହୋଇଛନ୍ତି।

    ଅନ୍ୟପଟେ ଯୁଗ୍ମ ସମ୍ପାଦକ ପଦବୀରେ ABVPର ଅଭିଷେକ କୁମାର ଏବଂ କୋଷାଧ୍ୟକ୍ଷ ପଦବୀରେ ହର୍ଷ ବର୍ଦ୍ଧନ ବିଜୟୀ ହୋଇଛନ୍ତି । ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରୁ ଦୁଇଟି ମହିଳା ଏବଂ ତିନୋଟି ପୁରୁଷଙ୍କ ପାଖରେ ରହିଲା ।

  • ରାଜପଥରେ ରକ୍ତରଞ୍ଜିତ ହେଲା ଯାତ୍ରା: ଠିଆ ହୋଇଥିବା ହାଇୱାକୁ ପଛରୁ ପିଟିଲା ବସ୍, ଭୟଙ୍କର ଧକ୍କାରେ ୩ ଯାତ୍ରୀ ଗୁରୁତର

    ରାଜପଥରେ ରକ୍ତରଞ୍ଜିତ ହେଲା ଯାତ୍ରା: ଠିଆ ହୋଇଥିବା ହାଇୱାକୁ ପଛରୁ ପିଟିଲା ବସ୍, ଭୟଙ୍କର ଧକ୍କାରେ ୩ ଯାତ୍ରୀ ଗୁରୁତର

    ୧୬ ନମ୍ବର ଜାତୀୟ ରାଜପଥରେ ରକ୍ତରଞ୍ଜିତ ହେଲା ‘ନୀଳମାଧବ’ ବସ୍; ଛିଡ଼ା ହୋଇଥିବା ହାଇୱାକୁ ପଛରୁ ପିଟିଲା, ଚୂରମାର ହେଲା ସମ୍ମୁଖ ଭାଗ ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିଅମ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିବା ‘ନୀଳମାଧବ’ ନାମକ ଏକ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ହାଇୱା ଟ୍ରକକୁ ପଛ ପଟୁ ପ୍ରଚଣ୍ଡ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ସେମାନଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

    ଧକ୍କା ଏତେ ଜୋରଦାର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ୟାବିନ୍ ଭିତରେ କିଛି ଯାତ୍ରୀ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇ ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରାଯାଇଛି। ବିଳମ୍ବିତ ରାତିରେ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖାଯାଉ ନଥିଲା, ଯାହା ଏହି ଦୁର୍ଘଟଣାର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଥିସହ ବସ୍ ଚାଳକଙ୍କୁ ନିଦ ଆସିଯାଇଥିବାରୁ ଏହି ଅଘଟଣ ଘଟିଥାଇପାରେ। ଦୁର୍ଘଟଣା ସମୟରେ ବସରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ। ଶୋଇଥିବା ଅବସ୍ଥାରେ ହଠାତ୍ ଜୋରରେ ଧକ୍କା ହେବାରୁ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲେ। ଅଳ୍ପକେ ଅନ୍ୟ ଯାତ୍ରୀମାନେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି। ରାସ୍ତା କଡ଼ରେ ବିପଜ୍ଜନକ ଭାବେ ଗାଡ଼ି ଛିଡ଼ା କରିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

  • ଆଳିରେ ସିରିଜ୍ ଲୁଟ୍: ବିବାହ ଭୋଜିକୁ ଯାଇଥିଲେ ପରିବାର, ଖାଲି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ସଫା

    ଆଳିରେ ସିରିଜ୍ ଲୁଟ୍: ବିବାହ ଭୋଜିକୁ ଯାଇଥିଲେ ପରିବାର, ଖାଲି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲକ୍ଷାଧିକ ଟଙ୍କାର ସୁନାଗହଣା ସଫା

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଚୋରମାନେ ଅତି ଚତୁରତାର ସହ ଦୁଇଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି। ଗାଁର ଶରତ ରାୟ ଏବଂ ମନୋଜ ରାୟଙ୍କ ଘରକୁ ଚୋରମାନେ ଟାର୍ଗେଟ୍ କରିଥିଲେ।

    ଉଭୟ ପରିବାର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଘର ବାହାରକୁ ଯାଇଥିଲେ। ଘର ଶୂନ୍ଶାନ୍ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ତାଲା ଭାଙ୍ଗି ଭିତରେ ପଶିଥିଲେ। ଘର ଭିତରେ ଥିବା ଆଲମିରା ଏବଂ ବାକ୍ସଗୁଡ଼ିକୁ କୌଣସି ଶାବଳ ବା ମାରଣାସ୍ତ୍ର ସାହାଯ୍ୟରେ ତାଡ଼ି ଦିଆଯାଇଛି। ସେଥିରେ ଥିବା ସମସ୍ତ ସୁନା ଓ ରୂପା ଅଳଙ୍କାର ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଲୁଟି ନେଇ ଚୋରମାନେ ଛୁ ମାରିଛନ୍ତି। ଆଜି ସକାଳୁ ପରିବାର ଲୋକେ ଘରକୁ ଫେରିବା ପରେ ଅସ୍ତବ୍ୟସ୍ତ ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ। ଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଛାନଭିନ୍ ଆରମ୍ଭ କରିଛି। ଚୋରମାନେ ପରିବାରର ଗତିବିଧି ଉପରେ ପୂର୍ବରୁ ନଜର ରଖିଥିବା ସନ୍ଦେହ କରାଯାଉଛି। ସେମାନେ ଜାଣିଥିଲେ ଯେ ବିବାହ ଉତ୍ସବ ଯୋଗୁଁ ଘରେ କେହି ନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ନିଶାଖୋର କିମ୍ବା ବାହାର ଅଞ୍ଚଳର କୌଣସି ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଥାଇପାରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏହି ସିରିଜ୍ ଚୋରି ପରେ ଲୋକାପଡା ଗାଁ ତଥା ଆଖପାଖ ଅଞ୍ଚଳର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପୋଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଇବାକୁ ସାଧାରଣରେ ଦାବି ହୋଇଛି।

  • ରାଜଧାନୀରେ ଅଭାବନୀୟ କାଣ୍ଡ: ୟୁଟ୍ୟୁବର ରାକେଶ ମହାରଣାଙ୍କୁ ନିର୍ମମ ହତ୍ୟା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।

    ରାଜଧାନୀରେ ଅଭାବନୀୟ କାଣ୍ଡ: ୟୁଟ୍ୟୁବର ରାକେଶ ମହାରଣାଙ୍କୁ ନିର୍ମମ ହତ୍ୟା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।

    ଭୁବନେଶ୍ୱରର ଜିଜିପି କଲୋନୀ ଖେଳପଡ଼ିଆରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଲୋକପ୍ରିୟ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ସଂଘବଦ୍ଧ ଭାବେ ଛୁରାମାଡ଼ କରି ହତ୍ୟା କରାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ରାତିରେ ରାହୁଲ ଓ ତାଙ୍କର ୪ ଜଣ ସାଙ୍ଗ ଏକ ପାର୍କରେ ବସିଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ସାମାନ୍ୟ ପାଟିତୁଣ୍ଡ ପରେ ଉଗ୍ରରୂପ ନେଇଥିଲା ଏବଂ ଉତ୍ତ୍ୟକ୍ତ ଯୁବକମାନେ ରାହୁଲଙ୍କ ଛାତିକୁ ଛୁରୀରେ ଭୁସି ଦେଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡ ହଠାତ୍‌ ହୋଇନାହିଁ। ପ୍ରାୟ ୩ ମାସ ପୂର୍ବରୁ ରାହୁଲଙ୍କୁ ମାରିବା ପାଇଁ ପ୍ଲାନ ପ୍ରସ୍ତୁତ କରାଯାଇଥିଲା।

    ଏହି ଆକ୍ରମଣରେ କେବଳ ରାହୁଲ ନୁହଁନ୍ତି, ବରଂ ଅନ୍ୟ ୩ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଜେରା କରାଯାଉଛି। ପୂର୍ବ ଶତ୍ରୁତା କିମ୍ବା ଟଙ୍କା ପଇସା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ରାହୁଲଙ୍କ ପାର୍ଥିବ ଶରୀର ଜଗନ୍ନାଥନଗର ସ୍ଥିତ ବାସଭବନରେ ପହଞ୍ଚିଛି। ପରିବାର ଲୋକଙ୍କ କାନ୍ଦବୋବାଳିରେ ସାରା ଅଞ୍ଚଳ ଫାଟି ପଡୁଛି। “ଆମ ପୁଅକୁ ଯୋଜନାବଦ୍ଧ ଭାବେ ମରାଯାଇଛି। ଆମକୁ ନ୍ୟାୟ ଦରକାର ଏବଂ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳୁ,” ବୋଲି ରାହୁଲଙ୍କ ପରିବାର ବର୍ଗ ଦାବି କରିଛନ୍ତି।

  • ଓଡିଶାର ବାଲି, ପଶ୍ଚିମବଙ୍ଗରେ ବ୍ୟବସାୟ ! କିଏ ଦେଉଛି ସୁଯୋଗ ?

    ଓଡିଶାର ବାଲି, ପଶ୍ଚିମବଙ୍ଗରେ ବ୍ୟବସାୟ ! କିଏ ଦେଉଛି ସୁଯୋଗ ?

    ରାତି ହେଲେ ସକ୍ରିୟ ହେଉଛନ୍ତି ବାଲି ମାଫିଆ । ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳେଶ୍ୱର–ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଦେଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ସାହାବାଜିପୁର ସୀମା ପାର କରି ଶହ ଶହ ବାଲି ବୋଝେଇ ହାଇୱା ଓ ଡମ୍ପର ପଶ୍ଚିମବଙ୍ଗକୁ ଯାଉଥିବା ଅଭିଯୋଗ ହୋଇଛି ।

    ଏସବୁ କାର୍ଯ୍ୟକଳାପ ଚାଲିଥିବା ସତ୍ତ୍ୱେ ଚିରନିଦ୍ରାରେ ରହିଛି ଖଣି ବିଭାଗ ଓ ତାଳସାରୀ ମେରାଇନ ପୋଲିସ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ , ବାଲି ମାଫିଆ, ଖଣି ବିଭାଗ ଓ ପୋଲିସଙ୍କ ମିଳିଭଗତରେ ଏହି ଚୋରା ଚାଲାଣ ଦୀର୍ଘଦିନ ଧରି ଚାଲିଆସୁଛି ।

    ସ୍ଥାନୀୟ ବାସିନ୍ଦାମାନେ ସୀମାରେ ବାଲି ବୋଝେଇ ଗାଡ଼ି ଅଟକାଇ ପୋଲିସ ଓ ଖଣି ବିଭାଗକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ଅଧିକାରୀ ପହଞ୍ଚୁନଥିବାର ଅଭିଯୋଗ ହେଉଛି । ଗୋଟପଟେ ସରକାରଙ୍କ ଅବୈଧ ବାଲି ଚାଲାଣ ରୋକିବାକୁ ଜିଲ୍ଲାପାଳମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବାବେଳେ, ଅନ୍ୟପଟେ କେମିତି ଖୋଲାମେଲା ଭାବରେ ଓଡିଶା ସୀମା ଡେଇଁ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

    ସୀମା ସୁରକ୍ଷା ପାଇଁ ସାହାବାଜିପୁର ବୋର୍ଡରରେ ପୋଲିସ ନାକା ପୋଷ୍ଟ ଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋର ଚିତ୍ର କହୁଛି, ନାମକୁ ମାତ୍ର ରହିଛି ଏହି ନାକା ପୋଷ୍ଟ । ଅନ୍ୟ ସୀମା ଅଞ୍ଚଳରେ କୌଣସି ପୋଲିସ ଯାଞ୍ଚ ବ୍ୟବସ୍ଥା ନଥିବାରୁ ଏହାର ସୁଯୋଗ ନେଉଛନ୍ତି ବାଲି ମାଫିଆ ।ଭଦ୍ରକରୁ ଭୋଗରାଇ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି ଏହି ଚୋରା ବାଲି ନେଟୱର୍କ । ଦିନ ହେଉ କି ରାତି ଅବାଧ ଭାବେ ଚାଲିଛି ବାଲି ଚାଲାଣ ।

  • ଛାତରୁ ପଡ଼ି ନଥିଲେ ନିକିତାଙ୍କୁ  ମାରି ଦେଇଥିଲେ ସ୍ୱାମୀ

    ଛାତରୁ ପଡ଼ି ନଥିଲେ ନିକିତାଙ୍କୁ ମାରି ଦେଇଥିଲେ ସ୍ୱାମୀ

    ବହୁ ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ହତ୍ୟା ମାମଲାରେ ହୋଇଛି ବଡ଼ ଶୁଣାଣି। ମୃତ ନିକିତାଙ୍କୁ ମିଳିଛି ନ୍ୟାୟ। ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ । ଗୁରୁବାରରେ କଟକର ଏଡିଜେ3 କୋର୍ଟ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୀର୍ଘ 7 ବର୍ଷ ପରେ ମାମଲା ରାୟ ଆସିଥିବା ବେଳେ ନିକିତା ଙ୍କୁ ନ୍ୟାୟ ମିଳିଛି। ତେବେ ଆଜି ଝିଅକୁ ମନେ ପକାଇ ଭାବବହ୍ୱଳ ହେବା ସହ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ନିକିତା ଙ୍କ ବାପା ମାଆ ।

    ମୃତ ନିକିତାଙ୍କ ମାଆ କାନ୍ଦି କାନ୍ଦି କୋହଭରା କଣ୍ଠରେ କହିଛନ୍ତି, ”ବିଶ୍ୱାସ ହେଉନି । ଘଟଣାକୁ 7 ବର୍ଷ ବିତିଗଲାଣି । ଖୁସି ଲାଗିଲା । 7 ବର୍ଷ ପରେ ଆମକୁ ନ୍ୟାୟ ମିଳିଛି । ଦୁଃଖ ବି ଲାଗୁଛି ମୁଁ ମୋ ଝିଅକୁ ହରାଇଦେଲି । ମୋ ଛୁଆକୁ ଆଉ ମୁଁ ପାଇବିନି । ସେ ଜେଲରୁ ବାହାରିଯାଇପାରେ । ହେଲେ କଣ ମୋ ଛୁଆକୁ ମୁଁ ଆଉ ଫେରି ପାଇବି । ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଛି । ସେପଟେ ନିକିତାଙ୍କ ବାପା କହିଛନ୍ତି,”ଏହି ରାୟରେ ଆମେ ଆଶ୍ୱସ୍ତି ପାଇଛୁ । ସତ୍ୟର ଜୟ ହେବ ଏହା ମୋର ବିସ୍ୱାସ ଥିଲା । ସତ୍ୟର ଜୟ ହୋଇଚି । ଉଚିତ ନ୍ୟାୟ ଦେଇଛନ୍ତି କୋର୍ଟ ।

    ଖବର ଅନୁଯାୟୀ ମାମଲାଟି ଜାନୁଆରୀ ୪, ୨୦୧୯ର । ଅଭିନେତ୍ରୀ ନିକିତା ଓ ସ୍ୱାମୀ ଲିପନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଛାତ ଉପରେ ମତାନ୍ତର ହୋଇଥିଲା । ଆଉ ତାପରେ ସ୍ୱାମୀ ଲିପନ, ନିକିତାଙ୍କୁ ଛାତ ଉପରୁ ଠେଲି ଦେଇଥିଲେ । ମୃତ୍ୟୁ ସମୟରେ ନିକିତା ତାଙ୍କ ବାପଘରେ ଥିଲେ । ଘଟଣାଟି କଟକର ମହାନଦୀ ବିହାର ଅଞ୍ଚଳ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ହୋଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ନିକିତାଙ୍କ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିପନଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଲିପନଙ୍କୁ ଗିରଫ କରିଥିଲା । ସେବେଠାରୁ ମାମଲା ବିଚାରଧିନ ରହିଥିବା ବେଳେ ଗୁରୁବାର ଏନେଇ ରାୟ ପ୍ରକାଶ ପାଇଛି । ସ୍ଵାମୀ ଲିପନ ସାହୁଙ୍କୁ ଦେଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

  • ନବୀନ ନିବାସରୁ ଆସିଲା ବଡ଼ ଖବର !

    ନବୀନ ନିବାସରୁ ଆସିଲା ବଡ଼ ଖବର !

    ରାଜ୍ୟସଭା ନିର୍ବାଚନକୁ ଆଗୋରୁ ଦୃଷ୍ଟିରେ ରଖି ବିଜେଡି ଆଜି ଅପରାହ୍ନ ୫ଟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଦଳର ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଯାହାକୁ ନେଇ ଦଳଭିତ୍ତିକ ଓ ରାଜନୈତିକ ମାହୋଲରେ ଚାଲିଛି ମତବିଭିନ୍ନ ଆକଳନ। ଗତକାଲି ହୋଇଥିବା ବିଜେଡିର ପଲିଟିକାଲ ଅଫେୟାର୍ସ କମିଟି (PAC) ବୈଠକରେ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଚୟନ ଉପରେ ଚର୍ଚ୍ଚା ହୋଇଥିଲା। ଏହି ସବୁ ମଧ୍ୟରେ ବିଜେଡିର ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ୬ଟି ସେଟ୍‌ ଫର୍ମ କିଣିଥିବାକୁ ନେଇ ଦଳଭିତ୍ତିକ ଓ ରାଜନୈତିକ ମହଲରେ ନାନା ଆକଳନ ଚାଲୁଛି। ଏହି ବୈଠକରେ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ, ସେଥିପାଇଁ ମାନସମନ୍ଥନ ଓ ଶେଷ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ରାଜନୀତିକ ନିରୀକ୍ଷକମାନେ ମଧ୍ୟ କହୁଛନ୍ତି, ବୈଠକ ପରେ ବିଜେଡି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଆସିପାରେ।

  • ରାଜ୍ୟସଭା ରେସ୍‌ରେ ତିବ୍ର ଲବିଂ: ବିଜେଡି ଓ ବିଜେପିରେ ପ୍ରାର୍ଥୀ ଚୟନ ନେଇ ଚଞ୍ଚଳତା

    ରାଜ୍ୟସଭା ରେସ୍‌ରେ ତିବ୍ର ଲବିଂ: ବିଜେଡି ଓ ବିଜେପିରେ ପ୍ରାର୍ଥୀ ଚୟନ ନେଇ ଚଞ୍ଚଳତା

    ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ମହଳରେ ଚଞ୍ଚଲ୍ୟତା ଖେଳିଯାଇଛି | କିଏ ଯିବେ ରାଜ୍ୟସଭାକୁ, ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା | ରାଜ୍ୟର ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ତିବ୍ର ଧରିଛି |

    ଖବର ଅନୁସାରେ, ଦିନେ ଦୁଇଦିନ ମଧ୍ୟରେ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ। ଗତକାଲି ସାଂସଦ ସସ୍ମିତ୍ ପାତ୍ର ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ୍ ନାମାଙ୍କନ ଫର୍ମ ନେଇଥିବା ଖବର ମିଳିଛି। ଏହା ପରେ ତାଙ୍କ ନାଁ ପୁନଃ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଆସିଛି। ସବୁଥର ଭଳି ଏଥର ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି ବୋଲି ଦଳୀୟ ମହଳରେ ଆଲୋଚନା ଚାଲିଛି।

    ଅନ୍ୟପଟେ ବିଜେପି ମଧ୍ୟ କୌଣସି ମୁହୂର୍ତ୍ତରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ। ରେସ୍‌ରେ ସବୁଠାରୁ ଆଗରେ ଅଛନ୍ତି ସୁଜିତ୍ କୁମାର। ସେହିପରି ମନମୋହନ ସାମଲ, ବିଜୟପାଲ ସିଂ ତୋମାର, ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଶେଷ ନିଷ୍ପତ୍ତି ପାର୍ଟିର ସଂସଦୀୟ ବୋର୍ଡ ବୈଠକରେ ହେବ। ବିଧାନସଭାରେ ଦଳଗୁଡ଼ିକର ସଂଖ୍ୟାବଳକୁ ଦେଖିଲେ ରାଜ୍ୟସଭା ସିଟ୍ ବଣ୍ଟନରେ ଗଣିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହିପରିସ୍ଥିତିରେ ଶେଷ ପର୍ଯ୍ୟନ୍ତ କେଉଁ ଦଳ କାହାକୁ ପ୍ରାର୍ଥୀ କରେ, ସେଥିପାଇଁ ରାଜନୈତିକ ମହଳର ନଜର ରହିଛି। ରାଜ୍ୟସଭା ନିର୍ବାଚନକୁ ନେଇ ଆଗାମୀ କିଛି ଦିନ ରାଜ୍ୟ ରାଜନୀତିରେ ତିବ୍ର ଚଞ୍ଚଳତା ଜାରି ରହିବା ସମ୍ଭାବନା ରହିଛି।

  • ବିଜୁ ମୈଦାନ, ପାରାଦ୍ଵୀପରେ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା ଆରମ୍ଭ

    ପାରାଦ୍ଵୀପ ବିଜୁ ମୈଦାନ ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ “ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା” ଉଦଘାଟିତ ହୋଇଯାଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଜଗତସିଂହପୁର ଜିଲ୍ଲା ସହ ଜିଲ୍ଲା ବାହାରର ମହିଳା ଓ ଯୁବ ଉଦ୍ୟୋଗୀମାନେ ଯୋଗଦେଇଛନ୍ତି।

    ମେଳାରେ ପ୍ରାୟ ୨୦୦ଟି ଷ୍ଟଲ୍‌ ଖୋଲାଯାଇଛି। ଏଠାରେ ହାତ ତିଆରି ଘରକରଣା ସାମଗ୍ରୀ, ଖେଳନା, ହସ୍ତତନ୍ତ ଲୁଗା ଓ ବିଭିନ୍ନ ସ୍ବଦେଶୀ ପଣ୍ୟର ପ୍ରଦର୍ଶନୀ ଲାଗିଛି। ସାଧାରଣ ଲୋକଙ୍କ ଭଲ ପ୍ରତିସାଦ ମିଳିବା ସହ ଉଦ୍ୟୋଗୀମାନେ ଭଲ ବ୍ୟବସାୟ କରିବେ ବୋଲି ଜିଲ୍ଲା ଓ ମ୍ୟୁନିସିପାଲଟି ପ୍ରଶାସନ ଆଶା ପ୍ରକାଶ କରିଛନ୍ତି।ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରୋତ୍ସାହନ ଦେବା। ଏଠାକୁ ଆସୁଥିବା ଲୋକମାନେ ନିଜେ କିପରି ଛୋଟ ଉଦ୍ୟମ ଆରମ୍ଭ କରିପାରିବେ, ସେଥିପାଇଁ ଅଭିଜ୍ଞତା ଓ ପ୍ରେରଣା ହାସଲ କରିପାରିବେ। ଏହା ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେବ ବୋଲି କୁହାଯାଇଛି।

    ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହ ବିଭୁପ୍ରସାଦ ତରାଇ, ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, କୁଜଙ୍ଗ ବିଡ଼ିଓ ଦୀପକ ପ୍ରସାଦ ସ୍ବାଇଁ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ମହିଳା ଓ ଯୁବବର୍ଗଙ୍କୁ ଆତ୍ମନିର୍ଭର ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ମେଳା ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ବଡ଼ ମଞ୍ଚ ହୋଇ ଉଭୁ କରିଛି।

  • ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଦିନିକିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

    ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଦିନିକିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

    ଅନୁଷ୍ଠିତ ହେଲା ଦିନିକିଆ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ମିଳିତ ସହଯୋଗରେ ଆଜି ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।

    ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆଙ୍କ ତତ୍ତ୍ୱ୍ୱାବଧାନରେ ରାଇରଙ୍ଗପୁରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, ମୟୂରଭଞ୍ଜ (ଲୋକସଭା) ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, କଟକ ଆର୍ମି ରିକ୍ରୁଟମେଣ୍ଟ କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ପି ସି ପ୍ରସନ୍ନା , ଵିଜେପିର ବରିଷ୍ଠ ସଦସ୍ୟ ଶ୍ରୀ ନବୀନ କୁମାର ରାମ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।

    ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ବସନ୍ତିଆ ନିଯୁକ୍ତି ମେଳାର ଆଭିମୁଖ୍ୟ ବିଷୟରେ ପ୍ରତିପାଦନ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଏହି ନିଯୁକ୍ତି ମେଳା କେବଳ ଏକ ମେଳା ନୁହେଁ, ବରଂ ଏହା ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ସୁଯୋଗ ଓ ସମ୍ଭାବନାର ଏକ ପ୍ଲାଟଫର୍ମ। ନିଯୁକ୍ତି ଅପେକ୍ଷାରେ ଆଶାୟୀ ପ୍ରାର୍ଥୀମାନେ ଏହି ମେଳାର ପୂର୍ଣ୍ଣ ସୁଯୋଗ ନେଇ ସମ୍ଭାବନାକୁ ବାସ୍ତବତାରେ ପରିଣତ କରି ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ।
    ଅନ୍ୟାନ୍ୟ ଅତିଥି ବୃନ୍ଦ ନିଯୁକ୍ତି ମେଳାର ବିଭିନ୍ନ ସକାରାତ୍ମକ ଦିଗ ଉପରେ ମତବ୍ୟକ୍ତ କରି କହିଥିଲେ ଯେ,ଯେହେତୁ ଅନେକ ନିଯୁକ୍ତି ଦାତା ଓ ଚାକିରୀ ଆଶାୟୀ ଅନେକ ଯୁବକ ଯୁବତୀ ଉଭୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ସେହି ଦୃଷ୍ଟିରୁ ଚାକିରୀ ଅନ୍ୱେଷଣରେ ଥିବା ପ୍ରତ୍ୟେକ ନିଜ ନିଜ ପସନ୍ଦ ମୁତାବକ ଚାକିରୀ ପାଇବାରେ ଏହି ନିଯୁକ୍ତି ମେଳା ବେଶ ସହାୟକ ହେବ।


    ଏହି ଅବସରରେ ଅତିଥି ବୃନ୍ଦ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନୁବନ୍ଧିତ ଅଭିଷେକ ଏଜୁକେସନ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟରୁ ବିଭିନ୍ନ ପ୍ରକାର ତାଲିମ ସମ୍ପୂର୍ଣ୍ଣପରେ ୩୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଟାଟା ଇଲେକ୍ଟନିକ୍ସ କମ୍ପାନୀରୁ ଆସିଥିବା ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଉକ୍ତ ନିଯୁକ୍ତି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ୫ମ ଶ୍ରେଣୀ ପାସ ଠାରୁ ଦଶମ, ଯୁକ୍ତ ଦୁଇ,ଯୁକ୍ତ ତିନି ଆଇ.ଟି.ଆଇ, ଡିପ୍ଲୋମା ପାସ ଶିକ୍ଷାଗତ ଯୋଗ୍ୟତା ଥିବା ଓ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ବହୁ ବେକାର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।

    ଆଜିର ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୬୧ଟି ଅନୁଷ୍ଠାନ ଯୋଗ ଦେଇଥିଲେ ଓ ସମୁଦାୟ ୧୯୬୧ ଜଣ ପଞ୍ଜିକରଣ କରିଥିଲେ। ତନ୍ମଧ୍ୟରୁ ପ୍ରାୟ ୩୫ଗୋଟି ବିଭିନ୍ନ ନିଯୁକ୍ତି ଦାତା ୧୦୨୩ ଜଣଙ୍କୁ ବିଭିନ୍ନ ବର୍ଗରେ ପ୍ଲେସମେଣ୍ଟ ପାଇଁ ଚୟନ କରିଥିବା ବେଳେ ୧୯ଟି ସରକାରୀ ଅନୁବନ୍ଧିତ ଟ୍ରେନିଂ ତଥା ନିଯୁକ୍ତି ଦେଉଥିବା ଅନୁଷ୍ଠାନ ୭୭୪ଜଣ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ ଓ ତାଲିମ ପ୍ରାପ୍ତ ସମ୍ପୂର୍ଣ୍ଣ ପରେ ପରବର୍ତୀ ନିଯୁକ୍ତି ପାଇଁ ଚୟନ କରିଛନ୍ତି। ସେହିପରି ୭ଗୋଟି ସରକାରୀ ଅନୁଷ୍ଠାନ ୧୪୩ ଜଣଙ୍କୁ ଆତ୍ମ ନିଯୁକ୍ତି ତାଲିମ ଏବଂ ଅନ୍ୟାନ୍ୟ ବୃତ୍ତି ଭିତ୍ତିକ ପରାମର୍ଶ ଓ ଭାରତୀୟ ସୈନ୍ୟ ବାହିନୀରେ ଅଗ୍ନିବୀର ପଦବୀରେ ପଞ୍ଜିକରଣ ପାଇଁ ପରାମର୍ଶ ଦେଇଥିଲେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ, ମୟୁରଭଞ୍ଜଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
    ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ବିଜୟ କୁମାର ରାମ ମଞ୍ଚ ସଂଚାଳନ କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ରାମେଶ୍ଵର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ସୁଚନା ଟିଭି