Year: 2025

  • ଆଜିଠୁ ଦ୍ୱାଦଶ ବାଲିଆପାଳ ମହୋତ୍ସବ ଉଦ୍ଘାଟିତ

    ଆଜିଠୁ ଦ୍ୱାଦଶ ବାଲିଆପାଳ ମହୋତ୍ସବ ଉଦ୍ଘାଟିତ

    ଆଜିଠାରୁ ବାଲିଆପାଳର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ଉଜ୍ଜିବୀତ କରିବା ଉଦ୍ଦେଶ୍ୟରେ ବାଲିଆପାଳ ପଂଚାୟତ ଅଫିସ ନିକଟରେ ଅନୁଷ୍ଠିତ ହୋଇଯାଇଛି ଦ୍ୱାଦଶ ବାଲିଆପାଳ ମହୋତ୍ସବ | ଏହାକୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉଦ୍ଘାଟନ କରିଛନ୍ତି | ଏ ନେଇ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହୋତ୍ସବ କମିଟିର ଆବାହକ ଇଂ ସୁଶାନ୍ତ କୁମାର ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ପୂର୍ବତନ ସରପଂଚ ମଧୁସୂଦନ ବାରିକ, ମୂରଲୀ ମୋହନ ସାହୁ, ସଦସ୍ୟ ଅରୁଣ ପାତ୍ର, ଜଗନ୍ନାଥ ବାରିକ, ବିଜୟ ସାମଲ, ବ୍ୟୋମକେଶ ସାହୁ, ସୁଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |

    ଏହି ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧ ହଜାରରୁ ଉର୍ଦ୍ଧ୍ବ ଷ୍ଟଲ, ମୀନାବଜାର, ନାଗରଦୋଳି ସ୍ଥାନ ପାଇଛି | ସେହିପରି ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ପ୍ରତିଭା ମାନଙ୍କୁ ନେଇ କାର୍ଯ୍ୟକ୍ରମ ସହିତ ହଜି ଯାଉଥିବା ଲୋକ କଳା ପ୍ରଦର୍ଶନ ସାଙ୍ଗକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ, ଗୋଟିପୁଅ, ଛଉ, ଓଡିଶୀ ପ୍ରଭୃତି ନୃତ୍ୟ ଅନୁଷ୍ଠାନମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ | ସେହିପରି ପ୍ରତିଦିନ ବିଭିନ୍ନ ତାରକାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |

    ମେଳାର ଶାନ୍ତି ଶୃଙ୍ଖଳା, ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଟି ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି | ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ମୁକୁନ୍ଦ ସିଂ, ନରେଶ ସାହୁ,ପିଣ୍ଟୁ ସୀ, ହରବନ୍ଧୁ ଜେନା, ଅସିତ ପଟ୍ଟନାୟକ, ସୁଜୟ ପରିଡା, ଉମାକାନ୍ତ ନାୟକ, ରାଧାକୃଷ୍ଣ ପାତ୍ର, ମୃତ୍ୟୁଞ୍ଜୟ ପରିଡା, ସନାତନ ସିଂ, ବିନୋଦ ବେହେରା, ରଘୁନାଥ ସିଂ, ଇନତାଜ ସାହା ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | କମିଟିର ବରିଷ୍ଠ ସଦସ୍ୟ ଅନନ୍ତ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ |

  • ମହାବୀର ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସରେ ଦୁର୍ଘଟଣା: ୬ ଆହତ, ୨ ଗୁରୁତର

    ମହାବୀର ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସରେ ଦୁର୍ଘଟଣା: ୬ ଆହତ, ୨ ଗୁରୁତର

    ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ସଂଲଗ୍ନ ବଲଣ୍ଡା ଅଞ୍ଚଳରେ ଥିବା ମହାବୀର ଫେରୋ ଆଲଏଜ୍ ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ସମସ୍ତଙ୍କୁ ଦଣ୍ଡିଆପାଲିସ୍ଥିତ ଜେପି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

    ତେବେ ବ୍ଲାଷ୍ଟ ଫର୍ନେସର ଏକ ନୂତନ ଭାଟି ଚଳାଇବା ସମୟରେ ଅଚାନକ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ମତରେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଆଖପାଖରେ ଥିବା କିଛି କାରଖାନାକୁ ଶୁଣାଯାଇଥିଲା । ତେବେ ଏହି ଘଟଣାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବାପରେ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ବରିଷ୍ଠ ଅଧିକାରୀଙ୍କ ଢିଲାପଣ ସହ ସେଫଟି ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଶ୍ରମିକ ସଙ୍ଗଠନ ପ୍ରକାଶ କରିଛି । ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଶ୍ରମିକ ସଙ୍ଗଠନ । ଉକ୍ତ ଦୁର୍ଘଟଣାରେ ପ୍ଲାଣ୍ଟ ଭିତରେ ଏକ ପ୍ରକାର କୋକୁଆ ଭୟର ବାତାବରଣ ସୃଷ୍ଟି ହେବା ସହ ଶ୍ରମିକ ଗଣ ଏଣେତେଣେ ଦୌଡିବାକୁ ଲାଗିଥିଲେ ।

    ତେବେ ଶ୍ରମିକଙ୍କ ପରିବାର ପରିଜନ ସ୍ଥାନୀୟ ପ୍ରଶାସନ ଓ ଫ୍ୟାକ୍ଟ୍ରି ଅଧିକାରୀଙ୍କୁ ଜବାବ ମାଗିଛନ୍ତି । ତେବେ ପ୍ରଶାସନ କହିଛି ଯେ ତଦନ୍ତ ହେବାପରେ ସୁନିଶ୍ଚିତ ଭାବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣା ପ୍ରକୃତ ତଥ୍ୟ ଲୁଚାଉଥିବା ଅନୁମାନ କରାଯାଉଛି । ଦେଖିବାକୁ ବାକି ରହିଲା ପ୍ରଶାସନ କେତେଶୀଘ୍ର ପଦକ୍ଷେପ ନେଉଛି ।

  • ଜାଡେଜା ୬୦୦ ୱିକେଟ କ୍ଲବରେ ପଞ୍ଚମ ଭାରତୀୟ

    ଜାଡେଜା ୬୦୦ ୱିକେଟ କ୍ଲବରେ ପଞ୍ଚମ ଭାରତୀୟ

    ଭେଟେରାନ ଅଲରାଉଣ୍ଡର ଟିମ ଇଣ୍ଡିଆ ଖେଳାଳି ରବୀନ୍ଦ୍ର ଜାଡେଜା ପଞ୍ଚମ ଭାରତୀୟ ଭାବେ ୬୦୦ ଅନ୍ତର୍ଜାତୀୟ ୱିକେଟ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି I ଇଂଲଣ୍ଡ ବିପକ୍ଷ ନାଗପୁର ଦିନିକିଆରେ ୩ ୱିକେଟ ନେଇ ଏହି ଗୌରବ ହାସଲ କରିଛନ୍ତି I ଆଦିଲ ରସିଦଙ୍କୁ ନିଜ ତୃତୀୟ ୱିକେଟ ଭାବେ ଆଉଟ କରିବା ବେଳେ ସେ ଏହି ମାଇଲଖୁଣ୍ଟକୁ ପହଞ୍ଚିଥିଲେ I

    ଜାଡେଜା ଦିନିକିଆରେ ୧୯୮ ମ୍ୟାଚରୁ ୨୨୩ ୱିକେଟ ଅକ୍ତିଆର କରିଥିବା ବେଳେ ୮୦ ଟେଷ୍ଟରୁ ୩୨୩ ୱିକେଟ ଏବଂ ୭୪ ଟ୍ୱେଣ୍ଟି-୨୦ ଅନ୍ତର୍ଜାତୀୟରୁ ୫୪ ୱିକେଟ ନିଜ ନାଁ ରେ ସାମିଲ କରିଛନ୍ତି I ଗତବର୍ଷ ଟ୍ୱେଣ୍ଟି-୨୦ ବିଶ୍ୱକପ ବିଜୟ ପରେ ରୋହିତ ଶର୍ମା, ବିରାଟ କୋହଲିଂକ ଭଳି ରବୀନ୍ଦ୍ର ଜାଡେଜା ଏହି ଫର୍ମାଟରୁ ଅବସର ଘୋଷଣା କରି ଦେଇଥିଲେ I

    ଅନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ ପୂର୍ଣ୍ଣ କରିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି I ରବୀନ୍ଦ୍ରଙ୍କ ପୂର୍ବରୁ ଏହି କ୍ଲବ୍ ରେ ଅନିଲ କୁମ୍ବଲେ ୯୫୩ ରବିଚନ୍ଦ୍ରନ ଅଶ୍ୱିନ ୭୬୫ ହରଭଜନ ସିଂହ ୭୦୭ ଓ କପିଳ ଦେବ ୬୮୬ ସାମିଲ ଥିଲେ I ଦିନିକିଆରେ ୨୦୦ ରୁ ଉର୍ଦ୍ଧ ୱିକେଟ ଦଖଲରେ ସେ ସପ୍ତମ ଭାରତୀୟ ଅଛନ୍ତି I

  • ମଦୁଆ ଶିକ୍ଷକଙ୍କ ତାଣ୍ଡବ, ଛାତ୍ରଛାତ୍ରୀଙ୍କୁ ଦେଲେ ହଗା-ନଗା ମାଡ

    ମଦୁଆ ଶିକ୍ଷକଙ୍କ ତାଣ୍ଡବ, ଛାତ୍ରଛାତ୍ରୀଙ୍କୁ ଦେଲେ ହଗା-ନଗା ମାଡ

    ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ, ତସ୍ମୟଶ୍ରୀ ଗୁରବେ ନମ, ପିତାମାତାଙ୍କ ପରେ ଶିକ୍ଷକଙ୍କୁ ହିଁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ, କିନ୍ତୁ ସେହି ଭଗବାନ ଆଜି ରାକ୍ଷସ ପରି କାମ କରିଥିବା ଦେଖିବାକୁ ମିଳିଛି ।

    ସୂଚନା ଅନୁସାରେ,ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପଂଚାୟତ ଠାକୁରଦିଆ ଗାଁ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମଲୋଚନ ମୁନାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।

    ଶିକ୍ଷକ ଜଣକ ମଦ୍ୟପାନ କରି ନିର୍ମମ ଭାବେ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଜୋତାରେ ଗୋଇଠା ମାରିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ମାନେ ।

  • କୋଇଲା କଳା ବ୍ୟପାର, ବ୍ୟବସାୟରେ ଲମ୍ବିଛି ଚେର, ଜବତ ହେଲା ୩୦ ଟନ ଚୋରା କୋଇଲା

    କୋଇଲା କଳା ବ୍ୟପାର, ବ୍ୟବସାୟରେ ଲମ୍ବିଛି ଚେର, ଜବତ ହେଲା ୩୦ ଟନ ଚୋରା କୋଇଲା

    ପାରାଦ୍ଵୀପରେ ଲମ୍ବିଛି ଚୋରା କୋଇଲା ବ୍ୟବସାୟର ଚେର । ପାରାଦ୍ଵୀପ ବନ୍ଦରରୁ ଟ୍ରେନ୍ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା ମୁଲ୍ୟବାନ କୋଇଲାକୁ କିଛି ଦୂର୍ବୁତ୍ତ ଅଧା ବାଟରେ କାଢି ବିକ୍ରି କରୁଥିବା ଜଣାପଡ଼ିଛି। ଗତ ରବିବାର ରାତିରେ ପାରାଦ୍ଵୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢି ଥିବା ଖବର ପାଇବା ପରେ, ରେଲୱେ ପୋଲିସ ସେଠାରେ ପହଞ୍ଚି ପାଖାପାଖି ୫ ଟନର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ୍ ଜବତ କରିଥିଲେ। ଏହି ଘଟଣାର ତଦନ୍ତ ଭାର ରେଲୱେ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇ ପାରାଦ୍ଵୀପରେ ଚଢ଼ାଉ କରିଥିଲା। କୋଇଲା ଚୋରି ରାକେଟର ଜଣଙ୍କୁ ଗିରଫ କରାଯିବା ସହ ସମ୍ପୃକ୍ତ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

    ତଦନ୍ତରେ କ୍ରାଇମବ୍ରାଞ୍ଚ ଦୋଛକି ନିକଟ ଏକ ପାଲ ଘେରା ଘରୁ ବିପୁଳ ପରିମାଣର ଚୋରା କୋଇଲା ଓ ତେଲ ଜବତ କରିଛି । ଏଥିରେ ୧୨ଟି ବ୍ୟାରେଲରେ ପାଖାପାଖି ୨୨ ଶହ ଲିଟର ଚୋରା ଡିଜେଲ ଓ ୬୦୦ ଲିଟର ଚୋରା ପେଟ୍ରୋଲ ଜବତ କରାଯାଇଥିବା ବେଳେ ୩୦ ଟନ୍ ଚୋରା କୋଇଲା ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ୧୪ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

    ସୂଚନା ଅନୁସାରେ, ପାରାଦ୍ଵୀପ ବନ୍ଦରରୁ କୋଇଲା ଟ୍ରେନ୍ ଗୁଡିକ ବାହାରିବା ସମୟରେ ଧିରେ ଧିରେ ଯାଇଥାଏ। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ସହାୟତାରେ ଚଳନ୍ତା ଟ୍ରେନ୍ ରୁ ମୁଲ୍ୟବାନ କୋଇଲା କୁ ତଳକୁ ପକାଇ , ପରେ ଏହାକୁ ନିଜ ଗୋଦାମରେ ରଖି ବିଭିନ୍ନ ଡିପୋକୁ ପଠାଇଥାନ୍ତି। ଏଥିରେ ରେଲୱେ ବିଭାଗର କିଛି କର୍ମଚାରୀ ସାମିଲ ଥିବାର ସୂଚନା କ୍ରାଇମବ୍ରାଞ୍ଚକୁ ମିଳିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

  • ଚିଙ୍ଗୁଡ଼ି ଘେରିର ନୀଳ ଜହର ସାଧୁଛି ଦାଉ, ସୁରକ୍ଷା ଖୋଜୁଛି ଭିତରକନିକା

    ଚିଙ୍ଗୁଡ଼ି ଘେରିର ନୀଳ ଜହର ସାଧୁଛି ଦାଉ, ସୁରକ୍ଷା ଖୋଜୁଛି ଭିତରକନିକା

    ଜୈବ-ବିବିଧତା, ବନ୍ୟ ପ୍ରାଣୀ ଓ ହେନ୍ତାଳ ବନ ପାଇଁ ଭିତରକନିକା ସାରା ବିଶ୍ଵରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଦୁଃଖର କଥା, ପ୍ରକୃତିର ରାଣୀ ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ଅବୈଧ ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ! ଭିତରକନିକା ଅଭୟାରଣ୍ୟର ୨୧ ଟି ସାଞ୍ଚୁରୀ ଏରିଆ ମଧ୍ୟରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ କୌଣସି ଅନୁମତି ନଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତାଙ୍କ ଶରଣରେ ରହି ଭିତରକନିକା ଜଙ୍ଗଲ ପାଖରେ ବେଧଡକ ଅବୈଧ ଚିଙ୍ଗୁଡ଼ି ଘେରି କରିଛନ୍ତି। ନୀଳ କେମିକାଲ ପାଣି ସାଜିଛି ବନ୍ୟ ପ୍ରାଣୀଙ୍କ ପାଇଁ ନୀଳ ଜହର !

    ପ୍ରକୃତିର ରାଣୀ ଭିତରକନିକାକୁ କିଏବା ନ ଜାଣେ ! ତାହାର ଜୈବ-ବିବିଧତା, ବନ୍ୟ ପ୍ରାଣୀ ଓ ହେନ୍ତାଳ ବନ ବିଶ୍ୱକୁ ଆଚମ୍ବିତ କରିଛି। ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ ଭିତରକନିକା ଠାରେ ।ଏକ ପ୍ରକାର ଭିତରକନିକା ପାଇଁ ରାଜନଗର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନାଁ ସାରା ବିଶ୍ଵରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡ଼ା ଜିଲ୍ଲା ଓ ରାଜନଗର ବ୍ଲକ ଯାହାପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି,ତାହାର ଗରିମା ଧୀରେ ଧୀରେ ନଷ୍ଟ ହେବାକୁ ବସିଛି।

    ପ୍ରକୃତିର ରାଣୀ ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ଅବୈଧ ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ! ନୀଳ କେମିକାଲ ପାଣି ସାଜିଛି ବନ୍ୟ ପ୍ରାଣୀଙ୍କ ପାଇଁ ନୀଳ ଜହର ! ସୁରକ୍ଷା ଖୋଜୁଛି ପକୃତିର ରାଣୀ ଭିତରକନିକା। ଭିତରକନିକା ଅଭୟାରଣ୍ୟର ୨୧ ଟି ସାଞ୍ଚୁରୀ ଏରିଆ ମଧ୍ୟରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ କୌଣସି ଅନୁମତି ନଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତାଙ୍କ ଶରଣରେ ରହି ଭିତରକନିକା ଜଙ୍ଗଲ ପାଖରେ ବେଧଡକ ଅବୈଧ ଚିଙ୍ଗୁଡ଼ି ଘେରି କରିଛନ୍ତି। ଯେଉଁ ଚିଙ୍ଗୁଡ଼ି ଘେରିରୁ ବାହାରୁଥିବା ନୀଳ କେମିକାଲ ସାଜିଛି ବନ୍ୟପ୍ରାଣୀଙ୍କ ପାଇଁ ଜହର। ଜଙ୍ଗଲ ନିୟମାନୁଯାଇ ସରକାରୀ ଜମି ହେଉ କିମ୍ବା ବେସରକାରୀ ଜମି ତାହା ଯଦି ଜଙ୍ଗଲ ପାଖରେ ରହିଛି ସେଠାରେ କୌଣସି ଚିଙ୍ଗୁଡ଼ି ଘେରି ହୋଇପାରିବ ନାହିଁ।

    ଯଦି ସେହିଠାରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି ନିର୍ମାଣ ହୁଏ ତେବେ ଜଙ୍ଗଲ ସହିତ ବନ୍ୟପ୍ରାଣୀଙ୍କ ଉପରେ ଏକ କୁପ୍ରଭାବ ପଡିବ ବୋଲି ଭିତରକନିକାର ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସ କହିଛନ୍ତି। ତେଣୁ ବିଗତ ଅନେକ ବର୍ଷରୁ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରରେ ଭିତରକନିକାର ଅନେକ ସ୍ଥାନରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗିବା ସହିତ ଘେରି ମାଲିକଙ୍କ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି,ହେଲେ ତଥାପି ଏହାର ରୋକ ଲାଗୁନି। ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ପଟ୍ଟାପାରିଆ ଗ୍ରାମର କୋଟି ଜେନା ନାମକ ବ୍ୟକ୍ତି ରାଜନେତାଙ୍କ ଛତ୍ରଛାୟାରେ ରହି ବିଦ୍ୟୁତ ବିଭାଗର ଖୁଣ୍ଟରୁ କରେଣ୍ଟ ନେଇ ଭିତରକନିକା ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଜମିରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି କରିଛନ୍ତି।ଯାହାକୁ ପୂର୍ବରୁ ବନ ବିଭାଗ ପକ୍ଷରୁ ରୋକ ଲଗାଯାଇଥିଲା । କିନ୍ତୁ ବନ ବିଭାଗର ଏହି ତାଗିଦ୍ କୁ ଅମାନ୍ୟ କରି ପୁନର୍ବାର କୋଟି ଜେନା ସେହି ଜମିରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି ନିର୍ମାଣ କରୁଛନ୍ତି।ଆଉ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ। ମୋଟା ଅଙ୍କ ନେଇ ଚିଙ୍ଗୁଡ଼ି ଘେରିକୁ ଜଳ ଯୋଗାଣ ପାଇଁ ଚୋରାରେ କରେଣ୍ଟ ଯୋଗାଇ ଦେଇଛନ୍ତି ଚିଙ୍ଗୁଡ଼ି ଘେରିକୁ।

    ତେବେ ଏହା ଉପରେ ରାଜ୍ୟର ନୂତନ ବିଜେପି ସରକାର, ଜିଲ୍ଲପାଳ ଓ ବନ ବିଭାଗର ଅଧିକାରୀ ଚିନ୍ତା କରିବାର ବିଷୟ ରହିଛି।ଯଦି ଏହି ଅବୈଧ୍ୟ ଚିଙ୍ଗୁଡ଼ି ଘେରିକୁ ରୋକ ଲଗା ନଯାଏ ତେବେ ଭିତରକନିକା ଅଭୟାରଣ୍ୟ ଓ ତାହାର ବନ୍ୟଜନ୍ତୁ ବିପଦ ମୁଖରେ ପଡିବେ। ଦେଖାଯାଉ ରାଜ୍ୟରେ ନୃତନ ସରକାର ଏହି ବିଶ୍ଵ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ପାଇଁ କି କଡ଼ା ଆଇନ୍ କାନୁନ୍ ଗ୍ରହଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

  • ୫ ବର୍ଷ ପରେ ସୁଧ ହାର ହ୍ରାସ କଲା RBI, ଶସ୍ତା ହେବ ଋଣ

    ୫ ବର୍ଷ ପରେ ସୁଧ ହାର ହ୍ରାସ କଲା RBI, ଶସ୍ତା ହେବ ଋଣ

    ଆରବିଆଇର ମୁଦ୍ରା ନୀତି କମିଟି (MPC) ରେପୋ ହାରକୁ ୨୫ ବେସିସ ପଏଣ୍ଟ (BPS) କୁ ୬.୨୫% କୁ ହ୍ରାସ କରିଛି । ଏହାପୂର୍ବରୁ, ଆରବିଆଇ କ୍ରମାଗତ ୧୧ ଟି ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ସୂଚନା ଅନୁଯାୟୀ ଯେ ୫ ବର୍ଷ ପରେ ଆରବିଆଇ ଏହି ହ୍ରାସ ଘୋଷଣା କରିଛି।

    ଋଣ ନେଇଥିବା ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ଏକ ବଡ ଉପହାର ଦେଇଛି। ଆରବିଆଇର ମୁଦ୍ରା ନୀତି କମିଟିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରି ନୂତନ ରାଜ୍ୟପାଳ ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ରେପୋ ହାରକୁ ଚତୁର୍ଥାଂଶ ହ୍ରାସ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଆରବିଆଇର ରେପୋ ହାର ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ ପାଇବ । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଘର ଋଣ , କାରଋଣ, ଶିକ୍ଷାଋଣ, କର୍ପୋରେ ଟ୍ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ କରିବାକୁ ବ୍ୟାଙ୍କଗୁଡିକ ପାଇଁ ରାସ୍ତା ସଫା କରାଯାଇଛି। ଏହାପୂର୍ବରୁ ମେ ୨୦୨୦ ରେ କରୋନା ମହାମାରୀ ହେତୁ ଦେଶରେ ଲକଡାଉନ ଚାଲିଥିବା ବେଳେ ​​ଆରବିଆଇ ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଅର୍ଥାତ୍ ପାଞ୍ଚ ବର୍ଷ ପରେ ଆରବିଆଇ ସୁଧ ହାର ହ୍ରାସ କରିଛି।

    ୫ ବର୍ଷରେ ପ୍ରଥମ ଥର ପାଇଁ ଋଣ ହେଲା ଶସ୍ତା
    ଡିସେମ୍ବର ୨୦୨୪ ରେ ଆରବିଆଇ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମୁଦ୍ରା ନୀତି କମିଟି ବୈଠକ ତିନି ଦିନ ଧରି ଚାଲିଥିଲା ​​। ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବାବେଳେ ସଞ୍ଜୟ ମାଲହୋତ୍ରା ରେପୋ ହାରକୁ ୦.୨୫ ପ୍ରତିଶତ କିମ୍ବା ୨୫ ଆଧାର ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ରେପୋ ହାର ବର୍ତ୍ତମାନ ୬.୨୫ ପ୍ରତିଶତ ହୋଇଛି । ଆରବିଆଇର ଏହି ନିଷ୍ପତ୍ତି ସହିତ ଋଣ ନେବା ବ୍ୟାଙ୍କଗୁଡିକ ପାଇଁ ଶସ୍ତା ହୋଇଛି ଏବଂ ଆଶା କରାଯାଉଛି ଯେ ବ୍ୟାଙ୍କ ଗୁଡିକ ଖୁବ୍ ଶୀଘ୍ର ଉଭୟ ନୂତନ ଋଣ ନେଉଥିବା ବ୍ୟକ୍ତି ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଏହାର ଲାଭ ବୃଦ୍ଧି କରିବେ। ଆର୍‌ବିଆଇ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧାକୁ ୬.୭୫ ରୁ ୬.୫୦ ପ୍ରତିଶତକୁ ହ୍ରାସ କରିଛି। ଯଦି ଆବଶ୍ୟକ ହୁଏ ତେବେ ଆରବିଆଇରୁ ଋଣ ନେବାରେ ବ୍ୟାଙ୍କମାନଙ୍କୁ ସୁବିଧା ପ୍ରଦାନ କରିବ।

  • ପଦ୍ମପୁରରେ ବାଇକ୍‌ ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ

    ପଦ୍ମପୁରରେ ବାଇକ୍‌ ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ

    ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋରଙ୍କ ଉତ୍ପାତ ବଢିଯାଇଥିବାରୁ ଏସପି ପିଏସ୍‌ ମୀନାଙ୍କ ନେତୃତ୍ବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା ଅଧିକାରୀ ମମତା ନାଏକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏସ୍‌ଆଇ ସୁରେଶ ନାଏକ, ସହକର୍ମୀ ଏଚ୍‌ ଗଡ଼ତିଆ, ଡିଡି ଧରୁଆ, ଆରଏମ ସାହୁ ଗାଇସିଲେଟ ରାସ୍ତା କୁଡାସିଂହା ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ୍‌ରେ ତାଲପାଲିର ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ।

    ପୋଲିସ ଯାଞ୍ଚରେ ସେହି ବାଇକ ଚୋରୀ ବାଇକ ବୋଲି ଜାଣିବାକୁ ପାଇଥିଲେ, ପରେ ଏହି ଚୋରୀରେ ଆହୁରି ୫ ଜଣ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା। ସମସ୍ତ ୭ ଅଭିଯୁକ୍ତଙ୍କୁ କାବୁ କରି ୪ଟି ନମ୍ବର ବିହୀନ ବାଇକ୍‌ ସହ ଆହୁରି ୧୩ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଅନ୍ୟ ଚୋରି ବାଇକ୍‌ଗୁଡ଼ିକର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ପଦ୍ମପୁର ଏସ୍‌ଡିପିଓ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

  • ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନିଳମାଧବ ହିକକା, ସ୍ବତନ୍ତ୍ର ଅତିଥି ଭାବେ ଅକ୍ଷୟ କୁମାର ମଲ୍ଲିକ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ, ମୁଖ୍ୟ ବକ୍ତା ଭାବେ ଶ୍ୟାମ ଘନ ଭୂୟାଁ, ଜିଲ୍ଲା ଶିକ୍ଷାଧିଶ ରାୟଗଡ଼ା ଯୋଗ ଦେଇଥିଲେ ।

    ସେହିପରି ସମ୍ମାନୀତ ଅତିଥି ଭାବେ ଦୁଃଖିନୀ ନୁଣ୍ଡୁକା, ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା , ରାୟଗଡ଼ା ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନାରା, ମୁନିଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଧବୀ କନ୍ଧ ପାଣି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ଭାଗ୍ୟଲକ୍ଷ୍ମୀ ଗେମ୍ବ ବାଲି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁନିଖୋଲ ପଞ୍ଚାୟତ ତିଳୋତ୍ତମା ପୁସିକା, ବିଜେପି ରାଜ୍ୟ ଓବିସି ମୋର୍ଚା ସଭାପତି ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ସଭାପତି ସୁନୀତା କୁମାରୀ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ( SSD) ବାଳିକା ଉଚ୍ଚ ବିଦ୍ୟାଳୟ ମୁନିଗୁଡ଼ା ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ସର୍ବପ୍ରଥମେ ପୁଷ୍ପ ଚନ୍ଦନ ଦେଇ ପାରମ୍ପରିକ ନାଚ ଗିତ ତାଳେ ତାଳେ ସଭା ସ୍ଥାନକୁ ନିମନ୍ତ୍ରଣ କରିଥିଲେ ।

    ପ୍ରାରମ୍ଭରେ ନୃତ୍ୟ ସଙ୍ଗୀତ ପରିବେଷଣ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବିବରଣୀ ପଠନ, ୨୪-୨୫ ଶିକ୍ଷାବର୍ଷର ମେଧାବୀ ଛାତ୍ରୀଙ୍କୁ ସମ୍ମାନୀତ ଓ ଅତିଥି ମାନଙ୍କ ଅଭିଭାଷଣ, ପୁରସ୍କାର ବିତରଣ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ଶେଷରେ ଆମନ୍ତ୍ରିତ ଅତିଥି ବୃନ୍ଦ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, SMC ମେମ୍ବର, ଅଭିଭାବକ, ଅଭିଭାବିକା, ମୁନିଗୁଡ଼ା ଗ୍ରାମ ବାସୀବୃନ୍ଦ, ସାମ୍ବାଦିକ ବନ୍ଧୁଗଣ ତଥା ସମସ୍ତ ଛାତ୍ରୀମାନଙ୍କୁ ଗଭୀର ଅନ୍ତର ସହ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମୁନିଗୁଡ଼ା ତରଫରୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରିଥିଲେ।

  • ଫୁଲ ଶୀଘ୍ର ଫୁଟିଗଲା, ପକ୍ଷୀମାନେ ମଧ୍ୟ ଆଶ୍ଚର୍ଯ୍ୟ… ଫେବୃଆରୀରେ ଏପ୍ରିଲ୍ ପରି ଗରମ, କୁଆଡେ ଗଲା ବସନ୍ତ?

    ଫୁଲ ଶୀଘ୍ର ଫୁଟିଗଲା, ପକ୍ଷୀମାନେ ମଧ୍ୟ ଆଶ୍ଚର୍ଯ୍ୟ… ଫେବୃଆରୀରେ ଏପ୍ରିଲ୍ ପରି ଗରମ, କୁଆଡେ ଗଲା ବସନ୍ତ?

    ଜଳ ବାୟୁର ହଠାତ ପରିବର୍ତ୍ତନ ଏମିତି ହେଲା ଯେ ଯେ ଲୋକମାନେ ଜାନୁଆରୀରୁ ଗରମ ହେବାର ଅନୁଭବ କରିବା ଆରମ୍ଭ କରି ସାରିଲେଣି । ଫେବୃଆରୀ ମାସରେ ଶୀତ ହ୍ରାସ ପାଇବାବେଳେ ଲୋକମାନେ ଏପ୍ରିଲର ଗରମ ଅନୁଭବ କରୁଛନ୍ତି । ପାଣିପାଗର ଏହି ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ମଧ୍ୟ ଏକ ସମସ୍ୟା ପାଲଟିଛି । ଓଡ଼ିଶାରେ ଯେଉଁଠି ଶୀତ ଋତୁରେ ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଶୁଣିବାକୁ ମିଳୁଥିଲା ତାହା ଏବେ ପୁରା ଶାନ୍ତ ପଡିଛି । ତାପମାତ୍ରା ବୃଦ୍ଧି ହେତୁ ପ୍ରବାସୀ ପକ୍ଷୀମାନେ ସମୟ ପୂର୍ବରୁ ସ୍ଥାନାନ୍ତରିତ ହେଉଛନ୍ତି । ଏହି ପକ୍ଷୀମାନେ ସାଧାରଣତ ନଭେମ୍ବରରେ ୟୁରୋପ ଏବଂ ମଧ୍ୟ ଏସିଆରୁ ଏଠାକୁ ଆସନ୍ତି ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ରୁହନ୍ତି, କିନ୍ତୁ ଏଥର ଫେବୃଆରୀ ଆରମ୍ଭରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି, ଯାହାକି ଏହି ସମୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସ ପାଖାପାଖି ରହିଥାଏ ।