Year: 2025

  • ଗାଇସିଲେଟଠାରେ ବ୍ଲକସ୍ତରୀୟ ଜନଶୁଣାଣୀ

    ଗାଇସିଲେଟଠାରେ ବ୍ଲକସ୍ତରୀୟ ଜନଶୁଣାଣୀ

    ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଏମଜିଏନଆରଇଜିଏସ ଏବଂ ପଞ୍ଚଦଶ ଅର୍ଥ କମିଶନର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ପଦ୍ମପୁର ଅତିରିକ୍ତ ଜ଼ିଲ୍ଲାପାଳ ଚବନ କୁନାଲ ମୋତିରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

    ଏହି କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଆନନ୍ଦ ପଧାନ ଓ ଗାଇସିଲେଟ ବ୍ଲକ ବିଡ଼ିଓ ଲକ୍ଷ୍ମଣ ମାଝୀ ଓ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳା ମଞ୍ଚାସିନ ଥିଲେ |

    ଫରେଷ୍ଟ ଅଧିକାରୀ ଅଶ୍ଵିନୀ ଭୋଇଙ୍କ ୪୦୨୫ ଟି ପ୍ରକଳ୍ପ ରହିଥିବା ବେଳେ ୧୭୫୦ ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଥିଲେ | ଆଉ ୨୦୦୫୯ ଟି ପରିବାରର ଜବକାର୍ଡଧାରୀଙ୍କୁ କାର୍ଯ୍ୟ ଦିଆଯାଇଥିବା ବେଳେ ୫୮୦୮ ଟି ରେ ପରିବାର କାର୍ଯ୍ୟ କରିଛନ୍ତି ଓ ୧୦୦ ଦିନର କାର୍ଯ୍ୟ ୨୩୮ ଟି ପରିବାର, ୨୦୦ ଦିନର କାମ ୧୪ ଟି ପରିବାର କାମ କରିଥିବାର ଏପିଓ ମାନସ କୁମାର ଭୋଇ କହିଛନ୍ତି |

    ଏହି ଗାଇସିଲେଟ ବ୍ଲକ ସାମାଜିକ ସମୀକ୍ଷକ ଉମାକାନ୍ତ ସାହୁ ସାମାଜିକ ସମୀକ୍ଷାର ପଂଚାୟତ ସମିତି, ବନ ବିଭାଗ, ଉଦ୍ୟାନ ବିଭାଗ, ଜଳ ଛାୟା ପ୍ରକଳ୍ପରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ନଥିପତ୍ର, ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନଙ୍କ କ୍ଷେତ୍ର ପରିଦର୍ଶନ ରେ ବାହାରି ଥିବା ୨୦୭ ଟି ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରାଯାଇଥିଲା |

    ଏହାସହ ଗ୍ରାମ ସଭାରେ ହୋଇଥିବା ବିଭିନ୍ନ କାର୍ଯ୍ୟ ସମସ୍ୟାର ସମାଧାନ ପାଇଁ ପନ୍ଥା ନିରୂପଣ କରାଯାଇ ଥିଲା | ଏହି ସବୁ ସମସ୍ୟା ଉପରେ ଆଜିର ଏହି ଜନ ଶୁଣାଣିରେ ଆଲୋଚନା ହୋଇଥିଲା |

  • ଯୋଡ଼ା ଫ୍ଲାଇ ଓଭରରେ ଦୁର୍ଘଟଣା, ହାଇୱା ଡ୍ରାଇଭର ମୃତ

    ଯୋଡ଼ା ଫ୍ଲାଇ ଓଭରରେ ଦୁର୍ଘଟଣା, ହାଇୱା ଡ୍ରାଇଭର ମୃତ

    ଯୋଡ଼ା ସହର ଦେଇ ଯାଇଥିବା ଫ୍ଲାଇ ଓଭରରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ଘଟଣା ସ୍ଥଳରେ ଚାପି ହୋଇ ଜଣେ ହାଇୱା ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରି ନଥିବା ବେଳେ ଫ୍ଲାଇ ଓଭର ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ଘଟଣା ସ୍ଥଳରେ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

    ସୂଚନା ଅନୁସାରେ, ଗତକାଲି ରାତିରେ ଫ୍ଲାଇ ଓଭର ପିଲାର ନଂ ୫୯ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି। ଘରୋଇ ଖଣି କମ୍ପାନୀ JSW ର ଏକ ହୋଲ୍ ପ୍ୟାକ୍ ଡାଲାକୁ ଗୋଟିଏ ଟ୍ରେଲରରେ ଲୋଡ୍ କରି ନିଆଯାଉଥିଲା । ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ ଥିବାରୁ କିଛି ଅଂଶ ଟ୍ରେଲରର ବାହାରକୁ ବାହାରି ରହିଥିଲା । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ଆଇରନ୍ ଓର୍ ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲାକୁ ଜୋରଦାର ଟକ୍କର ମାରି ପଛପଟୁ ଆସୁଥିବା ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା ଏବଂ ଗାଡ଼ି ଭିତରେ ଚାପି ହୋଇ ହାଇୱା ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ । ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ରାତିରେ ଟ୍ରେଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲା ବାହାରକୁ ବାହାରି ରହିଥିବା ଦେଖି ନ ପାରିବାରୁ ହାଇୱାଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଯୋଡ଼ା ପୋଲିସ୍ ଗାଡ଼ି ଗୁଡ଼ିକୁ ଜବତ୍ କରି ତଦନ୍ତ ଚଳାଇଛି ।

  • ବିଦ୍ୟୁତ ତାର ସଂସ୍ପର୍ଶରେ ଉଡିଗଲା ପ୍ରାଣବାୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

    ବିଦ୍ୟୁତ ତାର ସଂସ୍ପର୍ଶରେ ଉଡିଗଲା ପ୍ରାଣବାୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

    ବିଦ୍ୟୁତ ବିଭାଗର ପରିଚାଳନାଗତ ତ୍ରୁଟି ପାଇଁ ଚାଲିଗଲା ଜଣେ ନିରୀହଙ୍କ ଜୀବନ, ଚାଷ କାମ ପାଇଁ ବିଲକୁ ଯାଇଥିଲେ,ହେଲେ ଆଉ ଫେରିଲେ ନାହିଁ ଘରକୁ, ହଁ ଆଜ୍ଞା, ବିଦ୍ୟୁତ ବିଭାଗର ବେପରୁଆ କାର୍ଯ ପାଇଁ ଜଣେ ନିରୀହ ଚାଷୀଙ୍କୁ ଜୀବନ ହାରିବାକୁ ପଡିଛି । ସୂଚନା ଅନୁସାରେ, ଆଜି ସକାଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ବେଣୁଦା ଛକ ନିକଟରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା, ଭୋଗରାଇ ବ୍ଲକ କଚୁଆଡି ପଞ୍ଚାୟତ ମୁକଳସିପୁର ଗାଁର ସତ୍ୟନାରାୟଣ ପ୍ରଧାନ ନାମକ ଜଣେ ଚାଷୀ ନିଜ ଚାଷ ଜମିକୁ ଔଷଧ ମାରିବା ପାଇଁ ଯାଇଥିବାବେଳେ ଜମି ବନ୍ଧରେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ଚେତାଶୁନ୍ୟ ହୋଇ ପଡ଼ିରହିଥିଲେ।

    ଘର ଲୋକେ ତାଙ୍କୁ ବହୁ ଖୋଜଖୋଜି କରିବା ପରେ ଶେଷରେ ବିଲରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ପରିବାର ପକ୍ଷରୁ ବିଦ୍ୟୁତ ବିଭାଗକୁ ଦାୟୀ କରାଯିବା ସହ କ୍ଷତିପୂରଣ ଦାବିରେ ରାଜ ରାସ୍ତାରେ ଶବ ରଖି ରାସ୍ତା ରୋକ କରିଛନ୍ତି । କ୍ଷତି ପୂରଣ ନ ମିଳିଲେ ରାସ୍ତା ରୋକ ହଟିବ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ।

    କେବଳ ଏଇ ଗୋଟିଏ ଘଟଣା ନୁହଁ , ବିଦ୍ୟୁତ ବିଭାଗର ଏହିପରି ଅନେକ ଦୃଷ୍ଟାନ୍ତ ରହିଛି, ଅତୀତର ସେଇ ଘଟଣାକୁ ସୁଧାରିବା ବଦଳରେ ନିଜର ମନୋମୁଖୀ ତଥା ବେପରୁଆ କାର୍ଯ ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ବିଦ୍ୟୁତ ଆଘାତରେ ପ୍ରାଣ ହରାଉଛନ୍ତି ସାଧାରଣ ଲୋକେ ।

  • ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ

    ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ

    ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ହୋଇଛି । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି । ଗଞ୍ଜାମ ବ୍ଲକର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ତଥା ବଟେଶ୍ୱର ମନ୍ଦିର ବେଳାଭୂମି ମଧ୍ୟରେ ଗଣ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡ଼ଲେ କଇଁଛ। ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗକୁ ସୂଚନା ମିଳିଥିବା ବେଳେ ଲକ୍ଷ ଲକ୍ଷ କଇଁଛ ଅଣ୍ଡାଦାନ କରିବାର ଦେଖିବାକୁ ମିଳିଛି । କିଭଳି ଭାବେ ସୁରକ୍ଷିତ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିମି ପ୍ରଯ୍ୟନ୍ତ ବ୍ୟାରିକେଡ଼୍ ଦିଆଯାଇଛି ।

    ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି । ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରିଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ସମେତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି । ୨୦୨୪ ରେ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କୁ ବନ ବିଭାଗ ପକ୍ଷରୁ କଡାକଡ଼ି କରାଯାଇଛି ।

  • ପାରାଦ୍ଵୀପ ବନ୍ଦର ପକ୍ଷରୁ ୩୯ ତମ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ

    ପାରାଦ୍ଵୀପ ବନ୍ଦର ପକ୍ଷରୁ ୩୯ ତମ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ

    ପାରାଦ୍ଵୀପ ବନ୍ଦର ପକ୍ଷରୁ ୩୯ ତମ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବନ୍ଦର ନଗରୀରେ ରହୁଥିବା ପରିବାର ନିଜ ବାଡି ଓ ବଗିଚାରେ ଲଗାଇଥିବା ବିଭିନ୍ନ ପ୍ରକାରର ଫୁଲ, ଫଳ ଓ ପନିପରିବାକୁ ଏହି ପ୍ରତିଯୋଗୀତାରେ ପ୍ରଦର୍ଶିତ କରାଯାଇଛି।

    କୌଣସି ରସାୟନିକ ସାର ପ୍ରୟୋଗ ନକରି ଜୈବିକ ପଦ୍ଧତିରେ ଲଗାଯାଇଥିବା ଫୁଲ ଓ ପନିପରିବାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଥିଲା। ବଜାର ପରିବା ଅପେକ୍ଷା ନିଜ ବାଡ଼ିରେ ଜୈବିକ ପ୍ରଣାଳୀରେ ପରିବା ଉତ୍ପାଦନ କରି ବ୍ୟବହାର କରିବାକୁ ବନ୍ଦର ପକ୍ଷରୁ ଦିର୍ଘ ବର୍ଷ ହେଲା ପ୍ରୟାସ କରାଯାଉଛି।

    ଚଳିତ ବର୍ଷ ଏହି ପ୍ରତିଯୋଗୀତାକୁ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଉଦଘାଟନ କରିବା ସହିତ ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ପ୍ରତିଯୋଗୀତାରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

  • ବିଶୋଇ ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ପତି ପତ୍ନୀଙ୍କୁ ହତ୍ୟା

    ବିଶୋଇ ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ପତି ପତ୍ନୀଙ୍କୁ ହତ୍ୟା

    ପୁଣି ଗୁଣି ଗାରେଡ଼ି ସନ୍ଦେହ ପାଇଁ ଗଡିଛି ଦୁଇ ମୁଣ୍ଡ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ କିତାବେଡା ଗ୍ରାମର ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କୁ ସୋମବାର ରାତିରେ ଡାହାଣି ସନ୍ଦେହରେ ଦୃର୍ବୁତ୍ତ ହତ୍ୟା କରିଥିବା ଜଣାପଡିଛି।

    ସୂଚନା ମୁତାବକ, ସୋମବାର ସନ୍ଧ୍ୟା ୭/୮ ଟା ସମୟରେ ବିଶୋଇ ଥାନା ଅର୍ନ୍ତଗତ ଖଡମବେଡା ପଞ୍ଚାୟତ କିତାବେଡା ଡୁଙ୍ଗରି ସାହି ରେ ୪୮ ବର୍ଷିୟ ଦେବେନ୍ଦ୍ର ନାଏକ ନିଜ ଘର ସମ୍ମୁଖ ରେ ଚାଷ କରିଥିବା ବିଲାତି ବାଗିଚରେ ପାଣି ମଡାଉଥିବା ସମୟରେ ପୂର୍ବରୁ ଡାହିଣି ସନ୍ଦେହରେ ରାଗ ରଖିଥିବା ସେହି ସାହିର ୨୫ ବର୍ଷିୟ ଅଜୟ ନାଏକ ଦେବେନ୍ଦ୍ର ନାଏକ ଙ୍କୁ ପଛ ପଟୁ ବୁଡିଆ ରେ ଚୋଟ ମାରି ଘଟଣାସ୍ଥଳରେ ମାରି ଦେଇ ଘର ଭିତରକୁ ପ୍ରବେଶ କରିଥିଲା, ଏବଂ ସେହି ସମୟରେ ଘର ଭିତରେ ପୁଅ ବୋହୁ ସୁମିତ୍ରା ନାଏକ ଓ ତାର ଏକ ଦୁଇ ବର୍ଷର ଶିଶୁ କନ୍ୟା ଏବଂ ସ୍ତ୍ରୀ ୪୫ ବର୍ଷିୟା ଚମ୍ପା ନାଏକ ଶୋଇବା ଅବସ୍ଥାରେ ଥିଲେ।

    ଯେତେ ବେଳେ ଘର ଭିତରକୁ ଅଜୟ ନାଏକ ପ୍ରବେଶ କଲା ସେହି ସମୟରେ ଘର ଭିତରୁ ପୁଅ ବୋହୁ ସୁମିତ୍ରା ଦୁଇ ବର୍ଷର ଏକ ଶିଶୁ କନ୍ୟାକୁ ଛାଡ଼ି ଭୟରେ ଦୌଡ଼ି ପଳାଇ ଥିଲା। ପରେ ଆସି ଘରେ ଦେଖିଲା ବେଳକୁ ବିଲାତି ବାଗିଚରେ ଶଶୁର ଦେବେନ୍ଦ୍ର ନାଏକ ଓ ଘର ଭିତରେ ଶାଶୁ ଚମ୍ପା ନାଏକଙ୍କୁ ଅଜୟ ନାଏକ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

    ତେବେ ଶିଶୁ କନ୍ୟାର କୌଣସି ଆଘାତ କରି ନ ଥିଲା। ତେବେ ଆଜି ସକାଳୁ ତା ସାନ ପୁଅ ରାବେନ୍ଦ୍ର ନାଏକ ଘରକୁ ଆସି ବାପା ମା ର ମୃତ ଦେଖି ବିଶୋଇ ଥାନା କୁ ଫୋନ୍ ଯୋଗେ ଜଣାଇଥିଲା। ଖବର ପାଇ ଆଜି ଘଟଣାସ୍ଥଳରେ ଏଡିସନାଲ ଏସ୍ ପି.ଯଦୁନାଥ ଜେନା,ଏସ୍ ଡ଼ି ପି ଓ ଗୋକୁଳାନନ୍ଦ ସାହୁ, ବାରିପଦା ସାଇନ୍ଟିଫିକ ଟିମ୍ ଏବଂ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସହିତ ପୋଲିସ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛିା

  • ରେଖା ଗୁପ୍ତାଙ୍କ ସମେତ ୭ ଜଣ ବିଧାୟକ ଆଜି ନେବେ ଶପଥ

    ରେଖା ଗୁପ୍ତାଙ୍କ ସମେତ ୭ ଜଣ ବିଧାୟକ ଆଜି ନେବେ ଶପଥ

    ଶାଲିମାର ବାଗର ବିଜେପି ବିଧାୟକ ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଶପଥ ଗ୍ରହଣ ଉତ୍ସବ ଦିନ ୧୨ଟାରେ ରାମଲୀଳା ମଇଦାନରେ ଆରମ୍ଭ ହେବ।

    ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ଘୋଷଣା କରାଯାଇଛି। ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏପରି ପରିସ୍ଥିତିରେ ଦିଲ୍ଲୀରେ ସରକାର ଗଠନ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି। ରେଖା ଗୁପ୍ତାଙ୍କ ସହିତ ଅନ୍ୟ ଛଅ ଜଣ ବିଧାୟକ ଶପଥ ନେବେ। ପ୍ରବେଶ ବର୍ମା, ଆଶିଷ ସୁଦ, ମଞ୍ଜିନ୍ଦର ସିରସା, ପଙ୍କଜ ସିଂହ, କପିଲ ମିଶ୍ର, ରବିନ୍ଦ୍ର ଇନ୍ଦ୍ରଜ ମନ୍ତ୍ରୀ ଭାବରେ ଶପଥ ନେବେ। ଏହି ସମସ୍ତ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ। ତଥାପି, ମନ୍ତ୍ରୀମାନଙ୍କ ବିଭାଗ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

    କିଏ ରେଖା ଗୁପ୍ତା?
    ରେଖା ଗୁପ୍ତାଙ୍କ ବୟସ ୫୦ ବର୍ଷ ଏବଂ ସେ ମୂଳତଃ ହରିୟାଣାର ଜିନ୍ଦ ଜିଲ୍ଲାର। ପ୍ରାପ୍ତ ସୂଚନା ଅନୁଯାୟୀ, ରେଖା ଗୁପ୍ତାଙ୍କ ପରିବାର ୧୯୭୬ ମସିହାରେ ଦିଲ୍ଲୀ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କ ସ୍ୱାମୀଙ୍କ ନାମ ମନୀଷ ଗୁପ୍ତା। ରେଖା ଗୁପ୍ତା ଏଲଏଲବି କରିଛନ୍ତି ଏବଂ ପେଶାରେ ଜଣେ ଓକିଲ ମଧ୍ୟ। ରେଖା ଗୁପ୍ତା ଦିଲ୍ଲୀର ଶାଲିମାର ବାଗ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ସେ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ। ଦିଲ୍ଲୀ ବିଧାନସଭା ନିର୍ବାଚନରେ୨୦୨୫ରେ ରେଖା ଗୁପ୍ତା ଶାଲିମାର ବାଗ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟିର ବନ୍ଦନା କୁମାରୀଙ୍କୁ ୨୯୫୯୫ ଭୋଟରେ ପରାସ୍ତ କରିଥିଲେ।

    ରେଖା ଗୁପ୍ତା ବି.କମ୍ ଏବଂ ଏଲଏଲବି ପଢିଛନ୍ତି। ଏହା ପରେ ସେ MA ଏବଂ MBA ମଧ୍ୟ କରିଛନ୍ତି । ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀରୁ ଆରମ୍ଭ କରିଥିଲେ ଏବଂ ମେରଠର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ। ରେଖା ଗୁପ୍ତା ତାଙ୍କ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ୧୯୯୨ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ କଲେଜରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ୧୯୯୬-୯୭ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ମଧ୍ୟ ଥିଲେ।

    ମନ୍ତ୍ରୀ ଯେଉଁମାନେ ମନ୍ତ୍ରୀପଦ ଶପଥ ଗ୍ରହଣ କରିବେ
    ପ୍ରବେଶ ବର୍ମା
    ଆଶିଷ ସୁଦ
    ମଞ୍ଜିନ୍ଦର ସିରସା
    ରବିନ୍ଦ୍ର ଇନ୍ଦ୍ରରାଜ ସିଂହ
    କପିଲ ମିଶ୍ର
    ଡକ୍ଟର ପଙ୍କଜ କୁମାର ସିଂହ

  • ବେଣୁଧର ଦାସ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ନୂତନ ସଭାପତି

    ବେଣୁଧର ଦାସ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ନୂତନ ସଭାପତି

    ସୁବର୍ଣ୍ଣପୁର ବିଜେପିର ଜିଲ୍ଲା ସଭାପତି ହେଲେ ବେଣୁଧର ଦାସ । ସେ ଜଣେ ଦକ୍ଷ ସଂଗଠକ ଭାବରେ ବେଶ୍ ପରିଚିତ ଥିବାବେଳେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ସଭାପତି ଭାବେ ଚୟନ କରିଛି ରାଜ୍ୟ ବିଜେପି । ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା ଶ୍ରୀ ଦାସ ପୂର୍ବରୁ ବିଜେପିର ଅନେକ ପଦ ପଦବୀରେ ରହି ଆସିଛନ୍ତି ।

    ତାଙ୍କର ପ୍ରଚେଷ୍ଟାରେ ୨୦୧୭ ରେ ଜିଲ୍ଲା ପରିଷଦ ସଭାପତି ପଦ ମଧ୍ୟ ହାତେଇଥିଲା ବିଜେପି । ସେହିପରି ଗତ ସାଧାରଣ ନିର୍ବାଚନରେ ବୀରମହାରାଜପୁର ବିଧାନସଭା ସିଟ ମଧ୍ୟ ବିଜେପି ହାତକୁ ଯାଇଛି । ତାଙ୍କର ସୁସମ୍ପର୍କ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବା ସହ ସମସ୍ତଙ୍କ ସହ ମିଶି ସଂଗଠନକୁ ଆହୁରି ମଜବୁତ୍ କରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଗତକାଲି ତାଙ୍କୁ ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

  • ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କହିଛି ପାକିସ୍ତାନ, କୌଣସି ମୂଲ୍ୟରେ ଆମ ଜମିରେ ଭାରତୀୟ ପତାକା ଲଗାଇବାକୁ ଦେବୁ ନାହିଁ

    ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କହିଛି ପାକିସ୍ତାନ, କୌଣସି ମୂଲ୍ୟରେ ଆମ ଜମିରେ ଭାରତୀୟ ପତାକା ଲଗାଇବାକୁ ଦେବୁ ନାହିଁ

    ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଜି (୧୯ ଫେବୃଆରୀ) ରୁ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। କଡା ସୁରକ୍ଷାର ମଧ୍ୟ ବ୍ୟବସ୍ଥା କରାଯାଇଛି। ତେବେ ଏହି ସମୟରେ, ପାକିସ୍ତାନୀ ୟୁଟ୍ୟୁବର ଶୋଏବ ଚୌଧରୀ ଯାଇ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ। ସେହି ସମୟରେ ସେ ଜଣେ ଓକିଲଙ୍କୁ ଭେଟିଥିଲେ, ଯିଏ ଭାରତୀୟ ପତାକା ଉପରେ ମନ୍ତବ୍ୟ ଦେଇଥିଲେ।

    ଆପଣଙ୍କୁ କହିରଖୁ ଯେ ପାକିସ୍ତାନର କ୍ରିକେଟ୍ ଷ୍ଟାଡିୟମରେ ସମଗ୍ର ଦେଶର ପତାକା ଉତ୍ତୋଳନ କରାଯାଇଛି। ତେବେ ଭାରତର ପତାକାକୁ ସ୍ଥାନ ଦିଆଯାଇନାହିଁ । ରିଅଲ୍ ଏଣ୍ଟରଟେନମେଣ୍ଟ୍ର ଶୋଏବ୍ ଚୌଧରୀ ଯେତେବେଳେ ଏହି ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ସେ କହିଥିଲେ ଯେ କୌଣସି ପରିସ୍ଥିତିରେ ଆମେ ଆମ ମାଟିରେ ଭାରତୀୟ ପତାକା ଉତ୍ତୋଳନ କରିବାକୁ ଦେବୁ ନାହିଁ।

    ବୃତ୍ତିରେ ଜଣେ ଜଣେ ଓକିଲ ପାକିସ୍ତାନୀ କହିଛନ୍ତି ଯେ ଷ୍ଟାଡିୟମରେ କୌଣସି ପରିସ୍ଥିତିରେ ଭାରତୀୟ ପତାକା ଲଗାଇବାକୁ ଅନୁମତି ଦେବୁ ନାହିଁ। ରେକର୍ଡ ଦିନରେ ଆମେ ଆମର ଷ୍ଟାଡିୟମ୍ ନିର୍ମାଣ କରିଥିଲୁ | ଆଇସିସି ନିଜେ ଏହାକୁ ପ୍ରଶଂସା କରିଛନ୍ତି। ମୁଁ ଚ୍ୟାଲେଞ୍ଜ କରୁଛି ଯେ ଯଦି ଭାରତୀୟ କ୍ରିକେଟ୍ ଦଳ ଆସି ପାକିସ୍ତାନର ଷ୍ଟାଡିୟମ ଦେଖନ୍ତି ତେବେ ସେମାନଙ୍କ ହାତ ଓ ଗୋଡ ଫୁଲିଯିବା ଆରମ୍ଭ କରିବ।

    ଭାରତୀୟ ପତାକାକୁ ନେଇ ବିବାଦ
    ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାପରେ ଭାରତୀୟ ପତାକାକୁ ନେଇ ବିବାଦ ଧ୍ୟାନ ଆକର୍ଷଣ କରିଛି। ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ପାଇଁ ସ୍ଥାନ ନ ଥିବାରୁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ଆଉ କ’ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବା ମଜାଦାର ହେବ । କହିବାକୁ ଗଲେ ଭାରତୀୟ କ୍ରିକେଟ୍ ଦଳ ଏହାର ସମସ୍ତ ମ୍ୟାଚ୍ ପାକିସ୍ତାନ ପରିବର୍ତ୍ତେ ଦୁବାଇରେ ଖେଳିବ। ଏହି ପ୍ରସଙ୍ଗରେ ପାକିସ୍ତାନର ଲୋକମାନେ ମଧ୍ୟ ରାଗିଛନ୍ତି। ସୁରକ୍ଷା ଦର୍ଶାଇ ପାକିସ୍ତାନ ନ ଯିବାକୁ ଭାରତ ନିଷ୍ପତ୍ତି ନେଇଥିଲା। ତେବେ ଏହା ଉପରେ ମଧ୍ୟ ବିବାଦ ଉପୁଜିଥିଲା ​​ଯେତେବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଥିଲା ​​ଯେ ଆମେ ୨୦୨୩ ମସିହାରେ କ୍ରିକେଟ୍ ବିଶ୍ୱକପ୍‌ରେ ଭାଗ ନେବାକୁ ମଧ୍ୟ ଭାରତରେ ପହଞ୍ଚିଥିଲୁ, କିନ୍ତୁ ଭାରତ ଆସୁନାହିଁ।

  • ମହିମା କାବ୍ୟର ବାନ୍ଧକଳା ପାଇଁ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ସମ୍ମାନିତ

    ମହିମା କାବ୍ୟର ବାନ୍ଧକଳା ପାଇଁ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର ସମ୍ମାନିତ

    ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ ଓ ବୟନ କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାର ପ୍ରତିଷ୍ଠା ବଜାୟ ରଖିବା ପାଇଁ ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଥିବା ବରଗଡ ଜିଲ୍ଲା ବରପାଲି ବାନ୍ଧ ଶିଳ୍ପୀ ଡ଼ ସୁରେନ୍ଦ୍ର ମେହେରଙ୍କ ଆଉ ଏକ ପ୍ରଚେଷ୍ଟା ସଫଳ ହୋଇପାରିଛି |

    ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଅମୂଲ୍ୟ କୃତି ‘ମହିମା’ କାବ୍ୟକୁ ଦୀର୍ଘ ୩୦ ଫୁଟ ଲମ୍ବର ବାନ୍ଧ କଳାରେ ବୁଣି ଗତବର୍ଷ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରେ, କୂଳପତି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରଙ୍କ କରକମଳରେ ଉନ୍ମୋଚନ ହୋଇଥିଲା |

    ପରବର୍ତ୍ତୀ ସମୟରେ ଓଡିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର ଠାରେ ତାହା ସଂଗୃହିତ ହୋଇ ରହିଛି | ସେହି ‘ମହିମା’ କାବ୍ୟର ବାନ୍ଧ କଳା ପାଇଁ ନୂଆଦିଲ୍ଲୀ ଠାରେ ଅବସ୍ଥିତ, “INDIA BOOK OF RECORD” ପ୍ରତିଷ୍ଠାନ ତରଫରୁ ଅନୁଷ୍ଠିତ ତାଙ୍କର ଆନ୍ତର୍ଜାତୀୟ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଉକ୍ତ ସମ୍ମାନରେ ସମ୍ମାନୀତ କରିଛନ୍ତି |

    ଏହା ଆମ ଅଞ୍ଚଳ ପାଇଁ ତଥା ବାନ୍ଧ କଳା ଜଗତ ପାଇଁ ବହୁତ ଗୌରବର ବିଷୟ | ଏହି ସମ୍ମାନ ପାଇଁ ଡ଼. ମେହେରଙ୍କୁ କଳା ଭାରତୀ ସଂଗ୍ରହାଳୟ, ବରପାଲି ତଥା ବହୁ ଅନୁଷ୍ଠାନ ଏବଂ ବୁଣାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି |