ହାଣ୍ଡିଆ ନିକଟ ତାଳଦଣ୍ଡା କେନାଲରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ ଯୁବକ ଜଣଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛତା ଗ୍ରାମରେ ହେଇଥିବା ବେଳେ ତାଙ୍କ ନାମ ବିଭୁପ୍ରସାଦ ନାୟକ(୨୧) ବୋଲି ଜଣାପଡିଛି। ସେ ଏଏମଏନଏସ କମ୍ପାନୀରେ କାମ କରୁଥିବା ବେଳେ ଡିୟୁଟି ସାରବା ପରେ ତାଳଦଣ୍ଡା କେନାଲରେ ଡ୍ରେସ୍ ସଫା କରୁଥିବା ବେଳେ ବୁଡି ଯାଇଥିବା ସୂଚନା ମିଳିଛି । ସ୍ଥାନୀୟ କିଛି ଯୁବକ କେନାଲ ନିକଟରେ ଡ୍ରେସ୍ ଓ ଚପଲ ଦେଖିଥିବା ବେଳେ ପାଣିରେ ତାଙ୍କ ଗୋଡ ଦେଖି ତାଙ୍କୁ ପାଣିରୁ ଉଠାଇ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାରାଦ୍ଵୀପ ଆଦର୍ଶ ଥାନା ଓ ଲକ୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି।
Year: 2025
-

ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ବାଇକ ଚୋରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯିବା ସହିତ ବାଇକ ଜବତ କରିଛି ପୋଲିସ | ଗତ ୧୪ ତାରିଖ ଦିନ ଶୈଲଙ୍କରୁ ଏକ ବାଇକ ଚୋରି ଅଭିଯୋଗ ହୋଇଥିଲା | ଓଡି ୦୯ ୟୁ୦୨୪୪ ନମ୍ବର ଯୁକ୍ତ ହିରୋ ସିଡି ଡିଲକ୍ସ ବାଇକ ଚୋରି ହୋଇଥିବା ନେଇ ରାଜେନ୍ଦ୍ର କୁମାର ଦେହୁରୀ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ |


ପୋଲିସ ତଦନ୍ତରେ ଉକ୍ତ ଦୁଇ ବାଇକ ଚୋର ଧରପଡ଼ିଛନ୍ତି | ପୁରୁଣା ବାନ୍ଦଗୋଡା ଗ୍ରାମର ଆନନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା କାହ୍ନୁଚରଣ ଜେନା, ଆଉ ଜଣେ ନନ୍ଦିପଦା ଥାନା ଅଞ୍ଚଳର ରମ୍ପାସ ଗ୍ରାମର ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କ ଠାରୁ ବାଇକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି ପୋଲିସ |
-

ଭାଲୁକୁମା ଠାରେ ମହାଦେବ ଗୋପେଶ୍ୱର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତ ଭାଲୁକୁମା ଠାରେ ମହାଦେବ ଗୋପେଶ୍ୱର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବରରେ ତିନି ଦିନ ଧରି ରୀତି ନୀତି ଅନୁଯାୟୀ ପାଳନ କରାଯାଇଛି |




ପ୍ରଥମ ଦିନ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ବୈତରଣୀ ନଦୀରୁ କଳସ ଶୋଭାଯାତ୍ରା କରିଥିଲେ |ଆଜି ତୃତୀୟ ଦିନରେ ମହାପ୍ରଭୁଙ୍କ ବିଗ୍ରହ ଗ୍ରାମ ପରିକ୍ରମା କରି ମନ୍ଦିର ଚତୁଃପାର୍ଶ୍ବ କରିକ୍ରମା କରି ବିଗ୍ରହ ମାନଙ୍କୁ ପୂଜାର୍ଚ୍ଚନା କରି ସ୍ଥାପନ କରିଥିଲେ |
ଗ୍ରାମର ହଜାର ହଜାର ଭକ୍ତ ଏହି ମନ୍ଦିର ପ୍ରତିଷ୍ଠାରେ ସାମିଲ ହୋଇ ସହଯୋଗ କରିଥିଲେ ।
-

ଚମ୍ପୁଆରେ ସିପିଆଇ ପକ୍ଷରୁ ବଜେଟକୁ ବିରୋଧ କରି ବିକ୍ଷୋଭ
ଚଳିତ ବଜେଟ ବିରୋଧରେ କମ୍ୟୁନିଷ୍ଟ ପାର୍ଟି ତରଫରୁ ଚମ୍ପୁଆରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କର୍ପୋରେଟ ସପକ୍ଷବାଦୀ ବଜେଟ ବିରୋଧରେ ଏବଂ ବିକଳ୍ପ ବିଜେଟ ପ୍ରସ୍ତାବ ଉପରେ ବାମଦଳ ଏହି ଆନ୍ଦୋଳନ କରିଛି ।

ସିପିଆଇ ନେତା ବିଦ୍ୟା ମହାନ୍ତ ଓ ସିପିଏମ ନେତା ଇନ୍ଦ୍ରମଣୀ ବେହେରାଙ୍କ ନେତୃତ୍ଵରେ ଆନ୍ଦୋଳନ କରାଯାଇଛି |
ଏହି ଆନ୍ଦୋଳନରେ ଶତାଧିକ କମ୍ୟୁନିଷ୍ଟ କର୍ମୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ ଥିଲେ ।

ଚଳିତ ବଜେଟରେ ଜନସାଧାରଣଙ୍କ ପ୍ରତି ବିଶ୍ୱାସ ଘାତକତା କରାଯାଇଛି |
କେନ୍ଦ୍ର ସରକାର ବଜେଟ ମାଧ୍ୟମରେ ଦେଶର ଧନୀବର୍ଗଙ୍କ ପାଇଁ ସୁବିଧା ବୃଦ୍ଧି କରିବା, ଜନସେବା ପାଇଁ ବ୍ୟୟବରାଦ ହ୍ରାସ କରିବା ଏବଂ ସରକାରୀ ପୁଞ୍ଜିକୁ ବେସରକାରୀ ଘରୋଇକରଣ କ୍ଷେତ୍ର ପାଇଁ ବ୍ୟବହାରକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
-

ବିଧାନସଭା ନେତାଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର
ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ଜନ୍ମଦିନ ଅବସରରେ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତରେ ଆୟୋଜନ ହୋଇଯାଇଛି ବିଶାଳ ରକ୍ତ ଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ।





ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ରକ୍ତଦାନ ଶିବିର ଆୟୋଜନ ହେବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେ ନିଜେ ରକ୍ତଦାନ କରିବା ସହ ଆଜିର ଯୁବ ସମାଜ ନିଜ ନିଜର ଜନ୍ମଦିନରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।
-

‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’,ଏଣିକି ଚିନ୍ତା ମୁକ୍ତ ହେବେ ଗରିବ ମାତା-ପିତା

ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁହେବ ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଗରିବ,ଦୁଃଖି ବାପା ମାଆଙ୍କ ମୁଣ୍ଡରୁ ବୋଝ ହାଲୁକା କରିଛନ୍ତି ରାଜ୍ୟ ସରକାର। ଏଣିକି ଝିଅ ବାହାଘର ପାଇଁ ରହିବନି ଚିନ୍ତା। ଆର୍ଥିକ ବର୍ଷ ଲାଗି ୨୦୨୫-୨୬ ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥଲେ।

ତେବେ ଏହା ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୁନେଲି କିରଣର ପ୍ରତିଶୃତି। ପ୍ରଥମ ଥର ପାଇଁ ମୋହନ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ ରେ ମିଳିଛି ଝିଅ ମାନଙ୍କ ପାଇଁ ନୂତନ ଯୋଜନା। ଯାହାର ନାଁ…..’ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’
୨୫ ବର୍ଷର ବିଜେଡ଼ି ରେକର୍ଡ଼ ଭାଙ୍ଗି, ଓଡ଼ିଶାକୁ ବିଜେପି ଆସିବା ପରେ ମହିଳାଙ୍କ ପାଇଁ ପ୍ରଥମେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ବର୍ଷକୁ ଦୁଇଟି କିସ୍ତି ଦେଇ ହିତାଧିକାରୀଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କା । ପ୍ରଥମ କିସ୍ତି ସମସ୍ତେ ପାଇ ସାରିଥିବା ବେଳେ ମାର୍ଚ୍ଚ ରେ ପାଇବେ ଦ୍ୱିତୀୟ କିସ୍ତି । ମହିଳାଙ୍କ କଥା ସରୁ ସରୁ ପୁଣି ଝିଅ ମାନଙ୍କ ପାଇଁ ଉପହାର ଦେଇଛନ୍ତି ମୋହନ ସରକାର ।

କଣ ଏଇ ‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’
ଗରୀବ ବାପ ମୁଣ୍ଡରୁ ବୋଝ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି ମୂଖ୍ୟମନ୍ତ୍ରୀ । ସେଥିଲାଗି ଚଳିତ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଅଣା ଯାଇଛି। ଯାହାଦ୍ବାରା ଗରିବ ବାପା ମାଆ ଚିନ୍ତା ମୁକ୍ତ ହୋଇପାରିବେ। ତେବେ ବଜେଟ୍ ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ….
କନ୍ୟା ସନ୍ତାନ ପ୍ରତ୍ୟେକ ମାତା ପିତା ପାଇଁ ଆଶ୍ରିବଦ ବୋଝ ନୁହେଁ। ଆମେ ସେମାନଙ୍କ ସବୁ ସ୍ବପ୍ନ ପୁରୁଣ କରିବା ପାଇଁ ସମ୍ନାନ ଏବଂ ସସକ୍ତ କରିବା ଉଚିତ୍। ଓଡ଼ିଆ ପରମ୍ପରା ଅନୁସାରେ ଝିଅ ବାହାଘର କରିବା ମହଙ୍ଗା ହେବାରେ ଲାଗିଛି। ବେଳେବେଳେ ବାପା ମା ଝିଅ ବାହାଘର କରିବା ଲାଗି ଅସହାୟ ହୋଇପଡନ୍ତି। ସେଥିଲଗି ମୁଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛି।

ତେବେ ବିବାହ ଯୋଜନା ପାଇଁ ରାଜ୍ୟ ସରକାର ୧୨ କୋଟିର ବ୍ୟୟ ବରାଦ କରିଛନ୍ତି। ଏହି ଯୋଜନା ଖୁବ୍ ଶୀଘ୍ର ଲାଗୁହେବ ବୋଲି ଜଣାପଡିଛି। ହେଲେ ଏହାର ସବିଶେଷ ତଥ୍ୟ ସାମ୍ନାକୁ ଆସିନ ଥିବା ବେଳେ ସୁଭଦ୍ରା ଯୋଜନା ଭଳି ଏହାର ଗାଇଡ ଲାଇନ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
-

ବୋତଲରେ ପାଣି ପିଉଥିଲେ ସାବଧାନ! ଚାଲିଯାଇପାରେ ଜୀବନ

ଆମର ଦୈନନ୍ଦିନ ଜୀବନରେ ଆମେ ସବୁଜିନିଷ ବ୍ୟବହାର କରୁ। ତା ଭିତରୁ ପ୍ଲାଷ୍ଟିକ ହେଉଛି ଅନ୍ୟତମ। ଏହାକୁ ବହୁଳ ମାତ୍ରାରେ ସମସ୍ତେ ବ୍ୟବହାର କରନ୍ତି । ଘରୁ ଆରମ୍ଭ କରି ଅଫିସ୍ , ଯାତ୍ରା ସମୟରେ ପାଣି ବୋତଲରେ ସଭିଏ ପାଣି ପିଅନ୍ତି । ଏମିତିକି ବସ୍ , ଟ୍ରେନରେ ଗଲା ବେଳେ ବ୍ୟାଗରେ ପ୍ଲାଷ୍ଟିକର ପାଣି ବୋତଲଟିଏ ପକାଇବାକୁ ଭୁଲୁନାହିଁ । ଏବଂ ଘରକୁ ମଧ୍ୟ ଅତିଥି ଆସିଥିଲେ ତାଙ୍କୁ ପରଷିଥିବା ପ୍ଲାଷ୍ଟିକର କୋଲ୍ଡଡ୍ରିଙ୍କ୍ସ ବୋତଲକୁ ଆମେ ଫୋପାଡି ନଥାଉ । ବର୍ଷ ବର୍ଷ ଧରି ସେହି ବୋତଲରୁ ହିଁ ପାଣି ପିଉ ।

କିନ୍ତୁ ଏହି ପ୍ଲାଷ୍ଟିକ୍ ଦେହ ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ସୁଦ୍ଧା ସ୍ବାସ୍ଥ୍ୟକୁ ଅବହେଳା କରି ସେହି ବୋତଲରେ ହିଁ ପାଣି ପିଇଥାଉ । ଖୁବ୍ କମ୍ ପରିବାର ଥିବେ ଯେଉଁମାନେ ଏହି ସ୍ଲୋ ପଏଜନ୍ ବୋତଲରେ ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଅଧାରୁ ଅଧିକ ଘରେ ପ୍ଲାଷ୍ଟିକ ବୋତଲରେ ଏବେ ଯାଏଁ ପାଣି ପିଉଛନ୍ତି । ତେବେ ଆପଣ ବି ଯଦି ଏହି ଭୁଲ୍ କରୁଛନ୍ତି ତାହେଲେ ଏହାର ପରିଣାମ କେତେ ଭୟାବହ ହୋଇପାରେ ଜାଣିନିଅନ୍ତୁ ।

ପ୍ରୋସିଡିଙ୍ଗ୍ ଅଫ୍ ଦ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେଜ୍ ନାମକ ଏକ ସଂସ୍ଥା ଚମକାଇଦେଲା ଭଳି ଏକ ରିପୋର୍ଟ ବାହାର କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଗୋଟିଏ ଲିଟର ବୋତଲବନ୍ଦ ପାଣିରେ ପାଖାପାଖି ୨.୪୦ ଲକ୍ଷ ପ୍ଲାଷ୍ଟିକର ଛୋଟ ଛୋଟ ଟୁକୁଡା ଗଚ୍ଛିତ ହୋଇରହିଥାଏ । ଯାହାଦ୍ବାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ସୁବିଧାଜନକ ଲାଗୁଥିବା ଏହି ବୋତଲ ଶରୀର ପାଇଁ ଆଦୌ ସୁରକ୍ଷିତ ନୁହଁ ।

ପ୍ରତିଦିନ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଯାହା ରୋଗକୁ ନିମନ୍ତ୍ରଣ କରି ଡ଼ାକିବା ତାହା । ହାୱାର୍ଡ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥର ଏକ ରିସର୍ଚ୍ଚ ଅନୁସାରେ , ପଲି କାର୍ବୋନେଟ୍ ର ବୋତଲ ହୃଦୟ ରୋଗ ଏବଂ ଡାଏବେଟିସର ବିପଦକୁ ଦୁଇଗୁଣା ଅଧିକ ବଢାଇଦିଏ । ଏଥିରେ କ୍ୟାମିକାଲ୍ ବିସ୍ଫେନାଲ୍ ଥିବାରୁ ଏହା ଶରୀର ପାଇଁ ସ୍ଲୋ ପଏଜନ୍ ଭଳି କାମ କରେ ।

ଏକ୍ସପର୍ଟଙ୍କ କହିବାନୁସାରେ , ପ୍ଲାଷ୍ଟିକ ବୋତଲରେ ନିୟମିତ ରୂପେ ପାଣି ପିଇଲେ ପ୍ରଜନନ କ୍ଷମତା ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହି ବୋତଲର ପାଣି ହର୍ମୋନ୍ ଇନବାଲାନ୍ସ କରିବା ସହ ମାଇକ୍ରୋ ପ୍ଲାଷ୍ଟିକରୁ ବାହାରୁଥିବା ଦୂଷିତ ପାଣି କୋଷିକାରେ ପୀଡ଼ା ସୃଷ୍ଟି କରିଥାଏ । ପ୍ଲାଷ୍ଟିକ ବୋତଲର ପାଣିକୁ ନିୟମିତ ପିଇବା ଦ୍ବାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ମଧ୍ୟ ଅନେକ ସମ୍ଭାବନା ଥାଏ ।

ପ୍ଲାଷ୍ଟିକ ବୋତଲ ଗରମ ପଦାର୍ଥର ସଂସ୍ପର୍ଶରେ ଆସିଲା କ୍ଷଣି ଏଥିରେ କ୍ଷତିକାରକ ରାସାୟନ ଉତ୍ପନ୍ନ ହୁଏ ଆଉ ଏହି ପାଣି ପିଇବା ଦ୍ବାରା କର୍କଟ ଭଳି ଦୁଃସାଧ୍ୟ ରୋଗ ଶରୀରକୁ ଜାବୁଡ଼ି ଧରେ । ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ୧ ଲିଟର ପ୍ଲାଷ୍ଟିକ୍ ବୋତଲରୁ ପାଖାପାଖି ୧ ଲକ୍ଷରୁ ଅଧିକ ନେନୋପ୍ଲାଷ୍ଟିକ ମିଳିଛି । ଯାହା ଏତେ ଛୋଟ ଯେ ବ୍ଲଡ୍ ସର୍କୁଲେସନ୍ ଏବଂ କୋଷିକା ମାଧ୍ୟମରେ ମସ୍ତିଷ୍କକୁ ପାଣି ପହଁଞ୍ଚାଇଲା ଭଳି କାମ କରିଥାଏ । ଏହି ରିସର୍ଚ୍ଚକୁ ଶୁଣିଲାମାତ୍ରେ ହିଁ ଜଣାପଡୁଛି କାହିଁକି ସରକାର ପ୍ଲାଷ୍ଟିକକୁ ବ୍ୟାନ୍ କରିବା ପାଇଁ ଏତେ କସରତ କରୁଛନ୍ତି ।

ହାୱାର୍ଡ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥର ରିସର୍ଚ୍ଚ ଅନୁସାରେ , ପଲି କାର୍ବୋନେଟର ବୋତଲରେ ବିସ୍ଫେନାଲ୍ – ଏ ଥିବାରୁ ଏହା ଶରୀରକୁ ପ୍ରବେଶ କଲେ ହୃଦୟ ରୋଗ ଏବଂ ଡାଏବେଟିଜର ବିପଦକୁ ଅଧିକ ବଢାଇଦିଅନ୍ତି । ଏଥିରେ ଥିବା ବିପିଏ ଏବଂ ଫେଥଲେଟସ୍ କ୍ୟାମିକାଲ ପ୍ରଜନନ କ୍ଷମତାକୁ କମାଇଥାଏ । ଏହାଦ୍ବାରା ହର୍ମୋନାଲ୍ ସନ୍ତୁଳନ ବିଗିଡ଼ି ବନ୍ଧ୍ୟାପଣ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ।

ପ୍ଲାଷ୍ଟିକ ବୋତଲର ପାଣି ବ୍ରେଷ୍ଟ୍ କ୍ୟାନ୍ସର , ବ୍ରେନ୍ କ୍ୟାନ୍ସର ଭଳି ସମସ୍ୟା ସୃଷ୍ଟି କରାଉଥିବା ବେଳେ ପ୍ଲାଷ୍ଟିକ୍ ପଲିଥିନରେ ରଖିଥିବା ଖାଦ୍ୟ ନିୟମିତ ଖାଇବା ଦ୍ବାରା ଶରୀରରେ କ୍ୟାନ୍ସର ଜନ୍ମ ନେଇଥାଏ । ପ୍ଲାଷ୍ଟିକ୍ ପାଣି ପାଉଚ୍ କିମ୍ବା ବୋତଲରେ ପାଣି ପିଇଲେ ଲ୍ୟୁକେସିୟା ତଥା ଲିମ୍ଫୋମା ଭଳି ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଆପଣ ବି ଯଦି ପ୍ଲାଷ୍ଟିକ ବୋତଲରୁ ପାଣି ପିଉଛନ୍ତି ତାହେଲେ ଆଜି ହିଁ ଏହି ଅଭ୍ୟାସକୁ ତ୍ୟାଗ କରନ୍ତୁ । ତମ୍ବା , ମାଟି , ଷ୍ଟିଲ୍ ଭଳି ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟ ପ୍ରତି ବହୁତ ଭଲ ।
-

ବାହାର ରାଜ୍ୟରୁ ନୁହେଁ ଏଣିକି ଆମ ରାଜ୍ୟରେ ମିଳିବ ଷ୍ଟ୍ରବେରୀ ଓ ଥାଇଲାଣ୍ଡ ବରକୋଳି

ଫଳିଛି ପେନ୍ଥା ପେନ୍ଥା ଷ୍ଟ୍ରବେରୀ ଓ ଥାଇଲାଣ୍ଡ ବରକୋଳି, ଏହି ଚାଷ ଦେଖିବାକୁ ଓ ଶିଖିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ସମେତ ସାଧାରଣ ଲୋକମାନେ ଭିଡ଼ ଲଗାଉଛନ୍ତି। ଯେଉଁ ଚାଷ କରିବାକୁ କେହି କେବେ ଭାବି ନ ଥିଲେ, ସେହି ଚାଷ କରି ସଫଳ ହୋଇଛନ୍ତି। ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟି ପଞ୍ଚାୟତ ବରଜ ଗାଁର ଚାଷୀ ନରେନ୍ଦ୍ର ଏକର ଏକର ଚାଷ ଜମିରେ ଷ୍ଟ୍ରବେରୀ ଓ ଥାଇଲାଣ୍ଡ କୋଳି ଚାଷ କରି ସଫଳ ହୋଇଛନ୍ତି ସେ, ଏହି ଚାଷରୁ ଭଲ ଦି ପଇସା ଆୟ କରୁଥିବା ସେ ପ୍ରକାଶ କରିଛନ୍ତି ।

କଟକ ଓ ଭୁବନେଶ୍ବରରେ ମିଳୁଥିବା କିମ୍ବା ବାହାର ରାଜ୍ୟରୁ ଏଠାକୁ ଆସୁଥିବା ଥାଇଲାଣ୍ଡ ବରକୋଳି ଏବଂ ଷ୍ଟ୍ରବେରୀକୁ ଦେଖି, ଚାଷୀ ନରେନ୍ଦ୍ର ଏହାକୁ ନିଜ ଅଞ୍ଚଳରେ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କେମିତି କରିବେ, କଣ କଲେ ଏହି ଚାଷରୁ ସଫଳତା ମିଳିବ, ସେ ଜାଣି ନଥିଲେ, ଏମିତି ଭାବୁଥିବାବେଳେ ତାଙ୍କୁ ସରକାରୀ ସ୍ତରରେ କିଛି ତାଲିମ ମିଳିବାରୁ, ସେ ଆଜି ଜଣେ ସଫଳ ଚାଷୀ ଭାବେ ପରିଚିତି ଲାଭ କରିଛନ୍ତି, ନିଜ ଉଦ୍ୟମ ଓ ପ୍ରଚେଷ୍ଠାରେ ଏହି ଚାଷକୁ ସଫଳ କରାଇଥିବାରୁ ତାଙ୍କୁ ଚଳିତ ବର୍ଷର କୃଷି ଓଡ଼ିଶା ପୁରସ୍କାର ମଧ୍ୟ ମିଳିଛି। ଚାଷୀ ନରେନ୍ଦ୍ର ପ୍ରଧାନ ଆଜି ସମସ୍ତ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି, ତେଣୁ ତାଙ୍କ ଠାରୁ ଏହି ଚାଷ ସମ୍ବନ୍ଧୀୟ ଶିକ୍ଷା ନେବାକୁ ଦୂର ଦୁରାନ୍ତରୁ ଚାଷୀମନେ ତାଙ୍କ ପାଖକୁ ଧାଇଁଆସୁଛନ୍ତି ।

କେବଳ ପାରମ୍ପରିକ ଚାଷ ଯେ ଚାଷୀଙ୍କୁ ସଫଳ କରିବ ତା ନୁହେଁ, ଚାଷୀ ନରେନ୍ଦ୍ର ପ୍ରଧାନଙ୍କ ପରି କିଛି ନୂଆ କରିବାର ଆଗ୍ରହ ଓ ସାହସ ଚାଷୀକୁ ଆଣିଦେବ ସଫଳତା, ତାଙ୍କ ସଫଳତା ଯୁବ ଚାଷୀଙ୍କୁ ଚାଷ ପ୍ରତି ଆଗ୍ରହ ବଢାଇବା ସଙ୍ଗେ ସଙ୍ଗେ ଆଜି ସମସ୍ତ ଚାଷୀଙ୍କ ପାଇଁ ସେ ପାଳତିଛନ୍ତି ପ୍ରେରଣାର ସ୍ରୋତ ।
-

ବନ୍ଦ କୋଠରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି । ପ୍ରଭାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶ୍ଵଶୁର ଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପ୍ରଧାନଙ୍କର ମୃତ୍ୟୁ ହୋଇସାରିଛି ।

ତେବେ ଘର ପାଖ ବନ୍ଦ କୋଠରୀ ଭିତରୁ ଆଜି ତାଙ୍କ ସନ୍ଦେହ ଜନକ ମୃତ ଦେହକୁ ନେଇ ଏବେ ସସପେନ୍ସ ବଢି ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରିବା ସହ ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି ।
-

ଧଳାଜହର ବେପାରୀ ଗିରଫ; ୯.୨ ଗ୍ରାମର ବ୍ରାଉନ ସୁଗାର ଜବତ
ପାରାଦ୍ଵୀପ ଲକ୍ ଥାନା ପକ୍ଷରୁ ଏକ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରାଯାଇଛି। ତା ନିକଟରୁ ୯.୨ ଗ୍ରାମର ବ୍ରାଉନ ସୁଗାର, ଗୋଟିଏ ମୋବାଇଲ, ୧୧୨୦ ଟଙ୍କା ଓ ଗୋଟିଏ କଳା ପଲସର ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ ବଡକୁଳ ଗ୍ରାମର ବିଶ୍ବନାଥ ବେହେରା ।

ବିଶ୍ବନାଥ ପାରାଦ୍ଵୀପ ଜିରୋ ପଏଣ୍ଟ ନିକଟରେ ନିଜ ସହଯୋଗୀ ସହିତ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଲକ୍ ଥାନା ଏସଆଇ ଲାକ୍ରା ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଚଢ଼ାଉ କରିଥିଲେ।
ଏଥିରେ ବିଶ୍ବନାଥକୁ ଗିରଫ କରାଯାଇଥିବାବେଳେ ସହଯୋଗୀ ଖସି ପଳାଇଥିଲା। ବିଶ୍ବନାଥ ନାମରେ ପୂର୍ବରୁ ବ୍ରାଉନ ସୁଗାର ବ୍ୟବସାୟର ଅଭିଯୋଗ ଥିବା ବେଳେ ତାର ସହଯୋଗୀ ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି। ବିଶ୍ବନାଥକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ, ତାର ସହଯୋଗୀକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପାରାଦ୍ଵୀପ ଅତିରିକ୍ତ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
