Month: January 2025

  • ଭି.ନାରାୟଣନ୍‌ଙ୍କ ହାତରେ ଇସ୍ରୋର ଦାୟିତ୍ୱ

    ଭି.ନାରାୟଣନ୍‌ଙ୍କ ହାତରେ ଇସ୍ରୋର ଦାୟିତ୍ୱ

    ଇସ୍ରୋକୁ ମିଳିଲା ନୂଆ ଅଧକ୍ଷ। ଇସ୍ରୋ ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ । ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କର ଗତକାଲି ଥିଲା ଶେଷ କାର୍ଯ୍ୟଦିବସ । ମିଳିଥିବା ରପୋର୍ଟ ଅନୁସାରେ ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ମାତ୍ର ୨ ବର୍ଷ ପାଇଁ ଏହି ପଦରେ ରହିବେ ନାରାୟଣ ।

    ଏହାପୂର୍ବରୁ ସେ ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ଏଲପିଏସସିର ଅଧ୍ୟକ୍ଷ ଭାବେ ରହିଥିଲେ । ୧୯୮୪ରେ ନାରାୟଣ ଇସ୍ରୋରେ ପ୍ରଥମ ଥର ଲଗି ସାମିଲ ହୋଇଥିଲେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ ହେଇଛନ୍ତି। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି। ହେଲେ ଇସ୍ରୋ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଭଲିଆମାଲାରେ ଅବସ୍ଥିତ LPSC ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଜିଏସଏଲଭି ଏମ୍ କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ ତିଆରିରେ ନାରାୟଣନ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

    ତେବେ ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍ .ସୋମନାଥଙ୍କର ଗତକାଲି ଥିଲା ଶେଷ କାର୍ଯ୍ୟଦିବସ । ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଇ ଏସ ଆର ଓ ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି । ଏବେ ତାଙ୍କ ସ୍ଥାନରେ ଡକ୍ଟର ଭି.ନାରାୟଣନ୍ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

  • ପାରାଦୀପ ଜାହାଜ କୋକେନ ଘଟଣା ୨୦୨୩: ବନ୍ଦୀ ଜୀବନରୁ ମୁକୁଳିଲେ ୨୧ କ୍ରୁ ସଦସ୍ୟ

    ପାରାଦୀପ ଜାହାଜ କୋକେନ ଘଟଣା ୨୦୨୩: ବନ୍ଦୀ ଜୀବନରୁ ମୁକୁଳିଲେ ୨୧ କ୍ରୁ ସଦସ୍ୟ

    ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ପାରାଦ୍ଵୀପ ରେ ଅଟକ ଥିବା ଏମ୍ ଭି ଦେବୀ ପାନାମା ଜାହାଜ ର ସମସ୍ତ ୨୧ କ୍ରୁ ସଦସ୍ୟଙ୍କୁ ମିଳିଛି ମୁକ୍ତି । ୨୦୨୩ ମସିହା ଡ଼ିସେମ୍ବର ୩୦ ତାରିଖରେ ବନ୍ଦରର ଏକ ପ୍ରାଇଭେଟ୍ ବର୍ଥ ପିଆଇସିଟି ବର୍ଥ ରେ ଲାଗିଥିବା ଏମ୍ ଭି ଦେବୀ ପାନାମା ଜାହାଜ ରୁ ମିଳିଥିଲା ୨୨୦ କୋଟି ଟଙ୍କାର କୋକେନ। ସେହି ଦିନ ଠାରୁ ଜାହାଜ ସହିତ ବନ୍ଦୀ ଜୀବନ କାଟୁଥିଲେ ଭିଏତନାମ ର ଏହି ୨୧ ସଦସ୍ୟ। ତିନୋଟି ପର୍ଯ୍ୟାୟରେ ଏହି ୨୧ କର୍ମଚାରୀ (କ୍ରୁ ସଦସ୍ୟ) ଙ୍କୁ ଜାହାଜରୁ ବାହାର କରାଯାଇଛି ।

    ଏବେ ଜାହାଜରେ ୧୭ ଜଣ ନୂଆ କ୍ରୁ ସଦସ୍ୟ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଜଣ ସଦସ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ୫ ଜଣ ସଦସ୍ୟ ବାହାରି ଥିଲେ। ମାତ୍ର ୧୦ ଜଣଙ୍କ ଭିସା ଅବଧି ସରିଥିବାରୁ ସେମାନେ ଜାହାଜରୁ ବାହାରି ପାରୁନଥିଲେ। ଭିସା କ୍ଲିୟର ହେବା ପରେ କାଲି ରାତିରେ ସେମାନେ ଜାହାଜରୁ ବାହାରି ପାରାଦ୍ଵୀପର ଏକ ହୋଟେଲରେ ରହିଥିଲେ। ସେଠାରୁ ଜାହାଜର ସମସ୍ତ ସଦସ୍ୟ ଭୁବନେଶ୍ୱର ଦେଇ ମୁମ୍ବାଇ ଯିବେ ଏବଂ ସେଠାରୁ ହଂକଂ ଦେଇ ଭିଏତନାମ ଯିବେ । କିନ୍ତୁ ଏବେ ବି ବନ୍ଦରର ଆଙ୍କରେଜରେ ଗିରଫ ହୋଇ ରହିଛି ଜାହାଜ ଏମ୍ ଭି ଦେବୀ ପାନାମା।

  • ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    ସାବଧାନ! ଆପଣ ବାହାରେ ଅଛନ୍ତି କି? ତୁରନ୍ତ ପଳାନ୍ତୁ ଘରକୁ

    କମର୍ଦା ବଜାରରେ ଆତଙ୍କ ଖେଳାଇଛି ପାଗଳ କୁକୁର । କୁକୁର କାମୁଡ଼ାରେ ୭ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡି ଥିଲା । ଗୁରୁତର ଅବସ୍ତାରେ ସମସ୍ତଙ୍କୁ କମର୍ଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

    ଆହାତଙ୍କ ମଧ୍ୟରେ ୫ ଜଣ ମହିଳା ୧ ପୁରୁଷ ୧ ନାବାଳକ ଅଛନ୍ତି । ସମସ୍ତ ଆହତଙ୍କ ଘର କମର୍ଦା ଓ କାନପୁର ଗ୍ରାମର। କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଜାରି ରହିଛି । କୁକୁର ଭୟରେ ଲୋକେ ବାହାରକୁ ବାହାରିବା ବନ୍ଦ କରିଦେଇଛନ୍ତି ।

  • ଛିଡୁନି ବିବାଦ, ଉପାସ ଲିଙ୍ଗରାଜ,ପୁଣି ବନ୍ଦ ରହିଲା ନୀତିକାନ୍ତି

    ଛିଡୁନି ବିବାଦ, ଉପାସ ଲିଙ୍ଗରାଜ,ପୁଣି ବନ୍ଦ ରହିଲା ନୀତିକାନ୍ତି

    ଛିଡୁନି ସେବାୟତଙ୍କ ବିବାଦ। ମକର ସଂକ୍ରାନ୍ତିରେ ଉପାସ ରହିଲେ ପ୍ରଭୁ ଲଙ୍ଗରାଜ । ପୁଣି ବନ୍ଦ ରହିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଖବର ଅନୁଯାୟୀ ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ବିଭ୍ରାଟ ହୋଇଛି ନୀତି । ତେବେ ଗତକାଲି ରାତି ୮ ଟା ରୁ ଠାକୁରଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି । ଏବଂ ଦିଅଁ ଦକ୍ଷିଣ ଘରକୁ ମଧ୍ଯ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ କରାଯାଏ । ଆଜି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାନ୍ତା । ହେଲେ ପୁନର୍ବାର ବଡୁ ସେବାୟତ ଏହି ନୀତିକୁ ଏକୁଟିଆ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ କୌଣସି ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ବସି ରହିଛନ୍ତି । ତେବେ ବାରମ୍ବାର ଏଭଳି ହେଉଛି କଣ ପାଇଁ ? ସେବାୟତଙ୍କ ପାଇଁ ଉପାସ ରହୁଛନ୍ତି ଭଗବାନ।

    ତେବେ ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ହୋଇଛି । ତେବେ ଦେଖାଯାଉ ଏମାନଙ୍କ ପାଇଁ କେତେବେଳେ ପ୍ରସାଦ ପାଇବେ ପ୍ରଭୁ ଲଙ୍ଗରାଜ ।

  • ଦିଲ୍ଲୀ ବିଧାନସଭା ନିର୍ବାଚନ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କର ନାମାଙ୍କନ ଦାଖଲ କଲେ

    ଦିଲ୍ଲୀ ବିଧାନସଭା ନିର୍ବାଚନ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କର ନାମାଙ୍କନ ଦାଖଲ କଲେ

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ କାଲକାଜି ବିଧାନସଭା ଆସନରୁ ଆପ ପ୍ରାର୍ଥୀ ଆତିଶୀ ଆଜି ବିଧାନସଭା ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅର୍ଥାତ୍ ସୋମବାର ତାଙ୍କର ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ। କିନ୍ତୁ ଏକ ରୋଡ୍ ଶୋ’ରେ ବିଳମ୍ବ ଯୋଗୁଁ ସେ ତାଙ୍କର ନାମାଙ୍କନ ଦାଖଲ କରିପାରିଲେ ନଥିଲେ । ଗତକାଲି ରାଲି ଆରମ୍ଭ କରିବା ପୂର୍ବରୁ, ଆତିଶୀ କାଲକାଜୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ଅଭିଯାନ ପାଇଁ ଆଶୀର୍ବାଦ ମାଗିଥିଲେ। ଏହା ପରେ, ସେ ଆପ ନେତା ମନୀଷ ସିସୋଦିଆଙ୍କ ସହିତ ଗିରି ନଗରରେ ଥିବା ଗୁରୁଦ୍ୱାରା ଶ୍ରୀ ଗୁରୁ ଗୋବିନ୍ଦ ସାହିବରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।

    ରମେଶ ବିଧୁରୀ ଏବଂ ଅଳକା ଲାମ୍ବାଙ୍କୁ ଦେବେ ଟକ୍କର
    ଏହି ନିର୍ବାଚନମଣ୍ଡଳୀରେ ଆତିଶୀଙ୍କୁ ବିଜେପିର ରମେଶ ସିଂହ ବିଧୁରୀଙ୍କଠାରୁ କଠିନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେ ଜଣେ ଅଭିଜ୍ଞ ରାଜନୈତିକ ନେତା ଏବଂ ଏହି ନିର୍ବାଚନମଣ୍ଡଳୀରେ ଆତିଶୀଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ। ଦକ୍ଷିଣ ଦିଲ୍ଲୀର ପୂର୍ବତନ ସାଂସଦ ଏବଂ ତୁଘଲକାବାଦରୁ ତିନିଥର ବିଧାୟକ ଥିବା ବିଧୁରୀ ତାଙ୍କର ଦୃଢ଼ ରାଜନୈତିକ ରେକର୍ଡ ପାଇଁ ଜଣାଶୁଣା। ସେ ୨୦୦୩, ୨୦୦୮ ଏବଂ ୨୦୧୩ରେ ନିର୍ବାଚନରେ ​​ବିଜୟୀ ହୋଇଥିଲେ। କଂଗ୍ରେସ ଏହି ଆସନରୁ ଜାତୀୟ ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କରିଛି।

    ଲାମ୍ବା ୧୯୯୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ ଏବଂ ତା’ପରେ ସେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ୨୦୧୫ରେ ଆପ ଟିକେଟରେ ଚାନ୍ଦନୀ ଚୌକରୁ ବିଧାୟକ ହୋଇଥିଲେ। ପରେ ସେ ପୁଣି କଂଗ୍ରେସକୁ ଫେରି ଆସିଲେ।

    ଆପଣଙ୍କୁ ସୂଚିତ କରାଇଦେଉଛୁ ଯେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବୃଆରୀ ୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣତି ଫେବୃଆରୀ ୮ ତାରିଖରେ ହେବ।

  • ଏକ କୋଟି ରୁ ପେଟିଏମ ଗୋଲ୍ଡ ଠାରୁ ଆରମ୍ଭ କରି କ୍ୟାସବ୍ୟାକ ପର୍ଯ୍ୟନ୍ତ, ଏହି ‘ଭବ୍ୟ ମହାକୁମ୍ଭ QR’ର ଅଛି ଅନେକ ଫାଇଦା

    ଏକ କୋଟି ରୁ ପେଟିଏମ ଗୋଲ୍ଡ ଠାରୁ ଆରମ୍ଭ କରି କ୍ୟାସବ୍ୟାକ ପର୍ଯ୍ୟନ୍ତ, ଏହି ‘ଭବ୍ୟ ମହାକୁମ୍ଭ QR’ର ଅଛି ଅନେକ ଫାଇଦା

    ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଶୁଭାରମ୍ଭ ହୋଇଯାଇଛି। ୨୬ ଫେବୃଆରୀ ମହାଶିବରାତ୍ରି ରେ ଏହାର ସମାପ୍ତ ହେବ। ଏଥିରେ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଏବଂ ସାଧୁସନ୍ଥ ଆସି ଯୋଗଦେବେ। ସେମାନଙ୍କର ସୁବିଧା ପାଇଁ ବିଶେଷ ଧ୍ୟାନ ଦେଇ, ପେଟିଏମ ଏବଂ ଏହାର ମୂଳ କମ୍ପାନୀ ୱାନ-୯୭ କମ୍ୟୁନିକେସନ ଲିମିଟେଡ଼ ମହାକୁମ୍ଭରେ ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି ।

    One97 ର ସେବା ଅଧୀନରେ ମିଳିବ ଏହି ସୁବିଧା
    ମହାକୁମ୍ଭ ୨୦୨୫ ରେ ଯୋଗଦେବାକୁ ଆସିଥିବା ଲୋକଙ୍କ ପାଇଁ ଡିଜିଟାଲ୍ ପେମେଣ୍ଟକୁ ସହଜ କରିବା ପାଇଁ, One97 କମ୍ୟୁନିକେସନ୍ ଏହାର ସାଉଣ୍ଡବକ୍ସ ଏବଂ କାର୍ଡ ମେସିନ୍ ପ୍ରଦାନ କରିଛି। ଏହା ଦ୍ୱାରା, ମେଳାକୁ ଆସୁଥିବା ଭକ୍ତମାନେ Paytm UPI, UPI Lite ଏବଂ କାର୍ଡ ମାଧ୍ୟମରେ ପାର୍କିଂ, ଖାଦ୍ୟ ସାମଗ୍ରୀ, ଯାତ୍ରା ଇତ୍ୟାଦି ପାଇଁ ପେମେଣ୍ଟ କରିପାରିବେ। One97ର ଏହି ସେବା ଅଧୀନରେ, କ୍ରେଡିଟ୍ କାର୍ଡକୁ Paytm ଆପ ସହିତ ଲିଙ୍କ୍ କରାଯାଇପାରିବ।

    Paytm ଲଞ୍ଚ କଲା ‘ଭବ୍ୟ ମହାକୁମ୍ଭ QR’
    Paytm ‘ଭବ୍ୟ ମହାକୁମ୍ଭ QR’ ଲଞ୍ଚ କରିଛି। ଏହା ଏକ ୟୁନିକ QR କୋଡ୍, ଯାହାକୁ ମହାକୁମ୍ଭରେ ବ୍ୟବସାୟୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। କମ୍ପାନୀ କହିଛି ଯେ ଏହାର ଲକ୍ଷ୍ୟ ହେଉଛି ଡିଜିଟାଲ ପେମେଣ୍ଟକୁ ସହଜ କରିବା ସହିତ କୁମ୍ଭମେଳା ପରିଦର୍ଶନ କରୁଥିବା ଲୋକଙ୍କୁ ଏବଂ ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ଏକ ଉତ୍ତମ ଅଭିଜ୍ଞତା ପ୍ରଦାନ କରିବା। ପେଟିଏମ୍ ‘ସୁରକ୍ଷା ଏବଂ ସୁବିଧାର ମହାସଙ୍ଗମ’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛି, ଯାହା ମାଧ୍ୟମରେ ଉପଭୋକ୍ତାମାନେ ପେଟିଏମ୍ ଗୋଲ୍ଡ ଏବଂ ଏକ କୋଟି ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଜିତିପାରିବେ। ମହାକୁମ୍ଭକୁ ଆସୁଥିବା ତୀର୍ଥଯାତ୍ରୀମାନେ ଲକି ଡ୍ରରେ ଅଂଶଗ୍ରହଣ କରିପାରିବେ ଏବଂ Paytm ଆପରେ ବିଜେତାମାନଙ୍କ ନାମ ଯାଞ୍ଚ କରିପାରିବେ।

  • ଦ୍ବିପାକ୍ଷିକ ରାଜିନାମାରେ ତାରବାଡ ଘେରୁଛି ଭାରତ,:- ବାଂଲାଦେଶ

    ଦ୍ବିପାକ୍ଷିକ ରାଜିନାମାରେ ତାରବାଡ ଘେରୁଛି ଭାରତ,:- ବାଂଲାଦେଶ

    ପୁଣି ଭାରତ-ବାଂଲା ମୁହାଁ ମୁହିଁ। ଭାରତ ବାଂଲାଦେଶ ମଧ୍ୟରେ ବଢୁଛି ତିକ୍ତତା। ଭାରତ ନାଁ ରେ ବଡ ଅଭିଯୋଗ କରିଛି ବାଂଲାଦେଶ। ନିୟମ ଉଲଙ୍ଘନ କରି ଦ୍ବିପାକ୍ଷିକ ରାଜିନାମା ରେ ୫ଟି ସ୍ଥାନରେ ତାରବାଡ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଦେଖା ଦେଇଛି ବିବାଦ। ଏନେଇ ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ ସୀମା ସୁରକ୍ଷା ବଳର କାର୍ଯ୍ୟାବଳୀ ପ୍ରସଙ୍ଗରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛନ୍ତି । ଭାରତ ବାଂଲାଦେଶର ବିନା ଅନୁମତିରେ ୫ଟି ସ୍ଥାନରେ ତାରବାଡ ନିର୍ମାଣ କରୁଥିବା କାରଣ ଦର୍ଶାଇ ଢାକା ଅଭିଯୋଗ କରିଥିଲା।

    ତେବେ ପରେ ଏହି ସମନ ଜାରି ହୋଇଛି । ଏହି ଘଟଣାକୁ ନେଇ ବାଂଲାଦେଶର ବୈଦେଶିକ ସଚିବ ଜସିମ ଉଦ୍ଦିନଙ୍କୁ ଭେଟିବା ପରେ ପ୍ରଣୟ କହିଛନ୍ତି ସୀମାକୁ ଅପରାଧମୁକ୍ତ କରିବା ପ୍ରସଙ୍ଗରେ ସେ ବାଂଲାଦେଶର ସଚିବଙ୍କୁ ସାକ୍ଷାତ କରିଛନ୍ତି । ଏବଂ ଅପରାଧୀଙ୍କ ତୋଡ ଭାଙ୍ଗିବା ଲାଗି ଆଲୋଚନା ହୋଇଛି । ତେବେ ଏହି ପ୍ରସଙ୍ଗକୁ ନେଇ ପ୍ରଣୟ ବର୍ମା କହିଛନ୍ତି ସୀମା ସୁରକ୍ଷା ବଳ ଓ ବାଂଲାଦେଶର ସୀମା ରକ୍ଷକ ବାହିନୀ ସହ ଆଲୋଚନା କରାଯାଇଛି ।

    ତେବେ ପୂର୍ବରୁ ଗୃହ ବିଭାଗ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ ଜାହାଙ୍ଗୀର ଆଲମ କହିଥିଲେ ଯେ ସୀମା ସୁରକ୍ଷା ବାହିନୀ ବାଂଲାଦେଶ ଏବଂ ସ୍ଥାନୀୟ ଲୋକଙ୍କ କଡ଼ା ବିରୋଧ ଯୋଗୁଁ ଭାରତ ସୀମାରେ କଣ୍ଟା ତାର ବାଡ଼ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛି । ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ସ୍ୱାକ୍ଷରିତ କିଛି ଚୁକ୍ତିନାମା ଯୋଗୁଁ, “ବାଂଲାଦେଶ-ଭାରତ ସୀମାରେ ଅନେକ ସମସ୍ୟା ହୋଇଛି । ବାଂଲାଦେଶ ଏବଂ ଭାରତ ମଧ୍ୟରେ ସୀମା କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଚାରୋଟି ବୁଝାମଣାପତ୍ର ରହିଛି । “ଏଥିରୁ ୧୯୫୭ର ବୁଝାମଣା ପତ୍ରରେ ସ୍ପଷ୍ଟ କରାଯାଇଛି ଯେ ‘ଜିରୋ ଲାଇନ’ର ୧୫୦ ଗଜ ମଧ୍ୟରେ ପ୍ରତିରକ୍ଷା କ୍ଷମତା ଥିବା ବେଳେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ।

    ସେହିପରି ଦ୍ୱିତୀୟ ବୁଝାମଣାପତ୍ରରେ ରହିଛି, ପାରସ୍ପରିକ ସମ୍ମତି ବିନା ଏହି ସୀମା ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ । ଦୁଇ ଦେଶ ମଧ୍ୟରେ ସହମତି ହେଲେ ଉନ୍ନତି ମୂଳକ କାର୍ଯ୍ୟ କରାଯାଇପାରିବ ।

  • ମେସିନରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

    ମେସିନରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

    ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାନିମୁରା ଜଙ୍ଗଲ ଠାରେ ନିର୍ମାଣ ହୋଇଥିବା ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥନାଲ ପ୍ଲାଣ୍ଟ ଠାରେ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଳି ପଂଚାୟତ ଅରଖପଦର ଗ୍ରାମର ଅଜୁ ମହାକୁର । ସୂଚନା ମୁତାବକ, ପାନିମୁରା ଜଙ୍ଗଲ ଠାରେ ନିର୍ମାଣ ହୋଇଥିବା ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥାନଲ ପ୍ଲାଣ୍ଟରେ କାର୍ଯ୍ୟରତ ଅବସ୍ଥାରେ ମେସିନରେ ଶ୍ରମିକ ଜଣକ ଚାପି ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ତାଙ୍କ ସହକର୍ମୀ ତୁରନ୍ତ ବରିଷ୍ଠ କର୍ମଚାରୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପ୍ଲାଣ୍ଟ ଭିତରକୁ ବାହାର କୌଣସି ଲୋକଙ୍କୁ ଛଡ଼ା ଯାଉ ନଥିବା ବେଳେ କେବଳ ମୃତ ଶ୍ରମିକଙ୍କ ପରିବାର ଲୋକେ ପ୍ଲାଣ୍ଟ ଭିତରେ ଅଛନ୍ତି ।

  • କୋରାପୁଟରେ ମ୍ୟାଲେରିଆ ଆତଙ୍କ

    କୋରାପୁଟରେ ମ୍ୟାଲେରିଆ ଆତଙ୍କ

    କୋରାପୁଟ ଜିଲ୍ଲାରେ କାୟା ବଢ଼ାଉଛି ମ୍ୟାଲେରିଆ। ରାଜ୍ୟର ମ୍ୟାଲେରିଆ ପ୍ରବଣ ଜିଲ୍ଲା ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଗତଦୁଇ ବର୍ଷ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ସର୍ବାଧିକ ଆକ୍ରାନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ବର୍ଷରେ ଜିଲ୍ଲାରୁ କେହି କେହି ମ୍ୟାଲେରିଆରେ ମୃତ୍ୟୁବରଣ କରିନଥିଲେ ସୁଦ୍ଧା ୧୫ ହଜାର ୩୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ନିୟନ୍ତ୍ରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ମଶାରି ବିତରଣ କରାଯାଉଛି ।

    ୨୦୨୩ ରେ ଜିଲ୍ଲାର ୧୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୫ଲକ୍ଷ ୪୩ହଜାର ୮୦ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସେଥିରୁ ୭୦୦୭ ନମୁନା ପଜିଟିଭ୍ ବାହାରିଥିଲା । ଗତବର୍ଷ ଜିଲ୍ଲାରୁ ୮୩୧୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ବନ୍ଧୁଗାଁ ବ୍ଲକ୍ ରେ ସର୍ବାଧିକ ୧୯୦୮ ଜଣ ଆକ୍ରାନ୍ତ ହୋଇଥିଲେ । ଏହା ତଳକୁ ନାରାୟଣପାଟଣା ବ୍ଲକ୍ ରେ ୧୬୨୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

    ମ୍ୟାଲେରିଆ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ୧୦ଲକ୍ଷ ମଶାରି ପୁନର୍ବାର ବଣ୍ଟନ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହାରି ମଧ୍ୟରେ ୭ଲକ୍ଷ ମଶାରି ଆସିଥିବା ବେଳେ ବିତରଣ ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

  • ଆଜିଠାରୁ ଦିବ୍ୟ, ଭବ୍ୟ ମହାକୁମ୍ଭ, ଓଡିଶାରୁ ଚାଲିଲା ୪ ଅତ୍ୟାଧୁନିକ ବସ୍

    ଆଜିଠାରୁ ଦିବ୍ୟ, ଭବ୍ୟ ମହାକୁମ୍ଭ, ଓଡିଶାରୁ ଚାଲିଲା ୪ ଅତ୍ୟାଧୁନିକ ବସ୍

    ପୌଷ ପୂର୍ଣ୍ଣିମାର ପବିତ୍ର ଅବସରରେ, ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଛି। ରାଜକୀୟ ସ୍ନାନ ପାଇଁ ଏଠାରେ ଭକ୍ତମାନଙ୍କର ଲମ୍ବା ଧାଡି ଲାଗିଛି, ଗତ ଦୁଇ ଦିନ ଧରି ଏଠାରେ ଭକ୍ତମାନେ ଏକାଠି ହେଉଛନ୍ତି।

    ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’। ଆଜିଠାରୁ (ଜାନୁଆରି ୧୩) ଠାରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ। ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ‘ମହାକୁମ୍ଭ ମେଳା’କୁ ଆସିବା ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସମେତ ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଁଞ୍ଚିଛନ୍ତି ଏବଂ ସେମାନଙ୍କୁ ତିର୍ଥନାଗରୀରେ ଶାନ୍ତଂପ୍ରେମୀ ଜୋରଦାର ସ୍ୱାଗତ କରିଛନ୍ତି । ଏହି ବିଶାଳ ଧାର୍ମିକ ସମାଗମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଧାର୍ମିକ ସମାଗମରେ ଦୁର୍ଘଟଣାବିହୀନ, ଶାନ୍ତିଶୃଙ୍ଖଳାରେ ଆୟୋଜନ କରିବା ଲାଗି ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ । ସମଗ୍ର ‘ମହାକୁମ୍ଭ ମେଳା’ ଇଲାକାରେ ଲଗାଯାଇଛି ପ୍ରାୟ ୨ ହଜାର ୭୦୦ ଆର୍ଟିଫିସିଆନ ଇଣ୍ଟେଲିଜେନ କ୍ୟାମେରା । ଏହା ସହ ଅଣ୍ଡରୱାଟର ଡ୍ରୋନ ବ୍ୟବସ୍ଥା ବି ପ୍ରଥମ ଥର ଲାଗି କରାଯାଇଛି । ମହାକୁମ୍ଭ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ବିଶ୍ୱାସର ପ୍ରତୀକ। ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହେଲେଣି ହଜାର ହଜାର ସାଧୁ, ସନ୍ଥ ଓ ଦେଶବିଦେଶର ଶ୍ରଦ୍ଧାଳୁ । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ।

    ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜକୁ ପଡିଥିବା ସମସ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ମହାକୁମ୍ଭ ନଗରକୁ ରଖାଯାଇଛି ସିକ୍ୟୁରିଟି ବଳୟରେ । ଅଧିକାଂଶ ରାସ୍ତାରେ ସର୍ଚ୍ଚ ଅପରେସନ କରାଯିବା ସହ ଗାଡି ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ୧୦୨ଟି ଚେକ ପଏଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

    ଏହା ସହ ଏନଡିଆରଏପ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ମୁତୟନ ହୋଇଛନ୍ତି । ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ । କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି । ୧୪୪ ବର୍ଷ ପରେ ଏହି ମହାସଂଯୋଗ ଘଟିବାକୁ ଯାଉଛି । ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ । ଏହି ସମୟରେ ସାହି ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି । ଆସନ୍ତା ୧୪ରେ ସାହି ସ୍ନାନ ଲାଗି ପବିତ୍ର ଯୋଗ ରହିଛି ।

    ପବିତ୍ର ମହାକୁମ୍ଭ ଅବସରରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିବେ। ହଜାର ହଜାର ନାଗା ସାଧୁଙ୍କ ଆଗମନ କୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ରାଜ୍ୟ ସରକାର ଏହି ମେଗା କାର୍ଯ୍ୟକ୍ରମ ପାଇଁ ୧୨ ହଜାର ୬୭୦ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡିଛି ।

    ମହାକୁମ୍ଭ ମେଳାରେ ଯେପରି ଓଡ଼ିଶାର ଶ୍ରଦ୍ଧାଳୁମାନେ ସୁବିଧାରେ ଯୋଗଦେଇପାରିବେ ସେଥିପାଇଁ ରାଜ୍ୟ ସରକାର ପକ୍ଷରୁ ଚାରୋଟି ଅତ୍ୟାଧୁନିକ ବସ୍ ସେବା ଆରମ୍ଭ ହୋଇଛି। ଓଏସ୍ଆରଟିସି ଏହି ୪ଟି ବସ୍ ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣାରୁ ୨୦୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏହି ବସ୍ ପ୍ରୟାଗରାଜ ଓ ବାରାଣସୀ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଯିବ ।