Month: August 2023

  • ବାହ୍ୟ ଜଗତରୁ ବିଚ୍ଛିନ୍ନ ଖୋର୍ଦ୍ଧାର ଏକାଧିକ ଗାଁ

    ବାହ୍ୟ ଜଗତରୁ ବିଚ୍ଛିନ୍ନ ଖୋର୍ଦ୍ଧାର ଏକାଧିକ ଗାଁ

    ମହାନଦୀ ଜଳସ୍ତର ବଢି ବେହାଲ ହେବାରେ ଲାଗିଲାଣି ଖୋର୍ଦ୍ଧାବ୍ଲକ ଓରାବର ପଞ୍ଚାୟତ। ପଞ୍ଚାୟତର ବହୁ ଗ୍ରାମରେ ପାଣି ପଶିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ହେକ୍ଟର ହେକ୍ଟର ଜମିରେ ନଦୀ ଜଳ ପ୍ରବେଶ କରିବା ପରେ ଚାଷବାସ ନଷ୍ଟ ହୋଇଛି। ଦୀର୍ଘ ଆଡିବନ୍ଧ ଦାବି ସତ୍ତ୍ୱେ ସରକାରର ଅଣଦେଖା ପାଇଁ ପ୍ରତିବର୍ଷ ଏମିତି ଅସୁବିଧା ଭୋଗିବାକୁ ନେଇ ଲୋକଙ୍କ ଭିତରେ ଦେଖାଦେଉଛି ଅସନ୍ତୋଷ।


    ଲଗାଣ ବର୍ଷା ସାଙ୍ଗକୁ ଉପର ମୁଣ୍ଡ ପାଣିରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦୟା ,ରାଜୁଆ ଓ ମକରା ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେବାରୁ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଓରବରସିଂହ ଗ୍ରାମ ପଞ୍ଚାୟତର ହିରିମୂଳ, ଡିହଖଳା ପରି ବହୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗାଁ ଦାଣ୍ଡରେ ଖେଳୁଛି ପାଣି। ଚାଷଜମିରେ ମାଡିଯାଇଛି ବନ୍ୟାଜଳ। ଫଳରେ ବହୁ କଷ୍ଟରେ ଚାଷ କରିଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ। ବାରମ୍ବାର ଆଡି ବନ୍ଧ ପାଇଁ ଦାବି ହେଉଥିଲେ ମଧ୍ୟ ସରକାର ନ ଶୁଣିବାରୁ ଲୋକେ ହନ୍ତସନ୍ତ ହେଉଥିବା ହେଉଛି ଅଭିଯୋଗ।


    ସେପଟେ ବନ୍ୟାକୁ ଆଖି ଆଗରେ ରଖି ଖୋର୍ଦ୍ଧା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ରହିଛି। ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

  • ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଗୋଟେପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ ।ସୂଚନା ଅନୁସାରେ କେଶଦୁରାପାଳ ଗାଁର ଦିଲ୍ଲୀପ ମୁଖୀ ହାଟରେ ଝାଡୁ କରି ଦେକାନ ପିଛା ୫ ଟଙ୍କା ନେଇଥାନ୍ତି ।

    ତେବେ ଗତକାଲି ହାଟରେ ଥିବା ଏକ ପରିବା ଦୋକାନରୁ ଜଣେ ଗ୍ରାହକ ଏକ କିଲୋ ଟମାଟେ ନେଇ ଟଙ୍କା ଦେଇନଥିଲେ । ଏଥିପାଇଁ ପରିବା ଦୋକାନୀ କିନ୍ତୁ ଦିଲ୍ଲୀପ ସେହି ଏକ କିଲୋ ଟମାଟୋ ନେଇଛନ୍ତି କହି ଟଙ୍କା ମାଗିଥିଲେ ।

    ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରିବା ଦୋକାନୀ ଓ ତାର ସହଯୋଗୀ ବାଟରେ ଦିଲ୍ଲୀପଙ୍କୁ ଅଟକାଇ ମାଡ ମାରିଥିଲେ । ଛୁରା ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ଏହି ସମୟରେ ଦିଲ୍ଲୀପଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବି ଆକ୍ରମଣର ଶିକାର ହୋଇଛନ୍ତି । ଝାଡୁଦାର ଦିଲ୍ଲୀପ ଗୁରତର ଆହତ ହୋଇଥିବା ବେଳେ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି ।

    ଉଭୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଘଷିପୁରା ଥାନାରେ ଅଭିଯୋଗ ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ ଜାରି ରଖିଛି ।

  • ସାହାରା ଏଜେଣ୍ଟଙ୍କ ଆତ୍ମହତ୍ୟା

    ସାହାରା ଏଜେଣ୍ଟଙ୍କ ଆତ୍ମହତ୍ୟା

    ମହାନଦୀର ବାଙ୍କୀ ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି । ଗୁରୁବାର ସଂଧ୍ୟାରେ ନଦୀକୁ ଡେଇଁପଡିଥିବା ବ୍ୟକ୍ତି ତିଗିରିଆ ଥାନା ପାଞ୍ଚ ଗାଁର ବିରଜା ପ୍ରସାଦ ଦାସ । ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ଶୁକ୍ରବାର ସଂଧ୍ୟାରେ ମୃତଦେହକୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରୁ ଏକ ହାତଲେଖା ଚିଠି ମିଳିଥିଲା । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଛି ।

    କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ସାହାରା ପୋର୍ଟାଲର ଉଦଘାଟନ କରିଛନ୍ତି । ଏଥିରେ ପଞ୍ଜିକରଣ କରି ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ । ଆଜିଯାଏଁ ଏହି ପୋର୍ଟାଲରେ ୧୮ ଲକ୍ଷରୁ ଅଧିକ ଜମାକାରୀ ପଞ୍ଜିକରଣ କରିସାରିଲେଣି । ଗତକାଲି ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀ ୧୦ ହଜାର ଟଙ୍କା ଲେଖାଏଁ ଫେରସ୍ତ ପାଇଛନ୍ତି । ତଥାପି କାହିଁକି ବିରଜା ଆତ୍ମହତ୍ୟା କଲେ ତାହା ସନ୍ଦେହ ବଢାଉଛି । ବର୍ଷବର୍ଷ ଧରି ଟଙ୍କା ଫେରସ୍ତ ପାଇଁ ଅପେକ୍ଷା କରିଥିବା ସାହାରା ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ବିରଜା କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ତାହା ମଧ୍ୟ ଏକ ବଡ ପ୍ରଶ୍ନ ।

    ସବୁଠାରୁ ବଡ ପ୍ରଶ୍ନ ହେଉଛି, ଏମିତି କଣ ହେଲା ଯେ, ନଦୀରୁ ଡେଇଁ ଆତ୍ମହତ୍ୟା କଲେ ବିରଜା । ଏନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରଜାଙ୍କ ସଂପର୍କୀୟ ଭାଇ । ବିରଜା ସ୍ଥାନୀୟ ଅଞ୍ଚଳରେ ଜଣେ ସାହାରା ଏଜେଣ୍ଟ ଭାବେ କାମ କରୁଥିଲେ । ସାହାରା ଟଙ୍କା ଫେରସ୍ତ ନେଇ ଗଣମାଧ୍ୟମରେ ବିଭିନ୍ନ ଖବର ପରେ ଜମାକାରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପଇସା ବୁଡିଯିବା ଆଶଙ୍କା କରି ସେମାନେ ବିରଜାଙ୍କ ଘରେ ପହଞ୍ଚି ଗାଳିଗୁଲଜ କରୁଥିଲେ ବୋଲି ଅଭିଯୋଗ ହୋଇଛି । ବିରଜାଙ୍କ ପୁଅ ମଧ୍ୟ ବାପା, ସାହାରା ଇଣ୍ଡିଆର ଜଣେ ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି କହିଛନ୍ତି ।

  • ୮୭ରେ ବି କମିନି ହ୍ୱିମ୍ୟାନଙ୍କ କ୍ରେଜ

    ୮୭ରେ ବି କମିନି ହ୍ୱିମ୍ୟାନଙ୍କ କ୍ରେଜ

    ୮୭ ବର୍ଷରେ ବି କମିନି ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ରେଜ । ଏବେବି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଜମୁଛି ଭିଡ଼ । ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମରେ ସବୁ ଲାଇମ୍‌ଲାଇଟ୍‌ ସାଉଁଟି ନେଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍‌ ହିରୋ ଧର୍ମେନ୍ଦ୍ର।

    ଏହି ଫିଲ୍ମରେ ଶବା ନା ଆଜମୀଙ୍କ ସହ ଧର୍ମେନ୍ଦ୍ରଙ୍କ ଲିପ୍‌ଲକ୍‌ କିସିଂ ସିନ୍‌ ଥିବା ବେଳେ ଏହାକୁ ନେଇ ଥମୁନି ଚର୍ଚ୍ଚା।ଏନେଇ ଫିଲ୍ମ ପ୍ରମୋସନ ବେଳେ ଧର୍ମେନ୍ଦ୍ରଙ୍କୁ ପଚାରାଯିବାରୁ ତାଙ୍କ ଉତ୍ତର ବି-ଟାଉନ୍‌ରେ ଏବେ ହଟ୍‌ ଗସିପ ପାଲଟିଛି।

    ଧର୍ମେନ୍ଦ୍ର ଖୁଲମଖୁଲା ଏହା ଉପରେ ଆଲୋଚନା କରି କହିଛନ୍ତି, ସୁଯୋଗ ମିଳିଲେ ଏମିତି ଛକା ମାରି ଚାଲିଥିବି। ଏହା ମୋର ବାମ ହାତରେ ଖେଳ । ଭଲ ପାଇବାଠୁ ଅଧିକ କିଛି ନାହିଁ । କ୍ୟାପଟେନ ଠିକ୍‌ ଥିଲେ ଟିମ୍‌ ଆପେଆପେ ଖେଳିବ ।

    ଯେତେବେଳେ ବି ମଉକା ମିଳିବ, ଛକା ମାରି ଦେଇଥାଏ। କାହାଣୀର ଆବଶ୍ୟକତା ଥିବାରୁ ଏପରି ସିନ୍‌ ଦେବାରେ ପଛଘୁଞ୍ଚା କାହିଁକି ଦେବେ ବୋଲି ସାମ୍ବାଦିକଙ୍କୁ ପଚାରିଥିଲେ ଧର୍ମେନ୍ଦ୍ର ।

    ଧର୍ମେନ୍ଦ୍ରଙ୍କ ଏପରି ବିନ୍ଦାସ କଥା ଶୁଣି ସେଠାରେ ଉପସ୍ଥିତ ଷ୍ଟାରଙ୍କ ସମେତ ଦର୍ଶକ ନିଜ ହସକୁ ରୋକି ପାରି ନ ଥିଲେ। ଧର୍ମେନ୍ଦ୍ରଙ୍କ ଏପରି କଥା ଶୁଣି ଫିଲ୍ମର ହିରୋଇନ ଆଲିଆ ଭଟ୍ଟ ଲାଜେଇ ଯାଇଥିବା ବେଳେ ରଣବୀର ସିଂ ବି ପୂରା ଜୋସ୍‌ରେ ଥିବା ଦେଖାଯାଇଥିଲେ।

    ଧର୍ମେନ୍ଦ୍ରଙ୍କ କିସିଂ ସିନ୍‌କୁ ନେଇ ଏବେ ପୂରା ବଲିଉଡରେ ଜୋରସୋରରେ ଗସିପ ଚାଲିଥିବା ବେଳେ ହେମାମାଲିନୀ ବି ରଖିଛନ୍ତି ନିଜ ମତ। ନିଜ ସ୍ୱାମୀଙ୍କ ଏପରି ବିନ୍ଦାସ ହାବଭାବ ସହ ପୂର୍ବରୁ ପରିଚିତ ହେମା ଫିଲ୍ମ ଦେଖିବାକୁ ବେଶ୍‌ ଉତ୍ସୁକ ଥିବା କହିଛନ୍ତି।

    ଏପରିକି ଏହାକୁ ନେଇ ତାଙ୍କର କିଛି ଅସୁବିଧା ନ ଥିବା ଓ ଧର୍ମେନ୍ଦ୍ର ନିଜ ଅଭିନୟକୁ ନିଖୁଣ ଭାବେ ଫୁଟାଇବା ଜାଣିଥିବା ସେ କହିଛନ୍ତି।ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ କଲେକସନ୍ କରୁଥିବା ବେଳେ ଆଲିଆ ଓ ରଣବୀରଙ୍କୁ ପଛରେ ପକାଇ ସବୁ ଚର୍ଚ୍ଚା ସାଉଣ୍ଟି ନେଇଛନ୍ତି ଧର୍ମେନ୍ଦ୍ର।

  • ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ

    ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ

    ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗ୍ରାମରେ ଆଜି ସକାଳୁ ଘଟିଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିବା ବେଳେ ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରିକି ଉତ୍ତ୍ୟକ୍ତ ଗ୍ରାମବାସୀ ମିଲିଙ୍କ ଶାଶୁଙ୍କୁ ଟଣାଓଟରା କରି ମାରପିଟ କରିଥିବା ବେଳେ ପୁଲିସ୍‌ ଗାଡ଼ି ଆଗରେ ବସି ରହିଛନ୍ତି। ସୂଚନା ଅନୁଯାୟୀ ରାତିରେ ଖିଆପିଆ କରି ନିଜ ଛୁଆକୁ ଧରି ଶୋଇଥିଲେ ମହିଳା। ସକାଳୁ ଛୁଆ ଉଠି ମା’କୁ ଖୋଜିବା ବେଳେ ଆଉ ପାଇଲାନି ମା’ର ପତ୍ତା । ଛାତ ଉପରକୁ ଯାଇ ଯାହା ଦେଖିଲା, ନିଜ ଆଖିକୁ ବିଶ୍ୱାସ କରି ପାରିଲାନି। କାରଣ ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ । ରାତିରେ ଯିଏ ମା’ କୋଳରେ ଶୋଇଥିଲେ, ସକାଳେ ସେ ମା’ ଛେଉଣ୍ଡ ହୋଇ ଯାଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

    ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ସ୍ୱାମୀ ବାହାରେ ରହି କାମ କରୁଥିବା ବେଳେ ଘରେ ସେ ନିଜର ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ତଥା ଶାଶୁ, ଶ୍ୱଶୁରଙ୍କ ସହ ରହୁଥିଲେ। ଏପରିକି ବହୁ ଥର ନିର୍ଯାତନା ଅସହ୍ୟ ହେବାରୁ ମିଲି ପିଲାଙ୍କୁ ଧରି ବାପ ଘରକୁ ପଳାଉଥିଲେ। ଏହାପରେ ଗାଁରେ ବୈଠକ ବସି ତାଙ୍କୁ ଶାଶୁ ଘର ଲୋକେ ଫେରାଇ ଆଣୁଥିଲେ।

  • କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ

    କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ

    ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁରେ । କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣଙ୍କ ହେଲେ କରୁଣା ମୁଣ୍ଡା। ଗତକାଲି ରାତିରେ ମନ ମୁଣ୍ଡାଙ୍କ ପରିବାର ଘରେ ଖାଇପିଇ ଶୋଇଥିଲେ।

    ବିଳମ୍ବିତ ରାତିରେ ବର୍ଷାରେ ଭିଜିଥିବା ମାଟି କାନ୍ଥଟି ମା’ ପାଖରେ ଶୋଇଥିବା ଶିଶୁପୁତ୍ର କରୁଣାର ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

    ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା। ମାଟି କାନ୍ଥଟି ବର୍ଷାରେ ଭିଜି କରିଥିବାରୁ ରାତିରେ ଶିଶୁପୁତ୍ର ଉପରେ ଭୁଷୁଡି ପଡ଼ିଥିଲା।

    ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ଯେ, ରାଜ୍ୟ ସରକାର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ କରିଥିବା ଯୋଜନା କିପରି ଧୂଆଁ ବାଣ ପାଲଟିଛି। ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ସରକାର କରିଥିବା ଯୋଜନା ଏହି ପରିବାର ନିକଟରେ ପହଞ୍ଚି ପାରିନାହିଁ। ଫଳରେ ଅଦିନରେ ଜଣେ ଶିଶୁର ପ୍ରାଣ ଚାଲିଯାଇଛି।