Month: July 2023

  • ନାଇରୋବି: ଭାରସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍, ୪୮ ମୃତ

    ନାଇରୋବି: ଭାରସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍, ୪୮ ମୃତ

    ପଶ୍ଚିମ କେନିଆ ଲୋଣ୍ଡିଆନିରେ ବଡ଼ ଧରଣର ଟ୍ରକ୍ ଦୁର୍ଘଟଣା ଘଟିଛି । ଗୋଟାଏ ଟ୍ରକ୍‌ ହଠାତ୍‌ ଡ୍ରାଇଭରଙ୍କ ନିୟନ୍ତ୍ରଣରୁ ବାହାରିଯାଇ ଯାନବାହନ ଓ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ କମାଣ୍ଡର ଜେଫରୀ ମୟେକଙ୍କ ସୂଚନା ଅନୁସାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ଆଉ କିଛି ଲୋକଙ୍କ ମୃତ୍ୟୁ ହେବା ଆଶଙ୍କା ରହିଛି । କେରିକୋ ଏବଂ ନାକୁରୁ ନଗରୀକୁ ସଂଯୋଗ କରୁଥିବା ରାଜପଥରେ ସିପିଙ୍ଗ୍‌ କଣ୍ଟେନର୍‌ ନେଇ ଯାଉଥିବା ଟ୍ରକ୍‌, ଏକ ଜଙ୍କ୍‌ସନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

    ଦୁର୍ଘଟଣାସ୍ଥଳ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର ଅଭିଯାନରେ ବିଳମ୍ବ ହୋଇଥିଲା । ସେପଟେ ଟମ୍‌ ଓଡେରା ନାମରେ ଆଉ ଜଣେ ପୋଲିସ କମାଣ୍ଡର୍‌ କହିଛନ୍ତି ଯେ, କେରିକୋ ଆଡ଼କୁ ଚଳାଇ ନିଆଯାଉଥିବା ଟ୍ରକ୍‌ ନିୟନ୍ତ୍ରଣ ହରାଇବା ପରେ ବସ୍‌ଷ୍ଟପ୍‌ରେ କେତେଗୁଡ଼ିଏ ମିନି ବସ୍ ଉପରେ ଚଢ଼ିଯାଇଥିଲା । ଫଳରେ ବସ୍ ଯାତ୍ରୀ ଏବଂ ଛିଡ଼ା ହୋଇଥିବା ପଥଚାରୀମାନେ ମୃତାହତ ହୋଇଥିଲେ ।

    ଭାରସାମ୍ୟ ହରାଇ ଟ୍ରକଟି ବଜାରରେ ମାଡ଼ିଯିବାରୁ ପ୍ରାୟ ୪୮ ଜଣଙ୍କ ମୃତ୍ୟୁ ଘଟିଛି । ଏକାଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ବହୁ କାର୍ ଓ ବାଇକ୍ ଭାଙ୍ଗିଯାଇଛି ।

  • ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଶ୍ରୀହରି

    ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଶ୍ରୀହରି

    ଆଜି ରସଗୋଲା ଦିବସ । ମିଠା ଭିତରେ ରସଗୁଲା କଥା ଭିନ୍ନ। ଏହି ମିଠା ସମସ୍ତ ଓଡିଆଙ୍କର ଅତି ପ୍ରିୟ । ଖାଲି ଓଡିଆଙ୍କ ପ୍ରିୟ ନୁହେଁ, ସେମାନଙ୍କ ପ୍ରାଣର ଦେବତାଙ୍କୁ ପ୍ରିୟ ବୋଲି। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ଏହି ମିଠା ମା ଲକ୍ଷ୍ମ ଓ ମହାପ୍ରଭୁଙ୍କ ଭିତରେ ସୃଷ୍ଟି ହୋଇଥିବା ମତାନ୍ତର ଦୂର କରିବାର ମାଧ୍ୟମ ହୋଇଥାଏ। ୯ ଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ପ୍ରଭୁ ମା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଏକାକୀ ଛାଡି ମାଉସୀ ମା’ଙ୍କ ମନ୍ଦିରକୁ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଚାଲିଯାଇଥାନ୍ତି। ସ୍ବାମୀଙ୍କ ଏତାଦୃଶ କାର୍ଯ୍ୟରେ କ୍ରୋଧିତ ହୋଇଥାନ୍ତି ମା। ତେଣୁ ଯେଉଁଦିନ ଭାଇ ଭଉଣୀଙ୍କୁ ନେଇ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଦେଢଶୂର ଓ ନଣନ୍ଦଙ୍କ ମନ୍ଦିର ପ୍ରବେଶ ପରେ ଅଭିମାନ ଓ ରାଗ ଜର୍ଜରିତା ମା ଲକ୍ଷ୍ନୀ ପ୍ରଭୁଙ୍କ ମନ୍ଦିର ପ୍ରବେଶ ପୂର୍ବରୁ ବନ୍ଦ କରିଦିଅନ୍ତି ମନ୍ଦିର ଦ୍ୱାର। ଶେଷରେ ମହାପ୍ରଭୁ ରସଗୋଲା ଦେଇ ମା’ଙ୍କ ମାନ ଭଞ୍ଜନ କରନ୍ତି ଓ ମନ୍ଦିରକୁ ପ୍ରବେଶ କରିଥାନ୍ତି। ତେଣୁ ନୀଳାଦ୍ରିବିଜେ ଦିନ ଓଡିଶା ବାସୀ ପାଳନ କରିଥାନ୍ତି ରସଗୋଲା ଦିବସ।

    ରସଗୋଲାକୁ ବିଶ୍ୱବ୍ୟାପୀ ଆଦୃତ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ଏକ ସାମାଜିକ କ୍ରାନ୍ତିରେ ପରିଣତ କରାଯାଇଛି। ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ସୋସିଆଲ ମିଡିଆରେ ଏହାର ପ୍ରଚାର ଓ ପ୍ରସାର ଆରମ୍ଭ ହୋଇଥିଲା । ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ତେବେ କାହିଁ କେଉଁ କାଳରୁ ରସଗୋଲା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଥିବା ବେଳେ କିନ୍ତୁ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ଆରମ୍ଭ ହୋଇଥିଲା‘ମିଠାଯୁଦ୍ଧ’ । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍ ।

  • ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ କରିଛନ୍ତି ମହାବାହୁ । ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ରଥାରୂଢ଼ ଠାକୁର ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ । ଏତେ ଦିନ ଧରି ଅଭିମାନ କରି ରହିଥିବା ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

    ଗତକାଲି ବିଳମ୍ୱିତ ରାତିରେ ଅଧର ନୀତି ଶେଷ ହୋଇଥିଲା । ଆଜି ସକାଳୁ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଛି । ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହୋଇଛି । ସେହିପରି ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ ମଧ୍ୟ ଦିଆଯାଇଛି ।

    ଦିନ ୧୧ଟା ୪୫ରୁ ୧୨ଟା ଭିତରେ ମଇଲମ ଓ ବେଶ ଏବଂ ୧୨ଟା ୧୫ରେ ସଂଧ୍ୟା ଆଳତି ହେବ । ସେହିପରି ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ ।

    ଅପରାହ୍ଣ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ । ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ ମହାବାହୁ । ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ ।

  • ମହାରାଷ୍ଟ୍ର: ଚକା ଫାଟି ଓଲଟିଲା ବସ୍, ଜଳିଗଲେ ୨୬ ଯାତ୍ରୀ

    ମହାରାଷ୍ଟ୍ର: ଚକା ଫାଟି ଓଲଟିଲା ବସ୍, ଜଳିଗଲେ ୨୬ ଯାତ୍ରୀ

    ମୁମ୍ବାଇର ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍‌ୱେ’ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବସ୍‌ରେ ନିଆଁ ଲାଗିଯିବାରୁ ଅନେକ ଯାତ୍ରୀ ବସ୍ ଭିତରେ ହିଁ ଜଳିଯାଇଛନ୍ତି । ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

    ସୂଚନା ଅନୁସାରେ ଗତକାଲି ଏକ ବସ୍ ଯବତମାଲ୍‌ରୁ ପୁନେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ବୁଲଢାଣା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରୁ ୨୫ଟି ଶବ ବାହାର କରାଯାଇଥିବା ବୁଲଢାଣା ଡେପୁଟି ପୋଲିସ କମିଶନର ବାବୁରାଓ ମହାମୁନି କହିଛନ୍ତି । ବସ୍‌ରେ ସମୁଦାୟ ୩୩ ଜଣ ଲୋକ ଥିବାବେଳେ ୮ ଜଣ ଗୁରୁତର ହୋଇ ବୁଲଢାଣା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।

    ଦୁର୍ଘଟଣାରୁ ବଞ୍ଚିଯାଇଥିବା ବସ୍ ଡ୍ରାଇଭରଙ୍କ କହିବାନୁସାରେ ବସର ଗୋଟାଏ ଟାୟାର୍‌ ଫାଟି ଓଲଟି ପଡ଼ିବାରୁ ସେଥିରେ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ବସ୍ ଭିତରେ ହିଁ ଜଳିଗଲେ । ସେପଟେ ଟାୟାର୍‌ ଫାଟିଯିବାରୁ ଘରୋଇ ବସ୍‌ଟି ସିନ୍ଦଖେଡ଼ରାଜା ନିକଟରେ ରାସ୍ତା ଡିଭାଇଡର୍‌ ଆଡ଼କୁ ମାଡ଼ିଯାଇ ଓଲଟି ପଡ଼ିଥିଲା ବୋଲି ସ୍ଥାନୀୟ ପୋଲିସ ମଧ୍ୟ କହିଛି ।

    ଦୁର୍ଘଟଣାରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋ‌ଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ଏଥିସହ ଘଟଣାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ମିଳିଛି । ସେପଟେ, ଏଭଳି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।