Month: July 2023

  • ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ହିସାଂକାଣ୍ଡକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି ।

    ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ରାୟଗଡା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି ଓ କେନ୍ଦ୍ରୀୟ ଯବାନ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

    ନିୟମଗିରି ଅଞ୍ଚଳରେ ପୋଲିସ ଓ ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଜାରି ରହିଛି । ଅନ୍ୟପଟେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ଉପସ୍ତିତିକୁ ଜାହିର କରିଛନ୍ତି ।

    ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳକୁ ବନ୍ଦ ରଖିଛି ଓଏସ୍ଆରଟିସି । ବିଶେଷ କରି ରାୟଗଡା-ଥୁଆମାଳରାମପୁର, ରାୟଗଡା-ଚନ୍ଦ୍ରପୁର, ରାୟଗଡା-ନାରାୟଣପାଟଣା, ରାୟଗଡା-ଗୁଲୁଗୁଡା, ରାୟଗଡା-ବ୍ରହ୍ମପୁର ଓ ସାନ୍ଦୁବାଡି-ନାରାୟଣପାଟଣାକୁ ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଯାଗାକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।

    ତେବେ ସମସ୍ତ ପ୍ରକାର ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୋଲିସ ସଜାଗ ରହିଥିବା ରାୟଗଡା ଅତିରିକ୍ତ ଏସ୍ପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

  • ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

    ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

    ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଘଟିଯାଇଛି ଲଜ୍ୟାଜନକ ଘଟଣା । ବିଳମ୍ବିତ ରାତ୍ରିରେ ଏକ ୪ ବର୍ଷର ଶିଶୁ କନ୍ୟା କୁ ଦୁଷ୍କର୍ମ ହୋଇଥିବା ନେଇ ଜଟାଧାରୀ ମହାଣ ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୪ ବର୍ଷର ଶିଶୁ କନ୍ୟା ହଠାତ ଘରୁ ନିଖୋଜ ହୋଇଯାଇଥିଲା । ବାପା ମା ରାତିସାରା ଖୋଜାଖୋଜି କରୁଥିବା ସମୟରେ ଜଣେ ବୟସ୍କ ବ୍ୟକ୍ତି ଶିଶୁ କନ୍ୟା କୁ ଗୁରୁତର ଅବସ୍ଥାରେ ବାପା,ମାଙ୍କ ପାଖରେ ଆଣି ପହଂଚାଇଥିଲେ । ତେବେ ନାବାଳିକାର ଯୌନାଙ୍ଗରୁ ରକ୍ତସ୍ରାବ ହେଉଥିବାରୁ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଆଜି ସକାଳୁ ପ୍ରଥମେ ଶିଶୁ କନ୍ୟା କୁ ଅଠରବାଙ୍କ ବିଜୁ ମେମୋରିଆଲ ହସ୍ପିଟାଲକୁ ନେବା ପରେ ଡାକ୍ତର ପ୍ରଥମେ ପ୍ରାଥମିକ ଚିକିତ୍ସା କରିବାପରେ ପରବର୍ତ୍ତୀ ମୁହୂତିରେ ଅଧିକ ଚିକିତ୍ସାପାଇଁ ଜଗତସିଂହପୁର ମେଡିକାଲକୁ ପଠାଇ ଦେଇଛନ୍ତି। ତେବେ ଏ ନେଇ ଜଟାଧାରୀ ମୂହାଣ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଶିଶୁ କନ୍ୟା କୁ ଉଦ୍ଧାର କରିଥିବା ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ପଚରା ଉଚରା ଜାରି ରହିଛି ।

  • ଦୁବାଇ ରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

    ଦୁବାଇ ରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

    ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଜଗନାଥପୁର ଗ୍ରାମର ସୁଦର୍ଶନ ଦଣ୍ଡସେଣାଙ୍କ ପୁଅ ସୁମନ ଦଣ୍ଡସେଣl (୨୪ ) ଘରର କରଜ ସୁଜିବା ନିମନ୍ତେ ଯାହାକି ଅଧିକ ରୋଜଗାର ଆଶାରେ ଜଣେ ଶ୍ରମିକ ଭାବେ କାମ କରିବାକୁ ଚଳିତ ବର୍ଷ ଫେବୃଆରୀ ମାସରେ ବାଣପୁରରୁ ସୁଦୂର ଦୁବାଇ ଗଲ୍ଫ ଏସିଆ ଙ୍କମ୍ପାନୀରେ କାମ କରିବାକୁ ମୁମ୍ବାଇ ଓ.ଏମ.ଜୀ ଏଜେନସି ମାଧ୍ୟମରେ ଯାଇଥିଲେ l ତେବେ ସେଠାରେ ଚଳିତ ମାସ ୨୦ ତାରିଖ ଗୁରୁବାର ଦିନ ସୁମନ ର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ଦୁବାଇ ରୁ ତାଙ୍କ ଘରକୁ ଖବର ଆସିଥିଲା l ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ, ଦୁବାଇରୁ ବିମାନ ଯୋଗେ ବିଶାଖାପାଟନାମ୍ ବିମାନ ବନ୍ଦରରୁ ଆମ୍ବୁଲାନ୍ସ ଯୋଗେ ଗୁରବାର ରାତି ୮.୩୦ ସମୟରେ ନିଜ ବାସଭବନ ରେ ପହଞ୍ଚିଥିଲା ସୁମନଙ୍କ ମର ଶରୀର l ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ସ୍ମଶାନରେ ଶବ ସଂସ୍କାର କରାଯାଇଥିଲା l ସୁମନଙ୍କ ପରିବାର ଲୋକେ କହିବା ମୁତାବିକ ସାତଦିନ ତଳେ ଗୁରୁବାର ଦିନ ସୁମନର ସେଠାରେ କିପରି ମୃତ୍ୟୁହେଲା ତାହା କମ୍ପାନୀ ଆମକୁ ଜଣାଇନଥିଲା l କିନ୍ତୁ ସୁମନ ର ମୃତ୍ୟୁ ହୋଇଛି ବୋଲି ଆମ ପାଖକୁ ଶୁକ୍ରବାର ରାତିରେ ଖବର ଆସିଥିଲା l ଆମେ ଗରିବ ଆମର ରୋଜଗାରିଆ ପୁଅର କିପରି ମୃତ୍ୟୁ ହେଲା ତାହା ଆମକୁ ଜଣାନାହିଁ l ଓଡ଼ିଶା ସରକାରଙ୍କ ମାଧ୍ୟମରେ ଦୁବାଇ ରେ ଥିବା ଭାରତ ଏମ୍ବାସି ସହଯୋଗରେ ଗଲ୍ଫ ଏସିଆ କମ୍ପାନୀ ଠାରୁ ଆମକୁ କିଛି ସାହାଯ୍ୟ କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି l

  • ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା କମ୍ପ୍ୟୁଟରୀକରଣ କରାଯିବ

    ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା କମ୍ପ୍ୟୁଟରୀକରଣ କରାଯିବ

    ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଚାଷୀଙ୍କ ଉନ୍ନତି କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମବାୟ ସମତି (ଲ୍ୟାମ୍ପସ)ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସ କମ୍ପ୍ୟୁଟରୀକରଣ କରାଯିବ ।

    ଏଥିସହିତ ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କକୁ ମଧ୍ୟ କମ୍ପ୍ୟୁଟରୀକରଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ପ୍ୟାକ୍ସ ଓ ଲ୍ୟାମ୍ପସକୁ ଅଧିକ କ୍ରୀୟାଶୀୟ କରାଇବାକୁ ରାଜ୍ୟ ସରକାର ଯୋଜନା କରିବା ସହିତ ସେଗୁଡ଼ିକୁ ଆନୁଷଙ୍ଗିକ ସୁବିଧା ଯୋଗାଇବା ଲକ୍ଷ୍ୟରେ କମ୍ପ୍ୟୁଟରୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଏହି କାର୍ଯ୍ୟ ସମାପନ ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ନୂଆ କରି ଗଠିତ ହୋଇଥିବା ୧୪୯୪ଟି ପ୍ୟାକ୍ସର କାର୍ଯ୍ୟକାରିତା ନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହେବ ।

    ସମବାୟ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବା ବେେଳେ ଲକ୍ଷ୍ୟ ପୂରଣ ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ଯେ, ଦେଶର ପ୍ରଥମ ରାଜ୍ୟ ଭାବେ ରାଜ୍ୟର ୨୦୬୩ଟି ପ୍ୟାକ୍ସକୁ କମ୍ପ୍ୟୁଟଣୀକରଣ କ୍ଷେତ୍ରରେ ସାମିଲ କରିବା ନେଇ ରାଜ୍ୟ ସରକର ଗତ ବର୍ଷ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ୧୫ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ନିଯୁକ୍ତି ମିଳିଥିଲା । ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ ସହ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଥିଲା । ଏଥିସହିତ ରାଜ୍ୟରେ ୧୨୦୦ଟି ନୂଆ ପ୍ୟାକ୍ସ ଗଠନ ନେଇ ଚଳିତ ମାସରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

  • ୧୦ ହଜାର ଟଙ୍କାରେ ଛୁଆକୁ ବିକିଲା ମାଆ !

    ୧୦ ହଜାର ଟଙ୍କାରେ ଛୁଆକୁ ବିକିଲା ମାଆ !

    ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’। ଦାମ୍ପତ୍ୟ ଜୀବନରେ କଳହ ହେବାରୁ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ଜଣେ ମହିଳା ନିଜ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଶିଶୁ ବିକ୍ରି ନେଇ ଏଭଳି ଅଭିଯୋଗ ଆସିଛି।

    ଅଭିଯୋଗ ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଅକ୍ଷୟ ପଟେଲ ଗତ କିଛି ବର୍ଷ ପୂର୍ବେ ମାନସୀ ବାଗ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଓ ମାନସୀ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ କୌଣସି କାରଣକୁ ନେଇ ମାନସୀ ଓ ଅକ୍ଷୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଉଭୟ ଅଲଗା ରହୁଥିଲେ। ଛୁଆଟି ଅକ୍ଷୟଙ୍କ ପାଖରେ ରହୁଥିଲା।

    ହଠାତ୍‌ ଦିନେ ମାନସୀ ବୁଲାଇ ନେବାର ଆଳ କରି ସ୍ୱାମୀଙ୍କ ପାଖରୁ ଛୁଆକୁ ଆଣି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅକ୍ଷୟ ଓ ତାଙ୍କର ସମ୍ପର୍କୀୟ ଏହି ଅଭିଯୋଗ ଆଣିଛନ୍ତି। ଏନେଇ ଟିଟିଲାଗଡ଼ ଥାନାକୁ ଯାଇଥିଲେ ବି ଖବର ଲେଖାଯିବା ସୁଦ୍ଧା ପୋଲିସ ମାମଲା ରୁଜୁ କରିନଥିବା ଅଭିଯୋଗ ହୋଇଛି।