Month: July 2023

  • ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଯାଚିକା ଖାରଜ

    ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଯାଚିକା ଖାରଜ

    ପୁରୁଷ କମିଶନ ଗଠନର ସବୁ ବାଟ ବନ୍ଦ। ସୁପ୍ରିମ କୋର୍ଟରେ ଦାବି ଖାରଜ। ପୁରୁଷଙ୍କ ଉପରେ ହେଉନି ଘରୋଇ ହିଂସା, ଏହା ମାତ୍ର ଏକ ମାନସିକତା। ଘରୋଇ ହିଂସା ବିରୋଧରେ ପୁରୁଷ କମିଶନ ଗଠନ ପାଇଁ ହୋଇଥିବା ଯାଚିକାକୁ ଖାରଜ କରି ଏମିତି କହିଛନ୍ତି ସୁପ୍ରିମ କୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଶୁଣାଣି କାଳରେ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ କି କଣ ବିବାହର ତୁରନ୍ତ ପରେ ପରେ ମରୁଥିବା ବା ମାରି ଦିଆଯାଉଥିବା ମହିଳାଙ୍କ ତଥ୍ୟ ଦେଇପାରିବେ?

    ମାମଲାକୁ କୋର୍ଟ ସମ୍ପୂର୍ଣ୍ଣ ଏକତରଫା କହିବା ସହ କେହି କେବେ ଆତ୍ମହତ୍ୟା କରିବାକୁ ଚାହିଁ ନ ଥାଏ ଓ ଏହା ଭିନ୍ନ ଭିନ୍ନ ମାମଲାର ତଥ୍ୟ ଆଧାରିତ। ଏହା ଏକ ମାନସିକ ସ୍ଥିତି। ଅପରାଧିକ ଆଇନ ଦେଖାଶୁଣା କରିଥାଏ, କିନ୍ତୁ ଉପଚାର କରି ନ ଥାଏ ବୋଲି କହି ଯାଚିକା ଖାରଜ କରିଦେଇଛନ୍ତି କୋର୍ଟ। ପୁରୁଷ ବି ଘରୋଇ ହିଂସାର ଶିକାର ହେଉଛନ୍ତି। ସେମାନେ ମଧ୍ୟ ମହିଳାଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ଅନେକ ମଧ୍ୟ ଏଥିରେ ଅତିଷ୍ଠ ହୋଇ ନିଜ ଜୀବନ ନେଉଛନ୍ତି। ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଏକ ଦକ୍ଷ, ଆଇନଗତ ବ୍ୟବସ୍ଥାର ଆବଶ୍ୟକତା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା।

    ଅନେକ ବାଧା ବିଘ୍ନ, ଘାତ ପ୍ରତିଘାତର ସାମ୍ନା କରି ଶେଷରେ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା ଦାବି। ଓକିଲ ମହେଶ ତିୱାରୀଙ୍କ ଦ୍ୱାରା ପୁରୁଷ କମିଶନ ଗଠନ ଯାଚିକା ସୁପ୍ରିମ କୋର୍ଟରେ ଦାୟର ହୋଇଥିଲା। ଏଥିରେ ସେ ଏନସିଆରଟିର ୨୦୨୧ ଡାଟା ଦେଇଥିଲେ। ଏହି ଡାଟା ଅନୁଯାୟୀ, ଏହି ବର୍ଷ ୧ଲକ୍ଷ ୬୪ହଜାର ୩୩ ଲୋକ ନିଜ ଜୀବନ ନିଜେ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୧ହଜାର ୦୬୩ ପୁରୁଷ ଥିଲେ ଓ ୨୮ହଜାର ୬୮୦ ମହିଳା ଥିଲେ। ଅର୍ଥାତ୍ ମହିଳାଙ୍କଠାରୁ ଅଧିକ ପୁରୁଷ ଘରୋଇ ହିଂସାର ଶିକାର ହେଉଛନ୍ତି। ତେଣୁ ଘରୋଇ ହିଂସାର ଶିକାର ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଶା ନିର୍ଦ୍ଦେଶ ଜାରି କରିବାକୁ ହୋଇଥିଲା ଦାବି।

  • ଲାଞ୍ଚ ମାଗୁଥିଲେ ଯନ୍ତ୍ରୀ, ଟେବୁଲ ଉପରେ ପନିପରିବା ରଖି ପ୍ରତିବାଦ କଲା କଂଗ୍ରେସ

    ଲାଞ୍ଚ ମାଗୁଥିଲେ ଯନ୍ତ୍ରୀ, ଟେବୁଲ ଉପରେ ପନିପରିବା ରଖି ପ୍ରତିବାଦ କଲା କଂଗ୍ରେସ

    ‘ପିସି ଦିଅ,ରାସ୍ତା ନିର୍ମାଣ ହେବ’ । ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।

    ଅଡୁଆରେ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ । ତାଙ୍କ ନାଁରେ ଆସିଛି ଲାଞ୍ଚ ମାଗିବା ଅଭିଯୋଗ । କଟକ ଜିଲ୍ଲା ଖଣ୍ଡାଇତ ଗାଁକୁ ରାସ୍ତା ନିର୍ମାଣ ପାଇଁ ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ଲାଞ୍ଚ ମାଗିଥିଲେ । ଏହାକୁ ଘୋର ବିରୋଧ କରି କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏବଂ ଚାଷୀ, ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହଙ୍ଗାମା କରିଛନ୍ତି । ଇଞ୍ଜିନିୟରଙ୍କ ଟେବୁଲ ଉପରେ ବିଭିନ୍ନ ପ୍ରକାରର ପନିପରିବା ରଖି ଅଭିନବ ଉପାୟରେ ସେମାନେ ପ୍ରତିବାଦ କରିଛନ୍ତି ।

    ଅଫିସ ଭିତରେ କିଛି କଂଗ୍ରେସ କର୍ମୀ ଗାମୁଛା ପିନ୍ଧି, ସାର୍ଟ ଖୋଲି ପ୍ରତିବାଦ ଜଣାଇଛନ୍ତି । ରାସ୍ତା ନିର୍ମାଣ ପାଇଁ ୧୪ ଥର ଲୋକେ ଆସିଲାଣି । ମାତ୍ର ଏ ଦିଗରେ ଯନ୍ତ୍ରୀ କୌଣସି ସାହାଯ୍ୟ କି ସହଯୋଗ କରନାହାଁନ୍ତି । ଅନ୍ୟ ଲୋକଙ୍କ ସହାୟତାରେ ସେ ଏହି କାର୍ଯ୍ୟ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ । ହେଲେ ଆମ ପାଖରେ ଲାଞ୍ଚ ପାଇଁ ଟଙ୍କା ନାହିଁ । ଏବେ ପନିପରିବା ଆଣିଛୁ, ଯନ୍ତ୍ରୀ ଏହାକୁ ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ କର୍ମୀ ।

    congressprotest

    puttingvegetables

    askingforbribes

    superintendingengineer

  • କାଶ୍ମୀର ବିସ୍ଥାପିତଙ୍କୁ ମିଳିବ ପୈତୃକ ସମ୍ପତ୍ତି, ସରକାରଙ୍କ ବଡ ଘୋଷଣା

    କାଶ୍ମୀର ବିସ୍ଥାପିତଙ୍କୁ ମିଳିବ ପୈତୃକ ସମ୍ପତ୍ତି, ସରକାରଙ୍କ ବଡ ଘୋଷଣା

    କାଶ୍ମୀର ଉପତ୍ୟକାରେ ହିଂସା ହେତୁ ଉପତ୍ୟକା ଛାଡିବାକୁ ବାଧ୍ୟ ହୋଇଥିବା ବିସ୍ଥାପିତ କାଶ୍ମୀରବାସୀ ବର୍ତ୍ତମାନ ସେମାନଙ୍କର ପୋୖତୃକ ସମ୍ପତ୍ତି ଫେରି ପାଇପାରିବେ । କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଏହାର କାର୍ଯ୍ୟ ଆରମ୍ଭ କରିସାରିଛି। ବାସ୍ତବରେ ଜାମ୍ମୁ କାଶ୍ମୀର ସରକାର ଏକ ଅଭିଯୋଗ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି, ଯାହା ମାଧ୍ୟମରେ ଦେଶ ତଥା ବିଦେଶର ଯେକୌଣସି ସ୍ଥାନରେ ରହୁଥିବା ବିସ୍ଥାପିତ କାଶ୍ମୀରବାସୀ ସେମାନଙ୍କ ସମ୍ପତ୍ତି କିମ୍ବା କମ୍ ମୂଲ୍ୟରେ କ୍ରୟ ସମ୍ପର୍କରେ ଅଭିଯୋଗ ଦାଖଲ କରିପାରିବେ। ଏହି ଅଭିଯୋଗଗୁଡିକର ଅନୁସନ୍ଧାନ ପରେ ସରକାର ଅଭିଯୋଗକାରୀଙ୍କ ସମ୍ପତ୍ତି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫେରସ୍ତ କରିବେ।

    ଗଣମାଧ୍ୟମ ଖବର ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀ ଧମକ ଯୋଗୁଁ ଲକ୍ଷ ଲକ୍ଷ କାଶ୍ମୀରବାସୀଙ୍କୁ ଉପତ୍ୟକାରୁ ପଳାୟନ କରିବାକୁ ପଡୁଥିଲା, ସେତେବେଳେ ସେମାନଙ୍କ ସମ୍ପତ୍ତିକୁ ସୁରକ୍ଷିତ ରଖିବା ସରକାରଙ୍କ ଦାୟିତ୍ୱ ଥିଲା, କିନ୍ତୁ ସରକାର ଏଥିରେ ବିଫଳ ହୋଇଥିଲେ। ପଳାୟନ କରୁଥିବା ଲୋକଙ୍କ ଘର, ଦୋକାନ ଏବଂ ଅସ୍ଥାବର ସମ୍ପତ୍ତି ସବୁ କବଜା କରାଯାଇଥିଲା । ଏଥି ସହିତ, ବିସ୍ଥାପିତଙ୍କୁ ଧମକ ଦେଇ ସମ୍ପତ୍ତି ମଧ୍ୟ ଜବରଦସ୍ତ କ୍ରୟ କରାଯାଇଥିଲା। ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସରକାର ଏଭଳି ସମ୍ପତ୍ତି ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି।

    ଅଧିକାରୀ କହିଛନ୍ତି ଯେ ଅଭିଯୋଗ କରିବାକୁ ହେଲେ ପୋର୍ଟାଲରେ ତାଙ୍କ ନାମ ସହିତ ବର୍ତ୍ତମାନର ଠିକଣା ଉଲ୍ଲେଖ କରିବାକୁ ପଡିବ। ଏହା ସହିତ, କେଉଁ ଗ୍ରାମ, ଜିଲ୍ଲା କିମ୍ବା ତହସିଲରେ ପୋୖତୃକ ସମ୍ପତ୍ତି ଅଛି ତାହା ମଧ୍ୟ ଜଣାଇବାକୁ ପଡିବ | ଅଭିଯୋଗ ପଞ୍ଜିକରଣ କରିବା ପରେ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଜେ ଅଭିଯୋଗକାରୀଙ୍କୁ ଇମେଲ୍ କିମ୍ବା ଫୋନରେ ଯୋଗାଯୋଗ କରିବେ ଏବଂ ସେମାନଙ୍କୁ ସେମାନଙ୍କ ପୋୖତୃକ ସମ୍ପତ୍ତି ଫେରାଇ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ।

  • କେନ୍ଦୁଝର: ଛତୁ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    କେନ୍ଦୁଝର: ଛତୁ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

    କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଅଘଟଣ । ଭାଲୁ ଆକ୍ରମଣରେ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗାଁର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ଗୁରୁତର ବୃଦ୍ଧଙ୍କ ନାଁ ନିତ୍ୟାନନ୍ଦ ମହାନ୍ତ । ଆଜି ଭୋରରୁ ଗାଁର ୩-୪ ଜଣ ଲୋକଙ୍କ ସହ ମିଶି ସେ ଛତୁ ତୋଳିବାକୁ ବରାଙ୍ଗ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । ଠିକ୍ ଏତିକିବେଳେ ଏକ ଭାଲୁ ତାର ଦୁଇ ଛୁଆଙ୍କୁ ଧରି ଫେରୁଥିଲା । ଲୋକଙ୍କ ସହ ସାମ୍ନାସାମ୍ନି ହୋଇଥିବା ବେଳେ ଅନ୍ୟାମାନେ ଭାଲୁକୁ ଦେଖି ଦୌଡ଼ି ପଳାଇଥିଲେ । ହେଲେ ନିତ୍ୟାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

    ଭାଲୁ ଆକ୍ରମଣରେ ନିତ୍ୟାନନ୍ଦ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

  • ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

    ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

    ରାଜ୍ୟରେ ଏଯାଏ ମୌସୁମୀ ଏତେଟା ପ୍ରଭାବ ପକାଇପାରିନି । ଦୁର୍ବଳ ସ୍ଥିତି ଯୋଗୁଁ ଗତ ୨୪ ଘଣ୍ଟାରେ ୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୧୧ ମିମି ତୁଳନାରେ ୯୦ ପ୍ରତିଶତ କମ୍ ରହିଛି । ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ରହିଛି ।

    ମୌସୁମୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗଜପତି,ଗଞ୍ଜାମ,ନୂଆପଡ଼ା,ବଲାଙ୍ଗିର,ସୋନପୁର,ସମ୍ବଲପୁର,ଦେବଗଡ଼ ଓ ଯାଜପୁର ଜିଲ୍ଲା‌ରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୫ ତାରିଖରେ ରାୟଗଡ଼ା,ଗଜପତି,କନ୍ଧମାଳ,କଳାହାଣ୍ଡି,ମାଲକାନଗିରି,କୋରାପୁଟ,ନବରଙ୍ଗପୁର ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖରେ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।

    ମୟୂରଭଞ୍ଜ,ବାଲେଶ୍ବର,ଅନୁଗୁଳ, କେନ୍ଦୁଝର ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷିପାରେ । ସେହିଭଳି ଗଜପତି,ଗଞ୍ଜାମ,ରାୟଗଡ଼ା,ବଲାଙ୍ଗିର,ବରଗଡ଼,ବୌଦ୍ଧ ଆଦି ଜିଲ୍ଲାର କିଛି ଅଂଶରେ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି । ଆସନ୍ତାକାଲି ରାଜଧାନୀ ସମତେ ଏହାର ଆଖପାଖ ଅଞ୍ଚଳଗୁଡ଼ିକରେ ମେଘୁଆ ପାଗ ରହିବ ।