Month: July 2023

  • ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ

    ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ

    ଆଉ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ। ମାଲକାନଗିରି ଜିଲା ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ ସିମାଞ୍ଚଳ ସାହୁଙ୍କୁ କାବୁ କରିଛି ଭିଜିଲାନ୍ସ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ଏହା ପରେ ତାଙ୍କର ଦୁଇଟି ସ୍ଥାନ ଉପରେ ଚାଲିଛି ରେଡ।  

    ସୂଚନା ଅନୁଯାୟୀ, ମାଲକାନଗିରି ଏୟାର ଷ୍ଟ୍ରିପ ପାଇଁ ଅଧିଗ୍ରହଣ କାର୍ଯ୍ୟ ଚାଲିଛି। ଜଣେ ଜମି ମାଲିକଙ୍କ ୧.୫ ଡିସମିଲ ଜମିକୁ ଏୟାର ଷ୍ଟ୍ରିପ ପାଇଁ ସରକାର ଅଧିଗ୍ରହଣ କରିବା ସହ ଏଥି ବାବଦକୁ ମହିଳାଙ୍କୁ କମ୍ପେନସେସନ ଦିଆଯାଇଛି। କିନ୍ତୁ ମହିଳା  ସେହି ଜମିର ବିଭାଜନ କରିବାକୁ ଆରଆଇ ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଏହି କାମ ଲାଗି ସେ ମହିଳାଙ୍କଠାରୁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ମହିଳା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

    ଅଭିଯୋଗ ଆଧାରରେ ମହିଳା ଲାଞ୍ଚ ଟଙ୍କା ସାହୁଙ୍କୁ ଦେଉଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡି ବସିଥିଲେ। ଏଥିସହ ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଏହା ପରେ ତାଙ୍କର ଦୁଇଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଭିଭିଲାନ୍ସ ସାହୁଙ୍କ ସମ୍ପତ୍ତିକୁ ନେଇ ଖୋଳତାଳ ଚଳାଇଛି। ଚଢାଉ ପରେ ଅଧିକ ତଥ୍ୟ ହସ୍ତଗତ ହେବ।

    ଏହା ପୂର୍ବରୁ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଜୁନ ଶେଷ ଭାଗରେ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ତାଙ୍କ ଆୟର ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିଲା। ସେହିପରି  ୨୬ ଜୁନରେ ଡିଗପହଣ୍ଡି ଫରେଷ୍ଟ ରେଞ୍ଜର  କାହ୍ନୁ ଚରଣ ପଟ୍ଟନାୟକଙ୍କ ଗାଡିରୁ ୧.୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହି ମାମଲାରେ ତାଙ୍କର ୩ଟି ସ୍ଥାନ ଉପରେ ହୋଇଥିଲା ଚଢାଉ। ଏଥିରେ ତାଙ୍କ ନିକଟରୁ ୫ ଲକ୍ଷ ଠାବ କରିଥିଲା ତଦନ୍ତକାରୀ ସଂସ୍ଥା। ତା ପରଦିନ, ଅର୍ଥାତ୍ ୨୭ ଜାନୁଆରୀରେ ଦେଓଗଡ ରିମୋଲ ବ୍ଲକ ଆକାଉଣ୍ଟାଣ୍ଟ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ।

  • ପେଟର ଚର୍ବି କମେଇବାକୁ ହେଲେ କରିବାକୁ ପଡିବ ଏହି ସବୁ ଉପାୟ, ନହେଲେ…

    ପେଟର ଚର୍ବି କମେଇବାକୁ ହେଲେ କରିବାକୁ ପଡିବ ଏହି ସବୁ ଉପାୟ, ନହେଲେ…

    ଆଜିକାଲିର ବଡ ସମସ୍ୟା ପାଲଟିଛି ମୋଟାପଣ । ଆଉ ଏହି ମୋଟାପଣ କୁ ନେଇ ସମସ୍ତେ ଚିନ୍ତିତ । ସଠିକ ଖାଦ୍ୟ ବା ବାହାର ଖାଦ୍ୟ ଖାଇବା ଫଳରେ ଏପରି ସମସ୍ୟା ଦେଖାଯାଉଥିବା ବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପେଟରେ ଅଧିକ ଚର୍ବି ଜମିବା  । ଅନେକ ଲୋକ ପେଟର ମେଦବହୁଳତା ଦ୍ୱାରା ଅସୁବିଧାରେ ପଡ଼ନ୍ତି ।  ପ୍ରାୟତ ଆମେ ପ୍ରାରମ୍ଭିକ ପ୍ରଥମରୁ  କିଛି ଅସାବଧାନତା କରିଥାଉ ଯାହା ଦ୍ବାରା  ପେଟ ସହିତ ସମଗ୍ର ଶରୀରର ଆକୃତି ନଷ୍ଟ ହୋଇଯାଏ ।  ପେଟ କମାଇବା ପାଇଁ କିଛି ଲୋକ ମଧ୍ୟ ପଦକ୍ଷେପ ନିଅନ୍ତି, କିନ୍ତୁ ସଠିକ୍ ସମାଧାନର ଅଭାବ ହେତୁ ସମସ୍ତେ ମେଦବହୁଳତାର ଶିକାର ହେଉଛନ୍ତି ।  ତଥାପି, ଏମିତି କିଛି  ପ୍ରତିକାର ଅଛି ଯାହାକି କିଛି ଦିନ ମଧ୍ୟରେ ପେଟ ଏବଂ ଅଣ୍ଟା ଚର୍ବିକୁ ହ୍ରାସ କରିପାରେ । ଯଦି ଆପଣ ଏହି ପଦ୍ଧତିଗୁଡିକ ଗ୍ରହଣ କରନ୍ତି, ତେବେ ଆପଣ ସହଜରେ ଆପଣଙ୍କର ଅଣ୍ଟା ଏବଂ ପେଟକୁ ପତଳା କରିବାରେ ସକ୍ଷମ ହେବେ ଷ  ତେବେ ଆସନ୍ତୁ ଜାଣିବା ପେଟର ଚର୍ବି ହ୍ରାସ କରିବାର ପ୍ରାକୃତିକ ଉପାୟ । 
    
    1. ଖାଦ୍ୟରେ ନଡିଆ ତେଲ ବ୍ୟବହାର କରନ୍ତୁ  
    
    ଯଦି ତୁମେ ପ୍ରକୃତରେ ତୁମର ଓଜନ ଏବଂ ପେଟର ଚର୍ବି ହ୍ରାସ କରିବାକୁ ଚାହୁଁଛ, ତୁମେ ତୁମର ଖାଇବା ତେଲରେ   ନଡିଆ ତେଲ ସହିତ ବଦଳାଇ ପାରିବ | ହଁ! ନଡ଼ିଆ ତେଲ ଶରୀରରୁ ଚର୍ବି ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ ।
    
    
    2. ସକାଳେ ଜିରା ପାଣି ପିଅନ୍ତୁ ।
    
    ଜିରା ଏପରି ଏକ ମସଲା ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।  ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଭଲ କରିବା ପାଇଁ ଜିରା ମଧ୍ୟ ଏକ ଉତ୍ତମ ଉପାଦାନ  ।  ଏହା ଆପଣଙ୍କୁ ପେଟର ଚର୍ବି ଜାଳିବାରେ ସାହାଯ୍ୟ କରିଥାଏ ଏବଂ ଓଜନକୁ ପ୍ରଭାବଶାଳୀ ଭାବରେ ହ୍ରାସ କରିଥାଏ ।  ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଜିରା ପାଣି ପିଇପାରିବେ । 
    
    3. ସକାଳେ ଲେମ୍ବୁ ସହିତ ଗରମ ପାଣି। 
    
    ପେଟର ଚର୍ବି କମାଇବା ପାଇଁ ଏହା ହେଉଛି ସବୁଠାରୁ ସାଧାରଣ ଏବଂ ପ୍ରଭାବଶାଳୀ ପଦ୍ଧତି ।  ଲେମ୍ବୁ ପାଣି ଆପଣଙ୍କ ଅଣ୍ଟା ଚର୍ବିକୁ କୈାଣସି  ସମୟରେ ଅଦୃଶ୍ୟ କରିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ ।  ତୁମକୁ କେବଳ କିଛି ବୁନ୍ଦା ଲେମ୍ବୁକୁ ଗରମ ପାଣିରେ ମିଶାଇବାକୁ ପଡିବ ଏବଂ ଯଦି ତୁମେ ଚାହଁ ତୁମେ ଏକ ଚାମଚ କଳା ଲୁଣ ମିଶାଇ ପାରିବ । ଏହା ସହିତ, ଏଥିରେ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ  ।  ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ପିଇବେ ତେବେ ମେଦବହୁଳ ଲୋକଙ୍କ ପାଇଁ ଏହି ଉପଚାର ଅତ୍ୟନ୍ତ ପ୍ରଭାବଶାଳୀ ।
    
    4. ରସୁଣ ପ୍ରଭାବଶାଳୀ ଅଟେ ।
    
    ସକାଳେ ରସୁଣ ଖାଇବା ଦ୍ହାରା ଆପଣଙ୍କ ମେଟାବୋଲିଜିମ୍ ବଢାଇବାରେ ବହୁତ ସହାୟକ ହୋଇପାରେ ।  ଆପଣ ରସୁଣକୁ  ଗୁଣ୍ଡ କରି  କିମ୍ବା ରସୁଣ ପାଣି ତିଆରି କରି ଏହାକୁ ପିଇ ପାରିବେ | ରସୁଣ ପେଟର ଚର୍ବିକୁ ବହୁ ପରିମାଣରେ ହ୍ରାସ କରିପାରେ ବୋଲି ବିଶ୍ୱାସ କରାଯାଏ । 
    
    5. ପ୍ରଚୁର ପାଣି ପିଅନ୍ତୁ  । 
    
    ଯଥାସମ୍ଭବ ସାଧା ପାଣି ପିଇବା ଆରମ୍ଭ କରନ୍ତୁ | ଗ୍ରୀଷ୍ମ ଋତୁରେ, ଆମ ଶରୀର ଶୀଘ୍ର ଡିହାଇଡ୍ରେଟ୍ ହୋଇଯାଏ ଏପରି ପରିସ୍ଥିତିରେ, ପାଣି ବଦଳରେ ଆମେ ଅସ୍ୱାସ୍ଥ୍ୟକର ଜିନିଷ ପିଇବା  ଆରମ୍ଭ କରିଥାଉ, ଯାହା ଆମକୁ ଓଜନ ବଢାଇବା  ସହିତ ଅସୁସ୍ଥ କରିପାରେ | ତେଣୁ ଯଥାସମ୍ଭବ ପାଣି ପିଅନ୍ତୁ |
     
     
     
     
  • ଡିଏନଗ୍ରୁପ ଉପରେ ଆୟକର ରେଡ

    ଡିଏନଗ୍ରୁପ ଉପରେ ଆୟକର ରେଡ

    ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ ଏକକାଳୀନ ଚଢ଼ାଉ ଚାଲିଛି । ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା କୁହାଯାଉଛି । ଡିଏନ ଗ୍ରୁପ୍ ଦ୍ୱାରା ଟିକସ ଫାଙ୍କି ଅଭିଯୋଗରେ ଏହି ରେଡ୍ ହେଉଥିବା ଅଫିସିଆଲ୍ ସୂତ୍ର କହୁଥିବା ବେଳେ ଏହା ପଛରେ ରାଜନୀତି ଥିବା ଚର୍ଚ୍ଚା ହେଉଛି ।

    ସୂଚନା ଅନୁଯାୟୀ, ଆୟକର ଟିମ୍ ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରର ୨୫ ରୁ ଅଧିକ ଜାଗାରେ ଏକକାଳୀନ ଚଢ଼ାଉ କରିଛନ୍ତି । ସେମାନେ ସଂସ୍ଥାର ଆୟ ବ୍ୟୟ କାଗଜପତ୍ର ଯାଞ୍ଚ କରିବା ସହ ଠିକ୍ ଭାବରେ ଆୟକର ଦିଆଯାଉଛି ନା ନାହିଁ ଯାଞ୍ଚ କରୁଛନ୍ତି । ଭୁବନେଶ୍ୱରରେ ଆଇଆରସି ଭିଲେଜ୍ ସ୍ଥିତ ଡିଏନ ଗ୍ରୁପ୍ ର ମୁଖ୍ୟ କାର୍ଯ୍ୟାଳୟ, ଘାଟିକିଆସ୍ଥିତ ବିପୁଳ ଗାର୍ଡେନ୍ ରେ ରହୁଥିବା ସଂସ୍ଥାର ମାଲିକ ଜଗଦୀଶ ପ୍ରସାଦ ନାୟକ, ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ଓ କିଛି ଅଧିକାରୀଙ୍କର ଘର ଏବଂ ୟୁନିଟ୍-୪ ସ୍ଥିତ ବିଏସଏନଏଲ କଲୋନୀରେ ଭଡ଼ାରେ ରହୁଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଚଢ଼ାଉ ଚାଲିଛି ।

    ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଶେଖରଙ୍କ ଘରୁ ତିନି ଟ୍ରଙ୍କ୍ ଏବଂ ଗୋଟିଏ ଆଟାଚ୍ ଭର୍ତ୍ତି ଟଙ୍କା ଆୟକର ଅଧିକାରୀମାନେ ଜବତ କରିଛନ୍ତି । ଏଥିରେ ୩୦ କୋଟି ଟଙ୍କା ଅଛି । ତେବେ ଆୟକର ବିଭାଗର ଅଧିକାରୀମାନେ ଏ ସମ୍ପର୍କରେ କିଛି କହିନାହାନ୍ତି । ଖୋଳତାଡ଼ ଜାରି ରହିଥିବାରୁ ସୂଚନା ଦେବାକୁ ସେମାନେ ମନା କରିଛନ୍ତି ।

  • ସମୁଦ୍ରରେ ଗାଧୋଉଥିବା ବେଳେ କରେଣ୍ଟରେ ପଡ଼ିଲେ ପର୍ଯ୍ୟଟକ

    ସମୁଦ୍ରରେ ଗାଧୋଉଥିବା ବେଳେ କରେଣ୍ଟରେ ପଡ଼ିଲେ ପର୍ଯ୍ୟଟକ

    ସମୁଦ୍ର ସ୍ନାନର ମଜା ନେବାକୁ ପୁରୀ ଆସି ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୫ ପର୍ଯ୍ଯଟକ। ଦିଗବାରେଣି ଛକ ବେଳାଭୂମିରେ ଗାଧୋଉଥିବା ବେଳେ କରେଣ୍ଟରେ ପଡ଼ି ୫ଜଣ ପର୍ଯ୍ୟଟକ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ତେବେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ହରଚଣ୍ଡୀ ଲାଇଫ ଗାର୍ଡ ସଦସ୍ୟମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା‌ ପାଇଁ ସମୁଦ୍ର ଭିତରକୁ ଯାଇଥିଲେ। ପାଣି ଭିତରେ ଥିବା କରେଣ୍ଟ ଏହି ପର୍ଯଟକ ମାନଙ୍କୁ ଅନେକ ଭିତରକୁ ଟାଣି ନେଇଥିଲେ ମଧ୍ୟ ଶେଷରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଲାଇଫ ଗାର୍ଡ ମାନେ।
    ଉଦ୍ଧାର ହୋଇଥିବା ପର୍ଯ୍ୟଟକ ମାନେ ହେଲେ ଆଗ୍ରାର ହରି ସିଂହ, ହରିୟଣାର ବିକାଶ ରାୟ, ଝାଡଖଣ୍ଡର ବିଦେଶ ରାମ ରାୟ, ଅମନ୍ ରାୟ ଏବଂ ଆସାମର ନିରଜ୍ ବୋରା। ଉଦ୍ଧାର ପରେ ପର୍ଯ୍ୟଟକମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ସମୁଦ୍ରରେ କରେଣ୍ଟ ଥିବା ସମୟରେ ଲାଇଫ ଗାର୍ଡ ମାନଙ୍କ କଥା ପର୍ଯ୍ୟଟକ ମାନେ ମାନୁ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ସଭାପତି ବାଡ଼ି ଶିବା ରାଓ କହିଛନ୍ତି। ସେହିଭଳି ବର୍ତ୍ତମାନ ସୁଦ୍ଧା ପୁରୀ ସମୁଦ୍ରରେ ଲାଇଫ ଗାର୍ଡମାନେ ସେହି ପାରମ୍ପରିକ ଜ୍ଞାନ କୌଶଳ ଆଧାରରେ ଲାଇଫ ଗାର୍ଡିଂ କରୁଥିବାରୁ ସେମାନଙ୍କୁ ଆଧୁନିକ ସୁବିଧା ଓ ଟ୍ରେନିଂ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମହାସଂଘର ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ କହିଛନ୍ତି।
    ୨୦୧୫ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେଣି। ଏଥି ମଧ୍ୟରୁ ଅନେକଙ୍କ ମୃତ୍ୟୁ ରିପ୍‌ କରେଣ୍ଟ ପାଇଁ ହେଉଥିବା ଲାଇଫ୍‌ଗାର୍ଡମାନେ କହୁଛନ୍ତି। ବାସ୍ତବ କଥା ହେଉଛି, ସମୁଦ୍ରରେ ପାଣି ଭିତରେ ବେଳେବେଳେ ରିପ୍‌ କରେଣ୍ଟ ସୃଷ୍ଟି ହୁଏ। ଏହା କ୍ଷୀପ୍ର ଗତି ଲହଡ଼ି ଭାଙ୍ଗି ସୃଷ୍ଟି ହୋଇଥାଏ। ଏହାକୁ ସାଧାରଣ ପର୍ଯ୍ୟଟକ ଚିହ୍ନଟ କରିବା ସମ୍ଭବ ହୋଇନଥିଲେ ହେଁ ଲାଇଫ୍‌ଗାର୍ଡମାନେ ଏଭଳି ସ୍ଥିତି ଦେଖିଲେ ପର୍ଯ୍ୟଟକଙ୍କୁ ସେହି ସ୍ଥାନକୁ ନ ଯିବାକୁ ବାରଣ କରନ୍ତି। କିନ୍ତୁ ଅଧିକାଂଶ ପର୍ଯ୍ୟଟକ ଲାଇଫ୍‌ଗାର୍ଡଙ୍କ ପରାମର୍ଶ ମାନନ୍ତି ନାହିଁ ଓ ମୃତ୍ୟୁମୁଖରେ ପଡନ୍ତି ବୋଲି ଲାଇଫଗାର୍ଡ କୁହନ୍ତି।

  • ଛେଳିର ଆଖି ଗଳାରେ ଅଟକିବାରୁ…

    ଛେଳିର ଆଖି ଗଳାରେ ଅଟକିବାରୁ…

    ଛତିଶଗଡର ସୁରଜପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଛେଳିର ଆଖି ଜଣେ ବ୍ୟକ୍ତିର ମୃତ୍ୟୁ ହେବାର କାରଣ ପାଲଟିଛି | ଜଣେ ବ୍ୟକ୍ତି ଗୋଟିଏ ଛେଳିର ଆଖି କଞ୍ଚା ଗିଳିଦେଇଥିଲେ। କିନ୍ତୁ ଆଖିଟି ତାଙ୍କ ଗଳାରେ ଲାଖିଯାଇଥିଲା। ଫଳରେ ତାଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ​​| ଏହି ଘଟଣା ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ସୁରଜପୁର କୋଟୱାଲୀ ପୋଲିସ ଷ୍ଟେସନ ଅଧୀନରେ ଘଟିଛି।
    କଥାରେ ଅଛି ଆମେ ଆଜି ଯାହାକୁ ମାରି ଖାଉଛୁ, ସେ ଆରଜନ୍ମରେ ଆମକୁ ଖାଇବ। କିନ୍ତୁ ଛତିଶଗଡ଼ରେ ଏହି ଜନ୍ମରେ ହିଁ ଛେଳି ନେଇଛି ତାର ପ୍ରତିଶୋଧ ଓ ତାକୁ ହତ୍ୟାକରିଥିବା ବ୍ୟକ୍ତିର ନେଇଛି ଜୀବନ।

    ଗତ ରବିବାର ଦିନ ରାମାନୁଜନଗର ପୋଲିସ ଷ୍ଟେସନ ଅଞ୍ଚଳର ମଦନପୁର ଗାଁର ବାଗର ସିଂ (୪୫ ବର୍ଷ), ରାକେଶ ସିଂ ଏବଂ ଅନ୍ୟ ଜଣେ ଜିଲ୍ଲାର ପ୍ରସିଦ୍ଧ ଖୋପା ଧାମରେ ​​ ମାନସିକ ପୂରଣ ହେବା ପରେ ଗୋଟିଏ ବୋଦା ବଳି ଦେଇଥିଲେ। ଉକ୍ତ ଛେଳିର ମୁଣ୍ଡ ରାନ୍ଧିବା ଏବଂ ଖାଇବା ପାଇଁ ସେମାନେ ସୁରଜପୁର ନିକଟ ପ୍ୟାରୀ ଗାଁର ନର୍ସରୀରେ ପହଞ୍ଚିଥିଲେ। ଜଣେ ଯୁବକ ରୋଷେଇ ପାଇଁ ଛେଳିର ମୁଣ୍ଡ କାଟୁଥିଲେ।

    ଏହି ସମୟରେ ବାଗର ସିଂ କହିଲେ ଯେ ସେ ଛେଳିର ଆଖି କଞ୍ଚା ଖାଇବେ। କିନ୍ତୁ ଏପରି ନ କରିବାକୁ ତାଙ୍କ ସହ ଥିବା ସାଥୀମାନେ ତାଙ୍କୁ ବାରଣ କରିଥିଲେ ଏବଂ ଆଖି ଭାଜି ଖାଇବାକୁ କହିଥିଲେ। କିନ୍ତୁ ବାଗର ସେମାନଙ୍କ କଥା ଶୁଣି ନଥିଲେ ଏବଂ ଆଖିକୁ କଞ୍ଚା ଗିଳି ଦେଇଥିଲେ। ହେଲେ ତଣ୍ଟିରେ ଅଟକି ଯାଇଥିଲା। ସେ ଏହାକୁ ଗିଳିବାକୁ ବହୁ ଚେଷ୍ଟା କରିଥିଲେ ବି ତାହା ତଣ୍ଟିରୁ ଆଉ ଭିତରକୁ ଯାଇ ନ ଥିଲା କି ବାହାରକୁ ବାହାରି ନ ଥିଲା। ଫଳରେ ନିଃଶ୍ବାସପ୍ରଶ୍ବାସ ନେଇ ନ ପାରି ସେ ସେଠାରେ ଭୂଇଁ ଉପରେ ପଡି ଛଟପଟ ହୋଇଥିଲେ। ଏହା ଦେଖି ସାଥିମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତରଖାନାରେ ଆଖିକୁ ତାଙ୍କ ଗଳାରୁ ବାହାର କରିବାକୁ ଡାକ୍ତରମାନେ ଚିକତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

  • ପୂର୍ବତନ ଫାଷ୍ଟ ବୋଲର ପ୍ରବୀଣ କୁମାରଙ୍କ କାରକୁ ଧକ୍କା ମାରିଲା କ୍ୟାଣ୍ଟର

    ପୂର୍ବତନ ଫାଷ୍ଟ ବୋଲର ପ୍ରବୀଣ କୁମାରଙ୍କ କାରକୁ ଧକ୍କା ମାରିଲା କ୍ୟାଣ୍ଟର

    ପୂର୍ବତନ ଫାଷ୍ଟ ବୋଲର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ପ୍ରବୀଣଙ୍କ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ବେଳେ ପ୍ରବୀଣଙ୍କ କାରରେ ତାଙ୍କ ସହ ତାଙ୍କ ପୁଅ ଥିଲେ।ମଙ୍ଗଳବାର ବିଳମ୍ବିତ ରାତିରେ ମେରଠ ସିଟିରେ ଏହି ଦୁର୍ଘଟଣା ହୋଇଛି।

    ଭାରତୀୟ ଦଳର ପୂର୍ବତନ ଖେଳାଳି ପ୍ରବୀଣ କୁମାରଙ୍କ କାରରେ ଯାଉଥିବାବେଳେ ତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବା କ୍ୟାଣ୍ଟର ଧକ୍କା ଦେଇଥିଲା। ତାଙ୍କ ପୁଅ ମଧ୍ୟ ସେହି ସମୟରେ ପ୍ରବୀଣଙ୍କ ସହ କାରରେ ଥିଲେ ଏବଂ ଦୁହେଁ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ କ୍ୟାଣ୍ଟର ଡ୍ରାଇଭରକୁ ଘଟଣାସ୍ଥଳରୁ ଧରିଥିଲା।

    ପ୍ରବୀଣ କୁମାର ୪ ଜୁଲାଇ ରାତି ୧୦ ଟା ସମୟରେ ତାଙ୍କ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗାଡିରେ ମେରଠ ପାଣ୍ଡବ ନାଗରରୁ ଆସୁଥିଲେ। ଗାଡି କମିଶନରଙ୍କ ବାସଭବନ ନିକଟରେ ପହଞ୍ଚିଲା ବେଳେ ତାଙ୍କ ଗାଡିକୁ ଏକ କ୍ୟାଣ୍ଟର ଆଗପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପ୍ରବୀଣଙ୍କ ଗାଡିଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ, ସୌଭାଗ୍ୟକୁ ପ୍ରବୀଣ ଏବଂ ତାଙ୍କ ପୁଅ ବର୍ତ୍ତି ଯାଇଛନ୍ତି।

    ଦୁର୍ଘଟଣା ପରେ ସିଭିଲ୍ ଲାଇନ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କ୍ୟାଣ୍ଟର ଡ୍ରାଇଭରକୁ ଧରିବାରେ ସଫଳ ହୋଇଛି। ଏହି ଦୁର୍ଘଟଣା ସମ୍ପର୍କରେ ସିଓ କହିଛନ୍ତି ଯେ ପ୍ରବୀଣ କୁମାର ଏବଂ ପୁଅ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ ପ୍ରବୀଣ କୁମାରଙ୍କ ଘର ମେରଠ ସହରର ବାଗପାଟ ରୋଡରେ ଅବସ୍ଥିତ ମୁଲତାନ ନାଗରରେ ।

    ପ୍ରବୀଣ କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ, ଏକ ସମୟରେ ସେ ଟିମ୍ ଇଣ୍ଡିଆ ପାଇଁ ସୀମିତ ଓଭର ଫର୍ମାଟରେ ମୁଖ୍ୟ ବୋଲରଙ୍କ ଭୂମିକା ଗ୍ରହଣ କରୁଥିଲେ। ୨୦୦୮ ମସିହାରେ, ଯେତେବେଳେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସିବି ସିରିଜ୍ ଜିତିଥିଲା, ସେତେବେଳେ ପ୍ରବୀଣ କୁମାରଙ୍କ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲା ।

  • ଭିତରକନିକା: ଗଣନା ଶେଷ, ଗତବର୍ଷ ପରି ଏଥର ମଧ୍ୟ ୧୨୨ କୁମ୍ଭୀର ବସା

    ଭିତରକନିକା: ଗଣନା ଶେଷ, ଗତବର୍ଷ ପରି ଏଥର ମଧ୍ୟ ୧୨୨ କୁମ୍ଭୀର ବସା

    ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ବସା ଗଣନା ଶେଷ ହୋଇଛି । କନିକା ରେଞ୍ଜରେ ସର୍ବାଧିକ ବସା ଚିହ୍ନଟ କରିଛି ବନ ବିଭାଗ । ଏବେ କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ନଜର ରଖିଛି ଟିମ୍ ।

    ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୨୨ଟି କୁମ୍ଭୀର ବସା ଗଣନା ହୋଇଥିଲା । ଚଳିତବର୍ଷ ମଧ୍ୟ ସମାନ ସଂଖ୍ୟକ ବସା ଚିହ୍ନଟ କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୭ଟି ବସା ରହିଛି ।

    କନିକା ରେଞ୍ଜର ଭିତରକନିକା,ରଗଡ଼ାପାଟିଆ,ଡାଙ୍ଗମାଳ,ସାଉଥ୍ ମହିଁଷାମଡ଼ା,ନର୍ଥ ମହିଁଷାମଡ଼ା ଏବଂ କାଳିଭଞ୍ଜଡିଆରେ ଏହି ବସା ଚିହ୍ନଟ ହୋଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି । ସେହିପରି ରାଜନଗରରେ ୧୨ଟି, ଗହୀରମଥାରେ ଗୋଟିଏ ଏବଂ ମହାକାଳପଡ଼ାରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ଗତବର୍ଷ ତୁଳନାରେ କନିକା ରେଞ୍ଜରେ କୁମ୍ଭୀର ବସା କମିଥିବା ବେଳେ ରାଜନଗର ରେଞ୍ଜରେ ବୃଦ୍ଧି ଘଟିଛି ।

    ସେପଟେ,ଏବେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଚାଲିଛି । ତେଣୁ ପ୍ରତିବର୍ଷ ଭଳି ଚଳିତବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ । ଏହି ସମୟରେ ମା’ ବଉଳା କୁମ୍ଭୀରମାନେ ନଦୀର ଜୁଆର ଠାରୁ ୫ ଫୁଟ ଦୂରତାରେ ନଦୀ ପଠାରେ ବସା ବାନ୍ଧିଥାନ୍ତି । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ଥାଏ । ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମେ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରହିଛି ।

  • ‘ଶାଲିଗ୍ରାମ ଶାଲ’ ଆପ୍ ଜରିଆରେ ବେଆଇନ୍ ଅର୍ଥ ଆଦାୟ ଅଭିଯୋଗ

    ‘ଶାଲିଗ୍ରାମ ଶାଲ’ ଆପ୍ ଜରିଆରେ ବେଆଇନ୍ ଅର୍ଥ ଆଦାୟ ଅଭିଯୋଗ

    ପୁଣି ମହାପ୍ରଭୁଙ୍କ ପୂଜା ନାଁରେ ଅନଲାଇନରେ ଠକେଇ । ବିଭିନ୍ନ ଆପ୍ ମାଧ୍ୟମରେ ଭକ୍ତଙ୍କୁ ମନେଇବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଆପ୍ ଜରିଆରେ ମାଲେମାଲ ହେଉଛନ୍ତି ଦଲାଲ ଯାହାକୁ ନେଇ ଚିନ୍ତା ବଢ଼ିଛି ।

    ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ବି ଛାଡ଼ିଲେନି ଦଲାଲ । ତାଙ୍କୁ ମାଧ୍ୟମ କରି ବେଶ୍ କିଛି ଅର୍ଥ ରୋଜଗାର କରୁଛନ୍ତି । ଉତ୍ସବ ପରେ ପୁଣି ଥରେ ମହାପ୍ରଭୁଙ୍କ ନାଁରେ ଆଉ ଏକ ଆପ୍ ଦେଖିବାକୁ ମିଳିଛି । ‘ଶାଲିଗ୍ରାମ ଶାଲ’ଆପ୍‌ ଜରିଆରେ ଶ୍ରଦ୍ଧାଳୁଙ୍କୁ ମନାଯାଉଛି । ଶାଲିଗ୍ରାମ୍‌ ଡଟ୍‌ କମ୍‌ ନାଁରେ ୱେବସାଇଟରେ ବ୍ରାହ୍ମଣ ଭୋଜନବେଳର ଏକ ଫଟୋ ପକାଯାଇ ଦର ମଧ୍ୟ ସ୍ଥିର ହୋଇଛି । ୧୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ଆପଣଙ୍କୁ ୬ ହଜାର ଅର୍ଥାତ୍ ୭୯ ଆମେରିକୀୟ ଡଲାର ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି । ଏହା ପୁଣି ୫୦ ପ୍ରତିଶତ ଡିସ୍‌କାଉଣ୍ଟ ରେଟ୍‌ରେ ମିଳିବ । ଜଗନ୍ନାଥଙ୍କ ପୂଜା, ମନ୍ତ୍ର, ଜପ ଓ ଯଜ୍ଞ ପାଇଁ ୫୦ ପ୍ରତିଶତ ରିହାତିରେ ରେଟ୍‌ ରହିଛି ୪ ହଜାର ୫୦୦ ଟଙ୍କା ଅର୍ଥାତ୍ ପ୍ରାୟ ୫୯ ଡଲାର । ସେହିପରି ତିନି ବିଗ୍ରହଙ୍କ ପୂଜା ପାଇଁ ୧୧୫୦୦ ଟଙ୍କା, ୩ ଜଣ ପୂଜକଙ୍କ ଦ୍ୱାରା ଗୋଟିଏ ଦିନ ସିଦ୍ଧ ପୂଜା ପାଇଁ ୧୨ ହଜାର ଟଙ୍କା ଅର୍ଥାତ୍ ୧୫୯ ଡଲାର ଲାଗିବ ବୋଲି ମୂଲ୍ୟ ସ୍ଥିର ହୋଇଛି ।

    ମହାପ୍ରଭୁଙ୍କ ପୂଜା, ବ୍ରାହ୍ମଣ ଭୋଜନ, ହୋମ, ଯଜ୍ଞ ନାଁରେ ଅନ୍‌ଲାଇନରେ ବିଜ୍ଞାପନ ଦେଇ ବଡ଼ ଧରଣର ଠକେଇ ଚାଲିଛି । ସମ୍ପୃକ୍ତ ଠକ ସଂସ୍ଥା ବିରୋଧରେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ବଡ଼ ଧରଣର ଠକେଇ ଚାଲିଛି । ବିଶ୍ୱସ୍ତରରେ ମହାପ୍ରଭୁଙ୍କ ଛବିକୁ ନିନ୍ଦିତ କରାଯାଉଛି । ଏଭଳି କାର୍ଯ୍ୟରେ ସଂପୃକ୍ତ ସଂସ୍ଥା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତ ପକ୍ଷରୁ ଦାବି ହୋଇଛି ।

    ସେପଟେ ବରିଷ୍ଠ ଦଇତାପତି ସେବାୟତଙ୍କ କହିବାନୁସାରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇ ଭକ୍ତମାନେ ଦାନ କରିପାରିବେ । ଶ୍ରଦ୍ଧାଳୁମାନେ ଏମିତି କୌଣସି ଆପ୍ ଜରିଆରେ ଟଙ୍କା ନ ଦେବାକୁ ଆହ୍ୱାନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏପରି ଅନ୍‌ଲାଇନ୍‌ ଠକେଇକୁ ଗୁରୁତର ସହ ନେଇଛି । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି । ଗତ ମାସରେ ‘ଉତ୍ସବ’ ଆପ୍ ଧରାପଡ଼ିଥିଲା । ଭକ୍ତଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଚାଲିଥିଲା । ସିଂହଦ୍ୱାର ଥାନାରେ ଏତଲା ପରେ ଆସନ୍ତା ୭ ତାରିଖରେ ସଂସ୍ଥାର କର୍ତ୍ତୃପକ୍ଷ,ପୋଲିସ ନିକଟରେ ହାଜର ହେବାକୁ ନୋଟିସ କରାଯାଇଛି ।

    ଏଭଳି ଅନଲାଇନ୍ ସେବା କେବେଠାରୁ ଆରମ୍ଭ ହୋଇଛି । ପୂଜା କରିବା ପାଇଁ ଦେଶୀବିଦେଶୀ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନିଆଯାଉଛି । ଏଥିରେ କାହାର କ୍ଷତି ହେଉଛି, କିଏ ବଦନାମ ହେଉଛି ରାଜ୍ୟବାସୀ, ଜଗନ୍ନାଥପ୍ରେମୀ ଜାଣିବା ଉଚିତ ।