Month: July 2023

  • ଯାଜପୁର: ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଥାନା ଏସଆଇ

    ଯାଜପୁର: ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଥାନା ଏସଆଇ

    ଅଡୁଆରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏସଆଇ ନିର୍ମଳ କୁମାର ସେନାପତି । ଲାଞ୍ଚ ନେଇ ସେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

    ସୂଚନା ଅନୁସାରେ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରିଥିଲେ ସୁକିନ୍ଦା ତହସିଲଦାର । ଏହି ଗାଡ଼ିକୁ ସେ ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ଏହି ଘଟଣାରେ ସୁକିନ୍ଦା ପୋଲିସ ଏକ ମାମଲା ରୁଜ୍ଜୁ କରିଥିଲା । ବାଲି ଗାଡ଼ି ଡ୍ରାଇଭର ମନୋହରପୁର ଗାଁର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେହି ବାଲି ବୋଝେଇ ଗାଡ଼ି ଥାନାରୁ ଖଲାସ କରିବା ପାଇଁ ଗାଡ଼ି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି । ଏହି ଘଟଣାରେ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତିଙ୍କ ଘରେ ଚଢ଼ାଉ କରିବା ପରେ ତାଙ୍କୁ କଟକ ନିଆଯାଇଛି ।

    ରାଜ୍ୟରେ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି । ପିଅନ, କ୍ଲର୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀ ଲାଞ୍ଚ ନେଉଥିବା ଅଭିଯୋଗ ଆସୁଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗିରଫ ହେଲେଣି । କେଉଁଠି କୋଟିପତି ପିଅନ ତ ଆଉ କେଉଁଠି କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଭିଜିଲାନ୍ସ ବିଭାଗ ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରଖିଛି ।

  • ସକ୍ରିୟ ହେଲା ମୌସୁମୀ,ଆଜିଠୁ ରାଜ୍ୟରେ ବଢିବ ବର୍ଷା

    ସକ୍ରିୟ ହେଲା ମୌସୁମୀ,ଆଜିଠୁ ରାଜ୍ୟରେ ବଢିବ ବର୍ଷା

    ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିଲୋମିଟର ଉଚ୍ଚତା ମଧ୍ୟରେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନିରରୁ ବାହାରି ଚୁରୁ, ଗୁନା, ସିଦ୍ଧି, ଅମ୍ବିକାପୁର ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗିରହିଛି ଏବଂ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁନର୍ବାର ସ୍ୱାଭାବିକ ସ୍ଥିତିକୁ ଫେର ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

    ଯାହାଫଳରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ଅତି ପ୍ରବଳ ବର୍ଷା ପାଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ସେହିଭଳି କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି।

    ସେପଟେ ଚଳିତ ମୌସୁମୀ ସିଜିନ୍ ଜୁନ୍ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୨୫୫.୮ ମିଲିମିଟର ବର୍ଷା ହେବା କଥା । ତେଣୁ ଏଥର ସ୍ବାଭାବିକ ବର୍ଷାଠାରୁ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା ୫ ଦିନ ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

  • ୱେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ପାଣ୍ଡ୍ୟା କ୍ୟାପ୍ଟେନ

    ୱେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ପାଣ୍ଡ୍ୟା କ୍ୟାପ୍ଟେନ

    ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ। ଏହି ସିରିଜ ଅଗଷ୍ଟ ୧୩ ଯାଏ ଚାଲିବ। ବ୍ରାଏନ ଲାରା ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଗୁଏନାରେ ଥିବା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦ୍ୱିତୀୟ ଓ ତୃତୀୟ ଟି-୨୦ ଖେଳାଯିବ। ଏହାପରେ ଶେଷ ଦୁଇଟି ମ୍ୟାଚ୍‌ ଆମେରିକାରେ ଅନୁଷ୍ଠିତ ହେବ। ଏହି ୫ ଟିକିଆ ସିରିଜ ପାଇଁ ଆଜି ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି।

    ବିସିସିଆଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ୫ ଟିକିଆ ସିରିଜ ପାଇଁ ଭାରତୀୟ କ୍ୟାପ୍ଟେନ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମନୋନିତ କରିଛି। ସୂର୍ଯ୍ୟ କୁମାର ଯାଦବ ଡେପୁଟି କ୍ୟାପ୍ଟେନ ଭାବେ କାମ କରିବେ। ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ଏହି ଟି-୨୦ ସିରଜରେ ସାମିଲ କରାଯାଇ ନାହିଁ। ଦଳରେ ନୂଆ ମୁହଁ ଭାବେ ତିଲକ ବର୍ମା ଓ ଯଶସ୍ୱୀ ଜୈସୱାଲ ସୁଯୋଗ ପାଇଛନ୍ତି। ବରିଷ୍ଠ ଖେଳାଳିଙ୍କୁ ବାଦ ଦେଇ ବିସିସିଆଇର ଚୟନ କମିଟି କିଛି ଯୁବ ତାରକାଙ୍କୁ ସୁଯୋଗ ଦେଇଛି।

    ଭାରତର ଦ୍ରୁତ ବୋଲିଂର କମାଣ ମଧ୍ୟ ଉମ୍ରାନ ମଲିକ, ଆଭେଶ ଖାନ, ମୁକେଶ କୁମାର ଓ ଅର୍ଶଦୀପ ସିଂହଙ୍କ ଭଳି ଯୁବକ ବୋଲରଙ୍କ ଉପରେ ରହିବ। ସ୍ପିନ ବାହିନୀରେ ରବୀନ୍ଦ୍ର ଜାଡେଜା ନାହାନ୍ତି। ଦଳର ସ୍ପିନ ବାହିନୀ ୟୁଜବେନ୍ଦର ଚହଲ, ରବି ବିଷ୍ଣୋଇ ଓ କୁଲଦୀପ ଯାଦବ ରହିଛନ୍ତି। ଅଲରାଉଣ୍ଡର ଭାବେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି। ତିଲକ ବର୍ମା ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ସହ ନିଜର ଯାଦୁ ଦେଖାଇଥିଲେ। ସେହିପରି ଜୈସୱାଲ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ନିଜର ଦକ୍ଷତା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ମଧ୍ୟ ପୂର୍ବରୁ ଜୈସୱାଲଙ୍କୁ ସୁଯୋଗ ମିଳିଥିଲା। ଏବେ ଟି-୨୦ରେ ମଧ୍ୟ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି। ଚୟନ କମିଟି ସ୍କ୍ୱାଡରେ ଦୁଇ ଜଣ ୱିକେଟ କିପର ସଞ୍ଜୁ ସାମସନ ଓ ଈଶାନ କିଶନଙ୍କୁ ସାମିଲ କରିଛି। ଏମାନଙ୍କ ବ୍ୟତୀତ ଶୁବମନ ଗିଲ୍‌ ମଧ୍ୟ ଦଳରେ ରହିଛନ୍ତି।

    ଭାରତର ଟି-୨୦ ସ୍କ୍ୱାଡ: ଈଶାନ କିଶନ, ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜି ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ଆଭେଶ ଖାନ ଓ ମୁକେଶ କୁମାର।

  • ମେକ୍ସିକୋ: ଉହାକାରେ ଘାଟି ଉପରୁ ଖସିଲା ବସ୍, ଚାଲିଗଲା ୨୭ ଜୀବନ

    ମେକ୍ସିକୋ: ଉହାକାରେ ଘାଟି ଉପରୁ ଖସିଲା ବସ୍, ଚାଲିଗଲା ୨୭ ଜୀବନ

    ଆମେରିକା ମେକ୍ସିକୋରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଘାଟିରୁ ଭାରମାସ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡ଼ିଛି । ମେକ୍ସିକ‌ୋ ସିଟିରୁ ସାଣ୍ଟିଆଗୋ ଡି ୟୋ‌ସୋଣ୍ଡୁଆ ନଗରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

    ମେକ୍ସିକୋ ଉହାକା ପାହାଡ଼ି ରାସ୍ତାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟି ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୧୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ସେମାନଙ୍କୁ ମେଡିକାଲ ନେଇଥିଲେ । ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଥିବାବେଳେ ୧୩ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି ।

    ସେପଟେ ସୂଚନା ଅନୁସାରେ, ଘଟଣାସ୍ଥଳରୁ ଯେଉଁ ଫଟୋ ମିଳିଛି ସେଥିରେ ବସଟି ଭାଙ୍ଗିରୁଜି ଚେପା ହୋଇଯାଇଛି । ବସ୍‌ଟି ପାହାଡ଼ ତଳେ କଡ଼େଇ ହୋଇ ପଡ଼ିଥିବା ବେଳେ ଉଦ୍ଧାରକାରୀମାନେ ଉଦ୍ଧାର ଅଭିଯାନ ଚଳାଇଥିଲେ । ଖାଇରେ ପଡ଼ିଥିବା ବସଟିକୁ କ୍ରେନ୍ ସାହାଯ୍ୟରେ ବସଟିକୁ ଉଠାଯାଇଥିଲା । ବସଟି ପାହାଡ଼ିଆ ଉଚ୍ଚା ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କେହି କେହି ସନ୍ଦେହ କରୁଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ତଦନ୍ତ ଜାରି ରହିଛି ।

  • ବାଲେଶ୍ୱର: ୬ ଡକାୟତକୁ ଧରିଲା ସିଂଲା ପୋଲିସ, ମାରଣାସ୍ତ୍ର ବି ଜବତ

    ବାଲେଶ୍ୱର: ୬ ଡକାୟତକୁ ଧରିଲା ସିଂଲା ପୋଲିସ, ମାରଣାସ୍ତ୍ର ବି ଜବତ


    ବାଲେଶ୍ୱର ଜିଲ୍ଲା ସିଂଲା ପୋଲିସକୁ ସଫଳତା । ଜିଲ୍ଲାରୁ ଚୋରି, ଡକାୟତି, ହତ୍ୟା ଭଳି ଅପରାଧ ହ୍ରାସ କରିବାକୁ ପୋଲିସ ଅଭିଯାନ ଚଳାଇଥିବା ବେଳେ ଏବେ କିଛିଟି ସଫଳତା ମିଳିଛି । ଆସନ୍ତା ଦିନରେ ଅଭିଯାନ ଜାରି ରହିବ ଏବଂ ଅପରାଧିକ କାର୍ଯ୍ୟକଳାପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି ।

    ଡକାୟତି ଯୋଜନା କରୁଥିଲେ ହେଲେ ଏହା ଫେଲ୍ ମାରିଛି । ପୋଲିସ ଡକାୟତମାନଙ୍କୁ ଗିରଫ କରିଛି । ଡକାୟତି ଯୋଜନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସିଂଲା ପୋଲିସର ଏକ ଟିମ୍ ରେଡ୍ କରିଥିଲା ।

    ସିଂଲା ଥାନା ପାଉଁଶକୁଲି ଫୁଟବଲ ପଡ଼ିଆ ନିକଟରେ ୭ ଜଣ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ଚଢ଼ାଉ ହୋଇଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଧରିଥିଲା ଟିମ୍ । ହେଲେ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ଗୋଟିଏ କାର୍, ୨ଟି ବାଇକ୍ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

    ଗିରଫ ଅଭିଯୁକ୍ତମାନଙ୍କ ଘର ସିଂଲା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୋଲି ସୂଚନା ମିଳିଛି । ପୂର୍ବରୁ ସେମାନଙ୍କ ନାଁରେ ଏକାଧିକ ମାମଲା ରହିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବସ୍ତା ଏସଡିପିଓ ।