Month: July 2023

  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ

    କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ

    କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

    ଅସୁସ୍ଥତା ହେତୁ ଓମେନ ଚାଣ୍ଡି ଦୀର୍ଘଦିନ ଧରି ଚିକିତ୍ସାଧିନ ଥିଲେ । ୨୦୧୯ ପରଠାରୁ ଅସୁସ୍ଥତା କାରଣରୁ ଓମେନ ଚାଣ୍ଡି ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବେଙ୍ଗାଲୁରୁରେ ତାଙ୍କର ପରଲୋକ ଘଟିଛି ।

    ଓମେନ ଚାଣ୍ଡି କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ କେରଳରେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। । ସେ ୨୦୦୪ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଓ ୨୦୧୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ କେରଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ପ୍ରାୟ ୫ ଦଶନ୍ଧି ଧରି ରାଜନୀତିରେ ଚାଣ୍ଡିଙ୍କର ସକ୍ରିୟ ଭୂମିକା ଥିଲା ।

    ଓମେନ ଚାଣ୍ଡିଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଟ୍ୱିଟ କରି ସେ କହିଛନ୍ତି, ଆମର ରାଜନୈତିକ କ୍ୟାରିଅର ଏକସାଙ୍ଗେ ଆରମ୍ଭ ହୋଇଥିଲା । ଓମେନ୍ ଚାଣ୍ଡି ଜଣେ ଦକ୍ଷ ପ୍ରଶାସକ ଏବଂ ଏଭଳି ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ସହ ଘନିଷ୍ଠ ଭାବରେ ଜଡିତ ଥିଲେ ବୋଲି ସେ କହିଛନ୍ତି ।

    କେ ସୁଧାକରନ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ପ୍ରେମର ଶକ୍ତିରେ ସାରା ବିଶ୍ବକୁ ଜୟ କରିଥିବା ଜଣେ ରାଜାଙ୍କ କାହାଣୀର ଦୁଃଖଦ ଅନ୍ତଃ ଘଟିଛି। ସେଭଳି ଜଣେ କିମ୍ବଦନ୍ତୀଙ୍କୁ ହରାଇ ମୁଁ ଗଭୀର ଭାବେ ଦୁଃଖିତ। ସେ ଅସଂଖ୍ୟ ବ୍ୟକ୍ତିବିଶେଷଙ୍କ ଜୀବନକୁ ଛୁଇଁପାରିଛନ୍ତି। ସଦାବେଳେ ସେ ଆମ ଭିତରେ ରହିବେ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ (ରିପ୍‌)।’

  • ପ୍ରେମିକ ଶିଖର ପହରିୟାଙ୍କ ସହ ନଜର ଆସିଲେ ଜାହ୍ନବୀ

    ପ୍ରେମିକ ଶିଖର ପହରିୟାଙ୍କ ସହ ନଜର ଆସିଲେ ଜାହ୍ନବୀ

    ବ୍ୟକ୍ତିଗତ ଜୀବନରେ ଅଭିନେତା ଓ ‌ଅଭିନେତ୍ରୀମାନେ କାହାକୁ ଡେଟ୍‌ କରୁଛନ୍ତି ତାହା ଜାଣିବାର ଉତ୍ସୁକତା ସମସ୍ତଙ୍କ ଭିତରେ ରହିଥାଏ। ସେମିତି ଏକ ବଲିଉଡ ଅଭିନେତ୍ରୀ ହେଉଛନ୍ତି ଜାହ୍ନବୀ କପୁର ସେ ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ,ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଦିନରୁ ଆମେ ଜାହ୍ନବୀଙ୍କର ଶିଖର ପହରିୟାଙ୍କ ସହ ପ୍ରେମ ସଂପର୍କ ରହିଛି ବୋଲି ଶୁଣି ଆସୁଛନ୍ତି। ଏହାକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଛି। ଅନେକ ବାର ସେ ଶିଖରଙ୍କ ସହ ନଜର ଆସିଥିବା ବେଳେ ନିକଟରେ ପୁଣି ଥରେ ଏହି ଦୁଇ ଜଣଙ୍କୁ ସାଥୀରେ ଦେଖିବାକୁ ମିଳିଛି।

    ଜାହ୍ନବୀ-ଶିଖରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ଉଭୟ ଗୋଟାଏ କାରରେ ନଜର ଆସିଛନ୍ତି। ଜାହ୍ନବୀ କପୁର ତାଙ୍କ ଭାଇ ଅର୍ଜୁନ କପୁରଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିବା ବେ‌ଳେ ଶିଖରଙ୍କୁ ତାଙ୍କ ସହ କାର୍‌ରେ ବସି ଯାଉଥିବାର ଦେଖିବାକୁ ମିଳିଥିଲା।

    ଭିଡିଓରେ ଉଭୟଙ୍କୁ ଧଳା ପୋଷାକରେ ଟ୍ୱିନ୍ କରୁଥିବା ଦେଖାଯାଇଥିଲା। ଜାହ୍ନବୀ ଏକ ଧଳା ରଂଗର ଗାଉନ୍‌ ପିନ୍ଧିଥିବା‌ ବେଳେ ଶିଖର ବି ଏକ ଧଳା ରଂଗର ସାର୍ଟ ପିନ୍ଧିିଥିଲେ। ଫଟୋଗ୍ରାଫରଙ୍କୁ ଦେଖି ଜାହ୍ନବୀ ମୁରୁକା ହସ ମାରୁଥିବା ବେଳେ ଶିଖର ତାଙ୍କ ଫୋନ୍‌ରେ ବ୍ୟସ୍ତ ଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଲୋକଙ୍କର ଅନେକ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି।

    ଖୁବ୍ ଶୀଘ୍ର ବରୁଣ ଧାୱନଙ୍କ ସହ ଜାହ୍ନବୀ କପୁର ‘ବାୱାଲ‘ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମ ୨୧ ଜୁଲାଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ଜାହ୍ନବୀ ଖୁବ୍ ଶୀଘ୍ର ଟଲିଉଡରେ ଡେବ୍ୟୁ କରିବେ, ଯେଉଁଥିରେ ତାଙ୍କୁ ଜୁନିଅର ଏନଟିଆରଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

  • ପାଠ ପ୍ଲସ ଟୁ, କିନ୍ତୁ ଦେଖୁଥିଲେ ରୋଗୀ

    ପାଠ ପ୍ଲସ ଟୁ, କିନ୍ତୁ ଦେଖୁଥିଲେ ରୋଗୀ

    ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୁଲିସ। ଗିରଫ ଯୁବକଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ଜଣାପଡ଼ିଛି। ସାନଖେମୁଣ୍ଡି ଓ କଟକର ରାଣୀହାଟରେ ଥିବା ଘରୋଇ କ୍ଲିନିକରେ ପୁଲିସ ଯାଞ୍ଚ କରିବା ସହ ନକଲି ଡାକ୍ତରଙ୍କ କଟକ ଭଡ଼ା ଘରେ ମଧ୍ୟ ତଦନ୍ତ କରିଛି।

    ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲନିକ ରହିଛି। ଶନିବାର ଦିନ ସେ ଡେଙ୍ଗାଉସ୍ତ।କୁ ରୋଗୀ ଦେଖିବାକୁ ଆସୁଥିବା ବେଳେ ଅନ୍ୟ ଦିନମାନଙ୍କରେ ରାଣୀହାଟରେ ଥିବା କ୍ଲିନିକରେ ରୋଗୀଙ୍କୁ ଦେଖୁଥିଲେ। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍‌ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା।

    କିଛି ଦିନ ତଳେ ଡେଙ୍ଗାଉସ୍ତ।ରେ ରହୁଥିବା ଜଣେ ବୃଦ୍ଧାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧାଙ୍କୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେ ବୃଦ୍ଧାଙ୍କର ଚିକିତ୍ସା କରିଥିଲେ। ହେଲେ ବୃଦ୍ଧାଙ୍କ ଦେହ ଆଦୌ ଭଲ ହୋଇ ନଥିଲା। ବରଂ ଅଧିକ ଗୁରୁତର ହୋଇଥିଲା। ଏନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ପରେ ବୃଦ୍ଧାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ। ସେଠାରେ ବୃଦ୍ଧାଙ୍କର କିଡ୍‌ନୀ ଖରାପ ଥିବା ଜଣାପଡ଼ିଥିଲା। ହେଲେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଏନେଇ ବୃଦ୍ଧାଙ୍କ ପରିବାରକୁ କିଛି କହି ନଥିଲେ। ବରଂ ବାର ବାର ମେଡିସିନ୍ ଲେଖି ଚାଲିଥିଲେ। ଉପଯୁକ୍ତ ଚିକିତ୍ସା ନ କରିବାରୁ ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୃଦ୍ଧାଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଏକ ଟିମ୍‌ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।

    ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫ୍ରେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ବ୍ରହ୍ମପୁର ଏସପି ଏହା ଜାଣିବା ପରେ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲେ।

    ଗତକାଲି ଶନିବାର ଶୁଭ୍ରଜିତ ଡେଙ୍ଗାଉସ୍ତ।ରେ ଥିବା କ୍ଲିନିକ ଯାଇ ଛକିକୁ ରହିଥିଲା ପୁଲିସ। ଶୁଭ୍ରଜିତ କ୍ଲିନିକରେ ପହଞ୍ଚିବା ପରେ ରଙ୍ଗେ ହାତେ ତାଙ୍କୁ ଧରିଥିଲା। ପୁଲିସର ଏକ ଟିମ୍‌ ତାଙ୍କର କ୍ଲନିକରେ କାଗଜ ପତ୍ର ଯାଞ୍ଚ କରିଥିଲା। ପରେ ଶୁଭ୍ରଜିତଙ୍କୁ ନେଇ ପୁଲିସ ଟିମ୍ କଟକର ରାଣୀହାଟରେ ଥିବା କ୍ଲନିକକୁ ଆସିଥିଲେ। ସେଠାରେ ମଧ୍ୟ ପୁଲିସ କାଗତପତ୍ର ଯାଞ୍ଚ କରିଥିଲା। ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା।

    ନିଜକୁ ଦିଲ୍ଲୀ, ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରୁଥିଲେ ଶୁଭ୍ରଜିତ ପଣ୍ଡା। ପୂର୍ବରୁ ଫେବୃଆରୀ ୨୦୨୦ ମସିହାରେ ତେଲେଙ୍ଗାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହିଥିବା ବେଳେ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବା ବେଳେ ଗିରଫ ହୋଇଥିଲେ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଶୁଭ୍ରଜିତ ପଣ୍ଡାଙ୍କର ମାତ୍ର ୨୪ ଦିନ ତଳେ ବାହାଘର ହୋଇଥିଲା।

  • ସାରାରାଜ୍ୟରେ ଲାଗି ରହିବ ବର୍ଷା

    ସାରାରାଜ୍ୟରେ ଲାଗି ରହିବ ବର୍ଷା

    ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ଜାରି ରହିଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା ।

    ଏଥିସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏନେଇ ପାଣିପାଗ ବିଭାଗ ରାଜ୍ୟ‌ର ଅଧିକାଂଶ ଜିଲ୍ଲାରେ ସୋମବାର ଦିନ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ ସୂଚନା ଜାରି କରାଯାଇଛି।