Month: May 2023

  • ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

    ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

    କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧୀନ ବିନିଦା ଗ୍ରାମରେ ଘଟିଛି ନାରକୀୟକାଣ୍ଡ। ଜନୈକ ମହିଳା ପାଲା ଗାୟକଙ୍କୁ କେହି ଦୁର୍ବୃତ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ମୃତ ପାଲା ଗାୟିକା ହେଲେ ଗ୍ରାମର  ସତ୍ୟଭାମା ସିଂ।  

    ବିନିଦା ଗ୍ରାମର ସତ୍ୟଭାମା ସ୍ଥାନୀୟ ଅଞ୍ଚଳରେ ଜଣେ ପାଲା ଗାୟିକା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ପାଲା ଗୟକି ସହ ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଓ ବର୍ତ୍ତମାନର ବିଜେପି ମଣ୍ଡଳ ସଭାପତି ଦାୟିତ୍ୱରେ ଥିଲେ ।  ଗତକାଲି ବିଳମ୍ବିତ ରାତିରେ ସତ୍ୟଭାମାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ  ସଦର ଏସଡିପିଓ, ପଣ୍ଡାପଡା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ।

    ସୂଚନାଯୋଗ୍ୟ, ସତ୍ୟଭାମା ସିଂ ଅବିବାହିତ ଥିବା ବେଳେ ପାଲା ଗାୟିକା ଭାବେ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପି ମଣ୍ଡଳ ସଭାପତି ହୋଇଥିଲେ। ଗତକାଲି ରାତିରେ ତାଙ୍କର ସନ୍ଦେହଜନକ ହତ୍ୟା ପରେ ତାଙ୍କ ସହଯୋଗୀ ପାଲା ଗାୟକଙ୍କୁ ସନ୍ଦେହ କରାଯାଉଛି। କାରଣ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗି ରହିଥିଲା।

    ତେବେ ସତ୍ୟଭାମା ବିଜେପି ମଣ୍ଡଳ ଦାଇତ୍ୱରେ ଥିବାରୁ ବିଜେପି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ।  ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି ।

  • +୩ ଇତିହାସରେ ଗାନ୍ଧୀଙ୍କ ସ୍ଥାନ ନେଲେ ସବରକର

    +୩ ଇତିହାସରେ ଗାନ୍ଧୀଙ୍କ ସ୍ଥାନ ନେଲେ ସବରକର

    ଦିଲ୍ଲୀ ୟୁନିଭରସିଟି ରାଜନୀତି ବିଜ୍ଞାନ ଅନର୍ସରୁ ଉଠିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚାପ୍ଟର। ଗାନ୍ଧୀଙ୍କ ବଦଳରେ ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କ ସମ୍ପର୍କିତ ବିଷୟବସ୍ତୁକୁ ଇତିହାସ ବହିରେ ଯୋଡା ଯାଇଛି। ଚଳିତ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀ ଏହି ବିଷୟରେ ପଢ଼ିବେ।

    ୨୦୨୩-୨୦୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩  ପଞ୍ଚମ ସେମିଷ୍ଟାରରେ ଜାତିର ପିତାଙ୍କ ବିଷୟରେ ଥିବା ଚାପ୍ଟରକୁ ବାଦ ଦେଇ ସବରକରଙ୍କୁ ସ୍ଥାନ ଦେଇ ଗାନ୍ଧୀଙ୍କୁ  ସପ୍ତମ ସେମିଷ୍ଟାରରେ ରଖା ଯାଇଛି। ଶିକ୍ଷା ବିଭାଗର ଏପରି ପଦକ୍ଷେପକୁ ବହୁ ଶିକ୍ଷାବିତ ସମାଲୋଚନା କରିଛନ୍ତି।

    ନୂଆ ସିଲାବସ୍‌ ଅନୁଯାୟୀ, ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ୩ରେ ରାଜନୀତି ବିଜ୍ଞାନ ଅନର୍ସ ରଖିଥିବା ୫ମ ସେମିଷ୍ଟାରରେ  ସବରକରଙ୍କ ଉପରେ ଏକ ବହି ପଢ଼ିବେ। ଉକ୍ତ ସିଲାବସ୍‌ରେ କେବଳ ସବରକରଙ୍କ ସମ୍ପର୍କରେ ପାଠ୍ୟକ୍ରମରେ ରହିଛି। ଏପରି ଅଦଳବଦଳକୁ ନେଇ ଆରମ୍ଭ ହୋଇଛି ରାଜନୀତି ଓ ବୟାନବାଜି।

    ଶିକ୍ଷାବିତ ଆଲୋକ ରଞ୍ଜନ ପାଣ୍ଡେ କହିଛନ୍ତି କି, ଗାନ୍ଧିଜୀଙ୍କୁ ସପ୍ତମ ସେମିଷ୍ଟାରକୁ ଠେଲି ଦିଆଗଲା। ସବରକରଙ୍କ ବିଷୟରେ ଶିକ୍ଷାଦାନକୁ କେହି ବିରୋଧ କରୁ ନାହାନ୍ତି, କିନ୍ତୁ ଯେଉଁଭଳି ଭାବେ ଗାନ୍ଧୀଙ୍କ ଚାପ୍ଟରକୁ ଦୁଇଟି ସେମିଷ୍ଟର ପଛକୁ ଘୁଞ୍ଚାଇ ଦିଆ ଯାଇଛି, ଏହା ଗାନ୍ଧୀଙ୍କ ପ୍ରତି ଅପମାନ ପରି।  ଏହାକୁ ଆମେ ଘୋର ବିରୋଧ କରୁଛୁ। ଜାତିର ପିତା ମହାତ୍ମା ଗାନ୍ଧୀ ଉଭୟ ସବରକର ଓ ଆମ୍ବେଦକରଙ୍କ ପୂର୍ବରୁ ଆସିଥିବାରୁ ପିଲାମାନେ ପ୍ରଥମେ ତାଙ୍କ ବିଷୟରେ ଜାଣିବା ଦରକାର ବୋଲି ପାଣ୍ଡେ ଯୁକ୍ତି ବାଢିଛନ୍ତି।

    ଭାରତର ସ୍ୱାଧୀନତା ସଂଗ୍ରାମ ସହ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ଇଂରେଜ ଶାସକଙ୍କୁ ଦେଶରୁ ତଡ଼ି ଦେଇଥିଲା। ଖାଲି ଦେଶ ସ୍ୱାଧୀନତା ପାଇଁ ସଂଗ୍ରାମ ନୁହେଁ  ଅଛୁଆଁ ଭେଦଭାବ ଉଠାଇବାକୁ ତାଙ୍କ ପଦକ୍ଷେପ, ସ୍ୱଦେଶୀ ଭାବନା ପରି ଆନ୍ଦୋଳନ ଓ ଦେଶ ପ୍ରତି ତାଙ୍କ ଅବଦାନର ତୁଳନା ନାହିଁ। ଆଜି ବି ଲୋକେ ତାଙ୍କ ଅବଦାନକୁ ମନେ ପକାଉଛନ୍ତି। ଦେଶବାସୀଙ୍କ ପାଇଁ ସେ ପୂଜ୍ୟ। ଦେଶବାସୀଙ୍କ ଭାବାବେଗ ସହ ଜଡିତ ଜାତିର ପିତାଙ୍କୁ ପିଲାଙ୍କ ପାଠ୍ୟ ପ୍ରସଙ୍ଗରେ ଏପରି କୋଣଠେଁସା କଦାପି ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଆସନ୍ତା ୯ ତାରିଖରେ ହେବାକୁ ଥିବା ଜିଏନ୍‌ଟି କାଉନସିଲ ମିଟିଂରେ ଏହାକୁ ଉଠାଇବୁ ବୋଲି ପାଣ୍ଡେ କହିଛନ୍ତି ।

    ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଡିୟୁ ୟୁନିଭରସିଟି ଏକ ୪ ବର୍ଷିଆ କାର୍ଯ୍ୟକ୍ରମ ଗ୍ରହଣ କରିଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ୩ ବର୍ଷୀୟା ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ନଚେତ ୪ ବର୍ଷୀୟା ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ କରିବାକୁ ଅନୁମତି ମିଳିବ । ଫଳରେ ଯେଉଁମାନେ ୩ ବର୍ଷୀୟା କୋର୍ସ ଚୟନ କରିବେ ସେମାନେ ସପ୍ତମ ସେମିଷ୍ଟାରରେ ଥିବା ଗାନ୍ଧିଜୀଙ୍କ ବିଷୟରେ ଜାଣିବାରୁ ବଞ୍ଚିତ ହେବେ।

  • ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ । ଏକକାଳୀନ ୪ଟି ସ୍ଥାନରେ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଛି ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ରେଡ୍ କରିଛି । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଟିମ୍ ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଛି । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ । ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଟିମ୍ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚି ରେଡ୍ କରିଥିଲା।

  • IPL: ଆଜି ରିଜର୍ଭ ଡେ’, ଚାମ୍ପିଅନ୍ ହେବାକୁ ଲଢ଼ିବେ ଚେନ୍ନାଇ-ଗୁଜରାଟ

    IPL: ଆଜି ରିଜର୍ଭ ଡେ’, ଚାମ୍ପିଅନ୍ ହେବାକୁ ଲଢ଼ିବେ ଚେନ୍ନାଇ-ଗୁଜରାଟ

    IPL ଫାଇନାଲରେ ବର୍ଷା ବାଧକ ସାଜିଛି । ଅହମ୍ମଦାବାଦରେ ଲଗାତାର ବର୍ଷା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି । ଆଜି ରିଜର୍ଭ ଡେରେ ଚେନ୍ନାଏ ଏବଂ ଗୁଜରାଟ ମଧ୍ୟରେ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ । ତେବେ, ବର୍ଷା ଲାଗି ରହିଲେ ମ୍ୟାଚ୍ ଓଭର ସଂଖ୍ୟା ବଦଳିପାରେ ଏପରିକି ସୁପର ଓଭର ବି ଖେଳାଯିବାକୁ ଅପେକ୍ଷା କରାଯିବ ।

    IPL ୨୦୨୩ର ଉଦଘାଟନୀ ଏବଂ ଉଦଯାପନୀ ମ୍ୟାଚରେ ସେହି ଏକା ଟିମ୍ ଗୁଜରାଟ ଏବଂ ଚେନ୍ନାଇ । ଦୁଇ ଦଳ ଆରମ୍ଭ କରିଥିଲେ, ଆଉ ଶେଷ ବି କରିବେ । ତେବେ ବର୍ଷା ଯୋଗୁଁ ଫାଇନାଲ୍ ମୁକାବିଲା ଫିକା ପଡ଼ିଛି । ଗତକାଲି ଟାଇଟଲ୍ ଲଢ଼େଇ ଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଖେଳାଯାଇପାରିନି । ଆଜି ପୁଣି ଥରେ ଫାଇନାଲ୍ ଲଢ଼େଇ ହେବ । ଗତବର୍ଷ IPLରେ ଏଣ୍ଟ୍ରି କରିଥିଲା ଗୁଜରାଟ ଟାଇଟନ୍ସ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପ୍ରଥମ ଟାଇଟଲ୍ ବି ଜିତିଥିଲା ଦଳ । ଏଥର ବି ପୁରା ଦମରେ ଅଛନ୍ତି ଖେଳାଳି । ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଛି ଦଳ । ପୁରା ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଗିଲ୍ । ୩ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ସହ ୮୫୧ ରନ୍ କରି ଟପରେ ଅଛନ୍ତି ଏହି ଓପନର । ତାଙ୍କ ବ୍ୟାଟ୍ ଚାଲିଲେ ବିଜୟ ନିଶ୍ଚିତ । ଧୋନିଙ୍କ ବିଜୟ ରାସ୍ତାରେ ମୁଖ୍ୟ ପ୍ରତିବନ୍ଧକ ଗିଲ୍ ।

    ଗିଲଙ୍କୁ ସାଥ୍ ଦେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ମିଲର, ବିଜୟ ଶଙ୍କରଙ୍କ ପରି ବ୍ୟାଟସମ୍ୟାନ । ବୋଲିଂ ସହ ବ୍ୟାଟିଂରେ କମାଲ କରୁଛନ୍ତି ଅଲରାଉଣ୍ଡର ରସିଦ ଖାନ । ଅଭିଜ୍ଞ ସାମି, ମୋହିତ ଶର୍ମାଙ୍କ ଭଳି ବୋଲର ଅନ୍ୟମାନଙ୍କ ପାଇଁ ଘାତକ ସାଜୁଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାରେ ୫ ୱିକେଟ ନେଇ ଚେନ୍ନାଇକୁ ସତର୍କ କରିଛନ୍ତି ମୋହିତ । ଆଜି ଫାଇନାଲରେ ଉନ୍ନତ ପ୍ରଦର୍ଶନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

    ସେପଟେ, ଗୁଜରାଟ ରାସ୍ତାରେ ବାଧକ ସାଜିପାରେ ଚେନ୍ନାଇ । କାରଣ IPL ଇତିହାସରେ ସବୁଠୁ ସଫଳ ଏବଂ ଅଭିଜ୍ଞ ଅଧିନାୟକ ଧୋନି ତାଙ୍କ ବିପକ୍ଷରେ ଲଢ଼ିବେ । ଗୁଜରାଟ ପରି ଚେନ୍ନାଇ ବି ବଢ଼ିଆ ପ୍ରଦର୍ଶନ କରୁଛି । ଓପନର କନୱେ ଏବଂ ଗାଏକୱାଡ ପୁରା ଫର୍ମରେ ଅଛନ୍ତି । ମିଡିଲ୍ ଅର୍ଡରରେ ରାହାଣେ ଏବଂ ଡୁବେଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁଛି । ଶେଷ ଭାଗରେ ମୋଇନ୍ ଅଲ୍ଲୀ, ଜାଡେଜା ଏବଂ ଧୋନିଙ୍କ ଦ୍ରୁତ ରନ୍ ଦଳ ପାଏ ପ୍ଲସ୍ ପଏଣ୍ଟ ହୋଇଛି । ବୋଲିଂ ଡିପାର୍ଟମେଣ୍ଟରେ ଦୀପକ ଚହର,ତୁଷାର ଦେଶପାଣ୍ଡେ, ପଥିରାନାଙ୍କ ସମେତ ମୋଇନ୍ ଏବଂ ଜାଡେଜା ଅଛନ୍ତି । ପାୱାର ପ୍ଲେ’ରେ ହିଁ ଶକ୍ତ ଧକ୍କା ଦିଅନ୍ତି ଚହର । ପୁରାପୁରି ଫର୍ମରେ ଥିବାରୁ ଗୁଜରାଟ ପାଇଁ ଅଡୁଆ ହୋଇପାରେ ।

    ୨୦୦୮ରେ ଫଟାଫଟ୍ କ୍ରିକେଟ୍ IPLର ସୃଷ୍ଟି । ଚେନ୍ନାଇ ସବୁଠୁ ସଫଳ ଟିମ୍ ହୋଇଥିବା ବେଳେ ଧୋନି ସଫଳ ଅଧିନାୟକ । ଏଯାଏ ୯ ଥର ଫାଇନାଲରେ ଏଣ୍ଟ୍ରି କରି ୪ ଥର ଟାଇଟଲ୍ ହାସଲ କରିଛି ଦଳ । ଏବେ ୧୦ନଂ ଥର ପାଇଁ ଫାଇନାଲ୍ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ପଞ୍ଚମ ଟ୍ରଫି ହାସଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ପୁଣି ଅଧିନାୟକ ଧୋନି IPLକୁ ବାୟ ବାୟ କରିପାରନ୍ତି । ତେଣୁ ଚାମ୍ପିଅନ୍ ହୋଇ ତାଙ୍କୁ ବିଦାୟକାଳୀନ ଗିଫ୍ଟ ଦେବାକୁ ଦଳ ସମସ୍ତ ବଳ ପ୍ରୟୋଗ କରିବ । ସେପଟେ, ଗତଥର ଏଣ୍ଟ୍ରି କରିଥିବା ଗୁଜରାଟ ଆରମ୍ଭରୁ ହିଁ ଟାଇଟଲ୍ ଜିତିଛି । ଲଗାତାର ଦ୍ୱିତୀୟ ଥର ଟ୍ରଫି ନିଜ ନାଁରେ କରିବା ପାଇଁ ଲଢ଼େଇ କରିବ ପାଣ୍ଡ୍ୟା ଆଣ୍ଡ କୋ ।

  • ନବୀନ ସରକାରଙ୍କ ପଞ୍ଚମ ପାଳିକୁ ୪ ବର୍ଷ, ରାଜ୍ୟରେ ବୈପ୍ଳବିକ ପରିବର୍ତ୍ତନ

    ନବୀନ ସରକାରଙ୍କ ପଞ୍ଚମ ପାଳିକୁ ୪ ବର୍ଷ, ରାଜ୍ୟରେ ବୈପ୍ଳବିକ ପରିବର୍ତ୍ତନ

    ନବୀନ ସରକାରର ପଞ୍ଚମ ପାଳିକୁ ଆଜି ୪ ବର୍ଷ ପୂର୍ତ୍ତି ହୋଇଛି । ୨୯ ମେ’,୨୦୧୯ରେ ପଞ୍ଚମ ପାଳି ଦାୟିତ୍ୱ ନେଇଥିଲେ ନବୀନ ପଟ୍ଟନାୟକ । ଜଣ ଦକ୍ଷ, ଲୋକପ୍ରିୟ ନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି ନବୀନ । କୁହାଯାଏ ନବୀନ ଯେଉଁଠି, ବିଜୟ ସେଇଠି । ଗତଥର ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତା ହାସଲ କରିଥିଲା ବିଜୁ ଜନତା ଦଳ ।

    ରାଜ୍ୟରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ନବୀନ ସରକାର ଉଦାହରଣ ପାଲଟିଛି । ଶିକ୍ଷା, ସ୍ବାସ୍ଥ୍ୟ,କ୍ରୀଡ଼ା,ଭିତ୍ତିଭୂମି ଏବଂ ମୌଳିକ ସୁବିଧା ଯୋଗାଇଦେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଲୋକପ୍ରିୟ ହୋଇଛନ୍ତି । 5T ଯୋଜନାରେ ବେଶ୍ ଫାଇଦା ପାଉଛନ୍ତି ରାଜ୍ୟବାସୀ । ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ୍ ଲାଗୁଛି । ସେଥିପାଇଁ ମୋ ସରକାର ଅଭିଯାନ ଜାରି ରହିଛି । ସ୍ବଚ୍ଛତା ସହ ରୂପାନ୍ତରଣର ନୂଆ ଅଧ୍ୟାୟ ଦେଖିବାକୁ ମିଳିଛି । ସରକାରୀ ସ୍କୁଲ ଅଧିକ ବିକଶିତ ହୋଇଛି । ସ୍ବାସ୍ଥ୍ୟସେବାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୪ ବର୍ଷରେ ରାଜ୍ୟର ସ୍ବାସ୍ଥ୍ୟ,ଶିକ୍ଷା,ଗମନାଗମନ,ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେଥିପାଇଁ କେବଳ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଛନ୍ତି ।

    ଆଜି ବିଜେଡି ପକ୍ଷରୁ ବିଶେଷ କିଛି କାର୍ଯ୍ୟକ୍ରମ ନାହିଁ । ତଥାପି ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଛି । ପଞ୍ଚମ ପାଳି ସରକାର ଗଠନ କରିବା ପାଇଁ ବିଜେଡି ଯେଉଁ ନିର୍ବାଚନ ଇସ୍ତାହାର ଜାରି କରିଥିଲା ସେସବୁ ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତି ହେଉଛି । ଗତ ୪ ବର୍ଷରେ ବିଜେଡି ସରକାର ଅଧିକାଂଶ ପ୍ରତିଶ୍ରୁତି ପାଳନ କରିଛି । ହେଲେ ଏଯାଏ ବାକିଥିବା ଆଉ କିଛି କାମ କରିବ ଦଳ । ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଥିବା ବେଳେ ଏଥିରେ ଅନେକ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ବିଶେଷ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ପ୍ରକଳ୍ପ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ,ମିଶନ୍‌ ଶକ୍ତି,ଇଲେକ୍ଟ୍ରୋନିକ୍ସ ଓ ଆଇଟି,ଉଚ୍ଚଶିକ୍ଷା, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବ ବୋଲି ଜଣାପଡ଼ିଛି।