Month: May 2023

  • ଅଧା ରାସ୍ତାରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ, ଯାତ୍ରୀ ହନ୍ତସନ୍ତ

    ଅଧା ରାସ୍ତାରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ, ଯାତ୍ରୀ ହନ୍ତସନ୍ତ

    ଅଧାବାଟରେ ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ୍ ଅଟକିଯିବାରୁ ଯାତ୍ରୀ ହନ୍ତସନ୍ତ । ଦୀର୍ଘ ସମୟ ଧରି ଟ୍ରେନ୍ ଅଟକିବା ସହ ମୁଖ୍ୟଦ୍ୱାର,ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ । ତେବେ ଯାତ୍ରୀମାନେ ଜରୁରୀକାଳୀନ ଡୋର ଏବଂ ଝରକା ଖୋଲିଥିବା ସୂଚନା ମିଳିଛି । ଗତ ୧୮ ତାରିଖରେ ଆରମ୍ଭ ଟ୍ରେନର ଦୁରବସ୍ଥାକୁ ନେଇ ସମସ୍ତଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି । କାଳବୈଶାଖୀ ଯୋଗୁଁ ଗଛ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରେଳ ବିଭାଗ କହିଥିଲେ ସୁଦ୍ଧା ଏହା ପ୍ରକୃତିରେ ବିଭାଗର ଅବହେଳା ବୋଲି ଜଣାପଡ଼ିଛି ।

    ଅପରାହ୍ଣ ୪ଟା ୩୦ରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ରିଜ ଉପରେ ଟ୍ରେନ ଅଟକି ରହିଛି । ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ ରେଳ କର୍ମଚାରୀମାନେ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ଫେଲ୍ ମାରିଥିଲେ । ବିଳମ୍ବରେ ଘଟଣାସ୍ଥଳକୁ ଏକ ଟେକ୍ନିକାଲ୍ ଟିମ୍ ଯାଇଥିଲା । ଏକ ଡିଜେଲ ଇଞ୍ଜିନ କୋଲକାତାରୁ ଅଣାଯାଇ ଟ୍ରେନକୁ ଟାଣି ନେବା ଲାଗି ବ୍ୟବସ୍ଥା କରାଯାଇଛି । ଏହି ଘଟଣା ଏବେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

    ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

    ରାଜ୍ୟରେ ଚାଲିଛି ଅରାଜକତା। କଙ୍ଗାରୁ କୋର୍ଟରେ ହେଉଛି ଦଣ୍ଡବିଧାନ ଓ ଯାଉଛି ନିରୀହ ଜୀବନ। କିନ୍ତୁ ରାଜ୍ୟ ପୋଲିସ ପ୍ରଶାସନ ଚୁପ ବସିଛି। ଏମିତି ଏକ କଙ୍ଗାରୁ କୋର୍ଟର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଏପରି ନୃଶଂସ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ଏମିତି ପିଟିଲେ କି ବିଚରା ଚୋର ସବୁଦିନ ପାଇଁ ଆଖି ବୁଜିଦେଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

    ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତଙ୍କ ଆଗରେ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ଠେଙ୍ଗା, ବାଡିରେ ନିସ୍ତୁକ ମାଡ଼ ମରାଯାଉଛି। ମାଡ ସାଙ୍ଗକୁ ପଥର ମଧ୍ୟ ପକାଇବାକୁ ପଛାଉନାହାନ୍ତି ଲୋକେ। ପ୍ରାଣ ବିକଳରେ ଯୁବକ ଜଣଙ୍କ ବିକଳ ଚିତ୍କାର କରିବା ସହ ଛାଡିଦେବାକୁ ଗୁହାରି କରି କରି ଥକି ପଡିଥିଲେ ବି କାହାରି କାନକୁ କିଛି ଶୁଭିଲାନି। ବୁଢାଠୁ ଛୁଆ ସମସ୍ତେ ଠିଆ ହୋଇ ଦେଖିଥିଲେ, ହେଲେ କେହି ଏପରି ଅମାନୁଷିକ କାର୍ଯ୍ୟର ବିରୋଧ କରି ନ ଥିଲେ। ଶେଷରେ ଚାଲିଗଲା ଯୁବକର ଜୀବନ।

    ସୂଚନା ମୁତାବକ, ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ବାଦୁରାଗଡ଼ ଗାଁର ବାହୁଡ଼ା ସାହୁ ଗତ ବୁଧବାର ଜଣେ ସାଙ୍ଗ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଚିଙ୍ଗୁଡ଼ିଘାଇ ଗାଁର କିଛି ଲୋକ ତାଙ୍କୁ ଚୋର ସନ୍ଦେହରେ ଅଟକ ରଖିଥିଲେ। ପରେ ତାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଆଖିବୁଜା ମାଡମାରିଥିଲେ। ଠେଙ୍ଗ ଓ ପଥର ମାଡରେ ସେ ନିଶ୍ଚେତ ହୋଇ ଯିବା ପରେ ତାଙ୍କୁ ସେହି ଅଭିଯୁକ୍ତମାନେ ନିକଟସ୍ଥ ସ୍କୁଲ ପାଖ ପଡିଆରେ ଫିଙ୍ଗି ଚାଲିଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

    ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବାହୁଡ଼ା ସାହୁଙ୍କୁ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ବାହୁଡ଼ାଙ୍କ ଭାଇଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି।

    କିଛି ଦିନ ପୂର୍ବରୁ ସମାନ ଘଟଣା ଘଟିଥିଲା, ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗାଁରେ। ଗାଁର ହେମନ୍ତ ରାଉତଙ୍କ ଫାର୍ମରୁ କିଛି ଯନ୍ତ୍ରାଂଶ ଓ ସିସିଟିଭି ଚୋରି ହୋଇଥିଲା। ଚୋରି ଘଟଣାରେ ଅକ୍ଷୟ ପଣ୍ଡା ଓ ଲିପୁ ନାମକ ଦୁଇ ଯୁବକଙ୍କୁ ସନ୍ଦେହ କରି ଗ୍ରାମ ସଭା ଡକାଇଥିଲେ ହେମନ୍ତ। ସଭା ଚାଲିଥିଲା, ହଠାତ୍ ହେମନ୍ତ ରାଉତ ଓ ତାଙ୍କର କିଛି ସହଯୋଗୀ ଅକ୍ଷୟ ଓ ଲିପୁଙ୍କୁ ସେଠାରୁ ନେଇଯାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅକ୍ଷୟଙ୍କର ମୃତ୍ୟୁ ହୋଇଥିବା ବେଳେ ଲିପୁ ଗୁରୁତର ଆହତ ହୋଇଥିଲେ। ହତ୍ୟା ପରେ ହେମନ୍ତ ରାଉତ ଥାନାରେ ଆତ୍ମସମର୍ପଣ କରିଥିଲା।

  • ଧାରା-୩୭୦ ନଫେରିବା ଯାଏଁ ନିର୍ବାଚନ ଲଢିବେ ନାହିଁ କହିଲେ ମେହବୁବା ମୁଫତି

    ଧାରା-୩୭୦ ନଫେରିବା ଯାଏଁ ନିର୍ବାଚନ ଲଢିବେ ନାହିଁ କହିଲେ ମେହବୁବା ମୁଫତି

    ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି, ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ନଫେରିବା ଯାଏଁ ନିର୍ବାଚନ ଲଢିବେ ନାହିଁ । କାରଣ ଏହା ମୋ ପାଇଁ ଏକ ଭାବପ୍ରବଣ ବିଷୟ । ପିଡିପିର ମୁଖ୍ୟ ମେହବୁବା ମୁଫ୍‌ତି ଆଜି ବେଙ୍ଗାଲୁରୁରେ ଏପରି କଥା କହିଛନ୍ତି । ଏଥିସହିତ ସେ କହିଥିଲେ, ଯେ ବିଜେପି ଜି-୨୦ କାର୍ଯ୍ୟକ୍ରମକୁ ହାଇଜାକ କରିନେଇଛି । ସେ କହିଛନ୍ତି ଯେ, ଯେତେବେଳେ ସେ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ ସେତେବେଳେ ରାଜ୍ୟରେ ଦୁଇଟି ସମ୍ବିଧାନ ଥିଲା । ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ଫାଶୀବାଦୀ, ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ବିଜେପିକୁ ପରାସ୍ତ କରି ସମଗ୍ର ଦେଶକୁ ଏକ ନୂଆ ବାର୍ତ୍ତା ଦେଇଥିବାରୁ ସେ କର୍ଣ୍ଣାଟକବାସୀଙ୍କୁ ପ୍ରଶଂସା କରିଛନ୍ତି ।

    ସେ କହିଥିଲେ, ଯେତେବେଳେ ବିଧାନସଭାରେ ବିଧାୟକ ପଦର ଶପଥ ଗ୍ରହଣ କରାଯାଏ, ସେଠାରେ ଦୁଇଟି ସମ୍ବିଧାନ ରହିବା ଉଚିତ । ଗୋଟିଏ ଜାମ୍ମୁ କାଶ୍ମୀର ଏବଂ ଅନ୍ୟଟି ଭାରତ । ଏକ ସମୟରେ ଦୁଇଟି ପତାକା ସୋଭା ପାଏ । ଏହା ମୋ ପକ୍ଷରୁ ଏକ ନିର୍ବୋଧ ନିଷ୍ପତ୍ତି ହୋଇପାରେ, କିନ୍ତୁ ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ବିଷୟ ।

  • ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

    ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

    ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ଦୁଇଟା ସୁଦ୍ଧା ସମ୍ବଲପୁର ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏହାର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮,ଝାରସୁଗୁଡାରେ ୪୦.୪ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲିରେ ୪୦,ଭୁବନେଶ୍ବରରେ ୩୮.୮ ଏବଂ ବାଲେଶ୍ବରର ତାପମାତ୍ରା ୩୫.୮ ଡିଗ୍ରୀ ରହିଛି । କେନ୍ଦୁଝରରେ ୩୫.୪,ପୁରୀରେ ୩୪,ପାରାଦୀପରେ ୩୩.୪,ଗୋପାଳପୁରରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

    ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା ଆଶଙ୍କା ମଧ୍ୟ ରହିଛି । ସେପଟେ କାଲିଠାରୁ କାଳବୈଶାଖୀ ଦୁର୍ବଳ ହେବା ସମ୍ଭାବନା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଉପକୂଳର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆଭ୍ଯନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବା ନେଇ ସୂଚନା ମିଳିଛି ।

    ଗତକାଲି କାଳବୈଶାଖୀ ପ୍ରଭାବରେ ୧୧ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ସେହି ସ୍ଥାନ ଗୁଡ଼ିକରେ ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ । ସେପଟେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ମୌସମୀ ସକ୍ରିୟ ରହିଛି । ଆଣ୍ଡାମାନ ଓ ନିକୋବର ଦ୍ବୀପର ବିଭିନ୍ନ ଅଂଶକୁ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଛି । ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ କୌଣସି ଆକଳନ କରାଯାଇନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

  • ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ, ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ କରୁଥିଲା ଯୋଜନା

    ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ, ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ କରୁଥିଲା ଯୋଜନା

    ସୁରକ୍ଷା ଏଜେନ୍ସି ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛନ୍ତି । ରବିବାର ଦିନ ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ନାମ ମହମ୍ମଦ ଉବେଦ ମଲିକ, ଯିଏ କୁପୱାଡାର ବାସିନ୍ଦା । ଉବେଦ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ ।

    ଆତଙ୍କବାଦୀ ଉବେଦ ଜାମ୍ମୁ-କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଥିଲା । ଗିରଫ ଆତଙ୍କବାଦୀ ପାକିସ୍ତାନରେ ବସିଥିବା ତାଙ୍କ କମାଣ୍ଡରଙ୍କୁ ସୈନ୍ୟ ଟ୍ରୁପସର ଗତିବିଧି ଏବଂ ସୁରକ୍ଷା ବାହିନୀଙ୍କ ସମ୍ବନ୍ଧରେ ସୂଚନା ପଠାଉଥିଲେ ।

    ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଭିଯୁକ୍ତ ଆତଙ୍କବାଦୀ ଗୁପ୍ତ ସୂଚନା, ବିଶେଷକରି ସୈନ୍ୟ ଟ୍ରୁପସ ଏବଂ ସୁରକ୍ଷା ବାହିନୀର ଗତିବିଧି ବିଷୟରେ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କୁ ପଠାଉଥିଲା । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ଏନଆଇଏ ଅଭିଯୁକ୍ତଙ୍କ ନିକଟରୁ ଅନେକ ଅପରାଧୀ ଦଲିଲ ଉଦ୍ଧାର କରିଛି ।

    ଭାରତୀୟ ଏଜେନ୍ସି 21 ଜୁନ୍ 2022ରେ ଜାମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଗୁରୁତର ଭାବେ ଗ୍ରହଣ କରି ଏକ ମାମଲା ରୁଜୁ କରିଥିଲା । ଡ୍ରୋନ୍ ମାଧ୍ୟମରେ ବୋମା ବିସ୍ଫୋରଣ ପାଇଁ ସାମଗ୍ରୀ ପଠାଯାଇଛି ବୋଲି ଏନଆଇଏର ଗୁପ୍ତଚର ପକ୍ଷରୁ ସୂଚନା ମିଳିଥିଲା । ସେବେଠାରୁ ଗୁପ୍ତଚର ଏଜେନ୍ସି ମାନେ ସତର୍କତା ଅବଲମ୍ବନ କରିଥିଲେ । ଆଜି ଏହି ମାମଲାରେ ଏନଆଇଏ ଏକ ବଡ ସଫଳତା ହାସଲ କରିଛି ।

    ଏନଆଇଏ ଅନୁସନ୍ଧାନ ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଡ୍ରୋନ୍ ଦ୍ବାରା ଆଇଇଡି ଏବଂ ବିସ୍ଫୋରକ ସାମଗ୍ରୀ ପଠାଯାଉଛି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରାଯାଉଛି ।

  • ଟିପିସିଓଡିଏଲର ମନମୁଖିରେ ଅତିଷ୍ଠ ଉପଭୋକ୍ତା

    ଟିପିସିଓଡିଏଲର ମନମୁଖିରେ ଅତିଷ୍ଠ ଉପଭୋକ୍ତା

    ନିଶାରେ ଟାଟା ପାୱାର କର୍ପୋରେସନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ। ମନ ଇଛା ଲୋକଙ୍କ ଉପରେ ଚଳାଇଛି ଜୁଲମ। ପୂର୍ବରୁ ଅଧିକ ଇଲେକ୍ଟ୍ରିସିଟି ବିଲକୁ ନେଇ ଅଭିଯୋଗ ହୋଇଆସୁଥିବା ବେଳେ ମେ’ ମାସରେ ଜନୈକ ବ୍ୟକ୍ତିଙ୍କର ବିଦ୍ୟୁତ୍ ବିଲ ପ୍ରମାଣିତ କରି ଦେଉଛି କି, କିପରି ଟାଟା ପାୱାର ନିଶାସକ୍ତ ଅବସ୍ଥାରେ ରହିଛି। ଗୋଟିଏ ମାସରେ ବ୍ୟକ୍ତିଙ୍କୁ ମିଳିଛି ୭ କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ। ଆଉ ବିଲ ପାଇ କିଛି କ୍ଷଣ ପାଇଁ ବ୍ୟକ୍ତି ହରାଇବସିଥିଲେ ମାନସିକ ସ୍ଥିରତା। ମୁଣ୍ଡ ହୋଇଯାଇଥିଲା ସମ୍ପୂର୍ଣ୍ଣ ଶୂନ।

    ଏକ ସାଧାରଣ ପରିବାରର ଇଲେକ୍ଟ୍ରିସିଟି ମାସକୁ ଅନ୍ୟୁନ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ଭିତରେ ଆସିବ। ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇଥିବାରୁ ଏସି ବ୍ୟବହାର କରୁଥିଲେ ତାହା ସର୍ବାଧିକ ୩୦୦୦କୁ ଛୁଇଁଥିବା। କିନ୍ତୁ ସ୍ମାର୍ଚ ସିଟି ଭୁବନେଶ୍ୱରର ନିଳାଦ୍ରୀ ବିହାରରେ ରହୁଥିବା ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ମେ ମାସର ଇଲେକ୍ଟ୍ରିସିଟ ବିଲ ମିଳିଛି ୭.୯୦ କୋଟିର। ବିଲଟି ହାତକୁ ଆସିବା ପରେ ସେ ହତବାକ୍ ହୋଇଯାଇଥିଲେ। ପଟ୍ଟନାୟକ ଏକ ଭଡା ଘରେ ରହୁଛନ୍ତି।

    ପଟ୍ଟନାୟକ ବିଲ ସମ୍ପର୍କରେ କୁହନ୍ତି କି, ମାର୍ଚ୍ଚ ମାସରେ ତାଙ୍କ ଘରର ଇଲେକ୍ଟ୍ରି ମିଟର ପରିବର୍ତ୍ତନ କରି ସ୍ମାର୍ଟ ମିଟର ଲଗାଇଥିଲେ। ଏହା ପରେ ମାର୍ଚ୍ଚରେ ୨୪୦୦ ଟଙ୍କାର ବିଲ ପାଇଥିବା ବେଳେ ଏପ୍ରିଲରେ ବିଲ ଆସିଥିଲା ୬୦୦୦ ଟଙ୍କା। କିନ୍ତୁ ସ୍ମାର୍ଟ  ମିଟର ଲଗାଇବା ପୂର୍ବରୁ ଆସୁଥିଲା ୭୦୦ରୁ ..୨୪୦୦ ଟଙ୍କା ଭିତରେ।  ଏପ୍ରିଲରେ ୬୦୦୦ଟଙ୍କା ହୋଇଥିଲେ ବି ସେ ସେହି ଟଙ୍କା ପଇଠ କରିଥିଲେ ଏହା ଭାବି କି ହୁଏତ ନୂଆ ମିଟର ଲାଗିଥିବାରୁ କିଛି ପ୍ରୋସେସିଂ ଚାର୍ଜ ରହିଥିବ। କିନ୍ତୁ ମେ ମାସର ବିଲ ତାଙ୍କ ହୋସ ଉଡାଇ ଦେଇଥିଲା, ଯେତେବେଳେ ତାଙ୍କୁ ୭.୯୦ କୋଟି ଟଙ୍କା ଦେଖିଥିଲେ।

    Shutter speed study on a rotating ceiling fan

    ଏନେଇ ସେ ଡିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଟ୍ୱିଟ ଯୋଗେ। କିନ୍ତୁ ଏନେଇ ସେପଟରୁ ତାଙ୍କୁ କୌଣସି ଉତ୍ତର ମିଳିନାହିଁ ଏଯାବତ୍। ତେବେ ବିଲ ପଇଠ ନ କଲେ ବର୍ତ୍ତମାନର ଗରମ ଓ ଗୁଳୁଗୁଳିରେ ଯଦି ତାଙ୍କ ବିଦ୍ୟୁତ ସଂଯୋଗକୁ କାଟିଦିଆ ଯିବ ସେ କଣ କରିବେ? ଏହି ଚିନ୍ତା ତାଙ୍କ ରାତିର ନିଦ ହଜାଇଦେଲାଣି। ସେ ଏସମ୍ପର୍କରେ କମ୍ପାନୀରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି, ତାର ବି ଉତ୍ତର ମିଳୁନାହିଁ କି କେହି ତାଙ୍କ ସହ ସମ୍ପର୍କ ସ୍ଥାପନ କରୁ ନାହାନ୍ତି ବୋଲି ସମ୍ପୃକ୍ତ ବ୍ୟକ୍ତି କହିବା ସହ ଚିନ୍ତା ପ୍ରକଟ କରିଛନ୍ତି।

  • ସ୍ପେନର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

    ସ୍ପେନର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

    ସ୍ପେନରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣା ହେବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ରାଜଧାନୀ ମାଦ୍ରିଦ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଜରଗୋଜା ଏୟାରବେସରେ ଏକ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

    https://twitter.com/i/status/1660001518563770368

    ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଏହାର ଏକ ଭିଡିଓ ଟ୍ୱିଟରରେ ଏବେ ଭାଇରାଲ ହୋଇଛି । ଲଢୁଆ ବିମାନଟି ଖସିପଡ଼ିବା ପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ଆମେରିକା ନିର୍ମିତ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ବହୁତ ଉଚ୍ଚତାରୁ ଏୟାରବେସ୍ ଆଡ଼କୁ ଦ୍ରୁତ ଗତିରେ ଆସୁଥିଲା । କିନ୍ତୁ ଅବତରଣ ପୂର୍ବରୁ ବିମାନ ଉପରୁ ନିୟନ୍ତ୍ରଣ ହରାଇ ଦେଇଛନ୍ତି ପାଇଲଟ୍ । ବିମାନଟି ଦ୍ରୁତ ଗତିରେ ଖସିପଡ଼ୁଛି ଓ ତାପରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ।

    ସେପଟେ, ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଦୁର୍ଘଟଣା ପୂର୍ବରୁ ବିମାନର ପାଇଲଟ୍ ବାହାରି ଆସିଥିଲେ । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସେ ସୁସ୍ଥ ଏବଂ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ସୂଚନା ମିଳିଛି । ଜରାଗୋଜା ଏୟାରବେସ୍, ସହର ଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ସ୍ପେନର ବାୟୁ ଓ ମହାକାଶ ବାହିନୀର ଅଧୀନରେ ରହିଛି । ଲଢୁଆ ବିମାନ ଏକ ଉଡ଼ାଣ ପ୍ରଦର୍ଶନୀ ପାଇଁ ପ୍ରଶିକ୍ଷଣ ନେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛି ମନ୍ତ୍ରଣାଳୟ ।

  • ମୋଦୀ ସରକାରଙ୍କ ୨୦୦୦ ଟଙ୍କିଆ ଏକ ଫେଲ୍ ପ୍ରୋଜେକ୍ଟ, ଜାଣନ୍ତୁ କିପରି ସରକାରଙ୍କ ଅଡୁଆ ବଢ଼ାଇଛି ବିମୁଦ୍ରିକରଣ ?

    ମୋଦୀ ସରକାରଙ୍କ ୨୦୦୦ ଟଙ୍କିଆ ଏକ ଫେଲ୍ ପ୍ରୋଜେକ୍ଟ, ଜାଣନ୍ତୁ କିପରି ସରକାରଙ୍କ ଅଡୁଆ ବଢ଼ାଇଛି ବିମୁଦ୍ରିକରଣ ?

    ଭାରତୀ ରିଜର୍ଭ ବ୍ୟାଙ୍କ କେବଳ 78 ମାସ ପରେ 2000 ଟଙ୍କା ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ବିରୋଧୀ ତଥା ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ବିମୁଦ୍ରୀକରଣ ଉପରେ ଅନେକ ପ୍ରଶ୍ନ ଉଠାଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।

    ବିମୁଦ୍ରୀକରଣକୁ ଏକ ମୂର୍ଖତାପୂର୍ଣ୍ଣ ନିଷ୍ପତ୍ତି ବୋଲି ଦର୍ଶାଇ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଚିଦାମ୍ବରମ୍ କହିଛନ୍ତି ଯେ, ସରକାର ବର୍ତ୍ତମାନ 1000 ଟଙ୍କିଆ ନୋଟ୍ ଫେରାଇ ଆଣିପାରିବେ । ଅଟଳ ବିହାରୀ ସରକାରରେ ଅର୍ଥମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା 2000 ଟଙ୍କା ନୋଟ ପ୍ରତ୍ୟାହାରକୁ ଏକ ମୂର୍ଖ ନିଷ୍ପତ୍ତି ବୋଲି କହିଛନ୍ତି ।

    ବିମୁଦ୍ରୀକରଣକୁ ଭୁଲ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି । ପାର୍ଟିର ସଭାପତି ମଲ୍ଲିକାର୍ଜୁନ୍ ଖଡଗେ 2000 ଟଙ୍କା ନୋଟ୍କୁ କଭର-ଅପ୍ ବୋଲି କହି ତଦନ୍ତ ଦାବି କରିଛନ୍ତି । ଏଥିସହ ଆରବିଆଇର ଏହି ଆଦେଶକୁ ଶାସକ ବିଜେପି ଦ୍ବାରା କଳା ଟଙ୍କା ଉପରେ ଦ୍ୱିତୀୟ ପ୍ରମୁଖ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କୁହାଯାଇଛି ।

    ବିଜେପି ସାଂସଦ ତଥା ବିହାରର ପୂର୍ବତନ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ, କଳା ଟଙ୍କା ଉପରେ ଏହା ହେଉଛି ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍, ଯେଉଁ କାରଣରୁ ଅବଶିଷ୍ଟ କଳା ଟଙ୍କା ମଧ୍ୟ ବାହାରକୁ ଆସିବ । ଡିସେମ୍ବର 2022ରେ ନିଜେ 2000 ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁଶୀଲ ମୋଦୀ ଦାବି କରିଥିଲେ ।

    ଆସନ୍ତୁ ପରିସଂଖ୍ୟାନ ମାଧ୍ୟମରେ ଜାଣିବା ବିମୁଦ୍ରୀକରଣ ପରେ ମଧ୍ୟ 2000 ନୋଟ୍ କାହିଁକି ପ୍ରଚଳନରୁ ବାହାର କରିବାକୁ ପଡିଲା ?

    • କାହିଁକି ମୋଦୀ ସରକାର କରିଥିଲେ ବିମୁଦ୍ରୀକରଣ ?

    8 ନଭେମ୍ବର 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ । ସେହି ସମୟରେ 500-1000 ଟଙ୍କିଆ ନୋଟ୍କୁ ପ୍ରଚଳନରୁ ବାହାର କରାଯାଇଥିଲା । ଦୁର୍ନୀତିକୁ ସମାପ୍ତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲେ । ପରେ ବିମୁଦ୍ରୀକରଣର କାରଣ ଦର୍ଶାଇ ମୋଦୀ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ ।

    ନଭେମ୍ବର 2022ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଥିଲେ ଯେ, ବିମୁଦ୍ରୀକରଣକୁ ଭୁଲ ନିଷ୍ପତ୍ତି କୁହାଯାଇପାରିବ ନାହିଁ । କେନ୍ଦ୍ର କହିଥିଲା ଯେ, କେବଳ ଆରବିଆଇର ପରାମର୍ଶରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି । 6 ମାସ ପୂର୍ବରୁ ଆରବିଆଇ ବିମୁଦ୍ରୀକରଣ ପାଇଁ ପ୍ରସ୍ତୁତ ହେଉଥିଲା ।

    ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ବିବୃତ୍ତିରେ ସରକାର କହିଥିଲେ, ନକଲି ମୁଦ୍ରା, ଆତଙ୍କବାଦୀ ପାଣ୍ଠି, କଳା ଟଙ୍କା ଏବଂ ଟିକସ ଫାଙ୍କିବା ଭଳି ସମସ୍ୟାର ମୁକାବିବା ପାଇଁ ବିମୁଦ୍ରୀକରଣ ଏକ ବୃହତ ରଣନୀତି ଏବଂ ଏକ ପ୍ରଭାବଶାଳୀ ପଦକ୍ଷେପ । ବିମୁଦ୍ରୀକରଣକୁ ଏକ ନୀତିଗତ ନିଷ୍ପତ୍ତି ବୋଲି ମୋଦୀ ସରକାର କହିଥିଲେ ।

    • 2000 ଟଙ୍କିଆ ନୋଟକୁ ନେଇ ଆରମ୍ଭରୁ ଉଠୁଥିବା ପ୍ରଶ୍ନ

    ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ 500-1000 ଟଙ୍କିଆ ନୋଟକୁ ବନ୍ଦ କରିବା ପରେ 2016ରେ 500-2000 ଟଙ୍କିଆ ନୋଟକୁ ପ୍ରଚଳନକୁ ଆଣିଥିଲେ ।​​ ଗୋଲାପୀ ରଙ୍ଗର 2000 ଟଙ୍କିଆ ନୋଟକୁ ନେଇ ଆରମ୍ଭରୁ ପ୍ରଶ୍ନ ଉଠୁଛି । ​ଏଥିରୁ କଳା ଟଙ୍କା ଅଧିକ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ ।

    ନଭେମ୍ବର 9, 2016ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ 2000 ଟଙ୍କା ନୋଟକୁ ନେଇ ଏକ ଟ୍ୱିଟ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଏହି ଟୁଇଟରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ପଚାରିଥିଲେ ଯେ, 1000 ଟଙ୍କା ବନ୍ଦ କଲା ପରେ 2000 ଟଙ୍କିଆ କିପରି କଳା ଟଙ୍କା ଜମା କରିବା ଉପରେ ପ୍ରତିବନ୍ଧକ ଲଗାଇ ପାରିବ ?

    ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଳ ରାୟ ମଧ୍ୟ 2000 ଟଙ୍କିଆ ନୋଟ୍ ଆଣିବା ଉପରେ ପ୍ରଶ୍ନ ଉଠାଇଥିଲେ । ରାୟ କହିଥିଲେ ଯେ, 2000 ଟଙ୍କା ନୋଟ୍ ଦୁର୍ନୀତିକୁ ଆହୁରି ପ୍ରୋତ୍ସାହିତ କରିବ ।

    • 2000 ଟଙ୍କା ନୋଟ୍ ଫେରସ୍ତ, ବିମୁଦ୍ରୀକରଣ କାହିଁକି ହେଲା ବିଫଳ ?

    ସାତ ବର୍ଷ ପରେ ସରକାର ଓ ଆରବିଆଇ ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀମାନେ ଏହାକୁ ଏକ ପ୍ରତାରଣା ବୋଲି କହିଛନ୍ତି । ଏପରି ପରିସ୍ଥିତିରେ ଏହା ଜାଣିବା ଜରୁରୀ ଯେ, ଏହି ନିଷ୍ପତ୍ତି ପଛରେ କାରଣ କ’ଣ ?

    1. ନକଲି ମୁଦ୍ରାର ପ୍ରଚାର ପ୍ରସାର ଆହୁରି ବୃଦ୍ଧି ପାଇଛି – କେନ୍ଦ୍ର ସରକାର ବିମୁଦ୍ରୀକରଣ ପଛରେ ସବୁଠାରୁ ବଡ କାରଣ ନକଲି ମୁଦ୍ରା ବୋଲି କହିଥିଲେ । ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, 40 କୋଟି କର୍ମଜୀବୀ ନଗଦ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ନକଲି ମୁଦ୍ରାର ପ୍ରଭାବ ବହୁତ ବୃଦ୍ଧି ପାଇଥିଲା ।

    ବିମୁଦ୍ରୀକରଣ ପରେ କେନ୍ଦ୍ର ସରକାର ଲୋକସଭାରେ କହିଥଇଲେ ଯେ, 2015 ମସିହାରେ 43.83 କୋଟି ଟଙ୍କା ନକଲି ମୁଦ୍ରା ଜବତ କରାଯାଇଛି । ଅନ୍ୟ ଏକ ସରକାରୀ ଆକଳନ ଅନୁଯାୟୀ, 2012ରୁ 2014 ଏହି ତିନି ବର୍ଷ ମଧ୍ୟରେ 136 କୋଟି ଟଙ୍କା ମୂଲ୍ୟର ନକଲି ମୁଦ୍ରା ଜବତ କରାଯାଇଛି । ଯାହା ବାର୍ଷିକ ହାରାହାରି 45 କୋଟି ଥିଲା ।

    ବିମୁଦ୍ରୀକରଣ ପରେ ନକଲି ମୁଦ୍ରା ନିୟନ୍ତ୍ରଣ ହେବାର ଆଶା ଥିଲା, କିନ୍ତୁ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ । ଏନସିଆରବି ଏହାର ରିପୋର୍ଟରେ କହିଛି ଯେ, ବିମୁଦ୍ରୀକରଣର ପରବର୍ତ୍ତୀ ବର୍ଷରେ ଅର୍ଥାତ୍ 2017ରେ 55.71 କୋଟି ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ କରାଯାଇଛି ।

    ରିପୋର୍ଟ ଅନୁଯାୟୀ, 2018ରେ 26.35 କୋଟି, 2019ରେ 34.79 କୋଟି, 2020ରେ 92.17 କୋଟି ଟଙ୍କା ନକଲି ନୋଟ୍ ଜବତ କରାଯାଇଛି । ବିମୁଦ୍ରୀକରଣ ପରେ ସମୁଦାୟ ନକଲି ମୁଦ୍ରାକୁ ଧ୍ୟାନ ଦେଲେ ପ୍ରତିବର୍ଷ ହାରାହାରି 52 କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।

    1. ଫଣ୍ଡିଂ ବନ୍ଦ କରିବା ପାଇଁ ବିମୁଦ୍ରୀକରଣ ପରେ ବି ଆତଙ୍କ ବନ୍ଦ ହୋଇନାହିଁ – କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, ବିମୁଦ୍ରୀକରଣର ଅନ୍ୟତମ କାରଣ ହେଉଛି ଆତଙ୍କବାଦୀ ପାଣ୍ଠି ବନ୍ଦ କରିବା । ଆତଙ୍କବାଦୀ ମାନେ ହାୱାଲା ମାଧ୍ୟମରେ କଳା ଟଙ୍କା ବ୍ୟବହାର କରି ଭାରତରେ ବିଭିନ୍ନ ଘଟଣା ଘଟାଉଥିଲେ ।

    ସରକାର କହିଥିଲେ ଯେ, ଆତଙ୍କବାଦ ପାଣ୍ଠି ବନ୍ଦ କରିବା ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇବ, କିନ୍ତୁ ତାହା ହୋଇପାରିଲା ନାହିଁ । ଆତଙ୍କବାଦୀ ଘଟଣାର ପରିସଂଖ୍ୟାନକୁ ଆଧାର କରି ସାଉଥ ଏସିଆ ଟେରୋରିଜମ ପୋର୍ଟାଲ ଜାମ୍ମୁ କାଶ୍ମୀର ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିଛି।

    ରିପୋର୍ଟ ଅନୁଯାୟୀ, 2014ରେ କାଶ୍ମୀରରେ 222 ଆତଙ୍କବାଦୀ ଘଟଣା ଘଟିଥିଲା ​​ଯେଉଁଥିରେ 28 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2015ରେ, 208 ଘଟଣା ଘଟିଥିଲା ​​ଏବଂ 17 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସେହିପରି 2016 ମସିହାରେ ବିମୁଦ୍ରୀକରଣ ହୋଇଥିଲା, ଆଉ ସେହି ବର୍ଷ 322 ଆତଙ୍କବାଦୀ ଘଟଣା ଘଟିଥିଲା ​​ଏବଂ 15 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

    ବିମୁଦ୍ରୀକରଣର ଏକ ବର୍ଷ ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଥିଲା । 2017ରେ 342 ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିଥିଲା ​​ଯେଉଁଥିରେ 40 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2018ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା ।

    2018ରେ 614 ଆତଙ୍କବାଦୀ ଘଟଣାରେ 39 ଜଣଙ୍କର ମୃତ୍ୟୁ ହୋଇଥିଲା । ନକ୍ସଲବାଦୀ ଘଟଣାରେ ମଧ୍ୟ ସେପରି ହ୍ରାସ ଦେଖିବାକୁ ମିଳିନାହିଁ । 2015ରେ ବିମୁଦ୍ରୀକରଣ ପୂର୍ବରୁ ନକ୍ସଲବାଦୀ ମାନେ 3ଟି ବଡ ଅଘଟଣ ଘଟାଇଥିବା ବେଳେ 2016ରେ ଏହି ସଂଖ୍ୟା 6ରେ ପହଞ୍ଚିଥିଲା ।

    ବିମୁଦ୍ରୀକରଣର ପରବର୍ତ୍ତୀ ବର୍ଷରେ ଅର୍ଥାତ୍ 2017ରେ ନକ୍ସଲମାନେ ସମଗ୍ର ଦେଶରେ 9ଟି ବଡ ଘଟଣା ଘଟାଇଥିଲେ । 2018ରେ ଏହି ସଂଖ୍ୟା 21ରେ ପହଞ୍ଚିଛି ।

    1. ଅର୍ଥ ହେରଫେର ମାମଲାରେ ମଧ୍ୟ ଜବତ ଟଙ୍କା ବୃଦ୍ଧି ପାଇଛି – ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନୋଟ ଗୁଡ଼ିକୁ ବଦଳାଇ ଦେଇଥିଲେ କିନ୍ତୁ ଏହା ସେପରି ପ୍ରଭାବଶାଳୀ ହୋଇପାରିଲା ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 2017-18 ବର୍ଷରେ ମନି ଲଣ୍ଡରିଂ ମାମଲାରେ 992 କୋଟି ଟଙ୍କା ଜବତ କରାଯାଇଛି ।

    2018-19ରେ ଏହି ସଂଖ୍ୟା 1567 କୋଟିକୁ ବୃଦ୍ଧି ପାଇଥିଲା । 2019-20ରେ 1290 କୋଟି, 2020-21ରେ 880 କୋଟି ଏବଂ 2020-21ରେ 1159 କୋଟି ଟଙ୍କା ଜବତ କରାଯାଇଛି । ଇଡିର ଚଢାଉରେ ଜବତ ହୋଇଥିବା ଟଙ୍କା ଚିତ୍ର ସୋସିଆଲ ମିଡିଆରେ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଥିଲା ।

    1. ବିଜେପି ସାଂସଦ ପ୍ରଶ୍ନ ଉଠାଇଥିଲେ- ଡିସେମ୍ବର 12, 2022ରେ ସଂସଦର ଶୀତକାଳୀନ ଅଧିବେଶନର ଶୂନ୍ୟ କାଳରେ ବିଜେପି ସାଂସଦ ସୁଶୀଲ ମୋଦୀ 2000 ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ମୋଦୀ ରାଜ୍ୟସଭାରେ କହିଥିଲେ ଯେ, ଦେଶର ଲୋକମାନେ ବହୁ ପରିମାଣରେ 2000ଟି ନୋଟ୍ ସଂଗ୍ରହ କରି ରଖିଛନ୍ତି । ଏହା କେବଳ ବେଆଇନ ବାଣିଜ୍ୟ ପାଇଁ ବ୍ୟବହୃତ ହେଉଛି ।

    ଡ୍ରଗ୍, ମନି ଲଣ୍ଡରିଂ, ଅପରାଧ ଏବଂ ଆତଙ୍କବାଦ ପାଣ୍ଠି ଭଳି ପ୍ରମୁଖ ଅପରାଧରେ 2000 ଟଙ୍କା ନୋଟ୍ ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରାଯାଉଛି ବୋଲି ସୁଶୀଲ ମୋଦୀ ଦାବି କରିଥିଲେ । ସେଥିପାଇଁ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରିବା ଉଚିତ୍ ।

  • ଦିନକରେ ୭୫୬ ପଜିଟିଭ୍, ୮ ଜଣଙ୍କ ଜୀବନ ନେଲା କୋରୋନା

    ଦିନକରେ ୭୫୬ ପଜିଟିଭ୍, ୮ ଜଣଙ୍କ ଜୀବନ ନେଲା କୋରୋନା

    ଦିନକରେ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୮୦୦ ତଳେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ତଳେ ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫୬ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୯ ଲକ୍ଷ ୮୬ ହଜାର ୪୬୧ରେ ପହଞ୍ଚିଛି ।

    ସେହିପରି ୨୪ ‌ଘଣ୍ଟାରେ ୮ ଜଣଙ୍କ ଜୀବନ ନେଇଛି କୋରୋନା । ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୪ କୋଟି ୪୪ ଲକ୍ଷ ୪୬ ହଜାର ୫୧୪ରେ ପହଞ୍ଚିଛି । ଏଯାଏ ଦେଶରେ ସୁସ୍ଥତା ହାର ୯୮.୮୦ ପ୍ରତିଶତ ରହିଛି ।

    ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୧୫କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୨% । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨୦ କୋଟି ୬୬ ଲକ୍ଷ ୯୮ ହଜାର ୧୩୨ ଟିକା ଦିଆଯାଇଛି । କିଛି ଦିନ ହେଲା ପୁଣି ଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ତେଣୁ କିଛି ରାଜ୍ୟରେ କଟକଣା ମଧ୍ୟ ଲାଗୁ କରାଯାଇଛି । କୋରୋନା ମୁକାବିଲା ପାଇଁ ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।