Month: May 2023

  • ରାଷ୍ଟ୍ରପତିଙ୍କୁ ଉପେକ୍ଷା କରି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ କରିବା ନିନ୍ଦନୀୟ: ସଞ୍ଚୟ ରାଉତ

    ରାଷ୍ଟ୍ରପତିଙ୍କୁ ଉପେକ୍ଷା କରି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ କରିବା ନିନ୍ଦନୀୟ: ସଞ୍ଚୟ ରାଉତ

    ନିର୍ମାଣ ସରିଛି ବିଶ୍ବର ସବୁଠୁ ବୃହତ ଗଣତାନ୍ତ୍ରୀକ ରାଷ୍ଟ ଭାରତର ନୂତନ ସଂସଦ ଭବନ । ଯାହାକୁ ରବିବାର ଦିନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ରାହୁଲ କହିଥିଲେ ଯେ, ନୂଆ ସଂସଦ ଭବନ ନରେନ୍ଦ୍ର ମୋଦୀ ନୁହେଁ ବରଂ ରାଷ୍ଟ୍ରପତି କରିବା ଉଚିତ । ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ ସଞ୍ଚୟ ରାଉତ ଏହି ପ୍ରସଙ୍ଗରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ।

    ସଞ୍ଚୟ ରାଉତ ନିଜର ଅସନ୍ତୋଷ ପ୍ରକାଶ କରି ମୁମ୍ବାଇରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଉପେକ୍ଷା କରି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କରାଯାଉଛି । ଯାହାକୁ ମୁଁ ସହଜରେ ଗ୍ରହଣ କରିପାରୁନି, ଆଉ ଏହାର ନିନ୍ଦା କରୁଛି । ଏଠାରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛନ୍ତି ଯେ, ମୁଁ ହେଉଛି ସବୁକିଛି, ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି । ତେଣୁ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଅହଂ ପ୍ରକାଶ ପାଇଛି ।

  • ଖାଇ ସାରିବା ପରେ ଖାଆନ୍ତୁ ଗୁଡ଼

    ଖାଇ ସାରିବା ପରେ ଖାଆନ୍ତୁ ଗୁଡ଼

    ଗୁଡ଼ ଖାଇବା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ଖାଦ୍ୟ ଖାଇବା ପରେ ମଧ୍ୟ ଗୁଡ଼ ଖାଆନ୍ତି, ତେବେ ଏହା ଆପଣଙ୍କୁ ଅନେକ ଲାଭ ଦେଇଥାଏ । ବାସ୍ତବରେ ଗୁଡ଼ ଏକ ପ୍ରାକୃତିକ ମିଠା ଭାବରେ ଜଣାଶୁଣା । ବର୍ତ୍ତମାନ ଏହା ଧିରେ ଧିରେ ହ୍ରାସ ପାଇଛି। କିନ୍ତୁ ଏଥିରେ ରହିଛି ଏନେକ ଲାଭ ଯାହା ଆମ ଶରୀର ପାଇଁ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଗୁଡ ଖାଇଲେ କଣ ଲାଭ ମିଳେ ।
    ଯଦି ଆପଣ ଗୁଡ଼ ଖାଉଛନ୍ତି, ତେବେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଶରୀରକୁ ଶକ୍ତିରେ ପରିପୂର୍ଣ୍ଣ ରଖିବାକୁ ଚାହାଁନ୍ତି କିମ୍ବା ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହାଁନ୍ତି, ତେବେ ଖାଦ୍ୟ ଖାଇବା ପରେ ଆପଣଙ୍କୁ ଗୁଡ଼ ଖାଇବା ଆବଶ୍ୟକ । ଯଦି ତୁମେ ତୁମର ହଜମ ପ୍ରକ୍ରିୟାକୁ ମଜବୁତ କରିବାକୁ ଚାହୁଁଛ, ତେବେ ତୁମେ ପ୍ରତିଦିନ ଗୁଡ଼ ଖାଇବା ଉଚିତ୍ |। ଏହା କରିବା ଦ୍ୱାରା ଆପଣ କେବଳ ଗ୍ୟାସ, ଅଦୃଶ୍ୟତା ଭଳି ରୋଗରୁ ମୁକ୍ତି ପାଇନାହାଁନ୍ତି, ବରଂ ଆପଣଙ୍କ ହଜମ ପ୍ରକ୍ରିୟା ମଧ୍ୟ ମଜବୁତ ହୁଏ ।

  • ମୋଦୀଙ୍କୁ ବସ କହିବାକୁ ପଛାଇଲେନି ଅଷ୍ଟ୍ରେଲୀୟ ପ୍ରତିପକ୍ଷ

    ମୋଦୀଙ୍କୁ ବସ କହିବାକୁ ପଛାଇଲେନି ଅଷ୍ଟ୍ରେଲୀୟ ପ୍ରତିପକ୍ଷ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି  ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି।  ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ କାଳରେ ସେଠାରେ ଏକ ବିରାଟ ମଞ୍ଚର ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ୨୦ ହଜାର ଭାରତୀୟ ଏକତ୍ରିତ ହୋଇଛନ୍ତି। ଏହି ବିରାଟ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ଏଥିସହ ମୋଦୀଙ୍କ ସ୍ୱାଗତକୁ ସେ ନିଜର ସୌଭାଗ୍ୟ ବୋଲି ଅବିହିତ କରିବାକୁ ପଛେଇ ନାହାନ୍ତି।

    ଆଲବାନେ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ କହିଛନ୍ତି କି,  ପିଏମ ମୋଦୀ ହେଉଛନ୍ତି ଦି ବସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ଏକ ସୌ ଭାଗ୍ୟର ବିଷୟ। ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି। ପ୍ରଧାନମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ବର୍ଷ, ଯାହାକୁ ମୁଁ ଆଜି ପାଳନ କରୁଛି | ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀଙ୍କୁ ୬ ଥର ଭେଟିଛି, କିନ୍ତୁ ତାଙ୍କ ସହ ମଞ୍ଚରେ ଠିଆ ହେବାର ଅନୁଭୂତି ଠାରୁ ଆଉ କିଛି ଭଲ ନାହିଁ। ଏହି କାର୍ଯ୍ୟକ୍ରମରେ ଅନୁଭୂତ ଶକ୍ତି, ଉଷ୍ଣତା ଓ ସୌହାର୍ଦ୍ଦ୍ୟ ଅତୁଳନୀୟ ବୋଲି କହିବାକୁ ପଛେଇ ନାହାନ୍ତି ଆଲବାନେ।

    ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଥର ମୁଁ ଏହି ମଞ୍ଚରେ ବ୍ରୁସ୍ ସ୍ପ୍ରିଙ୍ଗଷ୍ଟେନ୍ଙଙ୍କୁ ଦେଖିଥିଲି। କିନ୍ତୁ ଏପ୍ରକାରର ସ୍ୱାଗତ ସମ୍ବର୍ଦ୍ଧନା ନ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବସ୍। ମାର୍ଚ୍ଚରେ ତାଙ୍କ ଭାରତ ଗସ୍ତକୁ ମନେ ପକାଇ ସେ ଆଗକୁ କହିଥିଲେ କି, ଗତ ମାର୍ଚ୍ଚରେ  ମୁଁ ଭାରତରେ ଥିଲି।  ସେତେବେଳର ଅନୁଭୂତି ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା।  ଗୁଜୁରାଟରେ ହୋଲି ପାଳନ କରିବା, ଦିଲ୍ଲୀର ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସବୁ କିଛି ଥିଲା ନିଆରା।  ଭାରତରେ ମୁଁ ଯେଉଁଆଡେ ଯାଇଥିଲି, ଅଷ୍ଟ୍ରେଲିଆ ଏବଂ ଭାରତବାସୀଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଅନୁଭବ କଲି  । ଏଥିସହ, ଭାରତକୁ ବୁଝିବାକୁ ଚାହୁଁଥାନ୍ତି ତେବେ ସେଠାର ଟ୍ରେନ୍ ଏବଂ ବସ୍ ଯୋଗେ ଯାତ୍ରା କରିବାକୁ ଅଷ୍ଟ୍ରେଲିଆ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଆଲବାନେ।

    ସିଡନୀ ଅଲିମ୍ପିକ୍ ପାର୍କ ଷ୍ଟାଡିୟମରେ ପିଏମ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋଦୀ ମୋଦୀର ନାରାରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ।  ସିଡନୀରେ ଭାରତୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ “ଲିଟିଲ୍ ଇଣ୍ଡିଆ” ଗେଟୱେର ମୂଳଦୁଆ ପକାଇଛନ୍ତି। ମୋଦୀ ଷ୍ଟାଡିୟମକୁ ପ୍ରବେଶ କରିବା ମାତ୍ରେ ସେଠାରେ ଉପସ୍ଥିତ ଲୋକମାନେ ଠିଆ ହୋଇ ତାଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଷ୍ଟ୍ରେଲିଆରେ ମୋଦୀଙ୍କ ପ୍ରତି ଥିବା ଭଲପାଇବା ଓ ଲୋକପ୍ରିୟତାକୁ ଦର୍ଶାଇଥିଲା।

  • କେନ୍ଦୁଝର: ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଜବକାର୍ଡଧାରୀ

    କେନ୍ଦୁଝର: ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଜବକାର୍ଡଧାରୀ

    କେନ୍ଦୁଝର ସଦର ବ୍ଲକ୍ ରାଈସୁଆଁ ପଞ୍ଚାୟତ ଟାଙ୍ଗରତଳୀ ଗାଁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛ । ମନରେଗା ଯୋଜନାରେ କାମ କରି ବହୁ ଜବକାର୍ଡଧାରୀ ଦୀର୍ଘ ଦିନ ହେଲା ନିଜର ପ୍ରାପ୍ଯ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ସେମାନେ ପଞ୍ଚାୟତ ଅଫିସ ଘେରିଥିଲେ ।

    ଗତ ଆର୍ଥିକ ବର୍ଷରେ ଟାଙ୍ଗରତଳୀ କେଶରୀ ବନ୍ଧ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବନ୍ଧ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିଲା । ଚଳିତ ଆର୍ଥିକ ବର୍ଷରେ ପୁଣି ଥରେ ବନ୍ଧ ଖୋଳାଯାଇଥିଲା । ଏହି କାର୍ଯ୍ୟରେ ସ୍ଥାନୀୟ ଜବକାର୍ଡଧାରୀ ସାମିଲ ହୋଇଥିଲେ । ତେବେ କାମ ସରିଥିଲେ ସୁଦ୍ଧା ସେମାନଙ୍କୁ ନିଜର ପ୍ରାପ୍ୟ ଏଯାଏ ମିଳିନାହିଁ । ଏହାର ପ୍ରତିବାଦରେ ପରିବାର ସହ ଜବକାର୍ଡଧାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

    ନିଜର ପ୍ରାପ୍ୟ ପାଇବାରେ ବିଳମ୍ବ ଯୋଗୁଁ ଜବ କାର୍ଡଧାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସରପଞ୍ଚ ଓ ଜିଆରଏସଙ୍କୁ ବାରମ୍ବାର ଜଣାଇଥିଲେ । ତେବେ ଏଥିରେ କୌଣସି ସୁଫଳ ମିଳିନନତିଲା । ଏହାର ପ୍ରତିବାଦରେ ଆଜି ସମସ୍ତ ଜବକାର୍ଡଧାରୀ ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପଞ୍ଚାୟତରେ ଏଭଳି ଘଟଣା ଘଟିବା ନୂଆ ନୁହେଁ, ବାରମ୍ବାର ବିଭିନ୍ନ ଯୋଜନାରେ ଅର୍ଥ ହେରଫେର ହେଉଛି । ବିଡିଓ ନିଜ ପ୍ରତିକ୍ରିୟା ଦେଇନଥିବା ବେଳେ ହିତାଧିକାରୀ କେବେ ସେମାନଙ୍କ ପ୍ରାପ୍ୟ ପାଇବେ ତାକୁ ଅପେକ୍ଷା ।

  • ରାସ୍ତାରେ ଚାର୍ଜ ହେବ ଗାଡି, ରାସ୍ତାରେ ଲାଗିଲା ହାଇ ଟେକ୍ନୋଲୋଜି

    ରାସ୍ତାରେ ଚାର୍ଜ ହେବ ଗାଡି, ରାସ୍ତାରେ ଲାଗିଲା ହାଇ ଟେକ୍ନୋଲୋଜି

    ବ୍ୟାଟେରୀ ଗାଡି ଚାଳକଙ୍କ ଟେନସନ ହେବ ଦୂର । ଏଣିକି ଆଉ ଗାଡିର ବ୍ୟାଟେରୀକୁ ଚାର୍ଚ୍ଚ କରିବାକୁ ପଡିବନି । ଗାଡି ଗଡିଲେ ଆପେଆପେ ଚାର୍ଜ ହୋଇଯିବ ବ୍ୟାଟେରୀ । ଆଉ କେଉଁଠାରେ ଘଣ୍ଟା ଘଣ୍ଟା ଠିଆ ହୋଇ ଗାଡି କରିବାକୁ ପଡିବନି ଚାର୍ଜ । ଆଉ ଏହା ମଧ୍ୟ ଅତ୍ୟନ୍ତ ସୁଲଭ ହେବ ।

    ଏହା ହେଉଛି ଦୁନିଆର ପ୍ରଥମ ବୈଦ୍ୟୁତିକ ରାସ୍ତା, ଯେଉଁଥିରେ ଚାଲୁଥିବା କାର ଏବଂ ଟ୍ରକର ବ୍ୟାଟେରୀକୁ ରିଚାର୍ଜ କରିପାରେ । ଏହି ରାସ୍ତା ସ୍ୱିଡେନରେ ନିର୍ମାଣ ହୋଇଛି ।

    ପ୍ରାୟ ୨ କିଲୋମିଟରର ଇଲେକ୍ଟ୍ରିକ ଲାଇନ୍ ଷ୍ଟକହୋମ ନିକଟ ଏକ ସର୍ବସାଧାରଣ ରାସ୍ତାରେ ତିଆରି କରାଯାଇଛି । କିନ୍ତୁ ସରକାରଙ୍କ ସଡକ ଏଜେନ୍ସି ଭବିଷ୍ୟତରେ ଏହାକୁ ସମ୍ପ୍ରସାରଣ ପାଇଁ ଏକ ରୋଡ ମ୍ୟାପ କରିଛି । ସ୍ବିଡେନ ସରକାର ପରିବହନ କ୍ଷେତ୍ରରେ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନରୁ ୭୦ ପ୍ରତିଶତ ମୁକ୍ତି ପାଇବାର ଲକ୍ଷ୍ୟ ରଖିଛି ।

    ରାସ୍ତାରେ ଦୁଇଟି ଟ୍ରାକ କରାଯାଇଛି, ସେହିବାଟେ ଯାନବାହାନ ଚଳାଚଳ କଲେ, ଯାନର ତଳ ଭାଗରେ ଲାଗିଥିବା ଉପକରଣ ଦ୍ବାରା ଶକ୍ତି ସଂଚରିତ ହୋଇଥାଏ । ଟ୍ରାକରେ ଗାଡି ଯିବା ବେଳେ ଯଦି କେହି ତାକୁ ଅତିକ୍ରମ କରିବାକୁ ଚେଷ୍ଟା କରେ ତେବେ ଯାନରେ ଲାଗିଥିବା ଉପକରଣ ଇଲେକ୍ଚ୍ରିକ ଲାଇନରୁ ବିଚ୍ଛିନ୍ନ ହୋଇଯିବ ।

  • କର୍ଣ୍ଣାଟକ ବାଚସ୍ପତି ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ୟୁଟି ଖାଦର

    କର୍ଣ୍ଣାଟକ ବାଚସ୍ପତି ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ୟୁଟି ଖାଦର

    ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚ ଥର ବିଧାୟକ ୟୁଟି ଖାଦର ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମେଙ୍ଗଲୁରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଖାଦର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ଖାନ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବିଧାନସଭା ସଚିବଙ୍କ କାର୍ଯ୍ୟାଳୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

    ବୁଧବାର ବିଧାନସଭାର ବାଚସ୍ପତିଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଖାଦରଙ୍କୁ ଅଭିନନ୍ଦନ ଜଣାଇ କଂଗ୍ରେସର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସିଂ ସୁରଜେୱାଲା ଟୁଇଟ୍ କରି କହିଛନ୍ତି ଯେ, କର୍ଣ୍ଣାଟକ ବିଧାନସଭା ବାଚସ୍ପତି ପଦ ପାଇଁ ଏକମାତ୍ର ନାମାଙ୍କନ ଦାଖଲ କରିଥିବାରୁ ଆମର ଯୁବ ତଥା ପ୍ରଖର ନେତା ୟୁଟି ଖାଦରଙ୍କୁ ଅଭିନନ୍ଦନ । ସେ କେବଳ ବିଧାନସଭାର ସର୍ବ କନିଷ୍ଠ ବକ୍ତା ହେବେ ନାହିଁ ବରଂ ଦକ୍ଷିଣ କନ୍ନଡ଼ରୁ ପ୍ରଥମ ବକ୍ତା ମଧ୍ୟ ହେବେ । ଆଇନ୍ ବିଷୟରେ ତାଙ୍କର ପ୍ରଗାଢ ଜ୍ଞାନ, ଲମ୍ବା ଅଭିଜ୍ଞତା ଏବଂ କୌଶଳର ସହିତ ମୁକାବିଲା କରିବାର କ୍ଷମତା କର୍ଣ୍ଣାଟକର ବିଧାନ ସୌଧକୁ ସମୃଦ୍ଧ କରିବା ପାଇଁ ଲମ୍ବା ରାସ୍ତା ପ୍ରସ୍ତୁତ କରିବ ।

  • କାହା ନଜରରେ ପଡୁନି ନିମ୍ନମାନର ସରକାରୀ କାମ

    କାହା ନଜରରେ ପଡୁନି ନିମ୍ନମାନର ସରକାରୀ କାମ

    ଚାଲିଛି ନିର୍ମାଣ କାର୍ଯ୍ୟ, ହେଲେ କାମ ହେଉଛି ନିମ୍ନ ମାନର । ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଶଶ ଗ୍ରାମପଞ୍ଚାୟତରୁ । କୁଲଗୀ ଗ୍ରାମର ୱାର୍ଡ ନମ୍ବର ୨ ଓ ୩ର ଅଧିବାସୀଙ୍କ ନିମନ୍ତେ ଏକ କ୍ଲବ ଗୃହ ଆଦିବାସୀ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ନିର୍ମାଣ ହେଉଛି । ହେଲେ ଯେଉଁ ଠିକାଦାର ଏହାର ଦାୟିତ୍ବ ନେଇଛନ୍ତି ସେ ଏହାକୁ ଅତି ନିମ୍ନ ମାନର କରୁଛନ୍ତି । ଗୃହ ନିର୍ମାଣ ପାଇଁ ଯେତିକି ରୋଡ ଲାଗିବା କଥା, ତାହା ଲଗାଯାଉ ନାହିଁ । କେବଳ ସେତିକି ନୁହେଁ, ଏହି କ୍ଲବ ଗୃହଟିର ନିର୍ମାଣ ଖର୍ଚ୍ଚ କେତେ ରଖାଯାଇଛି, ତାହା ଏପର୍ଯ୍ୟନ୍ତ ସାଇନ ବୋର୍ଡରେ ଲେଖାଯାଇନଥିବା ଅଭିଯୋଗ ହୋଇଛି ।

    ତେବେ ଏତେ ନିମ୍ନ ମାନର କାମକୁ ନେଇ ୨ ଓ ୩ ନଂ ୱାର୍ଡର ଗ୍ରାମବାସୀ ମାନେ ପ୍ରବଳ ପ୍ରତିବାଦ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏହି କାମର ତଦାରଖ କରିବା ପରେ ହିଁ ଏହା ଜାଣିପାରିଥିଲେ । ଗ୍ରାମବାସୀ ଏହାକୁ ନେଇ ଉପର ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

  • କର୍ଣ୍ଣାଟକ ସରକାରକୁ ଜାମିଆତ୍ ଉଲେମା-ଏ-ହିନ୍ଦର ଚେତାବନୀ

    କର୍ଣ୍ଣାଟକ ସରକାରକୁ ଜାମିଆତ୍ ଉଲେମା-ଏ-ହିନ୍ଦର ଚେତାବନୀ

    ମୁସଲମାନମାନଙ୍କର ସର୍ବବୃହତ ଧାର୍ମିକ ସଂଗଠନ ଜାମିଆତ୍ ଉଲେମା-ଏ-ହିନ୍ଦର  କର୍ଣ୍ଣାଟକରେ ସରକାର ଗଢିଥିବା  କଂଗ୍ରେସକୁ ଚେତାବନୀ। ସଂଗଠନର ମୁଖ୍ୟ ମୌଲାନା ଅର୍ଶଦ ମଦାନୀ  ବଜରଙ୍ଗ ଦଳ ପ୍ରସଙ୍ଗରେ କଂଗ୍ରେସକୁ ତାର ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି। ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ମୌଲାନା କହିଛନ୍ତି କି, କର୍ଣ୍ଣାଟକରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶୃତି ଦେଇ ମୁସଲମାନଙ୍କ ସମର୍ଥନ ପାଇଛି। ଏବେ କଂଗ୍ରେସକୁ ତାର ପ୍ରତିଶ୍ରୁତି ପାଳନ କରିବାକୁ ହେବ। ନଚେତ୍ ଆଗାମୀ ନିର୍ବାଚନରେ ​​ କଂଗ୍ରେସ ମୁସଲମାନଙ୍କ  ବିଶ୍ୱାସ ହରାଇବସିବ।

    ମୌଲାନା ମଦାନୀ କହିଛନ୍ତି କି,  କର୍ଣ୍ଣାଟକରେ ବଜରଙ୍ଗ ଦଳକୁ କଂଗ୍ରେସ ନିଷିଦ୍ଧ କରିବା ଉଚିତ।  କାରଣ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା କି ଦଳ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିଦେବ।  ସେଥିପାଇଁ ମୁସଲମାନମାନେ କର୍ଣ୍ଣାଟକରେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଯଦି ବଜରଙ୍ଗ ଦଳକୁ ବ୍ୟାନ କରା ନ ଯାଏ, ତେବେ ମୁସଲମାନମାନେ କଂଗ୍ରେସକୁ ଆଉ ବିଶ୍ୱାସକୁ ନେଇ ପାରିବେ ନାହିଁ।

    ଖାଲି ସେତିକି ନୁହେଁ, ଏହି ପ୍ରସଙ୍ଗରେ ମୌଲାନା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିବା ମଧ୍ୟ ସାକ୍ଷାତକାରରେ କହିଛନ୍ତି।  ଏଥିସହ ସେ କଂଗ୍ରେସକୁ  ପୁନର୍ବାର ନେହେରୁଙ୍କ ଦଳ ହେବାକୁ ଆହ୍ୱାନ ଦେଇଛନ୍ତି। ଆଗକୁ ସେ କହିଛନ୍ତି କି, କର୍ଣ୍ଣାଟକ ଫଳାଫଳ ସାମ୍ପ୍ରଦାୟିକ ଶକ୍ତି ପାଇଁ ଶିକ୍ଷା ଅଟେ। କଂଗ୍ରେସର  ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ  ପ୍ରତିଶ୍ରୁତିକୁ ମୁସଲମାନ ପଣ୍ଡିତ ସମର୍ଥନ କରିଛନ୍ତି। ଯାହାର ଫଳ ସ୍ୱରୂପ କଂଗ୍ରେସ ବିଜୟ ଲାଭ କରିଛି। ଏହି ପଦକ୍ଷେପ ୭୦ ବର୍ଷ ପୂର୍ବେ ଆଦର୍ଶ ଭାବରେ ନିଆଯାଇଥିଲା।

    ଆପଣଙ୍କୁ କହିରଖୁଛୁ ଯେ କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାରୁ ହଟାଇ କଂଗ୍ରେସ ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଦଳ ଏହାର ନିର୍ବାଚନୀ ଇସ୍ତାହାରରେ କହିଥିଲା କି, ସାମ୍ପ୍ରଦାୟିକ ସୌ ହାର୍ଦ୍ଦ୍ୟକୁ ନଷ୍ଟ କରୁଥିବା ବଜରଙ୍ଗ ଦଳ ଏବଂ ପିଏଫଆଇ (ପିପୁଲ୍ସ ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଭଳି ସଂଗଠନ ବିରୋଧରେ ଦଳ କ୍ଷମତାକୁ ଆସିଲେ ପ୍ରଥମ ପଦକ୍ଷେପ ଭାବେ ଉଭୟ ଦଳକୁ ବ୍ୟାନ କରିବାକୁ ପଛଘୁଞ୍ଚା ଦେବ ନାହିଁ।

  • କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ନଂ କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର୍ । ଗାଡ଼ିରେ ଥିବା ଦୁଇ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଦୁହେଁ ଏବେ ସୁରକ୍ଷିତ ଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁଯାୟୀ ଅନୁଗୁଳରୁ ଏକ OD19E4444 କାର୍, କେନ୍ଦୁଝର ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଥାନା ନିକଟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ ଡ୍ରାଇଭର । ସେଠାରୁ କେନ୍ଦୁ କିଣୁଥିବା ବେଳେ ହଠାତ୍ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଗାଡ଼ିଟିରେ ନିଆଁ ଲାଗିଥିବା ବେଳେ ନିଆଁ ଲିଭାଇବା ଉଦ୍ୟମ ଫେଲ୍ ମାରିଥିଲା । ସ୍ଥାନୀୟ ଲୋକେ ବି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଗାଡ଼ିଟି ଜଳୁଥିବା ବେଳେ ତା ନିକଟକୁ ଯିବାକୁ କେହି ବି ସାହସ କରିନଥିଲେ ।
    କାରରେ ନିଆଁ ଲାଗିଥିବା ନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।