Month: May 2023

  • ୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

    ୩ଟି ବାଘ ଛାଲ ଜବତ, ଜଣକୁ ଧରିଲା କ୍ରାଇମବ୍ରାଞ୍ଚ STF

    ଏକା ସଙ୍ଗେ ତିନି ତିନିଟି ବାଘ ଛାଲ ଜବତ ହୋଇଛି । ରାୟଗଡ଼ା ଓ କୋରାପୁଟ ଜାତୀୟ ରାଜପଥ ଶିରିଗୁଡ଼ା ସ୍ଵର୍ଗ ଧାମ ଛକରୁ ୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ବେଆଇନ ଭାବେ କଲରାପତରିଆ ବାଘ ଛାଲ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

    ବାଘ ଛାଲ ରଖି ଗିରଫ ହୋଇଛି ଅଭିଯୁକ୍ତ ଡମ୍ବରୁଧର ମାଝୀ । ଅଭିଯୁକ୍ତର ଘର ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ା ଗାଁରେ । ଜବତ ବାଘ ଛାଲ ବାୟୋଲୋଜିକାଲ୍ ଟେଷ୍ଟ ପାଇଁ ଡେରାଡୁନସ୍ଥିତ WII ଲ୍ୟାବକୁ ପଠାଯିବ । ଅଭିଯୁକ୍ତ ଡମ୍ବୁରୁଧର ମାଝୀକୁ କୋର୍ଟ ଚାଲଣ କରାଯାଇଛି । ବନ୍ୟଜନ୍ତୁ ଶିକାର କରି ଏହାର ଚମଡ଼ା, ଶିଙ୍ଗ ବିକ୍ରି କରୁଛନ୍ତି ଶିକାରୀ ।

    ଶରୀରର ଅନ୍ୟାନ୍ୟ ଅଂଶକୁ ବି ଏମାନେ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି । ଜଙ୍ଗଲରୁ ବେଆଇନ୍ ଭାବେ ଏଭଳି ଶିକାର କରି ଚାଲିଛନ୍ତି । ତେବେ, ବନ ବିଭାଗ ଏବଂ ପୋଲିସ ପ୍ରଶାସନ ଏ ଦିଗରେ ସତର୍କ ଏବଂ ସଜାର ରହିବା ଦରକାର । ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦିଆଗଲେ ଆସନ୍ତା ଦିନରେ ଏଭଳି ଅପରାଧ କମିବ ନଚେତ୍ ବନ୍ତୁଜନ୍ତୁ ଶିକାର ବୃଦ୍ଧି ପାଇବ । ସରକାର, ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

  • ହାଇଦ୍ରାବାଦରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

    ହାଇଦ୍ରାବାଦରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

    ଦିଲ୍ଲୀ ଶ୍ରଦ୍ଧା ୱାଲକର କେସ୍‌ ପରି ବିଭତ୍ସ ହତ୍ୟାକାଣ୍ଡ ପୁଣି ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଧାର ଟଙ୍କାକୁ ନେଇ ନିଜ ପ୍ରେମିକାକୁ ହତ୍ୟାକରିବା ପରେ ପଥର କଟା ମେସିନରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଡମ୍ପିଂୟାର୍ଡରେ ପକାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛି। ପୋଲିସ ଉକ୍ତ ଆଭିଯୁକ୍ତ ପ୍ରେମିକକୁ ଧରି ପଚରା ଉଚରା କରିବା ବେଳେ ସମସ୍ତ କଥା ପଦାକୁ ଆସିଛି। ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରେମିକା ଜଣେ ୫୫  ବର୍ଷୀୟା ମହିଳା ହୋଇଥିବା ବେଳେ ହତ୍ୟାକାରୀ ପ୍ରେମିକ ୪୮ ବର୍ଷୀୟ ଚନ୍ଦ୍ରମୋହନ।

    ସୂଚନା ମୁତାବକ, ୫୫ ବର୍ଷୀୟା ୟେରମ ଅନୁରାଧା ରେଡ୍ଡି ଦୀର୍ଘ ବର୍ଷରୁ ନିଜ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ଅନୁରାଧା ରହୁଥିବା ଘରର ତଳ ମହଲାରେ ଅଭିଯୁକ୍ତ ପ୍ରେମିକ ଚନ୍ଦ୍ରମୋହନର ପରିବାର ରହୁଥିଲେ। ଅନୁରାଧା ନିସଙ୍ଗ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କଠାରୁ ୭ ବର୍ଷ ଛୋଟ ଚନ୍ଦ୍ରମୋହନ ସହ ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା।

    ଅନୁରାଧା ଓ ଚନ୍ଦ୍ରମୋହନ ପରସ୍ପରର ସୁଖ ଦୁଃଖରେ ପରସ୍ପର ପାଖରେ ଠିଆ ହେଉଥିଲେ।  ୨୦୧୮ ମସିହାରେ ଚନ୍ଦ୍ରମୋହନକୁ ଅର୍ଥର ଆବଶ୍ୟକତା ପଡିଥିଲା ଓ ଅନୁରାଧାଙ୍କଠାରୁ ୭ ଲକ୍ଷ ଟଙ୍କା ଧାର ନେଇଥିଲା। ଏହା ଭିତରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚନ୍ଦ୍ରମୋହନ ସେହି ଧାର ଟଙ୍କା ଫେରାଇବା ନାଁ ଧରୁ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାକୁ ଲାଗିଲା।

    ଗତ ୧୨ ତାରିଖରେ ଅନୁରାଧା ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ଏହା ଭୟଙ୍କର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ରମୋହନ ଏକ ଛୁରୀରେ ଅନୁରାଧାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଅନୁରାଧାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ଚନ୍ଦ୍ରମୋହନଙ୍କୁ ମୃତଦେହ ଠିକଣା ଲଗାଇବା ଚିନ୍ତା ଘାରିଥିଲା। ମୃତଦେହକୁ କେଉଁଠି ପକେଇଲେ ପୋଲିସ ତାଙ୍କୁ ପାଇବ, ତେଣୁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଥିଲା। ସେ ମୃତଦେହକୁ ଯେମିତି ଚିହ୍ନଟ କରାଯାଇ ପାରିବ ନାହିଁ ସେଥିପାଇଁ ଯୋଜନା କଲେ।

    ତେଣୁ ଚନ୍ଦ୍ରମୋହନ ଏକ ପଥର କଟା ମେଶିନ ଆଣିଲେ। ମେସିନରେ  ଅନୁରାଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ। ମୁଣ୍ଡଟିରୁ ଯେମିତି ଅନୁରାଧାଙ୍କ ପରିଚୟ ନ ମିଳେ ସେଥିଲାଗି ଚନ୍ଦ୍ରମୋହନ ମୁଣ୍ଡକୁ ମଧ୍ୟ ଗୁଣ୍ଡ କରିଦେଇଥିଲେ ଓ  ଖଣ୍ଡ ବିଖଣ୍ଡିତ  ଅଂଶକୁ ସବୁ ଛୋଟ ଛୋଟ ଜରିରେ ଭର୍ତ୍ତି କରି  ବଡ଼ ଫ୍ରିଜରେ ଭର୍ତ୍ତି କରି ରଖିଲେ।

    ମୃତଦେହ ବେଶି ଦିନ ରହିଲେ ଦୁର୍ଗନ୍ଧ ହେବା ସମ୍ଭାବନାକୁ ଦେଖି ସେ ସବୁ ବେଳେ ଘରେ ରୁମ ଫ୍ରେସନର ଓ ଧୂପକାଠି ଲଗାଉଥିଲେ। କିଛି ଦିନ ପରେ ଚନ୍ଦ୍ରମୋହନ ସେସବୁ ଜରିକୁ ଧୀରେ ଧୀରେ ନେଇ ଡମ୍ପିଂୟାର୍ଡରେ ଫୋପାଡ଼ି ଦେଇଥିଲେ। କିନ୍ତୁ ଡମ୍ପିଂୟାର୍ଡରୁ ପ୍ରବଳ ଗନ୍ଧ ବାହାରିବା ପରେ ସେଠାରେ ନିୟୋଜିତ ସଫେଇ କର୍ମଚାରୀ ଯାଞ୍ଚ କରିବାରୁ ଏକାଧିକ ଜରିରେ ନଷ୍ଟ ହୋଇଯାଇଥିବା ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ପାଇଥିଲେ।

    ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତଦନ୍ତ କରି ଶେଷରେ ପହଞ୍ଚିଥିଲା ଚନ୍ଦ୍ରମୋହନ ନିକଟରେ। ପୋଲିସ ଚନ୍ଦ୍ରମୋହନକୁ ପଚରାଉଚରା ପରେ ସବୁ ତଥ୍ୟ ଜାଣିବା ପରେ ତାଙ୍କୁ ଗିରଫ କରିଛି।

  • ସରିଲା ମହାଦେବଙ୍କ ବିବାହ, ନାଚଗୀତରେ ଦୁଲୁକିଲା ସମ୍ବଲପୁର

    ସରିଲା ମହାଦେବଙ୍କ ବିବାହ, ନାଚଗୀତରେ ଦୁଲୁକିଲା ସମ୍ବଲପୁର

    ଶେଷରେ ମହା ଆଡ଼ମ୍ବରରେ ଶେଷ ହୋଇଛି ମହାଦେବଙ୍କ ବିବାହ ଉତ୍ସବ । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଭଳି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ବେଶ୍ ଭିଡ଼ ଜମିଥିଲା ।

    ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଛନ୍ତି ବାବା ଭୋଳାନାଥ । ଦେବ ଦମ୍ପତିଙ୍କ ଏବି ବିବାହ ଉତ୍ସବ ପାଇଁ ସମ୍ବଲପୁର ବେଶ୍ ଚଳଚଞ୍ଚଳ ହୋଇଥିଲା । ମା’ପାର୍ବତୀ ଏବଂ ଭୋଳାନାଥଙ୍କ ବିବାହ ଧୁମଧାମରେ ପାଳିତ ହୋଇଥିଲା ଯାହାର ଭରପୂର ମଜା ନେଇଛନ୍ତି ଲୋକେ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ସହ ଯାଇଥିଲେ ମହାଦେବ ।

    ବାଜାବାଣର ରୋଷଣୀରେ କମ୍ପିଥିଲା ସହର । ଭଳିକିଭଳି ପାରମ୍ପରିକ ନାଚଗୀତରେ ଦୁଲୁକୁଥିଲା ସମ୍ବଲପୁର ସହର । ନନ୍ଦପଡ଼ା ବାବା ବାଲୁଙ୍କେଶ୍ବର ଝାଡୁଆପଡ଼ାର ବାବା ଲୋକନାଥ ଏବଂ ମୁଦିପଡ଼ାର ବାବା ଯାଗେଶ୍ୱର ହାତଗଣ୍ଠି ପଡ଼ିସାରିଛି । ଆଜି ଦିନସାରା ଯୁଗଳ ଦର୍ଶନ ଦେବେ ନବ ଦମ୍ପତି । ଆସନ୍ତାକାଲି ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଶୀତଳଷଷ୍ଠୀ ଅବସରରେ ବିରାଟ ସାପ ଧରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ସେପଟେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାବା ଲିଙ୍ଗରାଜଙ୍କ ବିବାହ ଉତ୍ସବ ଧୁମଧାମରେ ଶେଷ ହୋଇଛି । ଗତକାଲି ରାତି ୧୦ଟା ପରେ ବରଯାତ୍ରୀ, କନ୍ୟା ଘର କେଦାରଗୌରୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ରୀତିନୀତିର ସହ ରାତି ଗୋଟାଏ ସୁଦ୍ଧା ଶେଷ ହୋଇଛି ବିବାହ କାର୍ଯ୍ୟ ।

    ସେପଟେ, ଶୀତଳଷଷ୍ଠୀ ଅବସରରେ କେଦାରଗୌରୀ ଗୁଆଝରରେ ଚନ୍ଦନ ମହୋତ୍ସବ ପାଳିଲେ ବିଧାୟକ ସୁରେଶ ରାଉତରାୟ । ବିଧାୟକଙ୍କ ସମେତ ବହୁ ଲୋକ ଗୁଆଝରରେ ସ୍ନାନ କରିଛନ୍ତି ।

  • କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

    କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

    କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆତଙ୍କ । ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁରେ ଜଣଙ୍କୁ ଦଳିଦେଇଛି ଦନ୍ତା । ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ ଭୟଭୀତ ହୋଇଛନ୍ତି ।

    ହାତୀ ଆତଙ୍କ ଥମିବାର ନାଁ ନେଉନି । କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ନଷ୍ଟ କରୁଛି ଫସଲ । ଲୋକଙ୍କୁ ଦଳୁଛି ତ ଆଉ କେଉଁଠି ଗୁରୁତର କରୁଛି । ଏଭଳି ଦୈନନ୍ଦିନ କିଛି ନା ଘଟଣା ଘଟାଉଛି ଦନ୍ତା । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଏମିତି ଏକ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି । ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ହାତୀ ଆକ୍ରମଣରେ ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଦ୍ରୌପଦୀ ନାୟକ । ସେ ଆକୁଳ ପଞ୍ଚାୟତ ୧୦ନଂ ୱାର୍ଡର ୱାର୍ଡମେମ୍ବର ।

    ସୂଚନା ଅନୁସାରେ ଗତକାଲି ରାତିରେ ଝଡ଼ତୋଫାନ ହୋଇଥିଲା । ତେଣୁ ଆଜି ଭୋରୁ ଘର ନିକଟରେ ଥିବା ଆମ୍ବ ତୋଟାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ମହିଳା ୱାର୍ଡମେମ୍ବର । ତାଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇଥିଲା ହାତୀ । ମହିଳାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ୱାର୍ଡମେମ୍ବରଙ୍କ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଦେଇଛି ବନ ବିଭାଗ । ସେପଟେ, ବନବିହାରୀପୁର ଅଞ୍ଚଳରେ ଏକ ହାତୀପଲ ବୁଲୁଛି । ସେଥିରେ ୧୫ଟି ହାତୀ ଥିବା ସୂଚନା ମିଳିଛି ।

  • CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

    CBI ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲଙ୍କ କାର୍ଯ୍ୟକାଳ ସରିଛି । ଆଜି ସେ ଅବସର ନେଉଛନ୍ତି । ଏହାପରେ CBI ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକର ପୂର୍ବତନ ଡିଜିପି ପ୍ରବୀଣ ସୁଦ, ଦୁଇ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

    ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଆଇପିଏସ ଅଫିସର । ପ୍ରଥମ ଏସପି ଭାବେ ୧୯୮୯ରୁ କ୍ୟାରୟର ଆରମ୍ଭ କରିଥିଲେ । ମହୀଶୂରରେ ଏଏସପି ଭାବେ ଦାୟିତ୍ୱ ନେଇଥିଲେ । ନିଜର କର୍ତ୍ତବ୍ୟ ଏବଂ ଉଲ୍ଲେଖନୀୟ ସେବା ପାଇଁ ୨୦୧୧ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା ।

    ଗତ ତିନି ବର୍ଷ ହେଲା କର୍ଣ୍ଣାଟକ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଏହି IPS ଅଫିସର । ହେଲେ ନିଜ କ୍ୟାରିୟରରେ ଅନେକ ଥର ବିବାଦକୁ ଆସିଛନ୍ତି ପ୍ରବୀଣ ।

    ପ୍ରବୀଣ ସୁଦଙ୍କୁ CBI ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି, ତାଙ୍କ ନାଁରେ ମୋହର ମାରିଛନ୍ତି । CBI ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନାଁ ନଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ଲିଷ୍ଟରେ ସାମିଲ କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ଦିନ ତାଙ୍କ ନାଁ ଲିଷ୍ଟରେ ସାମିଲ ହୋଇଥିଲା । ତେବେ ପ୍ରବୀରଙ୍କୁ CBI ନିର୍ଦ୍ଦେଶକ କରିବାକୁ ନାପସନ୍ଦ କରିଛି କଂଗ୍ରେସ । ବିଜେପିକୁ ନିଜ ଇସାରାରେ ନାଚିବା ଲୋକଙ୍କୁ ଏହି ପଦରେ ନିଯୁକ୍ତି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ।

  • ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

    ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

    କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକୁ ନେଇ ଅନ୍ୟ
    କଂଗ୍ରେସ କର୍ମୀଙ୍କ ଠାରୁ ଭିନ୍ନ ବୟାନ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, “ସଂସଦ ଭବନ ବିଜେପିର ନୁହେଁ ବରଂ ସମଗ୍ର ଦେଶର ଅଟେ । ମୋଦୀଙ୍କୁ ବିରୋଧ କରିବାଟା ଠିକ୍ କିନ୍ତୁ ‘ଦେଶ’କୁ ବିରୋଧ କରିବା ଠିକ୍ ନୁହେଁ ।

    ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକୁ ବୟକଟ କରିବାକୁ ଘୋଷଣା କରିଛନ୍ତି । ବୁଧବାର କଂଗ୍ରେସ ଦଳ ସମାନ ବିଚାରଧାରା ବିରୋଧୀ ଦଳ ମାନଙ୍କୁ ଏକ ବିବୃତ୍ତି ଜାରି କରି କହିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ ଦେବା କେବଳ ତାଙ୍କ ଗରିମା ପ୍ରତି ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ମଧ୍ୟ ଆକ୍ରମଣ ।

    ନୂତନ ଭବନର ଉଦଘାଟନ ନେଇ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର କହିଛନ୍ତି ଯେ, ମେ ୨୮ରେ ସଂସଦର ନୂତନ ଭବନର ଉଦଘାଟନ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜନୀତି ସହ ଜଡିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

    ଗୃହମନ୍ତ୍ରୀ କହିଛନ୍ତି ଯେ, “ନୂତନ ସଂସଦ ଗୃହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିର ଏକ ଉଦାହରଣ”। ସେ କହିଛନ୍ତି ଯେ, ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସଂସଦ ଗୃହ ନିର୍ମାଣରେ ସହଯୋଗ କରିଥିବା ୬୦,୦୦୦ ଶ୍ରମିକଙ୍କୁ ମଧ୍ୟ ସମ୍ମାନିତ କରିବେ ।