Month: May 2023

  • କର୍ଣ୍ଣାଟକ: ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ

    କର୍ଣ୍ଣାଟକ: ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ

    କର୍ଣ୍ଣାଟକରେ ଆଜି ପ୍ରଥମ ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ କରାଯାଇଛି । ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ଆଜି ଦିନ ୧୧ଟା ୪୫ରେ ଶପଥ ସମାରୋହ ଆରମ୍ଭ ହୋଇଥିଲା । ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । କର୍ଣ୍ଣାଟକ ସରକାରରେ ୩୪ ଜଣ ମନ୍ତ୍ରୀ ରହିପାରିବାର ନିୟମ ଅଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ‌.ଶିବକୁମାରଙ୍କ ସମେତ ମୋଟ ୧୦ଜଣ ଶପଥ ନେଇସାରିଛନ୍ତି ।

    ଶପଥ ଗ୍ରହଣ କରିଥିବା ୨୪ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ରହିମ୍‌ ଖାଁ,ସନ୍ତୋଷ ଲାଡ୍‌,କେ.ଏନ୍‌.ରାଜନ୍ନା, ଦୀନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବୈରେ ଗୌଡ଼ା,ଈଶ୍ବର ଖାନ୍ଦ୍ରେ। ଅନ୍ୟାମାନଙ୍କ ମଧ୍ୟରେ ଚେଲୁବାରାୟ ସ୍ବାମୀ,ମନକୁଲ ବୈଦ୍ୟ ଏବଂ ଏମ୍‌.ସି.ସୁଧାକର, କେ.ଭେଙ୍କଟେଶ,ଏଚ୍‌.ସି.ମହାଦେବାପ୍ପା,ବୈରତି ସୁରେଶ,ଶିବରାଜ ତଙ୍ଗଡ଼ି, ଆର୍‌.ବି.ତିମ୍ମପୁର,ବି.ନଗେନ୍ଦ୍ର,ଲକ୍ଷ୍ମୀ ହେବ୍ବାଲକାର୍‌,ମଧୁ ବାଙ୍ଗରପ୍ପା ଏବଂ ଡି.ସୁଧାକର । ପ୍ରଥମ ଥର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଛନ୍ତି ୧୦ ଜଣ । ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି । ୬ ଜଣ ଭୋକ୍କାଲିଗା ଏବଂ ୮ ଜଣ ଲିଙ୍ଗାୟତ ନେତା ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

    ସେହିପରି,ଅନୁସୂଚିତ ଜାତିରୁ ୩ ଜଣଙ୍କୁ ସୁଯୋଗ ମିଳିଥିବା ବେଶେ ଅନୁସୂଚିତ ଜନଜାତିରୁ ୨ ଜଣ ଏବଂ ଅନ୍ୟାନ୍ୟ ପଛୁଆବର୍ଗରୁ ୫ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି । ଶପଥ ଗ୍ରହଣ ସମାରୋହ ପାଇଁ ରାଜଭବନ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ସରକାର ଗଠନ କରିଛି କଂଗ୍ରେସ ।

  • ସିଲାବସରୁ ହଟିବ ”ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହାମାରା”

    ସିଲାବସରୁ ହଟିବ ”ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହାମାରା”

    ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହାମାରା… ଲେଖିଥିବା କବି ଆଲ୍ଲାମା ମହମ୍ମଦ ଇକବାଲଙ୍କ ଅଧ୍ୟାୟକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରୁ ବାହାର କରିଦିଆ ଯାଇଛି । ବିଶ୍ୱବିଦ୍ୟାଳୟର ଏକାଡେମିକ୍ କାଉନସିଲ୍ (ଏସି) ଶୁକ୍ରବାର ଦିନ ସିଲାବସରୁ ବିଏ ରାଜନୀତି ବିଜ୍ଞାନକୁ ହଟାଇବା ସହିତ ଅନେକ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି । ବିଭାଜନ ଅଧ୍ୟୟନ, ହିନ୍ଦୁ ଅଧ୍ୟୟନ ଏବଂ ଆଦିବାସୀ ଅଧ୍ୟୟନ ପାଇଁ ନୂତନ କେନ୍ଦ୍ର ସ୍ଥାପନ ପାଇଁ ପରିଷଦ ପ୍ରସ୍ତାବକୁ ଅନୁମୋଦନ କରିଛି ।

    ଆଲ୍ଲାମା ଇକବାଲ ପାକିସ୍ତାନର ଜାତୀୟ କବି ଥିଲେ । ସେ ତାଙ୍କ ସମୟରେ ଉର୍ଦ୍ଦୁ ଏବଂ ପାର୍ସୀ କବିମାନଙ୍କ ମଧ୍ୟରେ ଶୀର୍ଷରେ ଥିଲେ । ତାଙ୍କର ଚିନ୍ତାଧାରା ମଧ୍ୟ ପାକିସ୍ତାନ ଗଠନରେ ସହାୟକ ହୋଇଛି ବୋଲି ବିଶ୍ୱାସ କରାଯାଏ ।

    ଡିୟୁ ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ଯେ, ଶୁକ୍ରବାର ଦିନ ପରିଷଦ ବୈଠକରେ ପାଠ୍ୟକ୍ରମ ଏବଂ ବିଭିନ୍ନ କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଭାଜନ, ହିନ୍ଦୁ ଏବଂ ଆଦିବାସୀ ଅଧ୍ୟୟନ ପାଇଁ କେନ୍ଦ୍ର ଗଠନ ପାଇଁ ସଂକଳ୍ପ ପାରିତ ହୋଇଛି । ମହମ୍ମଦ ଇକବାଲଙ୍କୁ ସିଲାବସରୁ ବାଦ ଦିଆଯାଇଛି । ଇକବାଲଙ୍କୁ ବିଏ ପଲିଟିକାଲ ସାଇନ୍ସ ପେପରର ମଡର୍ଣ୍ଣ ଇଣ୍ଡିଆ ପଲିଟିକାଲ ଥିଙ୍କ୍ ରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

    ଏହି ପ୍ରସ୍ତାବ ଗୁଡ଼ିକ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦ (ଇସି)ରୁ ଅନୁମୋଦନ ମିଳିବା ବାକି ରହିଛି । ଏହି ବୈଠକ ଜୁନ୍ ୯ ତାରିଖରେ ଅନୁଷ୍ଠିତ ହେବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଦିଲ୍ଲୀ ୟୁନିଟ୍ ଡିୟୁର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ।

    ଏବିଭିପି କହିଛି ଯେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକାଡେମିକ୍ ପରିଷଦ କଟ୍ଟର ମହମ୍ମଦ ଇକବାଲଙ୍କୁ ଡିୟୁ ରାଜନୈତିକ ବିଜ୍ଞାନ ପାଠ୍ୟକ୍ରମରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମହମ୍ମଦ ଇକବାଲଙ୍କୁ ପାକିସ୍ତାନର ଦାର୍ଶନିକ ପିତା କୁହାଯାଏ । ଜିନ୍ନାଙ୍କୁ ମୁସଲିମ ଲିଗର ନେତା କରିବା ପଛରେ ଇକବାଲଙ୍କ ହାତ ଥିଲା । ମହମ୍ମଦ ଅଲି ଜିନ୍ନାଙ୍କ ପରି ମହମ୍ମଦ ଇକବାଲ ମଧ୍ୟ ଭାରତର ବିଭାଜନ ପାଇଁ ଯେତିକି ଦାୟୀ ।

    ଏକାଡେମିକ୍ ପରିଷଦର ୧୦୦ ସଦସ୍ୟ ଅଛନ୍ତି । ସିଲାବସରୁ ଇକବାଲଙ୍କୁ ହଟାଇବା ଉପରେ ଦିନ ସାରା ଆଲୋଚନା ହୋଇଥିଲା । ବିଭାଗୀୟ ଅଧ୍ୟୟନ ଉପରେ ଏହି ପ୍ରସ୍ତାବକୁ ପାଞ୍ଚ ଜଣ ସଦସ୍ୟ ବିରୋଧ କରିଥିଲେ । ଏହାକୁ ବିଭାଜନକାରୀ ବୋଲି କହିଥିଲେ ।

  • ଯଦି ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ: ଆଜାଦ

    ଯଦି ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ: ଆଜାଦ

    ଆସନ୍ତା କାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ । ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରା ରଖୁଥିବା ଦଳ ବିରୋଧ କରୁଛନ୍ତି । ବିରୋଧିଙ୍କ ବିରୋଧ ଉପରେ ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ବିରୋଧୀ ଦଳର ଏହି ଷ୍ଟାଣ୍ଡକୁ ସମାଲୋଚନା କରିଛନ୍ତି ।

    ଗୁଲାମ ନବୀ ଆଜାଦ କହିଛନ୍ତି, ବିରୋଧୀ ଦଳ କାହିଁକି ପାଟିତୁଣ୍ଡ କରୁଛନ୍ତି ମୁଁ ବୁଝିପାରୁ ନାହିଁ । ଯେତେବେଳେ ଦେଶକୁ ଏକ ନୂତନ ସଂସଦ ମିଳୁଛି ସେମାନେ ଖୁସି ହେବା ଉଚିତ । ନବୀ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ଥାନ୍ତି ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି । ଏପରି ସମୟରେ ଏକ ନୂତନ ସଂସଦ ନିର୍ମାଣ ପାଇଁ ବିରୋଧୀ ମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ୍ । ହେଲେ ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ବିରୋଧୀ ଏହାକୁ ବହିଷ୍କାର କରିବାକୁ ମୁଁ ଦୃଢ ବିରୋଧ କରୁଛି ବୋଲି ଆଜାଦ କହିଛନ୍ତି ।

    ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଯେତେବେଳେ ସେ ନରସିହ୍ମା ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଗଠନ କରିବାର ସ୍ୱପ୍ନ ଦେଖିଥିଲେ । ସେ କହିଛନ୍ତି ମୁଁ ଏକ ନୂତନ ସଂସଦ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କ ସହ ଆଲୋଚନା କରିଥିଲି । ଏକ ନକ୍ସା ମଧ୍ୟ ତିଆରି କରିଥିଲୁ କିନ୍ତୁ ସେତେବେଳେ ଆମେ ତାହା କରିପାରିଲୁ ନାହିଁ ।

    ସେ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରେ ଦେଶର ଜନସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ପ୍ରତିନିଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୁଲାମ ନବୀ ଆଜାଦ କହିଛନ୍ତି, ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ କରିବାର ଆବଶ୍ୟକତା ପଡ଼ିଲା ।

    ଆଜାଦ ଆହୁରି କହିଛନ୍ତି, ”ମୁଁ ନୂଆ ସଂସଦର ଉଦଘାଟନ ପାଇଁ ଅନାବଶ୍ୟକ ବିବାଦକୁ ବିରୋଧ କରୁଛି । ବିରୋଧୀଙ୍କ ପାଖେ ପ୍ରସଙ୍ଗ କିଛି କମ ନାହିଁ, ସେମାନେ ଭୁଲ ପ୍ରସଙ୍ଗ ଉଠାଉଛନ୍ତି ଏବଂ ଯଦି ବିରୋଧୀଙ୍କ ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିଲେ ?”

  • IPL: କାହାର ଦମ୍ କେତେ ? କିଏ ଜିତିବ ନଂ-16

    IPL: କାହାର ଦମ୍ କେତେ ? କିଏ ଜିତିବ ନଂ-16

    IPLରେ ଆଉ ମାତ୍ର ଗୋଟିଏ ମ୍ୟାଚ୍ । ମୈଦାନରେ ପାଖାପାଖି ୨ ମାସର ମୁକାବିଲା । ଏବେ ଟାଇଟଲ୍ ପାଇଁ ଲଢ଼ିବେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ । ମୁମ୍ବାଇକୁ ୬୨ ରନରେ ହରାଇ ଦ୍ୱିତୀୟ ଟିମ୍ ଭାବେ ଏଣ୍ଟ୍ରି କରିଛି ଗୁଜରାଟ । IPL ଟ୍ରଫି ଉପରେ ଏବେ ସମସ୍ତଙ୍କ ନଜର ।

    ଦିନକ ପରେ ବିଦାୟ ନେବ ୨୦୨୩ IPL । ମେ’ ୨୮ରେ ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ ଓ ଗୁଜରାଟ । ଚେନ୍ନାଇ ପରେ ଗୁଜରାଟକୁ ମିଳିଛି ଫାଇନାଲ୍ ଟିକେଟ୍ । ଗତବର୍ଷ IPLରେ ଏଣ୍ଟ୍ରି କରିଥିଲା ଗୁଜରାଟ ଟାଇଟନ୍ସ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପ୍ରଥମ ଟାଇଟଲ୍ ବି ଜିତିଥିଲା ଦଳ । ଏଥର ବି ପୁରା ଦମରେ ଅଛନ୍ତି ଖେଳାଳି । ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଛି ଦଳ । ଦ୍ୱିତୀୟ କ୍ୱାଲିଫାଏରରେ ଗୁଜରାଟର ପରଫରମାନ୍ସ ବେଶ୍ ପ୍ରଶଂସନୀୟ ଥିଲା । ଶକ୍ତିଶାଳୀ ମୁମ୍ବାଇ ବିପକ୍ଷରେ ବିଶାଳ ୨୩୩ ରନ୍ କରିଥିଲା ଗୁଜରାଟ । ଶେଷରେ ୬୨ ରନରେ ଦଳ ବିଜୟୀ ହୋଇଥିଲା । ଇନଫର୍ମ ଶୁବମନ୍ ଗିଲ୍ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ପୁରା ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଗିଲ୍ ।

    ୩ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ସହ ୮୫୧ ରନ୍ କରି ଟପରେ ଅଛନ୍ତି ଏହି ଓପନର । ତାଙ୍କ ବ୍ୟାଟ୍ ଚାଲିଲେ ବିଜୟ ନିଶ୍ଚିତ । ତାଙ୍କୁ ସାଥ୍ ଦେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ମିଲର, ବିଜୟ ଶଙ୍କରଙ୍କ ପରି ବ୍ୟାଟସମ୍ୟାନ । ବୋଲିଂ ସହ ବ୍ୟାଟିଂରେ କମାଲ କରୁଛନ୍ତି ଅଲରାଉଣ୍ଡର ରସିଦ ଖାନ । ଅଭିଜ୍ଞ ସାମି, ମୋହିତ ଶର୍ମାଙ୍କ ଭଳି ବୋଲର ଅନ୍ୟମାନଙ୍କ ପାଇଁ ଘାତକ ସାଜୁଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାରେ ୫ ୱିକେଟ ନେଇ ଚେନ୍ନାଇକୁ ସତର୍କ କରିଛନ୍ତି ମୋହିତ । ଆସନ୍ତାକାଲି ଫାଇନାଲରେ ଉନ୍ନତ ପ୍ରଦର୍ଶନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

    ସେପଟେ, ଗୁଜରାଟ ରାସ୍ତାରେ ବାଧକ ସାଜିପାରେ ଚେନ୍ନାଇ । କାରଣ IPL ଇତିହାସରେ ସବୁଠୁ ସଫଳ ଏବଂ ଅଭିଜ୍ଞ ଅଧିନାୟକ ଧୋନି ତାଙ୍କ ବିପକ୍ଷରେ ଲଢ଼ିବେ । ଗୁଜରାଟ ପରି ଚେନ୍ନାଇ ବି ବଢ଼ିଆ ପ୍ରଦର୍ଶନ କରୁଛି । ଓପନର କନୱେ ଏବଂ ଗାଏକୱାଡ ପୁରା ଫର୍ମରେ ଅଛନ୍ତି । ମିଡିଲ୍ ଅର୍ଡରରେ ରାହାଣେ ଏବଂ ଡୁବେଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁଛି । ଶେଷ ଭାଗରେ ମୋଇନ୍ ଅଲ୍ଲୀ, ଜାଡେଜା ଏବଂ ଧୋନିଙ୍କ ଦ୍ରୁତ ରନ୍ ଦଳ ପାଏ ପ୍ଲସ୍ ପଏଣ୍ଟ ହୋଇଛି । ବୋଲିଂ ଡିପାର୍ଟମେଣ୍ଟରେ ଦୀପକ ଚହର,ତୁଷାର ଦେଶପାଣ୍ଡେ, ପଥିରାନାଙ୍କ ସମେତ ମୋଇନ୍ ଏବଂ ଜାଡେଜା ଅଛନ୍ତି । ପାୱାର ପ୍ଲେ’ରେ ହିଁ ଶକ୍ତ ଧକ୍କା ଦିଅନ୍ତି ଚହର । ପୁରାପୁରି ଫର୍ମରେ ଥିବାରୁ ଗୁଜରାଟ ପାଇଁ ଅଡୁଆ ହୋଇପାରେ ।

    ୨୦୦୮ରେ ଫଟାଫଟ୍ କ୍ରିକେଟ୍ IPLର ସୃଷ୍ଟି । ଚେନ୍ନାଇ ସବୁଠୁ ସଫଳ ଟିମ୍ ହୋଇଥିବା ବେଳେ ଧୋନି ସଫଳ ଅଧିନାୟକ । ଏଯାଏ ୯ ଥର ଫାଇନାଲରେ ଏଣ୍ଟ୍ରି କରି ୪ ଥର ଟାଇଟଲ୍ ହାସଲ କରିଛି ଦଳ । ଏବେ ୧୦ନଂ ଥର ପାଇଁ ଫାଇନାଲ୍ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ପଞ୍ଚମ ଟ୍ରଫି ହାସଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ପୁଣି ଅଧିନାୟକ ଧୋନି IPLକୁ ବାୟ ବାୟ କରିପାରନ୍ତି । ତେଣୁ ଚାମ୍ପିଅନ୍ ହୋଇ ତାଙ୍କୁ ବିଦାୟକାଳୀନ ଗିଫ୍ଟ ଦେବାକୁ ଦଳ ସମସ୍ତ ବଳ ପ୍ରୟୋଗ କରିବ । ସେପଟେ, ଗତଥର ଏଣ୍ଟ୍ରି କରିଥିବା ଗୁଜରାଟ ଆରମ୍ଭରୁ ହିଁ ଟାଇଟଲ୍ ଜିତିଛି । ଲଗାତାର ଦ୍ୱିତୀୟ ଥର ଟ୍ରଫି ନିଜ ନାଁରେ କରିବା ପାଇଁ ଲଢ଼େଇ କରିବ ପାଣ୍ଡ୍ୟା ଆଣ୍ଡ କୋ ।

  • ‘ଶିଶୁ ଜୀବନରେ ଖେଳକୁଦର ରହିଛି ବିଶେଷ ମହତ୍ୱ’

    ‘ଶିଶୁ ଜୀବନରେ ଖେଳକୁଦର ରହିଛି ବିଶେଷ ମହତ୍ୱ’

    ଶିଶୁର ମାନସିକ ଓ ଶାରୀରିକ ବିକାଶରେ ଯେପରି କିଛି ଅଭାବ ପରିଲିକ୍ଷିତ ନ ହେବ ସେଥିପାଇଁ ଗ୍ରାମାଞ୍ଚଳଗୁଡିକରେ ଚାଇଡ଼ ଫଣ୍ଡ ପକ୍ଷରୁ ନିଆଯାଇଛି ବିଶେଷ ପଦକ୍ଷେପ। ଶିଶୁର ଶାରୀରିକ ଓ ମାନସିକ ବିକାଶ ସହ ସୁରକ୍ଷା କ୍ଷେତ୍ରରେ ଖେଳକୁଦର ବିଶେଷ ଗୁରୁତ୍ୱ ରହିଛି।  ଏହି କଥାକୁ ଅଭିଭାବକଙ୍କୁ ବୁଝାଇବା ସହ ଶିଶୁ ମାନସିକତା ସହ ଖେଳକୁଦର ଆବଶ୍ୟକତାକୁ ନେଇ ଜମ୍ବୁ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    କାର୍ଯ୍ୟକ୍ରମରେ ଭାଗନେଇଥିବା ଅତିଥିମାନେ ନିଜ ନିଜ ମତ ପୋଷଣ ପୂର୍ବକ କହିଛନ୍ତି କି, ଯେଉଁ ବୟସରେ ଶିଶୁଟି ନିଜର ସାଙ୍ଗ ସାଥି ଗହଣାରେ ହସିଖେଳି ନିଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା କଥା ସେହି ବୟସରେ ବାପା ମାମାନେ ଅଯଥାରେ ଶିଶୁ ଉପରେ ଲଦିଦେଉଛନ୍ତି ପାଠ ପଢ଼ାର ବୋଝ। ଫଳରେ ଶଶୁଟିଏ ନିଜର ଶୈଶବକୁ ଭୁଲି ଯାଉଛି। ଏହା ଭବିଷ୍ୟତ ଜୀବନରେ ଶିଶୁ ପାଇଁ ଘାତକ ହୋଇଥାଏ। ତେଣୁ ବୟସ ଅନୁଯାୟୀ ସେମାନଙ୍କୁ ଖେଳକୁଦ ଓ ପାଠ ପଢାଇବା ଆବଶ୍ୟକ।   

    ଖେଳ, ସଂଗୀତ, କଳା କୌଶଳ ମାଧ୍ୟମରେ କିପରି ସେମାନେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସହାୟତା କରିପାରିବେ ସେ ବିଷୟରେ ଶିକ୍ଷାଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଅତିଥିମାନେ। ଏଥିସହ ବାଲ୍ୟ ବିବାହ ପରି କୁପ୍ରଥାର ପ୍ରଚଳନ ବନ୍ଦ କରିବାକୁ ମତ ପୋଷଣ କରିଥିଲେ ଅତିଥିଗଣ। ଏହି ଅବସରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଚିତ୍ତାକର୍ଷକ ନାଚ ଗୀତ ପରିବେଷଣ କରାଯାଇଛି।

  • ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

    ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

    ଯାହା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିଥିଲା, ଆଉ ସାରା ଜୀବନ ଏକାଠି ସୁଖରେ ଘର ସଂସାର କରିବାକୁ ସ୍ୱପ୍ନ ଦେଖାଇଥିଲା, ସେହି ପାଷାଣ୍ଡ ସ୍ୱାମୀ ନିଜ ହାତରେ ଆଜି ନିଜର ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜମ୍ୱୁ ସାମୁଦ୍ରିକ ଥାନାରେ ସ୍ତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ଖେଳିଯାଇଛି।

    କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଜମ୍ବୁ ଗାଁର  ମାନସ ସୁରଙ୍କୁ  ତନ୍ତୀଆ ପାଳ ସାମୁଦ୍ରିକ ଥାନା ଅଧୀନ କଂସାର ବଡ଼ ଦାଣ୍ଡୁଆ ଗାଁର ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିକୁ ୨୦୨୦ ମସିହାରେ  ବୈଦିକ ମତେ ବିବାହ କାରିଥିଲେ।  ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ  ହସ ଖୁସିରେ ଚାଲୁଥିଲା। କଳ୍ପନାଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରିଦେଇଥିଲେ ମାନସ। କିନ୍ତୁ ଏହି ସୁଖ ଥିଲା ସ୍ୱଳ୍ପ। ବିବାହର ଏକ ବର୍ଷ ପରେ ପରିବାର ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା।  ଏଥିନେଇ ମାନସ, ସ୍ତ୍ରୀ କଳ୍ପନାକୁ ମାଡ଼ ପିଟି କରୁଥିଲେ ଓ କଳ୍ପନା ଉପରେ ଚାପ ପକାଉଥିଲେ କି, ତୁ ତୋ ବାପ ଘରକୁ ଯାଆ, ମୁଁ ଆଉ ଗୋଟେ ବିବାହ କରିବି। ଏନେଇ କଳ୍ପନା ନିଜ ବାପା ଓ ମାଙ୍କୁ ଫୋନ ଯୋଗେ ଜଣାଇଥିଲେ। ଏମିତିକି କଳ୍ପନାଙ୍କ ଘର ଲୋକଙ୍କ ପକ୍ଷରୁ ଗାଁ ଲୋକଙ୍କୁ ଜଣାଯାଇଥିଲା ଓ ନ୍ୟାୟ ନିଶାପ ବସିଥିଲା। ଭଲଲୋକିଙ୍କ ହସ୍ତକ୍ଷେପ ପରେ ସବୁ ଠିକ ହେବ, ଆଉ କଳ୍ପନାଙ୍କୁ ମାଡପିଟ ହେବ ନାହିଁ ବୋଲି ମାନସଙ୍କ ପରିବାର ପକ୍ଷରୁ ଆଶ୍ୱସ୍ତ କରାଯାଇଥିଲା। କିନ୍ତୁ ଗତ ରାତିରେ କଳ୍ପନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।   

    ଏବେ କଳ୍ପନାଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଳ୍ପନାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ମାନସ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିଥିଲେ ଓ ସେହି ମହିଳାଙ୍କୁ ବିବାହ କରିବାକୁ କଳ୍ପନାଙ୍କୁ ଗତ କାଲି ରାତିରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ମାନସକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।