ଆଜି ଆସିବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ । ଦିନ ୧୧ଟାରେ ଫଳାଫଳ ଘୋଷଣା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳାଫଳ ଘୋଷଣା କରିବା ନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସେଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସମସ୍ତଙ୍କ ମନରେ ରେଜଲ୍ଟକୁ ନେଇ ବେଶ୍ ଉତ୍କଣ୍ଠା ରହିଛି । ଚଳିତଥରର ଫଳାଫଳ କଣ ରହିବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି ।
ଆଜି ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ଆସିବ । ଜୁନ୍ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଛାତ୍ରଛାତ୍ରୀ ଥିବାବେଳେ ବିଜ୍ଞାନରେ ୯୧ ହଜାର ୩୭୮ ଜଣ ରହିଛନ୍ତି । ସେହିପରି ବାଣିଜ୍ୟରେ ୨୩ ହଜାର ୧୪୮ ଜଣ ପିଲା ପରୀକ୍ଷା ଦେଇଛନ୍ତି । ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତବର୍ଷ ମୋଟ ୧୧ ଶହ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ୬୫ଟି ଅଫଲାଇନ୍ କେନ୍ଦ୍ର ଓ ୩୯ଟି ଅନଲାଇନ୍ କେନ୍ଦ୍ରରେ ଖାତା ଦେଖା ହୋଇଥିଲା ।