+2 ରେଜଲ୍ଟ: ବିଜ୍ଞାନରେ ପାସ୍ ହାର ୮୪.୯୩%, ଟପରେ ନୟାଗଡ଼

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତଥର ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୮୧.୧୨ ପ୍ରତିଶତ । ଚଳିତବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩ ହଜାର ୭୩୪ ପରୀକ୍ଷାର୍ଥୀ । ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ଜଣ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୪ ହଜାର ୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ପାସ୍ କରିଛନ୍ତି । ୭୭୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୧୪୭୦ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ନୟାଗଡ଼ରେ ସର୍ବାଧିକ ପାସ୍ ହାର ୯୬.୪୧ ପ୍ରତିଶତ ଥିବାବେଳେ ଗଜପତିରେ ସର୍ବନିମ୍ନ ପାସ୍ ହାର ୬୧.୫୫ ପ୍ରତିଶତ ରହିଛି ।

ଆଜି ଦିନ ୧୧ଟାରେ ଭୁବନେଶ୍ବରସ୍ଥିତ CHSE କାର୍ଯ୍ୟାଳୟ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏବେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷାଫଳ ଜୁନ୍‌ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ କହିଛନ୍ତି ।

ଚଳିତବର୍ଷ ୪ଟି ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । କଳାରେ ୨ ଲକ୍ଷ ୩୨ ହଜାର ୬୪୪ ଜଣ, ବିଜ୍ଞାନରେ ୯୩ ହଜାର ୭୩୦ ଜଣ ପରୀକ୍ଷା ଦେଇଥିଲେ । ବାଣିଜ୍ୟରେ ୨୪ ହଜାର ୨୪୬ ଏବଂ ଧନ୍ଦାମୂଳକ ବିଭାଗରେ ୫୮୨୯ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୫୫୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *