ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ‘ମୋ ଘର’ ଯୋଜନାରେ ମୋହର ଲାଗିଛି । ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର ।
ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାଁନ୍ତି,ସେମାନଙ୍କୁ ରାଜ୍ୟ ସରକାର ‘ମୋ ଘର’ ଯୋଜନାରେ ଘର ଯୋଗାଇଦେବେ । ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ଏହା ରାଜ୍ୟ ସରକାରଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ । ଡେଲିଭରୀ ବୟ ଏବଂ ଜ୍ୱିଗୋଟା ଦୁଇଟି ସିନେମାକୁ କର ମୁକ୍ତ କରିଛନ୍ତି ରାଜ୍ୟ ସରକାର । ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ୩୬୪.୪୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ଏକସାଇଜ କ୍ୟାଡରକୁ ଷ୍ଟେଟ୍ କ୍ୟାଡର କରାଯାଇଛି । ସେହିପରି ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ୩୩୦.୧୭ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି । ଭିସୁଟ ରୂପାନ୍ତରଣ ପାଇଁ ୨ ହଜାର କୋଟି ବ୍ୟୟରେ IDPକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଆଜି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରିଛି । ଏହି ଅବସରରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।