
ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୫୪ତମ ଜନ୍ମଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶ-ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଓଡ଼ିଶାର କଠିନ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ ପ୍ରୟାସ ପ୍ରଶଂସନୀୟ। ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।”
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆପଣଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ଓଡ଼ିଶାବାସୀଙ୍କ ସେବା ପାଇଁ ମୋର ସଂକଳ୍ପକୁ ଆହୁରି ଦୃଢ଼ କରୁଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, “ମୋଦୀ ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣ ଓଡ଼ିଶାରେ ଜନସେବା ଓ ସୁଶାସନକୁ ତ୍ୱରାନ୍ୱିତ କରୁଛନ୍ତି। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଫଳ ଓ ଦୀର୍ଘ ଜୀବନ ଦିଅନ୍ତୁ।”
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଜୀବନ ଓ ସଫଳ ଜନସେବା ପାଇଁ କାମନା କରିଛନ୍ତି।
ଉଲ୍ଲେଖନୀୟ ଯେ, ୧୯୭୨ ମସିହା ଜାନୁଆରି ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମୋହନ ଚରଣ ମାଝୀ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର। ୧୯୯୭ ମସିହାରେ ସରପଞ୍ଚ ଭାବେ ରାଜନୀତିରେ ପ୍ରବେଶ କରିଥିବା ମାଝୀ ୨୦୨୪ ବିଧାନସଭା ନିର୍ବାଚନରେ ଚତୁର୍ଥଥର ପାଇଁ କେନ୍ଦୁଝର ଆସନରୁ ବିଜୟୀ ହୋଇଥିଲେ। ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରି ସେ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସରଳ ବ୍ୟକ୍ତିତ୍ୱ ଓ ଲୋକମୁଖୀ ଶାସନ ପାଇଁ ପରିଚିତ ମୁଖ୍ୟମନ୍ତ୍ରୀ ମାଝୀ ଅଭିଯୋଗ ଶୁଣାଣି ମାଧ୍ୟମରେ ସିଧାସଳଖ ଜନସମସ୍ୟା ସମାଧାନ କରୁଛନ୍ତି। ତାଙ୍କ ଜନ୍ମଦିବସ ଅବସରରେ ସାରା ରାଜ୍ୟରେ ଉତ୍ସାହ ଓ ଆଶାର ପରିବେଶ ସୃଷ୍ଟି ହୋଇଛି।