୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ । ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା ।

ଏହାବାଦ ଅନ୍ୟ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲିଠୁ ଲାଗି ରହିଥିବା ଲଗାଣ ବର୍ଷା ହେତୁ ଗତକାଲି ଟୁଇନ ସିଟି ଅବସ୍ଥା ବେହାଲ ହୋଇ ପଡ଼ିଛି । ଲୋକଙ୍କ ଆସବାବ ପତ୍ରଠୁ ଆରମ୍ଭ କରି ଦୋକାନରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷା ପାଣିର ବିପର୍ଯ୍ୟୟ ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି । କେମିତି ପୁଣି ସ୍ୱାଭାବିକ ହେବ ସ୍ଥିତି ସେନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ ।

ଏହାବାଦ ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଏସବୁ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *