ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ କାଲି ଏକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ଦିନ। ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାରରେ ରହିଥିବା ସୁନା-ରୁପା ଅଳଙ୍କାରର ଗଣତିମଣତି କରାଯିବ।

ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଏହି ପବିତ୍ର କାର୍ଯ୍ୟ ମାହେନ୍ଦ୍ର ବେଳାରେ ଅନୁଷ୍ଠିତ ହେବ। ଏହି ପାଇଁ ମଧ୍ୟାହ୍ନ ୧୨ଟା ୦୯ରୁ ଅପରାହ୍ନ ୧ଟା ୪୫ ପର୍ଯ୍ୟନ୍ତ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ପ୍ରାୟ ୧୯୭୮ ମସିହା ପରେ ପୁଣିଥରେ ଖୋଲିବ ରତ୍ନଭଣ୍ଡାରର ସିନ୍ଦୁକ, ବାହାରେ ରହିଥିବା କାଳିଆ ସାଆନ୍ତଙ୍କ ଦୁର୍ଲଭ ଓ ଅମୂଲ୍ୟ ଅଳଙ୍କାର ପୁଣିଥରେ ଦେଖିବାକୁ ମିଳିବ।
ଏହି ସମଗ୍ର ପ୍ରକ୍ରିୟାକୁ କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାରେ ସମାପ୍ତ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏଥିପାଇଁ 3D ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ସହାୟତା ନିଆଯିବ। ଗଣତି ପ୍ରକ୍ରିୟା ପାଇଁ ସୁପରଭାଇଜିଂ ଟିମ୍ ,ହ୍ୟାଣ୍ଡେଲିଂ ଟିମ୍ ଦୁଇଟି ବିଶେଷ ଦଳ ଗଠନ କରାଯାଇଛି।
ଦଳଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ସ୍ୱର୍ଣ୍ଣକାର ଓ ରତ୍ନବିଜ୍ଞାନୀମାନେ ଅଂଶଗ୍ରହଣ କରିବେ। ସେଥିପାଇଁ Reserve Bank of Indiaର ଜଣେ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।
ସମଗ୍ର ରାଜ୍ୟର ଦୃଷ୍ଟି ଏବେ ଏହି ଐତିହାସିକ ଘଟଣା ଉପରେ ନିର୍ଦ୍ଦିଷ୍ଟ ହୋଇଛି।