
ବର୍ତ୍ତମାନ ସମୟରେ ଯେଉଁଠି ଅନେକ ସେଲିବ୍ରିଟି କୋଟି କୋଟି ଟଙ୍କାର ଫିସ୍ ନେଇ ତମାଖୁ ଓ ଗୁଟଖା ଭଳି ନିଶାଦ୍ରବ୍ୟର ପ୍ରଚାର କରୁଛନ୍ତି, ସେଠି ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଏକ ସକାରାତ୍ମକ ଓ ପ୍ରେରଣାଦାୟକ ପରିଚୟ ସୃଷ୍ଟି କରିଛନ୍ତି | ସମାଜିକ ଦାୟିତ୍ୱକୁ ଆଗରେ ରଖି ସୁନୀଲ କୋଟି କୋଟି ଟଙ୍କାର ତମାଖୁ ବିଜ୍ଞାପନକୁ ସ୍ପଷ୍ଟ ଭାବେ ମନ କରିଦେଇଛନ୍ତି | ଦେଶର ବିଭିନ୍ନ ସ୍ଥାନରେ ସେଲିବ୍ରିଟିମାନଙ୍କ ତମାଖୁ ପୋଷ୍ଟର୍ ଓ ବିଜ୍ଞାପନ ଯୁବପିଢ଼ୀଙ୍କୁ ନକାରାତ୍ମକ ପ୍ରଭାବ ପକଉଥିବାର ଅଭିଯୋଗ ଆସିଛି | ଏହି କାରଣରୁ ସାଧାରଣ ଜନତା ଓ ସୋସିଆଲ୍ ମିଡିଆରେ ପବ୍ଲିକ୍ ଫିଗରମାନଙ୍କ ସାମାଜିକ ଦାୟିତ୍ୱକୁ ନେଇ ଜୋରଦାର ଚର୍ଚ୍ଚା କରୁଛନ୍ତି |
ଏକ ସାକ୍ଷାତକାରରେ ସୁନୀଲ ସେଟ୍ଟୀ କହିଥିଲେ ଯେ, ସେ ନିଜ ଶରୀର ଓ ସ୍ୱାସ୍ଥ୍ୟ ପାଇଁ କୃତଜ୍ଞ। “ଶରୀର ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି। ଯାହା ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି କରେ, ସେପରି ବିଜ୍ଞାପନକୁ ମୁଁ କେବେ ବି ସମର୍ଥନ କରିପାରିବି ନାହିଁ,” | ସୁନୀଲ ସ୍ପଷ୍ଟ କରିଛନ୍ତି ଯେ ସେ ନିଜ ପିଲାମାନଙ୍କ ପାଇଁ ଏକ ଭଲ ଆଦର୍ଶ ହେବାକୁ ଚାହାନ୍ତି | “ମୁଁ ଚାହୁଁଛି ଯେ, ମୋ ପିଲାମାନେ ମୋତେ ଏକ ଭଲ ବାପା ଭାବେ ମାନେ ରଖନ୍ତୁ ,” |
ଯଦିଓ ସୁନୀଲ ସେଟ୍ଟୀ ପୂର୍ବ ପରି ପ୍ରତ୍ୟେକ ଚଳଚ୍ଚିତ୍ରରେ ଦେଖାଯାଉନାହାନ୍ତି, ତଥାପି ୧୭ରୁ ୨୦ ବର୍ଷ ବୟସର ଯୁବପିଢ଼ୀ ମଧ୍ୟରେ ତାଙ୍କ ପ୍ରଭାବ ଏବେ ମଧ୍ୟ ପ୍ରକାଶ ପାଉଛି | ଏହି ସମ୍ମାନକୁ ସେ କେବେ ବି ହରେଇବା କୁ ଚାହୁଁନାହାନ୍ତି | କୋଟି କୋଟି ଟଙ୍କାକୁ ପଛେରେ ପକାଇ ସୁନୀଲ ସେଟ୍ଟୀ ଦେଖାଇଛନ୍ତି ଯେ ଅଭିନୟ ସହିତ ସମାଜିକ ଦାୟିତ୍ୱ ବୋହନ କରିବା ମଧ୍ୟ ଜଣେ ଭଲ ଅଭିନେତାଙ୍କ ପରିଚୟ |