୪୦୦ ବର୍ଷ ପୁରୁଣା କଙ୍କାଳର ଅବଶିଷ୍ଟାଂଶ ଉଦ୍ଧାର

ପୋଲାଣ୍ଡର ପ୍ରତ୍ନତତ୍ୱବିତଙ୍କୁ ମାଟି ତଳୁ ମିଳିଛି ଆଶ୍ଚର୍ଯ୍ୟ ଚକିତ କଲାପରି କିଛି ଜିନିଷ। ଉଦ୍ଧାର ସାମଗ୍ରୀରୁ ଦେଖିବାକୁ ମିଳିଛି ପ୍ରାଚୀନ କାଳରେ ପୋଲାଣ୍ଡବାସୀଙ୍କ ଭିତରେ ଥିବା ଅନ୍ଧବିଶ୍ୱାସର ଝଲକ । ପୋଲାଣ୍ଡର ଏକ ଗାଁରେ ମାଟି ଖୋଳିବା ବେଳେ ପ୍ରତ୍ନତତ୍ୱବିତଙ୍କ ହାତରେ ଲାଗିଛି ଏକ ଛୋଟ ପିଲାର କଙ୍କାଳର ଅବଶେଷାଂଶ। ପରୀକ୍ଷାରୁ ଜଣାପଡିଛି କି, ଏହା ୪୦୦ ବର୍ଷ ପୁରୁଣା। ଛୁଆଟିକୁ ଅତ୍ୟନ୍ତ ଭୟଙ୍କର ରୂପେ ପୋତା ଯାଇଥିଲା। ତାର ମୁଣ୍ଡକୁ ମୋଡା ଯିବା ସହ ତାର ଗୋଡରେ ପକାଯାଇଥିଲା ତାଲା। ଏହି ତାଲାଟି ଥିଲା ବହୁତ ଓଜନ ମଧ୍ୟ। ଏପରି କଙ୍କାଳ ଗବେଷଣାକାରୀ ପ୍ରତ୍ନତତ୍ୱବିତଙ୍କ ଉଡାଇ ଦେଇଥିଲା ହୋସ।


ତେବେ ପିଲାଟିର କଙ୍କାଳକୁ ନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି କି, ହୁଏତ ଏହା କୌଣସି ଭାମ୍ପାୟାର ଶିଶୁ ଥିଲା। ହୁଏତ ସେତେବେଳେ ଶିଶୁଟି ଭାମ୍ପାୟାର ବା ପିଶାଚ ଶିଶୁ ଭାବେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଥିଲା। ତେଣୁ ପିଲାଟିର ମୁଣ୍ଡ ମୋଡି ପୋତା ଯିବା ସହ ଏହି ପିଶାଚ ଯେମିତି କବରରୁ ନ ଉଠେ ସେଥିପାଇଁ ତାର ପାଦରେ ପକା ଯାଇଥିଲା ତାଲା ।


ନିକୋଲସ୍ କୋପରନିକସ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱବିତ ଟିମ ଗାଁର ନେକ୍ରୋପୋଲିସ କବର ମାଟି ଖନନ କରିଥିଲେ। ସେଠାରୁ ପ୍ରାୟ ୩୦ ଅନ୍ୟାନ୍ୟ ଅବଶେଷାଂଶ ଉଦ୍ଧାର ହୋଇଥିଲା। କଙ୍କାଳର ଅବଶେଷାଂଶର ପରୀକ୍ଷାରୁ ଏହା ୫ରୁ ୭ ବର୍ଷର ଶିଶୁର ଥିବା ଜଣାପଡିଛି। ଏହାପୂର୍ବରୁ ନେକ୍ରୋପୋଲିସରୁ ମଧ୍ୟ ଏକ ଭାମ୍ପାୟାର ମହିଳାଙ୍କ କଙ୍କାଳର ଅବଶେଷାଂଶ ଉଦ୍ଧାର କରାଯାଇଥିଲା। ସେହି ମହିଳାଙ୍କ ଗୋଡର ଅଙ୍ଗୁଳିରେ ତାଲା ପଡିଥିବା ବେଳେ ବେକରେ ଧାରଦାର ଅସ୍ତ୍ର ଲାଗିଥିଲା।

ନେକ୍ରୋପୋଲିସ ଏକ ଗ୍ରୀକ ଶବ୍ଦ, ଯାହାର ଅର୍ଥ ଥିଲା ମୃତକଙ୍କ ସହର। ଅନ୍ୟପଟେ ଯେଉଁମାନଙ୍କୁ ପୋଲାଣ୍ଡ ପିଶାଚ ମଣୁଥିଲେ ସେମାନଙ୍କୁ ପୋତିବା କାଳରେ ଏପରି ପଦକ୍ଷେପ ନିଆଯାଇଥାଏ, କାରଣ ଏପରି ପୋତାଗଲେ ଭାମ୍ପାୟାର ବା ପିଶାଚ ବାହାରକୁ ଆସି ପାରି ନ ଥାଏ ବୋଲି ତତ୍କାଳୀନ ଲୋକଙ୍କ ଭିତରେ ବିଶ୍ୱାସ ରହିଥିଲା।

Leave a Reply

Your email address will not be published. Required fields are marked *