୩୫ ଲକ୍ଷ ଋଣ ଛାଡ଼ ପାଇଁ ସ୍ତ୍ରୀକୁ ହତ୍ୟା ଉଦ୍ୟମ

ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ୩୫ ଲକ୍ଷ ଟଙ୍କାର ବ୍ୟବସାୟ ଋଣରୁ ମୁକ୍ତି ପାଇବା ଲୋଭରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ଫିନାଇଲ୍ ଗୁଣ୍ଡକୁ ପାଣିରେ ମିଶାଇ ସ୍ତ୍ରୀଙ୍କୁ ପିଇବାକୁ ବାଧ୍ୟ କରିଥିବା କଥା ପୋଲିସ ତଦନ୍ତରେ ସ୍ପଷ୍ଟ ହୋଇଛି। ସୌଭାଗ୍ୟବଶତଃ ପୀଡିତା ବଞ୍ଚିଯାଇଛନ୍ତି।

ଘଟଣାଟି ସତନା ସହରର ସିଭିଲ୍ ଲାଇନ୍ସ ଥାନା ଅନ୍ତର୍ଗତ ବଗାହା ଅଞ୍ଚଳରେ ଘଟିଛି। ପୀଡିତା ପୂର୍ଣ୍ଣିମା ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଅନୁରାଗ ସୋହନ ତ୍ରିପାଠୀ ତାଙ୍କ ନାମରେ “ରୁଦ୍ର ଏଣ୍ଟରପ୍ରାଇଜେସ୍” ନାମକ ଏକ ଫାର୍ମ ଖୋଲି ସର୍ଜିକାଲ୍ ସାମଗ୍ରୀ ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟ ପାଇଁ ବ୍ୟାଙ୍କରୁ ପୂର୍ଣ୍ଣିମାଙ୍କ ନାମରେ ୩୫ ଲକ୍ଷ ଟଙ୍କା ଋଣ ନିଆଯାଇଥିଲା। କିନ୍ତୁ ବ୍ୟବସାୟ ବିଫଳ ହେବା ପରେ ଋଣ ଚାପ ବଢ଼ିଥିଲା।

ପୋଲିସ କହିଛି, ଡିସେମ୍ବର ୨୮ ତାରିଖ ରାତିରେ ଅନୁରାଗ ମଦ୍ୟପାନ କରି ଘରକୁ ଫେରି ପୂର୍ଣ୍ଣିମାଙ୍କୁ ଗାଳିଗୁଲଜ ଓ ମାଡ଼ମାରିଥିଲେ, ଯାହାଫହଳରେ ତାଙ୍କ ମୁହଁ ଓ ପାଟିରେ ଗୁରୁତର ଆଘାତ ଲାଗିଥିଲା। ପରଦିନ ସକାଳେ ବାଥରୁମରେ ରଖାଯାଇଥିବା ଫିନାଇଲ୍ ଟାବଲେଟ୍ ଗୁଣ୍ଡ କରି ପାଣିରେ ମିଶାଇ ସେହି ପାଣି ପିଇବାକୁ ସ୍ତ୍ରୀଙ୍କୁ ବାଧ୍ୟ କରିଥିବା ଅଭିଯୋଗ ରହିଛି। ମୃତ୍ୟୁ ହେଲେ ଋଣ ଛାଡ଼ ହୋଇଯିବ ବୋଲି ସେ ଧମକ ଦେଇଥିବା କଥା ମଧ୍ୟ ପୀଡିତା କହିଛନ୍ତି।

ଅସୁସ୍ଥ ଥିବା ପୂର୍ଣ୍ଣିମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ଚିକିତ୍ସାଧୀନ ଥିଲେ। ଡିସଚାର୍ଜ ପରେ ସେ ଓ ତାଙ୍କ ପରିବାର ସିଭିଲ୍ ଲାଇନ୍ସ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ବିରୁଦ୍ଧରେ ହତ୍ୟା ଚେଷ୍ଟା ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।