
ସାମାଜିକ ଗଣମାଧ୍ୟମ ବ୍ୟବହାରକୁ ନେଇ ବଡ଼ ପଦକ୍ଷେପ। ଦକ୍ଷିଣ ଭାରତର ରାଜ୍ୟ କର୍ଣ୍ଣାଟକରେ ଛୋଟ ପିଲାଙ୍କୁ ଗଣମାଧ୍ୟମ ଠୁ ଦୂରେଇରଖିବା ପାଇଁ କୁହାଯାଇଛି। ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାକୁ ରାଜ୍ୟ ସରକାର ପ୍ରସ୍ତୁତି ନେଉଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ Siddaramaiah ଶୁକ୍ରବାର ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ସମୟରେ ଏହି ଘୋଷଣା କରିଛନ୍ତି। ଛୋଟ ପିଲାମାନଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ବ୍ୟବହାର ବୃଦ୍ଧି, ଅନଲାଇନ୍ ନିରାପତ୍ତା ସମସ୍ୟା ଏବଂ ଦୀର୍ଘ ସମୟ ଧରି ମୋବାଇଲ୍ ବ୍ୟବହାର କରିବା ନେଇ ଚିନ୍ତା ପ୍ରକଟ କରି ସରକାର ଏହି ପଦକ୍ଷେପ ନେବାକୁ ଠିକ୍ କରିଛନ୍ତି।
ସରକାରଙ୍କ ମତାନୁସାରେ, ଅପ୍ରାପ୍ତବୟସ୍କ ପିଲାମାନେ ସୋସିଆଲ୍ ମିଡିଆରେ ଅନେକ ଅସୁରକ୍ଷିତ ପରିସ୍ଥିତିରେ ପଡ଼ୁଛନ୍ତି ଓ ତାଙ୍କର ମନୋସ୍ୱାସ୍ଥ୍ୟ ଓ ପଢ଼ାଶୁଣା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ଏହି କାରଣରୁ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସୋସିଆଲ୍ ମିଡିଆରୁ ଦୂରେ ରଖିବାକୁ ଏକ ନୂଆ ନୀତି ଆଣିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ଲାଗୁ ହେଲେ କର୍ଣ୍ଣାଟକ ଦେଶରେ ଏପରି ପଦକ୍ଷେପ ନେବାରେ ପ୍ରଥମ ରାଜ୍ୟ ହେବ। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଓ ଗୋଆ ସରକାର ମଧ୍ୟ ଛୋଟ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ନେଇ ଚିନ୍ତା କରୁଥିଲେ। ରାଜ୍ୟର ଆଇଟି ଓ ବାୟୋଟେକ୍ନୋଲୋଜି ମନ୍ତ୍ରୀ Priyank Kharge ମଧ୍ୟ ପୂର୍ବରୁ ଏହି ବିଷୟରେ ସରକାର ଚିନ୍ତା କରୁଥିବା କଥା କହିଥିଲେ। ଏହି ପ୍ରସ୍ତାବ ଲାଗୁ ହେଲେ ଛୋଟ ପିଲାମାନଙ୍କ ଅନଲାଇନ୍ ସୁରକ୍ଷା ନେଇ ଏକ ନୂଆ ମଡେଲ୍ ସୃଷ୍ଟି ହେବ ବୋଲି ମନେ କରାଯାଉଛି।