
ବନ୍ଦେ ମାତରମ ରଚନାର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି | ଜାତୀୟ ଗୀତ ପ୍ରତି ସମ୍ମାନ ଓ ପ୍ରଚାର ବୃଦ୍ଧି ପାଇଁ ୧୦ ପୃଷ୍ଠାର ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବନ୍ଦେ ମାତରମ ଛଅ ସପଦ ବିସ୍ତାରିତ ସଂସ୍କରଣକୁ ଏବେ ସରକାରୀ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦିଆଯିବ ଓ ବାଧ୍ୟତାମୂଳକ ଭାବେ ଗାନ କରାଯିବ।ନୂତନ ନିୟମ ଅନୁଯାୟୀ, ଏହି ବିସ୍ତାରିତ ସଂସ୍କରଣର ମୋଟ ସମୟ ୩ ମିନିଟ୍ ୧୦ ସେକେଣ୍ଡ ହେବ। ଏପର୍ଯ୍ୟନ୍ତ କେବଳ ପ୍ରଥମ ଦୁଇ ପଦ ପ୍ରାୟ ୬୫ ସେକେଣ୍ଡ ସରକାରୀ ଅବସରରେ ଗାନ ହୋଇଆସୁଥିଲା।
ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବନ୍ଦେ ମାତରମ ଓ ଜାତୀୟ ସଙ୍ଗୀତ ଗାନ ବା ବଜାଇବା ବାଧ୍ୟତାମୂଳକ ହେବ | ବିଶେଷ କରି ଜାତୀୟ ପତାକା ଉତ୍ତୋଳନ ସମୟରେ, ରାଷ୍ଟ୍ରପତିଙ୍କ ଆଗମନ ଓ ତାଙ୍କ ଅଭିଭାଷଣ ପୂର୍ବ – ପରେ ,ସରକାରୀ ନାଗରିକ ସମ୍ବର୍ଦ୍ଧନା ଓ ସ୍କୁଲ ସଭାଗୁଡ଼ିକରେ ଗାନ କରାଯିବ | ଯଦି କୌଣସି କାର୍ଯ୍ୟକ୍ରମରେ ଜନଗଣମାନ ଓ ବନ୍ଦେ ମାତରମ ଉଭୟ ଗୀତ ଗାନ କରାଯାଏ, ତେବେ ପ୍ରଥମେ ‘ବନ୍ଦେ ମାତରମ୍’ ଓ ପରେ ‘ଜନ ଗଣ ମନ’ ଗାନ କରାଯିବ | ଗାନ ବା ବଜାଇବା ସମୟରେ ସମସ୍ତଙ୍କୁ ଠିଆ ହେବ କୁ ପଡିବ | ଆଦେଶରେ ଉଲ୍ଲେଖ ଅଛି ଯେ ଜାତୀୟ ଗୀତ ବାଜିବା ସମୟରେ ପୂର୍ଣ୍ଣ ଗରିମା ରକ୍ଷା କରାଯିବ। କିନ୍ତୁ ଯଦି ଏହା ଡକ୍ୟୁମେଣ୍ଟାରୀ କିମ୍ବା ନ୍ୟୁଜ୍ ଫିଲ୍ମର ଅଂଶ ହୁଏ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ। ବ୍ୟାଣ୍ଡ ଦ୍ୱାରା ଗାନ ପୂର୍ବରୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ଡ୍ରମ୍ ରୋଲ୍ ବଜାଇ ଦର୍ଶକଙ୍କୁ ସଚେତନ କରାଯିବ ଯେ ଜାତୀୟ ଗୀତ ଆରମ୍ଭ ହେବାକୁ ଯାଉଛି।
୧୮୭୦ ଦଶକରେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ୍’କୁ ୧୯୫୦ ମସିହାରେ ଜାତୀୟ ଗୀତ ଭାବେ ସ୍ୱୀକୃତି ମିଳିଥିଲା। ସମ୍ପ୍ରତି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୀତର ପୂର୍ଣ୍ଣ ରୂପକୁ ଗୁରୁତ୍ୱ ଦେବାକୁ ଉଲ୍ଲେଖ କରିଥିଲେ। ନୂଆ ନିର୍ଦ୍ଦେଶକୁ ଜାତୀୟ ଗୀତକୁ ପୂର୍ଣ୍ଣ ରୂପରେ ଲୋକପ୍ରିୟ କରିବା ଓ ତାହା ପ୍ରତି ସମ୍ମାନ ବଢ଼ାଇବାରେ ସରକାରଙ୍କ ଏକ ମୁଖ୍ୟ ପଦକ୍ଷେପ ବୋଲି କୁହାଯାଉଛି |