୧୧ ଦିନ ପରେ ମାଟିତଳୁ ମିଳିଛି ଶବ

୧୧ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଶବ ମାଟିତଳେ ପୋତା ଅବସ୍ଥାରେ ଠାବ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ସନସନୀ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଗାଁର ପ୍ରକାଶ ମହାନ୍ତି।

ସୂଚନା ଅନୁସାରେ, ପ୍ରକାଶ ମହାନ୍ତି ୧୧ ଦିନ ପୂର୍ବରୁ କିଛି ଲୋକଙ୍କ ସହ ବାହାରକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ଏନେଇ ତାଙ୍କ ସ୍ତ୍ରୀ ବନିତା ମହାନ୍ତି ବିନିକା ଥାନାରେ ନିଖୋଜ ଥିବା ଖବର ପାଇଁ ଏତଲା ଦେଇଥିଲେ। ତାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ତଦନ୍ତ ସମୟରେ ଗୁପ୍ତ ସୂଚନା ଆଧାରରେ, ଆଜି ସକାଳେ ଏକ ସ୍ଥାନରେ ଖୋଦନ କରାଯାଇଥିଲା। ସେଠାରୁ ପ୍ରକାଶଙ୍କ ଶବ ତାଙ୍କ ଘରଠୁ କିଛି ଦୂରରେ ଥିବା ଏକ ଜୋର ନିକଟରେ ମାଟିତଳେ ପୋତା ଅବସ୍ଥାରେ ମିଳିଥିଲା। ଶବ ଉଦ୍ଧାର ପରେ ଘଟଣାସ୍ଥଳରେ ଫରେନ୍ସିକ ଟିମ୍, ସନ୍ଧାନୀ କୁକର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଙ୍କୁ କିଏ, କେଉଁ କାରଣରୁ ହତ୍ୟା କଲା ଓ ମାଟିତଳେ ପୋତିଲା,ସେନେଇ ପୁଲିସ ତଦନ୍ତ ଜାରି ରହିଛି।

ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ, ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଘଟଣା ପରେ ଗୁଲାପଡା ଗାଁରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।