୧୦ ହଜାର ଟଙ୍କାରେ ଛୁଆକୁ ବିକିଲା ମାଆ !

ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’। ଦାମ୍ପତ୍ୟ ଜୀବନରେ କଳହ ହେବାରୁ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ଜଣେ ମହିଳା ନିଜ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଶିଶୁ ବିକ୍ରି ନେଇ ଏଭଳି ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଅକ୍ଷୟ ପଟେଲ ଗତ କିଛି ବର୍ଷ ପୂର୍ବେ ମାନସୀ ବାଗ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଓ ମାନସୀ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ କୌଣସି କାରଣକୁ ନେଇ ମାନସୀ ଓ ଅକ୍ଷୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଉଭୟ ଅଲଗା ରହୁଥିଲେ। ଛୁଆଟି ଅକ୍ଷୟଙ୍କ ପାଖରେ ରହୁଥିଲା।

ହଠାତ୍‌ ଦିନେ ମାନସୀ ବୁଲାଇ ନେବାର ଆଳ କରି ସ୍ୱାମୀଙ୍କ ପାଖରୁ ଛୁଆକୁ ଆଣି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅକ୍ଷୟ ଓ ତାଙ୍କର ସମ୍ପର୍କୀୟ ଏହି ଅଭିଯୋଗ ଆଣିଛନ୍ତି। ଏନେଇ ଟିଟିଲାଗଡ଼ ଥାନାକୁ ଯାଇଥିଲେ ବି ଖବର ଲେଖାଯିବା ସୁଦ୍ଧା ପୋଲିସ ମାମଲା ରୁଜୁ କରିନଥିବା ଅଭିଯୋଗ ହୋଇଛି।

Comments

Leave a Reply

Your email address will not be published. Required fields are marked *