ହୋମଗାର୍ଡଙ୍କ ପରେ ଏଏସଆଇ ଦୁଷ୍କର୍ମ ଅଭିଯୋଗରେ ଗିରଫ

ମୟୂରଭଞ୍ଜ ଖାକି ହେବାରେ ଲାଗିଛି କଳଙ୍କିତ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଲୋକଙ୍କ ସରଳତାର ସୁଯୋଗ ନେଇ ରକ୍ଷକ ସାଜୁଛି ଭକ୍ଷକ। ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କ ଶୋଷଣ ଖୋଦ ପୋଲିସ କରୁଥିବାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଜିଲ୍ଲାର ଜାମଦା ଥାନା କର୍ମଚାରୀଙ୍କ ବିରୋଧରେ ଆସୁଛି ଦୁଷ୍କର୍ମ ପରି ଜଘଣ୍ୟ ଅଭିଯୋଗ। ଥାନାରେ କାର୍ଯ୍ୟରତ ଏ.ଏସ୍.ଆଇ. ଆନନ୍ଦ ମାଝିଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତାଙ୍କ ପିଉସୀ । ଏଏସଆଇ ବାବୁ ପୀଡିତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଆନନ୍ଦ ମାଝିଙ୍କୁ ଗିରଫ କରି କୋର୍ଟ ଫରଓ୍ବାଡ କରିଛି । ଏଠାରେ କହି ରଖୁଛୁ କି, ଦିନକ ତଳେ ଏହି ଥାନାର ଜଣେ ହୋମଗାର୍ଡ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏବେ ଏ.ଏସ୍.ଆଇ. ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗୋଟିଏ ଥାନାରୁ ଦୁଇ ଦୁଇ ଜଣ ଖାକିବର୍ଦ୍ଦିଧାରୀଙ୍କ ବିରୋଧରେ ଏପରି ମାମଲା ସାମ୍ନାକୁ ଆସିବା ପରେ ନୀରିହ ଆଦିବାସୀ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *