ହେଲୋୱିନରେ ଜୀବିତ ମୃତକଙ୍କ ମଧ୍ୟରେ ହୁଏ ମିଳନ

ଅକ୍ଟୋବର ୩୧! ୟୁରୋପ ଓ ଆମେରିକାବାସୀଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନରେ ପାଳନ ହୋଇଥାଏ ଭୁତଙ୍କ ପର୍ବ ହେଲୋୱିନ ବା ହେଲୋଜ ଡେ। ଏହାର ଗୋଟିଏ ଦିନ ପୂର୍ବରୁ ପାଳନ ହୁଏ ଅଲ ହେଲୋଜ ଇଭ। ଏହି ପର୍ବ ହେଉଛି ଗ୍ରୀଷ୍ମର ଅନ୍ତ ଓ ଶୀତ ଆରମ୍ଭର ପ୍ରତୀକ। ପୂର୍ବରୁ ଏହି ପର୍ବକୁ ୟୁରୋପ ଓ ଆମେରିକାରେ ପାଳନ କରାଯାଉଥିବା ବେଳେ ସମ୍ପ୍ରତି ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ମଧ୍ୟ ପାଳନ ହେଉଛି ହେଲୋୱିନ ପର୍ବ। କେତେକାଂଶରେ ଏହା ଏକ ଆମୋଦ ପ୍ରଦାନକାରୀ ପର୍ବ। ତେବେ ଏହାର ଆରମ୍ଭ ହୋଇଥିଲା ଆୟରଲ୍ୟାଣ୍ଡ, ଇଂଲଣ୍ଡ ଓ ଫ୍ରାନ୍ସର ଉତ୍ତରାଞ୍ଚଳରେ ।

ସାଧାରଣତଃ ପର୍ବ ପର୍ବାଣିରେ ଲୋକେ ନୂଆ, ଆକର୍ଷଣୀୟ ପୋଷାକ ପିନ୍ଧିଥାନ୍ତି। ଘରକୁ ସୁନ୍ଦର ଆଲୋକମାଳାରେ ସଜାଇଥାନ୍ତି। କିନ୍ତୁ ଏହି ପର୍ବରେ ଲୋକେ ପୁରୁଣା ଫଟା ଓ ଭୟ ଉଦ୍ରେକକାରୀ ପୋଷାକ ପରିଧାନ କରିଥାନ୍ତି। ଘରକୁ ଧିମା ଲାଇଟରେ ସଜାନ୍ତି, ଯାହା ମନରେ ଭୟ ସୃଷ୍ଟି କରିବ। ଟ୍ରେକ୍ ଗେମ୍ ଖେଳିବା ସହ ଲୋକେ କଖାରୁରୁ ପ୍ରସ୍ତୁତ ପାନୀୟ ପିଇଥାନ୍ତି। ହେଲୋୱିନର ସେଲ୍ଟିକ ଓ ରୋମନ ପରମ୍ପରା ସହ ସମାନତା ରହିଛି।

ଏହି ପର୍ବରେ ଜୀବିତ ଓ ମୃତକଙ୍କ ମଧ୍ୟରେ ମିଳନ ହେଉଥିବା ବିଶ୍ବାସ ରହିଛି। ଏହି ଦିନ ଅଶରୀରିମାନେ ଧରାପୃଷ୍ଠକୁ ଅବତରଣ କରୁଥିବା କୁହାଯାଏ। ତେବେ ନିଜ ଦୁଷ୍ଟ ଆତ୍ମାଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଲୋକେ ନିଜର ପୋଷାକ ଭୟ ସୃଷ୍ଟିକାରୀ କରିବା ସହ ଘର ସାମ୍ନାରେ କଖାରୁକୁ ମୁହଁର ଆକୃତି ପରି ଆଖି, ନାକ, ପାଟି ପରି ଖୋଦେଇ କରି ସେଥିରେ ନିଆଁ ଜଳାଇଥାନ୍ତି, ଯେମିତି ଦୁଷ୍ଟ ଆତ୍ମାମାନେ ଆଉ ଜୀବିତଙ୍କ ନିକଟକୁ ଆସିବେ ନାହିଁ। ଏହି ପର୍ବରେ କଖାରୁର ବିଶେଷ ଉପଯୋଗ କରାଯାଇଥାଏ।

ସନ୍ଧ୍ୟା ନଇଁଲେ ଲୋକେ ନିକଟବର୍ତ୍ତି କବରଖାନାକୁ ଯାଇ କଖାରୁର ଲାଇଟ ଲଗାଇଆସନ୍ତି। ନିଜ ପୂର୍ବ ପୁରୁଷଙ୍କ ପାଇଁ କଖାରୁ ପାଇ, କଖାରୁ ବ୍ରେଡ୍, କଖାରୁ ସୁପ, କଖାରୁ ମଞ୍ଜି ଭଜା ଓ ସୁଇଟ କର୍ନ କେକ୍ କରି ଅର୍ପଣ କରିଥାନ୍ତି।

Leave a Reply

Your email address will not be published. Required fields are marked *