ହେକ୍ଟର ହେକ୍ଟର ଚାଷ ଜମିରେ ଚକଡା ପୋକ, ଚିନ୍ତାରେ ଚାଷୀ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଛି ମାଟିଆଗୁଣ୍ଡି ବା ଚକଡା଼ ପୋକ। ଚଳିତ ଖରିଫ ଋତୁରେ ସ୍ଵାଭାବିକ ବର୍ଷା ଯୋଗୁଁ ଭଲ ଫସଲ ହୋଇଥିଲା । ହେଲେ ଧାନ ଅମଳ ବେଳକୁ ପୋକ ସବୁ ପରିଶ୍ରମ ନଷ୍ଟ କରିଦେଇଛି। ଏବେ ଚାଷୀ ମୁଣ୍ଡରେ ପଡିଛି ଚଡକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ, ପାଟଣା, ସାହାରାପଡ଼ା, ଘଟଗାଁ ବ୍ଲକର ବିଭିନ୍ନ ପଂଚାୟତରେ ହେକ୍ଟର ହେକ୍ଟର ଜମିର ଧାନ ଫସଲରେ ମାଡିଯାଇଛି ଚକଡା ପୋକ। ଚାଷୀଙ୍କ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ସ୍ଵାଭାବିକ ବର୍ଷା ପାଇଁ ହସୁଥିଲା ଧାନ ବିଲ। ଚଳିତ ବର୍ଷ ଭଲ ଅମଳ କରି ପୂର୍ବ କ୍ଷତି ଭରଣା ହେବ ବୋଲି ଆଶାବନ୍ଧି ବସିଥିଲେ ଚାଷୀ। ହେଲେ ଚକଡା ପୋକ ସବୁ ଆଶାକୁ ମଉଳାଇ ଦେଇଛି। ପାଚିଲା ଧାନର ଭ୍ରମ ସୃଷ୍ଟି କରୁଥିବା ଧାନ କ୍ଷେତରେ ଖାଲି ଭରି ଯାଇଛି ଅଗାଡି। ଯାହାକୁ ନେଇ ଅବସାଦରେ ଗରିବ ଚାଷୀ ।

ଧାନ ଗଛ ମୂଳରେ ଚକଡା଼ପୋକ ଲାଗି ଧାନ ଫସଲ ସବୁ ନଷ୍ଟ କରିଦେଉଛନ୍ତି । ଏନେଇ ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ ପଂଚାୟତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୧୬୧ ହେକ୍ଟର ଜମିରେ ଧାନ ଚାଷରେ ରୋଗ ପୋକ ଲାଗିଥିବା କୃଷି ବିଭାଗ ଜାଣିବାକୁ ପାଇଛି । ଚମ୍ପୁଆ କୃଷି ବିଭାଗ ଅଧିକାରୀ ପୋକ ଲାଗିଥିବା ଧାନ କ୍ଷେତକୁ ନିରୀକ୍ଷଣ କରିବା ପରେ ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଥିବା ସୂଚନା ଦେଇଛନ୍ତି । ଏଥିସହ ଫସଲରେ ଔଷଧ ପ୍ରୟୋଗ କରିବାକୁ ଦେଉଛନ୍ତି ପରାମର୍ଶ।

ଅଧିକାରୀ କହୁଛନ୍ତି ଔଷଧ ପକେଇଲେ ପୋକ ହେବନି। ହେଲେ ଚାଷୀ ସାର, ଔଷଧ ସବୁ ପ୍ରୟୋଗ କରିବା ପରେ ମଧ୍ୟ ପୋକ ଦାଉରୁ ଫସଲ ବର୍ତ୍ତି ପାରିନି। ରକ୍ଷା କରିପାରି ନାହାନ୍ତି ଚାଷକୁ। ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ ସାଙ୍ଗକୁ ମୁଲ ମଜୁରୀ ଦେଇ, ବିହନ, ସାର, ଔଷଧ ପାଇଁ ଯେଉଁ ଖର୍ଚ୍ଚ କରିଛି ତାକୁ କେମିତି ଭରଣା କରିବ ସେହି ଚିନ୍ତାରେ ଚାଷୀ ଆଖିରୁ ହଜିଗଲାଣି ନିଦ। ତେଣୁ ସରକାର କ୍ଷତିଗ୍ରସ୍ତ ଧାନ ଚାଷୀଙ୍କୁ ଉଚ୍ଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *