ହାର୍ଦ୍ଦିକଙ୍କୁ ମହଙ୍ଗା ପଡ଼ିଲା ମସ୍ତି! ସେଲିବ୍ରେସନ୍ ମଝିରେ ଫସିଲେ ପାଣ୍ଡ୍ୟା

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ସାରା ଦେଶରେ ଏବେବି ଉତ୍ସବର ମାହୋଲ ଜାରି ରହିଛି। ବିଶ୍ୱବିଜୟୀ ବୀରମାନେ ସ୍ୱଦେଶ ଫେରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି। କିନ୍ତୁ ଏହି ଖୁସି ମଧ୍ୟରେ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏକ ଆଇନଗତ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି |

ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ହାର୍ଦ୍ଦିକ, ବିଶ୍ୱକପ୍ ବିଜୟ ପରେ ନିଜର ଜଣେ ବାନ୍ଧବୀଙ୍କୁ ନେଇ ବେଶ୍ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା। ସେ ତାଙ୍କୁ ନିଜ ଜୀବନର ‘ଲକି ଚାର୍ମ’ ବୋଲି ସମ୍ବୋଧନ କରିବା ସହ ତାଙ୍କ ଆସିବା ପରେ କ୍ରିକେଟ୍ କ୍ୟାରିୟରରେ ସଫଳତା ମିଳୁଥିବା କହିଥିଲେ। ସୂଚନାଯୋଗ୍ୟ ଯେ, ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟେନକୋଭିକଙ୍କ ସହ ବିବାହ ବିଚ୍ଛେଦ ପରେ ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ପୁଣେର ଜଣେ ସ୍ଥାନୀୟ ଓକିଲ ୱାଜିଦ ଖାନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି। ଶିବାଜୀନଗର ପୁଲିସ ଷ୍ଟେସନରେ ଦାଖଲ ହୋଇଥିବା ଏହି ଅଭିଯୋଗ ଅନୁଯାୟୀ, ବିଜୟ ଉତ୍ସବ ସମୟରେ ହାର୍ଦ୍ଦିକ ଜାତୀୟ ପତାକାକୁ ନିଜ ଦେହରେ ଘୋଡ଼ାଇ ମଞ୍ଚ ଉପରେ ଶୋଇଥିଲେ। ସେହି ସମୟରେ ତାଙ୍କ ସହ ତାଙ୍କର ବାନ୍ଧବୀ ମଧ୍ୟ ଉପସ୍ଥିତ ଥିଲେ। ଅଭିଯୋଗକାରୀଙ୍କ କହିବାନୁଯାୟୀ, ଏହି କମ କରିବା ଜାତୀୟ ପତାକାର ମର୍ଯ୍ୟାଦା ହାନି କରିବା ସହ କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ ପହଞ୍ଚାଇଛି।

ପୁଣେ ପୁଲିସ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ FIR ରୁଜୁ କରିନାହିଁ। ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଘଟଣାର ସତ୍ୟାସତ୍ୟ ଏବଂ ଭିଡିଓ ଫୁଟେଜ୍ ଯାଞ୍ଚ କରାଯିବା ପରେ ଆଇନଗତ ପଦକ୍ଷେପ ନିଆଯିବ।