ହାତୀ ଭୟରେ ଫିକା ପଡିଲା ନୂଆବର୍ଷ

ଏଥର ଫିକା ପଡିବ ନୂଆବର୍ଷର ଆନନ୍ଦ। ହାତୀ ଭୟ ଯୋଗୁଁ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼ ବନ୍ଦ କରାଯାଇଛି। ବନ ବିଭାଗ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶିଖରଚଣ୍ଡୀ ପାହାଡ଼ର ପ୍ରବେଶ ଗେଟ ବନ୍ଦ ରଖିବାକୁ ସିଦ୍ଧାନ୍ତ ନିଆଯାଇଛି। ଫଳରେ ଏଥର ଶିଖରଚଣ୍ଡୀରେ ନୂଆବର୍ଷ ଭୋଜି ଓ ପର୍ଯ୍ୟଟନ ଆନନ୍ଦ ସମ୍ଭବ ହୋଇପାରିବ ନାହିଁ।

ବନ ବିଭାଗ ସୂଚନା ଅନୁଯାଇ, ଶିଖରଚଣ୍ଡୀ ପାହାଡ଼ ଓ ଆଖପାଖ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ବଢ଼ିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ଅନାପେକ୍ଷିତ ଘଟଣାକୁ ଏଡ଼ାଇବା ପାଇଁ ପର୍ଯ୍ୟଟକଙ୍କୁ ଶିଖରଚଣ୍ଡୀ ପାହାଡ଼କୁ ପ୍ରବେଶ କରିବାକୁ ନିଷେଧ କରାଯାଇଛି।

ଶିଖରଚଣ୍ଡୀ ପାହାଡ଼ ସାଧାରଣ ଦିନରେ ମଧ୍ୟ ପର୍ଯ୍ୟଟକଙ୍କ ଗହଳିରେ ଭରିଥାଏ। ଭଣଭୋଜି, ଜନ୍ମଦିନ ପାଳନ କିମ୍ବା ସାଧାରଣତଃ ବୁଲିବା ପାଇଁ ଲୋକେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ବିଶେଷକରି ନୂଆବର୍ଷରେ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଏଥର ହାତୀ ଡରରେ ସମସ୍ତ ଯୋଜନା ଫିକା ପଡିଯାଇଛି।

ବନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଇଛି ଯେ, ସୁରକ୍ଷା ଦୃଷ୍ଟିରୁ ଶିଖରଚଣ୍ଡୀ ପାହାଡ଼କୁ ଯିବାରୁ ବିରତ ରହନ୍ତୁ। ହାତୀ ଚଳପ୍ରଚଳ ସ୍ଥିତି ସାଧାରଣ ହେଲେ ପରେ ପରବର୍ତ୍ତୀ ସୂଚନା ଜାରି କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।