ଅନୁଗୁଳ ବନ୍ତଳାରେ ଦିନକୁ ଦିନ ବଢୁଥିବା ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ। ହାତୀଙ୍କ ପାଇଁ ବନ୍ତଳାରେ ଜୀବନ ଜୀବିକା ଏକ ପ୍ରକାରର ବିପନ୍ନ ହୋଇପଡିଛି। ସ୍ଥିତି ଏମିତି ହୋଇଛି ଚାଷୀ କ୍ଷେତକୁ ଯିବାକୁ, ଲୋକେ ହାଟ ବଜାରକୁ ଓ ଛାତ୍ର ଛାତ୍ରୀ ସ୍କୁଲକୁ ଯିବାକୁ ସୁରକ୍ଷିତ ମଣୁନାହାଁନ୍ତି। ଦିନ ସମୟ ଭୟ ଭିତରେ ଯେନତେନ ଉପାୟରେ କଟିଯାଉଛି, ହେଲେ ସଞ୍ଜ ନଇଁଲେ ଅଞ୍ଚଳରେ ତାଟି କବାଟ ପଡି ଯାଉଛି। ଘରେ ରହିଲେ ବି ଜୀବନ ପ୍ରତି ରହୁଛି ବିପଦ। ପ୍ରାୟ ଏକ ବର୍ଷ ଭିତରେ କେବଳ ଅନୁଗୋଳ ବ୍ଲକରେ ୩୦ ରୁ ଉର୍ଦ୍ଧ୍ବ ଜୀବନ ହାତୀ ନେଇ ସାରିଲାଣି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ମଞ୍ଚ ଏହାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ କରିସାରିଲାଣି। କିନ୍ତୁ ଏଥିପ୍ରତି କାହାରି ନଜର ନାହିଁ। ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଆସନ୍ତା ୧୬ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତାନ୍ତ୍ରିକ ପଦ୍ଧତିରେ ଗଣଧାରଣା ଦେବା ପାଇଁ ନିଷ୍ପତି ନେଇଛି ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚ। ଏ ନେଇ ମାରୱାଡି ଧର୍ମଶାଳା ଠାରେ ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚ ତରଫରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।
ପ୍ରଶାସନ ମଞ୍ଚର ଦାବି ଅନୁଯାୟୀ ହାତୀ ଘଉଡାଇବା ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।