
ରାଜ୍ୟର ଦୁଇଟି ଜିଲ୍ଲାରେ ହାତୀ ଆତଙ୍କ ଏବେ ଜନଜୀବନକୁ ଭୟଭୀତ କରିଛି। ଅନୁଗୁଳ ଜିଲ୍ଲା ସହିତ ବଲାଙ୍ଗୀର ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଅନୁଗୁଳ ରେଞ୍ଜ ଅଧୀନ ସାହାରାଗୁଡ଼ା ଗାଁର ସୁନାଭୂଇଁ ସାହିରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ସକାଳୁ ଘର ନିକଟସ୍ଥ ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଝିଲ୍ଲୀ ବେହେରା (୩୫)ଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଝିଲ୍ଲୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସାହାରାଗୁଡ଼ା ଗାଁରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ରୋଷାବେଶରେ ଗାଁ ଲୋକେ ରେଞ୍ଜର ଉଦ୍ଧବ ବେହେରାଙ୍କୁ ଅଟକ ରଖିଥିବା ଖବର ମିଳିଛି।
ଏହା ସହିତ ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନାର ଚହକୋପଡ଼ା ଗ୍ରାମରେ ମଧ୍ୟ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବିଗତ ଦୁଇ ଦିନ ଧରି ଲାଠୋର ରେଞ୍ଜ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀପଲ ଉତ୍ପାତ କରୁଥିବାବେଳେ ଗୁରୁବାର ମଧ୍ୟରାତ୍ରିରେ ଏହି ହାତୀପଲ ଚହକୋପଡ଼ା ଗାଁର ଏକ ଘର ଉପରେ ଆକ୍ରମଣ କରିଥିଲେ। ଘର ଭାଙ୍ଗିଯିବାରୁ କାନ୍ଥ ତଳେ ଚାପି ହୋଇ ୪୫ ବର୍ଷୀୟ ଫୁଲମତି ନାଗଙ୍କ ମୃତ୍ୟୁ ହୋଇଛି।
ଏହି ଆକ୍ରମଣରେ ଫୁଲମତିଙ୍କ ସ୍ୱାମୀ ଗୌତମ ନାଗ ଓ ଶାଶୂ ଖୁଦ ନାଗ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ବନ ବିଭାଗର ସହଯୋଗରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।
ଏକାଧିକ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ହାତୀପଲକୁ ଜଙ୍ଗଲ ଅଞ୍ଚଳକୁ ଫେରାଇବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ, ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବା ଏବଂ ବିଶେଷକରି ରାତି ସମୟରେ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରିଛି।